ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ହେବ । ଏଥିପାଇଁ ମୋଟ ୫୭, ୯୧୮ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।
ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଛନ୍ତି । ଚଳିତ ବର୍ଷ ୬୧ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ୩୦ଟି ଜିଲାରେ ପରୀକ୍ଷା କେନ୍ଦ୍ର ସମେତ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ଜୁଲାଇ ୪ ରୁ ୮ ତାରିଖ ଯାଏ ଦିନକୁ ୩ଟି ସିଟିଂ ରେ ହେବ ପରୀକ୍ଷା । ସକାଳ ୯ ରୁ ୧୧ଟା ପ୍ରଥମ ସିଟିଂ, ୧୨ଟା ୩୦ରୁ ୨ଟା ୩୦ ହେବ ଦ୍ୱିତୀୟ ସିଟିଂ ଏବଂ ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ହେବ ତୃତୀୟ ସିଟିଂ ପରୀକ୍ଷା । କମ୍ପ୍ୟୁଟର ବେସଡ୍ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଛି ।
ଅନ୍ୟପଟେ ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବାବେଳେ, ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ଶାରୀରିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି।