/odisha-reporter/media/post_attachments/uploads/2022/11/jangal.jpg)
jangal
ଖଡ଼ିଆଳ(କୁନାଲ ଚରଣ ବେହେରା): ଚାରିଆଡ଼େ ଘଂଚ ଜଙ୍ଗଲ। ଦିନେ କି ମାସେ ନୁହେଁ, ପନ୍ଦର ବର୍ଷ ହେଲା ଜଙ୍ଗଲ ଭିତରେ ଗୋଟିଏ ପରିବାରର କଟୁଛି ଜୀବନ। ନୂଆଁଣିଆ ମାଟି କୁଡ଼ିଆ ଘରେ ରହୁଛନ୍ତି ୬ ଜଣିଆ ପରିବାର। ଘର ଖଣ୍ଡେ ନଥିବାରୁ ଜଙ୍ଗଲ ହିଁ ସାଜିଛି ସେମାନଙ୍କ ଆଶ୍ରୟସ୍ଥଳୀ। ନା ସେଠାରେ ପାଣି ଅଛି, ନା ବିଜୁଳି। ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଫଗଣୁ ମାଝୀ ରହୁଛନ୍ତି ଏଭଳି ଏକ ଘଞ୍ଚ ଜଙ୍ଗଲରେ।
ପାରିବାରିକ ଝଗଡ଼ାକୁ ନେଇ ସେ ଗାଁ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି। ଜଙ୍ଗଲ ଭିତରେ ଆବଡ଼ା ଖାବଡ଼ା ପାଦ ଚଲା ରାସ୍ତା। ମଝି ଜଙ୍ଗଲରେ ରହିଛି ଛୋଟ କୁଡିଆଟିଏ। କୁଡ଼ିଆର ଉପରେ କେଉଁଠି ଖପରା ତ କେଉଁଠି ଢଙ୍କା ଯାଇଛି ଛିଡା ପାଲ। ଦିନରେ ଖରା ଓ ରାତିରେ ତାରା ଦିଶୁଥିବା ଏହି ଘରେ ରହୁଛନ୍ତି ଛଅ ପ୍ରାଣୀ କୁଟୁମ୍ବ। ଯାହ ଭିତରେ ରହିଛନ୍ତି ଘରର ମୁରବୀ ଫଗଣୁ ମାଝୀ, ଦୁଇ ପତ୍ନୀ ଓ ତିନି ପିଲା ଛୁଆ। ପନ୍ଦର ବର୍ଷ ତଳେ ନିଜ ହାତରେ ଚାଳ ଛପରର ଏହି କୁଡିଆ ତୋଳିଥିଲେ ଫଗଣୁ। ସେବେଠୁ ଏଇଠି ମୁଣ୍ଡ ଗୁଂଜିଛନ୍ତି।
ରାସନକାର୍ଡ ଅଛି। ହେଲେ ସେଥିରେ କେବଳ ଦୁଇ ଜଣଙ୍କ ନାଁ ରହିଛି। ଫଳରେ ଦଶ କେଜି ଚାଉଳରେ ଚଳୁଛନ୍ତି ପୂରା ପରିବାର। ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ଆଣୁଛନ୍ତି ପାଣି। ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି।
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗାଁର ଫଗଣୁ ମାଝୀ ପୂର୍ବରୁ ଗାଁରେ ରହୁଥିଲେ। ଘର ଭାଙ୍ଗିଯିବାରୁ ସମ୍ପର୍କୀୟ ଜାଗା ମାଡି ବସି ତାଙ୍କୁ ତଡିଦେଇଥିଲେ। ଫଳରେ ୧୫ ବର୍ଷ ହେଲା ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ। ଏଭିତରେ ତିନି ତିନିଟି ନିର୍ବାଚନ ଯାଇଛି। ନେତା ଆସି ପ୍ରତିଶ୍ରୁତି ଓଜାଡି ଦେଇଛନ୍ତି। କେତେବେଳେ କହିଛନ୍ତି ଆବାସ ଯୋଜନାରେ ଘର ଦେବେ, ତ କେତେବେଳେ ଘରର ସମସ୍ତ ସଦସ୍ୟଙ୍କ ନାଁ ରାସନ କାର୍ଡରେ ସାମିଲ କରିଦେବେ।
ହେଲେ ସବୁ ପ୍ରତିଶ୍ରୁତି ସାତ ସପନ ପାଲିଟିଛି ଫଗଣୁଙ୍କ ପାଇଁ। ନା ସ୍ଥାନୀୟ ଜନପ୍ରତିନିଧି ତାଙ୍କ ଦୁରାବସ୍ଥା ଦୂର କରିବାକୁ ଚେଷ୍ଟା କରୁଛନ୍ତି, ନା ପ୍ରଶାସନିକ ଦାୟିତ୍ୱରେ ଥିବା ଅଧିକାରୀ।
ଏନେଇ ବୋଡ଼େନ ତହସିଲଦାର ରାଜେଶ ମେହେର କହିଛନ୍ତି, ପ୍ରଶାସନ ପକ୍ଷରୁ ଏହି ପରିବାରଙ୍କୁ ସରକାରୀ ଯୋଜନା ମୁତାବକ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ।
ତେବେ ଦେଖିବାର କଥା ଫଗଣୁଙ୍କୁ କେବେ ସରକାରୀ ଯୋଜନାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛି ପ୍ରଶାସନ। କାରଣ ସବୁ କଚ୍ଚା ଘର ପକ୍କା ହେବ, ଆବାସ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ, ଏମିତି କେତେ କଣ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ସରକାର। ହେଲେ ରାଜ୍ୟରେ ଫଗଣୁଙ୍କ ଭଳି ଶହ ଶହ ଲୋକ ଅତି ଦୁର୍ଦ୍ଦଶାରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
