କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତ ପୂର୍ବରୁ ଓଡ଼ିଶାକୁ ଶକ୍ତ ଝଟକା। ‘ନୂତନ ନ୍ୟାୟ ସଂହିତା’ର କାର୍ଯ୍ୟକାରୀ କରିବାରେ ଓଡ଼ିଶାର ର୍ୟାଙ୍କ୍ ଜାତୀୟସ୍ତରରେ ମାତ୍ର ୩ମାସରେ ୧୪ରୁ ୨୭କୁ ହ୍ରାସ ପାଇଛି। ଗୋଆ,ଆସାମ, ବିହାର ଓ ୟୁପି ଭଳି ରାଜ୍ୟ ଶୀର୍ଷରେ ଥିବାବେଳେ ଓଡ଼ିଶାର ଏଭଳି ପ୍ରଦର୍ଶନୀ ରାଜ୍ୟ ପୁଲିସର ଅପାରଗତାକୁ ପଦାରେ ପକାଇ ଦେଇଛି। ଏପଟେ ଓଡ଼ିଶା ପୁଲିସ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଇଡକୋ ପଡ଼ିଆରେ ‘ନୂତନ ନ୍ୟାୟ ସଂହିତା’ ପ୍ରଦର୍ଶନୀର ଆୟୋଜନ କରିଥିବା ଜଣାପଡ଼ିଛି।
ଓଡ଼ିଶା ପୁଲିସର ବିଫଳତା ଯୋଗୁ ରାଜ୍ୟରେ ନୂଆ ଅପରାଧ ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ପଛରେ ପଡ଼ିଛି। ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ତତ୍ପରତା ଯୋଗୁ ପ୍ରଶାସନିକ ସଂସ୍କାରରେ ୨୦ରୁ ୨୦ ଓ ସମନ୍ୱୟ (ଇଣ୍ଟିଗ୍ରେସନସ)ରେ ୧୦ରୁ ୧୦ ମାର୍କ ପାଇଥିବାବେଳେ କ୍ଷେତ୍ରସ୍ତରରେ କାର୍ଯ୍ୟଦକ୍ଷତା ଓ ଟେକ୍ନୋଲୋଜି(ଆଇସିଟି)ରେ ଦୁର୍ବଳ ପ୍ରଦର୍ଶନ ହିଁ ଓଡ଼ିଶା ପୁଲିସର ଅସଲ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ନୂଆ ଆଇନ କାର୍ଯ୍ୟକାରିତାରେ ଟେକ୍ନୋଲୋଜିର ପ୍ରୟୋଗ କ୍ଷେତ୍ରରେ ଓଡ଼ିଶା ମୋଟ୍ ୨୫ ମାର୍କରୁ ମାତ୍ର ୪.୧୬ ସ୍କୋର କରି ସାରା ଦେଶରେ ପଛରେ ରହିଛି।
ପଶ୍ଚିମବଙ୍ଗ,ନାଗାଲ୍ୟାଣ୍ଡ, ମିଜୋରାମ ଭଳି ରାଜ୍ୟକୁ ଛାଡ଼ିଦେଲେ ଓଡ଼ିଶା ତୁଳନାରେ ବାକି ସମସ୍ତ ରାଜ୍ୟର ପ୍ରଦର୍ଶନ ବେଶ୍ ଭଲ ରହିଛି ଓ ସମସ୍ତେ ଏକ୍ଷେତ୍ରରେ ଦୁଇଅଙ୍କର ସ୍କୋରରେ ରହିଛନ୍ତି। ଗୋଟିଏପଟେ ସରକାର ‘ଡିଜିଟାଲ୍ ଓଡ଼ିଶା’ର ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ କ୍ଷେତ୍ରସ୍ତରରେ ପୁଲିସର କାର୍ଯ୍ୟଦକ୍ଷତା ଓ ଟେକ୍ନୋଲୋଜି ଉପଯୋଗରେ ସମଗ୍ର ଦେଶରେ ନିମ୍ନସ୍ତରରେ ରହିବା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି ।
କେମିତି ହୋଇଛି ର୍ୟାଙ୍କିଙ୍ଗ: ୩ମାସରେ ୧୪ରୁ ୨୭କୁ ହ୍ରାସ
୨୦୨୪ ଜୁଲାଇରୁ ଓଡ଼ିଶା ସମେତ ସମଗ୍ର ଦେଶରେ ନୂଆ ନ୍ୟାୟ ସଂହିତା ଅନ୍ତର୍ଗତ ୩ଟି ନୂଆ ଅପରାଧ ଆଇନ(New Criminal Laws) ଲାଗୁ ହୋଇଛି ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହାର କାର୍ଯ୍ୟକାରିତାକୁ ୪ଟି କ୍ଷେତ୍ରରେ ବିଭକ୍ତ କରି ଆକଳନ କରୁଛନ୍ତି। ଏଥିରେ ପ୍ରଶାସନିକ ସଂସ୍କାର(Administrative Reform) ପାଇଁ ୨୦ ପ୍ରତିଶତ, କ୍ଷେତ୍ରସ୍ତରରେ କାର୍ଯ୍ୟଦକ୍ଷତା(Operational Efficiency) ପାଇଁ ୪୫ ପ୍ରତିଶତ, ଟେକ୍ନୋଲୋଜି ବା ଆଇସିଟି ପ୍ରୟୋଗ(ICT Applications) ପାଇଁ ୨୫ ପ୍ରତିଶତ ଓ ବିଭିନ୍ନ ବିଭାଗ(ନ୍ୟାୟପାଳିକା ସମେତ) ମଧ୍ୟରେ ସମନ୍ୱୟ(Integrations) ପାଇଁ ୧୦ ପ୍ରତିଶତ ମାର୍କ ରଖାଯାଇଛି।
ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାସୀନ ଥିବାରୁ ପ୍ରଶାସନିକ ସଂସ୍କାର ଓ ସମନ୍ୱୟ କ୍ଷେତ୍ରରେ ଫୁଲ ମାର୍କ ପାଇଥିବା ଓଡ଼ିଶା, ଅନ୍ୟ ଦୁଇଟି କ୍ଷେତ୍ର ଯଥା ଅପରେସନାଲ ଏଫିସିଏନ୍ସି ଓ ଟେକ୍ନୋଲୋଜି ଯାହାକି ବାସ୍ତବରେ କ୍ଷେତ୍ରସ୍ତରରେ ପ୍ରତିଫଳିତ ହେବାକଥା ତାକୁ କାର୍ଯ୍ୟକାରୀ କରାଇବାରେ ପଛରେ ପଡ଼ିଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ରିପୋର୍ଟ(ନୂଆ ନ୍ୟାୟ ସଂହିତା କାର୍ଯ୍ୟକାରିତାର) ୨୦୨୫ ନଭେମ୍ବର ଓ ୨୦୨୬ ଫେବୃୟାରୀର ତଥ୍ୟ ହିଁ ଓଡ଼ିଶା ପୁଲିସର ବିଫଳତାର ଚିତ୍ରକୁ ପଦାକୁ ଆଣିଛନ୍ତି। ୨୦୨୫ ନଭେମ୍ବରରେ ୧୪ ନମ୍ବରରେ ଥିବା ଓଡ଼ିଶା ୨୦୨୬ ଫେବୃୟାରୀରେ ୨୭କୁ ହ୍ରାସ ପାଇଛି। ଏପରିକି ୩ମାସ ତଳେ ହାରାହାରି ଜାତୀୟ ସ୍କୋର ୪୪.୯୬ତୁଳନାରେ ଓଡ଼ିଶାର ସ୍କୋର ୩ ପଏଣ୍ଟ ଅଧିକ ଥିବାବେଳେ ୨୦୨୬ ଫେବୃୟାରୀରେ ହାରାହାରି ଜାତୀୟ ସ୍କୋର ୬୦.୩୫ ତୁଳନାରେ ଓଡ଼ିଶା ୮ପଏଣ୍ଟ ପଛରେ ପଡ଼ିଛି।
ଜାତୀୟ ହାର ସହ ତାଳ ଦେଇ ଅନ୍ୟ ରାଜ୍ୟଗୁଡ଼ିକ ଯେଭଳି ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି , ଓଡ଼ିଶା ପୁଲିସ ସେହି ଗତିରେ ନିଜକୁ ସୁଧାରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୨୦୨୫ ନଭେମ୍ବର ରିପୋର୍ଟରେ ଆସାମ ଏକ ନମ୍ବରରେ ରହିଥିବାର ସଫଳତାକୁ ସେଠାର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି ପ୍ରଶଂସା ସାଉଁଟିଥିଲେ। ୨୦୨୬ ଫେବୃୟାରୀରେ ମଧ୍ୟ ଆସାମ ଦ୍ୱିତୀୟ ନମ୍ବରରେ ଓ ଗୋଆ ତୃତୀୟରେ ଥିବାବେଳେ ବିହାର ଭଳି ରାଜ୍ୟ ୧୨ ସ୍ଥାନରେ ଅଛନ୍ତି। କିନ୍ତୁ ଓଡ଼ିଶା ୧୪ରୁ ୨୭କୁ ହ୍ରାସ ପାଇଛି।

କାର୍ଯ୍ୟଦକ୍ଷତା ଓ ଟେକ୍ନୋଲୋଜି ଉପଯୋଗରେ ପଛରେ ପଡ଼ିଛି ଓଡ଼ିଶା ପୁଲିସ
ରାଜ୍ୟ ସରକାର ‘ଡିଜିଟାଲ ଓଡ଼ିଶା’ର ଡିଣ୍ଡିମ ପିଟୁଥିବାବେଳେ ଆଇସିଟି ସ୍କୋର ପୁଲିସର ଅସଲ ଚେହେରାକୁ ପଦାରେ ପକାଇଦେଇଛି। ଗତ ୨୦୨୫ ନଭେମ୍ବରରେ ଓଡ଼ିଶାର ଆଇସିଟି ସ୍କୋର ୨୫ରୁ ୨.୬୨ ଥିବାବେଳେ ୨୦୨୬ ଫେବୃୟାରୀରେ ଏହି ସ୍କୋର ସାମାନ୍ୟ ବୃଦ୍ଧି ପାଇ ୪.୧୬ ହୋଇଛି। ପଶ୍ଚିମବଙ୍ଗ,ନାଗାଲାଣ୍ଡ,ମିଜୋରାମ ଭଳି ରାଜ୍ୟକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟର ସ୍କୋର ଦୁଇ ଅଙ୍କ ବିଶିଷ୍ଟ। ଏପରିକି ଆସାମର ୧୬.୧୪ ଓ ହରିୟାଣାର ୧୫.୩୫ ରହିଛି । ଆଇସିଟି ଜାତୀୟ ହାରାହାରି ସ୍କୋର ୧୩.୪୨ ପ୍ରତିଶତ ରହିଥିବାବେଳେ ଓଡ଼ିଶାର ସ୍କୋର ୩ଭାଗରୁ ବି ଭାଗେ ହୋଇପାରିନାହିଁ।
କେବଳ ଟେକ୍ନୋଲୋଜି ନୁହେଁ ବରଂ କ୍ଷେତ୍ରସ୍ତରରେ ନୂଆ ଆଇନକୁ ଲାଗୁ କରିବା ବା କାର୍ଯଦକ୍ଷତା କ୍ଷେତ୍ରରେ ବି ଓଡ଼ିଶା ପୁଲିସ ଫେଲ୍ ମାରିଛି। ନଭେମ୍ବର ରିପୋର୍ଟରେ ଓଡ଼ିଶାକୁ କାର୍ଯ୍ୟଦକ୍ଷତାରେ ୪୫ରୁ ୧୫.୩୦ ସ୍କୋର ମିଳିଥିବାବେଳେ ଫେବୃୟାରୀରେ ଏହା ୧୮.୫୬ ସ୍କୋରକୁ ବୃଦ୍ଧି ପାଇଛି। ମାତ୍ର ଗୋଆ,ଆସାମ,ରାଜସ୍ଥାନ,ମହାରାଷ୍ଟ୍ର, ବିହାର, ଗୁଜୁରାଟ ଭଳି ୨୫ ସ୍କୋରରୁ ଅଧିକ ଥିବାବେଳେ ରାଜ୍ୟ ଓଡ଼ିଶାର ଏହି ଶୋଚନୀୟ ସ୍ଥିତି କେବଳ ଫାଇଲପତ୍ର କାମ ମଧ୍ୟରେ ସୀମିତ ରହିଯାଇଛି।

ର୍ୟାଙ୍କରେ ପଛରେ, ପ୍ରଚାର-ପ୍ରଦର୍ଶନୀରେ ଆଗରେ
ଯେଉଁ ପୁଲିସ ବିଭାଗ ନୂଆ ଆଇନକୁ କାର୍ଯ୍ୟକାରିତାରେ ଟେକ୍ନୋଲୋଜି ଓ ନିଜର ଦକ୍ଷତା ପ୍ରଦର୍ଶନ କରିବା କ୍ଷେତ୍ରରେ ପଛରେ ରହିଛି ଏବେ କେଉଁ ଆଧାରରେ ସେହି ‘ନୂଆ ନ୍ୟାୟ ସଂହିତା’ର ଶୋକେସ୍ କରିବାକୁ ଇଡ଼କୋ ଗ୍ରାଉଣ୍ଡରେ ଏତେବଡ଼ ପ୍ରଦର୍ଶନୀର ଆୟୋଜନ କରିଛି ତାହା ଏବେ ଚର୍ଚ୍ଚାର ବିଷୟ।
ନୂତନ ନ୍ୟାୟ ସଂହିତାକୁ ରାଜ୍ୟଗୁଡ଼ିକ ଶତପ୍ରତିଶତ କାର୍ଯ୍ୟକାରୀ କରିବା ସହ ସାଧାରଣ ଲୋକଙ୍କୁ ଏସବୁ ଆଇନ ସମ୍ପର୍କରେ ସଚେତନ କରାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ପ୍ରଦର୍ଶନୀ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। କିନ୍ତୁ ନିଜର ଅପାରଗତା ପାଇଁ ଗୃହ ମନ୍ତ୍ରଣାଳୟର ର୍ୟାଙ୍କିରେ ୧୪ରୁ ୨୭କୁ ହ୍ରାସ ପାଇଥିବା ଓଡ଼ିଶା ପୁଲିସ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି କାହା ସ୍ୱାର୍ଥରେ ଏହି ପ୍ରଚାର ଓ ପ୍ରଦର୍ଶନୀ କରୁଛି, ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଓଡ଼ିଶା ପୁଲିସ ସହ ଯୋଗାଯୋଗ ସମ୍ଭବପର ହୋଇପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us