
ଓଡ଼ିଶାରେ ପ୍ରକୃତ ଶିଳ୍ପବିପ୍ଲବ ଏବେ ଆରମ୍ଭ ହୋଇଛି । ରାଜ୍ୟର ଅର୍ଥନୀତି ପ୍ରାୟ ୧୨୦ ବିଲିୟନ୍ ଡଲାର ରହିଛି ଯାହାକୁ ଆଗାମୀ ୧୦-୧୧ବର୍ଷ ମଧ୍ୟରେ ୫୦୦ ବିଲିୟନ୍ ଡଲାରରେ ପହଂଚାଇବା ପାଇଁ ୫ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଭିତ୍ତିଭୂମି, ଶିଳ୍ପ ଓ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଉତ୍କଳ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ପକ୍ଷରୁ ଆଜି ଆୟୋଜିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ’କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି ।
ଭୁବନେଶ୍ୱର ହେବ ଇଷ୍ଟର୍ଣ୍ଣ ରିଜିଅନର ମେଗା ଟେକ୍ ସିଟି
ଭୁବନେଶ୍ୱରକୁ ରାଜ୍ୟର ପ୍ରମୁଖ ଟେକ୍ନୋଲୋଜି ହବରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜଧାନୀରେ ଫିନଟେକ୍ ଓ ଇନ୍ସିଓରଟେକ୍ କଂପାନୀ ସହିତ ବଡ଼ ବଡ଼ ଆଇଟି କଂପାନୀ ଏବଂ ଦୁଇଟି ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା କରାଯାଇଛି । କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ଯୋଗୁଁ କଟକ-ଭୁବନେଶ୍ୱର ଟୁଇନ୍ ସିଟିର ବ୍ୟାପକ ସଂପ୍ରସାରଣ ହେବାକୁ ଯାଉଛି । ଭୁବନେଶ୍ୱରକୁ ଦେଶର ଇଷ୍ଟର୍ଣ୍ଣ ରିଜିଅନର ଏକ ମେଗା ଟେକ୍ ସିଟି ଭାବରେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଭିତ୍ତିଭୂମି ଓ ପୁଞ୍ଜି ବିନିଯୋଗ ଉପରେ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଏବେସୁଦ୍ଧା ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗରେ ୮୪ଟି ଶିଳ୍ପର ଶିଳାନ୍ୟାସ କରାଯାଇଛି । ଯାହାଦ୍ୱାରା ୧.୬୪ ଲକ୍ଷ ଜଣଙ୍କୁ ନିଯୁକ୍ତି ସୁନିଶ୍ଚିତ କରାଯାଇପାରିଛି । ବେଦାନ୍ତ ଗ୍ରୁପ, ଆଦାନୀ, ଜେଏସଡବ୍ଲ୍ୟୁ, ଇଣ୍ଡିଆନ ଅଏଲ୍ ଓ ଜୋହୋ ଗ୍ରୁପ୍ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ପକ୍ଷରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ଏବେ ପାଇପଲାଇନରେ ରହିଛି । ଏହାବ୍ୟତୀତ ଟେକ୍ସଟାଇଲ୍ ଏବଂ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ମଧ୍ୟ ପୁଞ୍ଜି ବିନିଯୋଗ ହେଉଛି । କେନ୍ଦ୍ର ଓ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ଦ୍ୱାରା ରାସ୍ତା, ରେଲୱେ, ବନ୍ଦର ଓ ଏୟାରପୋର୍ଟ ସମେତ ସମସ୍ତ ଭିତ୍ତିଭୂମିକୁ ବ୍ୟାପକ ଭାବେ ସୁଦୃଢ଼ କରାଯାଉଛି । ସରକାର ଏବଂ ୟୁସିସିଆଇଏଲ୍ ଭଳି ଶିଳ୍ପ ସଂସ୍ଥାମାନଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ସମୃଦ୍ଧି ଆସିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ୟୁସିସିଆଇଏଲ୍ ପକ୍ଷରୁ ପ୍ରସ୍ତୁତ ‘ସମୃଦ୍ଧ ଓଡିଶା ୨୦୩୬’ ନାମକ ଏକ ସ୍ମରଣିକାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉନ୍ମୋଚନ କରିଥିଲେ । ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ୟୁସିସିଆଇଏଲର ସଭାପତି ପ୍ରବୋଧ ମହାନ୍ତି, ସମୃଦ୍ଧ ଓଡିଶା ୨୦୩୬ ଆୟୋଜନ କମିଟିର ଅଧ୍ୟକ୍ଷ ବ୍ରହ୍ମା ମିଶ୍ର ଓ ବିଭିନ୍ନ ଶିଳ୍ପ ସଂସ୍ଥାର ବିଶିଷ୍ଟ ଶିଳ୍ପପତିମାନେ ଉପସ୍ଥିତ ଥିଲେ ।
୪୩୫୩ କୋଟି ଟଙ୍କାର ୨୦ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ
ଅନ୍ୟପକ୍ଷରେ ରାଜ୍ୟରେ ଆଉ ୪୩୫୩କୋଟି ଟଙ୍କାର ୨୦ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅନୁମୋଦନ ମିଳିଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟି ବୈଠକରେ ଏହି ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୧୧ଟି ଜିଲ୍ଲାର ୭୮୧୫ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
