Advertisment

କେନ୍ଦ୍ର-ରାଜ୍ୟ ଛକାପଞ୍ଝା : ଆୟୁଷ୍ମାନ ପରେ ଏବେ ‘ପିଏମ-କିଷାନ’କୁ ନା!

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜନୀତିକ ଫାଇଦା ପାଇଁ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ସାଧାରଣ ଗରିବ ଓ ଚାଷୀ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରୋକଠୋକ୍ ମନା କରିବାପରେ ଏବେ ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଜନା(ପିଏମ୍ – କିଷାନ)ରେ ମଧ୍ୟ କେଁ ପୁରାଇଛନ୍ତି ରାଜ୍ୟ ସରକାର। ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଖରେ ପ୍ରଥମ ପର୍ଯ୍ୟାୟ ସହାୟତା ପହଞ୍ଚାଇବାକୁ […]

ନବୀନ ସରକାରର ଭିନ୍ନ ଏକ ସଫଳତା: ୩ ବର୍ଷରେ ଭୂମିହୀନ ହେବେ ଗ୍ରାମାଞ୍ଚଳର ୧୦ଲକ୍ଷ ପରିବାର!

kalia

Advertisment

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜନୀତିକ ଫାଇଦା ପାଇଁ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ସାଧାରଣ ଗରିବ ଓ ଚାଷୀ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରୋକଠୋକ୍ ମନା କରିବାପରେ ଏବେ ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଜନା(ପିଏମ୍ - କିଷାନ)ରେ ମଧ୍ୟ କେଁ ପୁରାଇଛନ୍ତି ରାଜ୍ୟ ସରକାର।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଖରେ ପ୍ରଥମ ପର୍ଯ୍ୟାୟ ସହାୟତା ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ ମଧ୍ୟ ରାଜ୍ୟ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବୟାନରୁ ଏବେ ରାଜନୀତିକ ଗନ୍ଧ ବାରି ହୋଇପଡ଼ିଲାଣି। କାଳେ ଏହା ରାଜ୍ୟର ‘କାଳିଆ’ ଯୋଜନାରୁ ମିଳିବାକୁ ଥିବା ରାଜନୀତିକ ଫାଇଦାରେ ସମସ୍ୟା ସୃଷ୍ଟି କରିବ ସେହି ଆଶଙ୍କାରେ ଫେବୃୟାରୀ ୨୫ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଚୟନ କରି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ସପକ୍ଷରେ ରାଜ୍ୟ ସରକାର ନଥିବା ସ୍ପଷ୍ଟ ଜଣାପଡ଼ୁଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଚଳିତମାସ ୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପିଏମ-କିଷାନ ଯୋଜନାରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ଏହି ଯୋଜନାରେ ଶତପ୍ରତିଶତ ଅର୍ଥ ବହନ କରିବେ ଓ ବାର୍ଷିକ ୩ଟି କିସ୍ତିରେ ୨ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ୬ହଜାର ଟଙ୍କା ପ୍ରଦାନ କରିବେ। ଏହି ଯୋଜନା ୨୦୧୮ ଡିସେମ୍ବର ୧ରୁ ଆରମ୍ଭ ହୋଇଛି ଓ ପ୍ରଥମ ପର୍ଯ୍ୟାୟ କିସ୍ତି ସହାୟତା(୨ହଜାର ଟଙ୍କା)କୁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଶ୍ରୀ ସିଂହ ଦର୍ଶାଇଛନ୍ତି।

Advertisment

ସେହିପରି କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ ଫେବୃୟାରୀ ୧ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପଠାଯାଇଥିବା ଗାଇଡଲାଇନ ଅନୁସାରେ ହିତାଧିକାରୀ ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଫେବୃୟାରୀ ୨୫ତାରିଖ ସୁଦ୍ଧା ପିଏମ-କିଷାନ ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଅନଲାଇନ୍ ଅପଲୋଡ୍ କରିବାକୁ ଅନୁରୋଧ କରିଛନ୍ତି। ଏବେ ଯେଉଁ ଚାଷୀଙ୍କ ତାଲିକା ରାଜ୍ୟ ଦେବ ତାହା ବର୍ଷକ ପାଇଁ ବୈଧ ରହିବ। ପରବର୍ତ୍ତୀ ବର୍ଷରେ ରାଜ୍ୟ ଏହି ତାଲିକାରେ ଅଧିକ ନାଁ ଯୋଡ଼ିପାରିବ। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ଚାଷୀ)ଙ୍କୁ ‘ଆଧାର ପେମେଣ୍ଟ ବ୍ରିଜ୍ ’(ଏପିବି) ମାଧ୍ୟମରେ ପ୍ରଥମ କିସ୍ତି ପ୍ରଦାନ କରାଯିବ। ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟର ଆଧାର ଲିଙ୍କ୍ ହୋଇନଥିବ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଥମ କିସ୍ତି ଯିବ, କିନ୍ତୁ ଦ୍ୱିତୀୟ କିସ୍ତି ପାଇଁ ତାଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟର ଆଧାର ଲିଙ୍କ୍ କରାଇବାକୁ ପଡ଼ିବ।

ତେବେ ସାଧାରଣ ନିର୍ବାଚନ ପାଇଁ ‘ଆଚରଣ ବିଧି’ ଆସନ୍ତା ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଲାଗୁ ହେବାର ସମ୍ଭାବନା ଥିବାରୁ ତା’ପୂର୍ବରୁ ଚାଷୀଙ୍କ ନିକଟରେ ପ୍ରଥମ କିସ୍ତି ସହାୟତା ପହଞ୍ଚାଇବାକୁ କେନ୍ଦ୍ର ସରକାର ଜୋରସୋର ଉଦ୍ୟମ କରୁଛନ୍ତି। ମାତ୍ର କେନ୍ଦ୍ରର ଏହି ସହାୟତା ଯୋଜନାରେ ନିଜସ୍ୱ ‘କାଳିଆ’ ଯୋଜନାର ପ୍ରଚାର ଲୁଚି ଯିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏବେ ଜାଣିଶୁଣି ଏଥିରେ ବିଳମ୍ବ କରିବାରେ ଲାଗିଛନ୍ତି। କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୩.୦୩ଲକ୍ଷ ଚାଷୀଙ୍କୁ ୬୫୨କୋଟି ବାଣ୍ଟିଥିବା ରାଜ୍ୟ ସରକାର ଏବେ ଆଉ ୧୮ଲକ୍ଷ ଚାଷୀଙ୍କୁ ୯୦୦କୋଟି ଟଙ୍କା ଦେବାକୁ ସଜବାଜ ହେଉଛନ୍ତି। କାଳିଆ ଯୋଜନାରେ ଚାଷୀ ପ୍ରତି ୬ମାସରେ ସର୍ବାଧିକ ୫ଥର (ମୋଟ ୨୫ହଜାର ଟଙ୍କା)ସହାୟତା ପାଇବାକୁ ଥିବାବେଳେ କେନ୍ଦ୍ରର ‘ପିଏମ-କିଷାନ’ ଯୋଜନାରେ ଚାଷୀ ପ୍ରତି ୪ମାସରେ ୨ହଜାର ଟଙ୍କା ଲେଖାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାଇବ। ତେଣୁ ଏହା ଚାଷୀ ଭୋଟ ବ୍ୟାଙ୍କରେ ଛିଦ୍ର କରିପାରେ ବୋଲି ରାଜ୍ୟ ସରକାର ଆଶଙ୍କା କରିଛନ୍ତି।
ରାଜ୍ୟ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, “କେନ୍ଦ୍ରର ଏହି ଯୋଜନା ଘୋଷଣା ପୂର୍ବରୁ ଅନେକ ରାଜ୍ୟ ଏଥିପ୍ରତି ନକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି। କିନ୍ତୁ ଓଡ଼ିଶା ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏବେ ବିଚାରବିମର୍ଶ କରୁଛି।”

ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଚାରବିମର୍ଶ ଆଳରେ ଓଡ଼ିଶା ସରକାର ନିର୍ଦ୍ଧାରିତ ଅବଧି ମଧ୍ୟରେ ଯୋଗ୍ୟ ହିତାଧିକାରୀ ତାଲିକା ଦେବେ ନାହିଁ ଓ ଯାହାଫଳରେ ମାର୍ଚ୍ଚରେ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପିଏମ୍-କିଷାନର ପ୍ରଥମ କିସ୍ତିରେ ୨ହଜାର ଟଙ୍କା ପାଇବାରୁ ରାଜ୍ୟର ଗରିବ ଚାଷୀମାନେ ନିଶ୍ଚିତ ବଞ୍ଚିତ ହେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe