Advertisment

Plane Crash: ରାଉରକେଲା ବିମାନ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ

୯ଟି ଆସନ ବିଶିଷ୍ଟ ଏହି ବିମାନଟି ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା। ରାଉରକେଲାରେ ପହଞ୍ଚିବାକୁ ଆଉ ମାତ୍ର ୧୫ ମିନିଟ୍ ବାକି ଥିବା ବେଳେ ଜଲଦା ଏ ବ୍ଳକ୍ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

author-image
Jitendra Garnayak
Plane Crash

ଗତ ୧୦ ତାରିଖ ଦିନ ରାଉରକେଲା ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆହତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁଶାନ୍ତ କୁମାର ବିଶ୍ୱାଳ।

Advertisment

ସୁଶାନ୍ତ ଅସୁସ୍ଥ ଥିଲେ। ଚିକିତ୍ସା ପାଇଁ ସେ ଭୁବନେଶ୍ୱର ଯାଇଥିଲେ। ଟିକେ ସୁସ୍ଥ ହେବା ପରେ ସେ ଗତ ୧୦ ତାରିଖରେ ତାଙ୍କ ଭଉଣୀଙ୍କ ସହିତ ଏହି ବିମାନରେ ରାଉରକେଲା ଫେରୁଥିଲେ। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ଆହତ ହୋଇଥିଲେ ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ସେଥିପାଇଁ ଡାକ୍ତରମାନେ ଆଶା କରିଥିଲେ ଯେ ସେ ସୁସ୍ଥ ହୋଇଯିବେ। ମିଳିଥିବା ଖବର ଅନୁଯାୟୀ, ଆହୁରି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ କରିବାକୁ ଯୋଜନା କରାଯାଉଥିଲା। ତେବେ ତା’ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି।

ସୁଶାନ୍ତ ଯେଉଁ ଘରୋଇ ହସ୍‌ପିଟାଲରେ ଥିଲେ ସେଠାରେ ଏବେ ତାଙ୍କ ଭଉଣୀ ଅନୀତା ସାହୁ ଓ ଦୁଇ ପାଇଲଟ ଚିକିତ୍ସିତ ହେଉଛନ୍ତି। ଅନୀତା ସୁସ୍ଥ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି। ସେହିଭଳି ଦୁଇ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ଅନ୍ୟପକ୍ଷରେ ଆଉ ଦୁଇ ଜଣ ଯାତ୍ରୀ ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ପୂର୍ବରୁ ମୁମ୍ବାଇକୁ ଏୟାର ଲିଫ୍ଟ ହୋଇଛନ୍ତି। 

Advertisment

୯ଟି ଆସନ ବିଶିଷ୍ଟ ଏହି ବିମାନଟି ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା। ରାଉରକେଲାରେ ପହଞ୍ଚିବାକୁ ଆଉ ମାତ୍ର ୧୫ ମିନିଟ୍ ବାକି ଥିବା ବେଳେ ଜଲଦା ଏ ବ୍ଳକ୍ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ବିମାନଟି ଫୋର୍ସ ଲ୍ୟାଣ୍ଡିଂ କରିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ।  

ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଏଯାଏ ଜଣାପଡ଼ିନାହିଁ। ଏହାର ତଦନ୍ତ ଚାଲିଛି।