ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ମହାନ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ସହ 'ତିକ୍ତମଧୁର' ସମ୍ପର୍କ ସତ୍ତ୍ୱେ ପାରାଦୀପରେ ଆଇଓସିଏଲ୍ ରିଫାଇନାରୀ ଓ ଭୁବନେଶ୍ୱରରେ ଏମ୍ସ ଭଳି ପ୍ରତିଷ୍ଠାନର ସ୍ଥାପନା କ୍ଷେତ୍ରରେ ତାଙ୍କର ଅବଦାନକୁ ଓଡ଼ିଶାବାସୀ ସବୁଦିନ ପାଇଁ ମନେ ରଖିବେ।
୧୯୯୯ ମସିହା ଏପ୍ରିଲ ୧୭ତାରିଖରେ ୧୩ମାସର ବାଜପେୟୀ ସରକାର ବିରୋଧରେ ଆସିଥିବା ଆସ୍ଥା ଭୋଟ ବେଳେ ଓଡ଼ିଶାର ତତ୍କାଳୀନ ୨ମାସ-ପୁରୁଣା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଭୋଟ୍ ହିଁ ନିର୍ଣ୍ଣାୟକ ଭୂମିକା ନେଇଥିଲା । କଂଗ୍ରେସ ସେତେବେଳେ ଯେଉଁ ଢଙ୍ଗରେ ବାଜପେୟୀ ସରକାରକୁ ହରାଇବା ପାଇଁ ଶ୍ରୀ ଗମାଙ୍ଗକୁ ଉପଯୋଗ କରିଥିଲା ତାହା ସମଗ୍ର ଦେଶରେ ରାଜନୀତିକ ପାଣିପାଗକୁ ବଦଳାଇ ଦେଇଥିଲା। ଯେଉଁଥିପାଇଁ ସେତେବେଳେ ଦେଶରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ହିଁ ସାଧାରଣ ନିର୍ବାଚନ କରାଇବାକୁ ପଡିଥିଲା।
ସେହି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସି ତାଳଚେର କଲେଜ ପଡ଼ିଆରେ ଉପସ୍ଥିତ ସମର୍ଥକଙ୍କୁ ବାଜପେୟୀ କହିଥିଲେ ଯେ " ଏବେ ଭାଦ୍ରବ-ଶ୍ରାବଣର ମାସ, ଏଭଳି ପାଗରେ ଆପଣମାନଙ୍କୁ ଏଠାକୁ ଆସିବାରେ କଷ୍ଟ ହୋଇଥିବ । ଆଉ ଏହି କଷ୍ଟ ଯାହାଙ୍କ ପାଇଁ ହେଉଛି ସେ (ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗମାଙ୍ଗକୁ ଲକ୍ଷ୍ୟ କରି) ଏଠାରେ ବସିଛନ୍ତି।"
[caption id="attachment_264449" align="aligncenter" width="836"]
ବାଜପେୟୀଙ୍କ ସେଠାରେ ୨୦ମିନିଟର ଭାଷଣ ଲୋକଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ଓ ବିଜେଡି ମେଣ୍ଟକୁ ଆଶାନୁରୂପ ସଫଳତା ମିଳିଥିଲା। ତା' ସହିତ ରାଜ୍ୟରେ କଂଗ୍ରେସର ପତନ ପର୍ବର ମୂଳଦୁଆ ପଡ଼ିଥିଲା।
କେବଳ ସେତିକି ନୁହେଁ, ଓଡ଼ିଶାରେ ଜନତା ଦଳକୁ ଭାଙ୍ଗି ବିଜେଡି ନାଁରେ ଏକ ଆଞ୍ଚଳିକ ଦଳ ଗଠନ ପାଇଁ ଦିବଂଗତ ବିଜେପି ନେତା ପ୍ରମୋଦ ମହାଜନ ଯେଉଁ ପ୍ରତ୍ୟକ୍ଷ ସହଯୋଗ ଦେଇଥିଲେ ତାହା ବାଜପେୟୀଙ୍କ ଇଙ୍ଗିତରେ ହୋଇଥିବା ବିଜେଡିର ପ୍ରତିଷ୍ଠାତା ସଦସ୍ୟମାନେ ମତ ଦିଅନ୍ତି।
ବାଜପେୟୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜଣେ ମହାନ ନେତା ତଥା ତାଙ୍କ ଅଧୀନରେ କାମ କରିବାର ସୁଖଦ ସୁଯୋଗ ପାଇଥିବା କହିଥିଲେ। ବାଜପେୟୀ ସରକାର ସମୟରେ ସମଗ୍ର ଦେଶ ପାଇଁ ଯେଉଁ ୬ଟି ଏମ୍ସ ଘୋଷଣା ହୋଇଥିଲା ସେଥିରେ ଗୋଟିଏ ଓଡ଼ିଶାରେ ହେବାକୁ ସ୍ଥିର ହୋଇଥିଲା।
ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଓଡ଼ିଶା ପ୍ରତି ତାଙ୍କର ସ୍ୱତନ୍ତ୍ର ଦୁର୍ବଳତାର ପ୍ରମାଣ ମଧ୍ୟ ୧୯୯୯ ମହାବାତ୍ୟାବେଳେ କେନ୍ଦ୍ରର ଅକୁଣ୍ଠ ସହଯୋଗ ମାଧ୍ୟମରେ ରାଜ୍ୟବାସୀ ଅନୁଭବ କରିଥିଲେ। ସେହିପରି ପାରାଦୀପରେ ଇଣ୍ଡିଆନ ଅଏଲର ରିଫାଇନାରୀ ପାଇଁ ଶିଳାନ୍ୟାସ ମଧ୍ୟ ବାଜପେୟୀ ହିଁ କରିଥିଲେ।
ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ବଡ଼ ଅଂଶଧନ ବିକ୍ରି (ଘରୋଇକରଣ) କରିବା ପାଇଁ ପୂର୍ବବର୍ତ୍ତୀ ସରକାରମାନଙ୍କ ପ୍ରସ୍ତାବ ଉପରେ ବାଜପେୟୀ ହିଁ ‘ନା’ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ଦେବାର ପ୍ରକ୍ରିୟାର ମୂଳଦୁଆ ମଧ୍ୟ ବାଜପେୟୀ ସରକାର ଅମଳରେ ପଡ଼ିଥିଲା।
ସେହିପରି ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ମହତ୍ୱାକାଂକ୍ଷୀ ସ୍ୱର୍ଣ୍ଣ ଚତୁର୍ଭୁଜ ସଡ଼କ ନେଟୱାର୍କ (ଦିଲ୍ଲୀ-ମୁମ୍ବାଇ-ଚେନ୍ନାଇ-କୋଲକାତା) ଯୋଗୁ ଓଡ଼ିଶାର ପ୍ରାୟ ୪୦୦କିମି ଜାତୀୟ ରାଜପଥ ରାସ୍ତାର ଉନ୍ନତିକରଣ ହୋଇପାରିଥିଲା। ବ୍ରହ୍ମପୁର ଓ ବାଲେଶ୍ୱର ମଧ୍ୟରେ ସଡ଼କ ଯୋଗାଯୋଗରେ ସୁଧାର ହୋଇଥିଲା।
ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାଜ୍ୟରେ ଯୋଗାଯୋଗର ଭିତ୍ତିଭୂମି ସୁଧାରିବାରେ ବାଜପେୟୀଙ୍କ ଦୂରଦର୍ଶୀ ନିଷ୍ପତ୍ତି ଓ ଦେଶର ସାମଗ୍ରିକ ବିକାଶର ମୂଳଦୁଆ ପକାଇବାରେ ତାଙ୍କର ଭୂମିକା ହିଁ ତାଙ୍କୁ ରାଜ୍ୟବାସୀଙ୍କ ନିକଟରେ ସବୁଦିନ ପାଇଁ ଅମର କରି ରଖିବ।