Advertisment

ECONOMIC SURVEY REPORT : ବଦଳୁଛି ରାଜ୍ୟବାସୀଙ୍କ ଦିନଚର୍ଯ୍ୟା ଓ ଜୀବନଶୈଳୀ, ୨ବର୍ଷରେ ୧୧% ବଢ଼ିଛି ମହିଳା ଶ୍ରମଶକ୍ତି

ଉଭୟ ପୁରୁଷ ଓ ମହିଳା ବ୍ୟକ୍ତିଗତ ଯତ୍ନ ଓ ନିଦ୍ରା ପାଇଁ  ଦୈନିକ ୭୦୮ମିନିଟ୍ ବା ୧୧.୮ଘଣ୍ଟା ସମୟ ବିତାଉଛନ୍ତି। ଲୋକେ ମନୋରଞ୍ଜନ ପାଇଁ ଦୈନିକ ହାରାହାରି ୧୨୨ମିନିଟ୍ ବ୍ୟବହାର କରୁଛନ୍ତି। ପୁଷ୍ଟିକର ଖାଦ୍ୟ ପାଇଁ ନିଜ ଖାଇବା ବଜେଟର ଅଧାରୁ ଅଧିକ ଖର୍ଚ୍ଚ କରୁଛନ୍ତି।

author-image
Prakaash Sethi
Economics-survey-001

ଓଡ଼ିଶାର ଏବେ କେବଳ ଆର୍ଥିକ କ୍ଷେତ୍ର ସୁଦୃଢ଼ ହୋଇନି ବରଂ ରାଜ୍ୟବାସୀଙ୍କ ସାମାଜିକ ଚଳଣୀ ଓ ଜୀବନଶୈଳୀରେ ଆଖିଦୃଶିଆ ସୁଧାର ଆସିଛି। ଓଡ଼ିଶା ପାଖରେ ଏଭଳି ଯୁବଶକ୍ତି ଅଛି ଯାହା ଆଗାମୀ ଦିନରେ ଅର୍ଥନୀତିକୁ ଦ୍ରୁତ ଗତି ଦେବାର ସାମର୍ଥ୍ୟ ରଖିଛି। ରାଜ୍ୟର ଜନସଂଖ୍ୟାରେ ଯୁବବର୍ଗଙ୍କ ପ୍ରାଧାନ୍ୟ ବୃଦ୍ଧି ପାଉଥିବାବେଳେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଯୋଗୁଁ ଲୋକଙ୍କ ଜୀବନଧାରଣର ମାନ ଓ ଆୟୁଷରେ ଉଲ୍ଲେଖନୀୟ ସୁଧାର ଆସିଛି। ଯୁବଶକ୍ତିର ଅଭ୍ୟୁଦୟ, ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଓ ଲୋକଙ୍କ ଜୀବନଧାରଣ ଶୈଳୀରେ ଆସିଥିବା ଗୁଣାତ୍ମକ ପରିବର୍ତ୍ତନ ରାଜ୍ୟର ଅର୍ଥନୀତିକୁ ନୂଆ ଗତି ପ୍ରଦାନ କରିବା ସହ ଭବିଷ୍ୟତ ପାଇଁ କିଛି ନୂଆ ଆହ୍ୱାନ ମଧ୍ୟ ସୃଷ୍ଟି କରିଛି। ଓଡ଼ିଶା ଅର୍ଥନୀତିକ ସର୍ଭେ ୨୦୨୫-୨୬ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି ।

Advertisment

ଟଙ୍କା ପରିଚାଳନାରେ ୯୮% ମହିଳା ଦକ୍ଷ, ୪୮.୭% ମହିଳା ଶ୍ରମଶକ୍ତି

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କ ଜୀବନରେ ଏକ ନୂଆ ଯୁଗର ଆରମ୍ଭ କରିଛି । ଏହି ଯୋଜନାର ୮୦ ପ୍ରତିଶତ ପାଣ୍ଠି ଉତ୍ପାଦନମୂଳକ କାର୍ଯ୍ୟରେ ବିନିଯୋଗ ହେଉଛି। ଏହି ଅର୍ଥକୁ ୮୦ ପ୍ରତିଶତ ମହିଳା ନିଜର ବ୍ୟବସାୟ ସଂପ୍ରସାରଣ ଓ ସମ୍ପତ୍ତି ସୃଷ୍ଟି ପାଇଁ ବ୍ୟବହାର ନିମନ୍ତେ ଆଶା ରଖିଛନ୍ତି। ଏହି ଯୋଜନା ଯୋଗୁଁ ୬୫ ପ୍ରତିଶତ ମହିଳାଙ୍କ ଆର୍ଥିକ ସ୍ୱାଧୀନତା ବୃଦ୍ଧି ପାଇଥିବା ବେଳେ ୯୮ ପ୍ରତିଶତ ମହିଳା ଟଙ୍କା ପରିଚାଳନା କ୍ଷେତ୍ରରେ ନିଜର ଆତ୍ମବିଶ୍ୱାସ ବୃଦ୍ଧି ସହ ଭବିଷ୍ୟତ ସଂଚୟକୁ ନେଇ ଯତ୍ନବାନ ଅଛନ୍ତି। ବୟସ ବୃଦ୍ଧି ସହିତ ମହିଳାଙ୍କ ମଧ୍ୟରେ ଆର୍ଥିକ ନିଷ୍ପତ୍ତି ନେବା କ୍ଷମତା ବଢ଼ୁଥିଲେ ମଧ୍ୟ ପରିବାରର ଯୁଗ୍ମ ନିଷ୍ପତ୍ତିି ହିଁ ମୁଖ୍ୟ ଧାରା ହୋଇ ରହିଛି । ଶିକ୍ଷାଗତ ଯୋଗ୍ୟତା ଓ ଜୀବନର ବିଭିନ୍ନ ପର୍ଯ୍ୟାୟ ମଧ୍ୟ ଏହି ପାଣ୍ଠିର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ସେହିପରି ରାଜ୍ୟରେ ୨୦୨୨ ରୁ ୨୦୨୪ ମସିହା ମଧ୍ୟରେ ଓଡ଼ିଶାରେ ମହିଳା ଶ୍ରମଶକ୍ତି ହାର ୩୭.୬ ପ୍ରତିଶତରୁ ୪୮.୭ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ମାତ୍ର ଦୁଇ ବର୍ଷରେ ୧୧ ପ୍ରତିଶତର ବୃହତ୍ ଅଭିବୃଦ୍ଧି ।

Advertisment

ବ୍ୟକ୍ତିଗତ ଯତ୍ନ ପାଇଁ ୧୧.୮ଘଣ୍ଟା ବିତାଉଛନ୍ତି ପୁରୁଷ ଓ ମହିଳା

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ପୁରୁଷ ଓ ମହିଳାଙ୍କ ଦିନଚର୍ଯ୍ୟାରେ ବିରାଟ ବ୍ୟବଧାନ ରହିଛି। ଉଭୟ ପୁରୁଷ ଓ ମହିଳା ବ୍ୟକ୍ତିଗତ ଯତ୍ନ ଓ ନିଦ୍ରା ପାଇଁ  ଦୈନିକ ୭୦୮ମିନିଟ୍ ବା ୧୧.୮ଘଣ୍ଟା ସମୟ ବିତାଉଛନ୍ତି। ଲୋକେ ମନୋରଞ୍ଜନ ପାଇଁ ଦୈନିକ ହାରାହାରି ୧୨୨ମିନିଟ୍ ବ୍ୟବହାର କରୁଛନ୍ତି। ରୋଜଗାରକ୍ଷମ ପୁରୁଷମାନେ କାର୍ଯ୍ୟକ୍ଷେତ୍ରରେ ଦୈନିକ ୪୫୯ମିନିଟ୍ ଦେଉଥିବାବେଳେ ମହିଳାମାନେ ୧୬୨ମିନିଟ୍ ସମୟ ଦେଉଛନ୍ତି । ଅଣବୈତନିକ ଘରୋଇ କାମରେ ମହିଳାମାନେ ଦୈନିକ ୩୫୩ ମିନିଟ୍ ବିତାଉଥିବାବେଳେ ପୁରୁଷମାନେ ମାତ୍ର ୪୬ମିନିଟ୍ ସମୟ ଦେଉଛନ୍ତି ।

ପୁଷ୍ଟିକର ଆହାର ପାଇଁ ବଢ଼ୁଛି ବ୍ୟୟ 

ରାଜ୍ୟବାସୀଙ୍କ ଖାଦ୍ୟ ଖର୍ଚ୍ଚରେ ବଡ଼ଧରଣର ପରିବର୍ତ୍ତନ ଆସିଛି। ପୁଷ୍ଟିକର ଖାଦ୍ୟ ପାଇଁ ନିଜ ଖାଇବା ବଜେଟର ଅଧାରୁ ଅଧିକ ଖର୍ଚ୍ଚ କରୁଛନ୍ତି। ରିପୋର୍ଟ ଅନୁସାରେ ଅଣ୍ଡା, ମାଂସ ଓ ମାଛ ପାଇଁ ୧୮ ପ୍ରତିଶତ, ପନିପରିବା ଓ ଫଳ ପାଇଁ ୧୪ ପ୍ରତିଶତ ଓ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ପ୍ରାୟ ୧୨ ପ୍ରତିଶତ ଖର୍ଚ୍ଚ କରୁଛନ୍ତି। ଶସ୍ୟ ଜାତୀୟ ଖାଦ୍ୟ ପାଇଁ ଖର୍ଚ୍ଚ ପୂର୍ବ ଅପେକ୍ଷା ଯଥେଷ୍ଟ କମିଛି। ତେବେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବା ମୁଦ୍ରାସ୍ଫୀତି ହାର ୮.୪ ପ୍ରତିଶତ ପର୍ଯ୍ୟନ୍ତ ରହିଥିବାରୁ ଗରିବ ପରିବାର ପାଇଁ ପୁଷ୍ଟିକର ଖାଦ୍ୟ ନିୟମିତ ସଂଗ୍ରହ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି ।


୨୦୨୬ରେ ଜନସଂଖ୍ୟା ୪.୭୧କୋଟି ଛୁଇଁଲା

ଥର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାର ଜନସଂଖ୍ୟା ୨୦୨୬ ମସିହାରେ ୪ କୋଟି ୭୧ଲକ୍ଷରେ ପହଂଚିଛି । ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଯୋଗୁଁ ହାରାହାରି ଆୟୁଷ ବୃଦ୍ଧି ପାଇଛି, ଯାହାଫଳରେ ୬୦ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ଏବେ ୧୦.୫ ପ୍ରତିଶତରେ ପହଂଚିଛି ।ରାଜ୍ୟର ମୋଟ ଜନସଂଖ୍ୟାରୁ ୧୫ରୁ ୫୯ ବର୍ଷ ବୟସର କାର୍ଯ୍ୟକ୍ଷମ ଜନସଂଖ୍ୟା ହେଉଛି ୬୯.୪%। ଏଥିମଧ୍ୟରୁ ୧୫ରୁ ୨୯ବର୍ଷ ବୟସର ‘ପୂର୍ଣ୍ଣ ଯୁବଶକ୍ତି'ଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୬.୬% ରହିଛି । ଅନ୍ୟପଟେ ଜନ୍ମହାର ୧.୮ କୁ ହ୍ରାସ ପାଇ ସ୍ଥିର ରହିଛି । ତେବେ ବୃଦ୍ଧ ଜନସଂଖ୍ୟା ବଢ଼ୁଥିବାରୁ ଭବିଷ୍ୟତରେ ସରକାରଙ୍କ ଉପରେ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ଖର୍ଚ୍ଚର ଚାପ ପଡ଼ିବ ତଥା ଯୁବଶକ୍ତିର ସଠିକ୍ ବିନିଯୋଗ ନହେଲେ ଏହା ଅର୍ଥନୀତି ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଜାତୀୟହାର ତୁଳନାରେ ଓଡ଼ିଶାରେ ଶ୍ରମଶକ୍ତି ହାର ବେଶୀ 

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟରେ ଶ୍ରମଶକ୍ତିର ଅଂଶଗ୍ରହଣ ହାର ବା ୬୪.୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଜାତୀୟ ହାର ୫୮ ପ୍ରତିଶତ ତୁଳନାରେ ଯଥେଷ୍ଟ ଅଧିକ । ସେହିପରି ଶିଳ୍ପାଂଚଳରେ କାମ କରୁଥିବା ଶ୍ରମଶକ୍ତିଙ୍କ ସଂଖ୍ୟା ଗ୍ରାମାଂଚଳରେ ୨୫.୩ ପ୍ରତିଶତ ଓ ସହରାଂଚଳରେ ୩୧.୧ ପ୍ରତିଶତକୁ ବୃଦ୍ଧି ପାଇଛି । କୃଷି ଉପରେ ନିର୍ଭରଶୀଳତା ହ୍ରାସ ପାଇଛ । ଯୁବବର୍ଗ ଏବେ ମାନୁଫାକ୍ଚରିଂ ଓ ସର୍ଭିସ ସେକ୍ଟର ଆଡ଼କୁ ଆକର୍ଷିତ ହେଉଛନ୍ତି । ତଥାପି ରାଜ୍ୟରେ ଉଚ୍ଚଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ବେକାର ହାର ପ୍ରାୟ ୬.୯%ରୁ ୮.୧ ପ୍ରତିଶତ ମଧ୍ୟରେ ରହିଥିବା ଜଣାପଡ଼ିଛି।