
୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ (BCPPER ) ଅର୍ଥନୀତିକ କରିଡ଼ର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ବିଶାଳ ଯୋଜନା ଓଡ଼ିଶାକୁ ୨୦୪୭ ସୁଦ୍ଧା ଏକ ଉନ୍ନତ ଆର୍ଥିକ ହବରେ ପରିଣତ କରିବା ସହ ରାଜ୍ୟ ଅର୍ଥନୀତିର ମୁଖ୍ୟ ଗ୍ରୋଥ୍୍ ଇଞ୍ଜିନ ହେବ । ରାଜ୍ୟର(Odisha) ୧୧୮୯୨ ବର୍ଗ କିମି ଅଂଚଳରେ ପରିବ୍ୟାପ୍ତ ୪ଟି ପ୍ରମୁଖ ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁରକୁ ଏହି କରିଡରରେ ସାମିଲ କରାଯାଇଛି । ଏହି ଅଂଚଳରୁ ରାଜ୍ୟ ଅର୍ଥନୀତିରେ ୧୯ ପ୍ରତିଶତ ଅବଦାନ ଥିବାବେଳେ ୨୦୪୭ ସୁଦ୍ଧା ଏହାକୁ ୩୩ ପ୍ରତିଶତ କରିବାକୁ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ଭାରତର ଗ୍ରୋଥ୍ ଇଞ୍ଜିନ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଏହି କରିଡର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୪୭ ମସିହା ସୁଦ୍ଧା ଓଡ଼ିଶାକୁ ଭାରତର ଗ୍ରୋଥ୍ ଇଞ୍ଜିନରେ ପରିଣତ କରିବାକୁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଅର୍ଥନୈତିକ କରିଡରରେ ୮୦ରୁ ଅଧିକ ପ୍ରକଳ୍ପ ଓ ୩୦ରୁ ଅଧିକ ଢ଼ାଂଚାଗତ ସଂସ୍କାରକୁ ସାମିଲ କରାଯାଇଛି । ପ୍ରତ୍ୟେକ ଯୋଜନାକୁ ସହରର ବିକାଶ ସହ ଯୋଡ଼ାଯିବ। ପାରାଦ୍ୱୀପ ବନ୍ଦରକୁ ଏଭଳି ବିକଶିତ କରାଯିବ ଯେ ଏହି ଅଂଚଳରେ ଶିଳ୍ପ, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ ରହିବ, ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ୨୦୨୫ ମସିହାରେ ରାଜ୍ୟର ଜିଡିପିକୁ ଏହି ୪ଟି ଜିଲ୍ଲାରର ଅବଦାନ ୧୯ ପ୍ରତିଶତ(୨୨.୩୮ ବିଲିଅନ ଡଲାର) ରହିଛି,୨୦୪୭ ସୁଦ୍ଧା ଏହି ପରିମାଣକୁ ୧୫ଗୁଣ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅଂଚଳର ସମନ୍ୱିତ ଭିତ୍ତିଭୂମି ବିକାଶ ସହ ସଂସ୍କୃତି-ଅନୁକୂଳ, ନବସୃଜନ-ଅନୁକୂଳ, ପ୍ରକୃତି-ଅନୁକୂଳ ଉପରେ ଗୁରୁତ୍ୱ ଦିଆଯାଉଛି । ପୁରୀର ସାଂସ୍କୃତିକ ଗାରିମା, ପାରାଦୀପ ବନ୍ଦର ନଗର, ଭୁବନେଶ୍ୱରର ଆଇଟି ଏଜୁକେସନ ହବ, କଟକର ଐତିହ୍ୟ ସଂପନ୍ନ ସହର ଏ କରିଡରକୁ ଭିନ୍ନ ପରିଚୟ ଦେବ।
ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭଲପାଇବା : ନିତି ଆୟୋଗ ସିଇଓ
ଏହି ଅବସରରେ ନିତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମ କହିଛନ୍ତି ଯେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହାର ଭିଜନ ଡକ୍ୟୁମେଂଟ ପ୍ରଧାନମନ୍ତ୍ରୀ ନିଜେ ରିଲିଜ୍ କରିଛନ୍ତି, ଯାହାକି ଓଡ଼ିଶା ପ୍ରତି ତାଙ୍କର ସ୍ୱତନ୍ତ୍ର ଭଲପାଇବାକୁ ଦର୍ଶାଉଛି। ଓଡ଼ିଶା ଖୁବଶୀଘ୍ର ବିଶ୍ୱର ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଭାବେ ଉଭା ହେବ ଓ ହାଇଦ୍ରାବାଦ ପରି ଭୁବନେଶ୍ୱର ମଧ୍ୟ ବିକାଶର ଦ୍ରୁତ ଧାବମାନ ହେବ।ପାରାଦ୍ୱୀପ ବନ୍ଦରକୁ ପୂର୍ବ ଭାରତର ବାଣିଜ୍ୟ ଦ୍ୱାର ଭାବେ ଗଢ଼ିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।
ଶିଳ୍ପ ଓ ନିଯୁକ୍ତିରେ ନୂତନ ବିପ୍ଳବ ଆସିବ
ପ୍ରସ୍ତାବିତ ବ୍ଲୁପ୍ରିଣ୍ଟ ଅନୁସାରେ, ଏହି କରିଡର ଅଧୀନରେ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯିବ । ଜୈବ ପ୍ରଯୁକ୍ତିବିଦ୍ୟା, ଧାତୁ ପ୍ରକ୍ରିୟାକରଣ ଓ ପେଟ୍ରୋକେମିକାଲ୍ସ ଶିଳ୍ପ ପାଇଁ ସ୍ୱତନ୍ତ୍ର ପାର୍କ ନିର୍ମାଣ ହେବ । ପାରାଦ୍ୱୀପ ବନ୍ଦରଠାରେ ରାସାୟନିକ ଦ୍ରବ୍ୟ ଆମଦାନୀ-ରପ୍ତାନି ପାଇଁ ସ୍ୱତନ୍ତ୍ର ବର୍ଥ ଓ ଫ୍ଲୋଟିଂ ଷ୍ଟୋରେଜ୍ ୟୁନିଟ୍ ସ୍ଥାପନ କରାଯିବ । ସେହିପରି ଚୌଦ୍ୱାର ଓ ପାରାଦ୍ୱୀପରେ ମେଗା ଟେକ୍ସଟାଇଲ୍ ପାର୍କ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଗାର୍ମେଣ୍ଟ ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି । ‘ପ୍ଲଗ୍-ଏଣ୍ଡ-ପ୍ଲେ' ଭିତ୍ତିଭୂମି ମାଧ୍ୟମରେ ନୂତନ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରାଯିବ ।
ଆଇଟି ଓ ଶିକ୍ଷାର ବିଶ୍ୱସ୍ତରୀୟ ହବ୍
ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଏକ ଆନ୍ତର୍ଜାତୀୟ ଆଇଟି ଓ ଶିକ୍ଷା ହବ୍ ଭାବେ ବିକଶିତ କରାଯିବ । ଏଠାରେ ଏକ ବୃହତ ‘ଏଜୁ-ଏସଇଜେଡ୍' ସହ ସାଇନ୍ସ ସିଟି ଓ ନବସୃଜନ ସହର ପ୍ରତିଷ୍ଠା କରାଯିବ । ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନକୁ ଆକର୍ଷିତ କରିବା ପାଇଁ ନୂତନ ଶିକ୍ଷା ନୀତି ଓ ଶିଳ୍ପ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଁ ‘ସ୍କିଲ୍ ପାସପୋର୍ଟ\' ବ୍ୟବସ୍ଥା ଲାଗୁ ହେବ । ଏଥିସହିତ ଜିପିୟୁ ଓ ସର୍ଭର ନିର୍ମାଣ ହବ୍ ପ୍ରତିଷ୍ଠା କରି ଓଡ଼ିଶାକୁ ଡାଟା ସେଣ୍ଟର କ୍ଷେତ୍ରରେ ଅଗ୍ରଣୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି
ପର୍ଯ୍ୟଟନ ଓ ସାଂସ୍କୃତିକ ଗୌରବର ବିକାଶ
ପୁରୀ ଓ କଟକର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ଦ୍ୱିତୀୟ ପର୍ଯ୍ୟାୟ ଓ ବୌଦ୍ଧ ପରିକ୍ରମା ସଂଯୋଗ ଭଳି ପ୍ରକଳ୍ପ ହାତକୁ ନିଆଯାଇଛି । ପୁରୀରେ ଏକ ଅତ୍ୟାଧୁନିକ କ୍ରୁଜ୍ ଟର୍ମିନାଲ୍, ସିୱାର୍ଲ୍ଡ ଓ ‘ସ୍ପିୟର ଥିମ୍ ପାର୍କ' ନିର୍ମାଣ ହେବ । ଏଥିସହିତ ବାରବାଟୀ ଦୁର୍ଗ ଓ ବାଲିଯାତ୍ରା ପଡ଼ିଆର ପୁନଃବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ହୋଟେଲ ଶିଳ୍ପକୁ ଜମି ଲିଜ୍ ଓ ହୋମଷ୍ଟେ ନୀତିରେ ସଂସ୍କାର ଅଣାଯାଇଛି ।
କରିଡର ପାଇଁ ଗଠନ କରାଯିବ ଅର୍ଥନୈତିକ କ୍ଷେତ୍ର ବିକାଶ ପ୍ରାଧିକରଣ
ଏହି ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ‘ଅର୍ଥନୈତିକ କ୍ଷେତ୍ର ବିକାଶ ପ୍ରାଧିକରଣ' ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ଅଧୀନରେ ପ୍ରକଳ୍ପ ପରିଚାଳନା ୟୁନିଟ୍ ଓ ଜି-ହବ୍ କ୍ରାକ୍ ୟୁନିଟ୍ କାର୍ଯ୍ୟ କରିବ । ଡାଟା-ଭିତ୍ତିକ ନିଷ୍ପତ୍ତି ପାଇଁ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରକୁ ସୁଦୃଢ଼ କରାଯିବ । ଏହି ମେଗା କରିଡର ଓଡ଼ିଶାର ଆର୍ଥିକ ଭାଗ୍ୟ ବଦଳାଇବା ସହ ‘ବିକଶିତ ଓଡ଼ିଶା'ର ସ୍ୱପ୍ନକୁ ସାକାର କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
