/odisha-reporter/media/post_attachments/uploads/2019/09/tigrir-attack.jpg)
tigrir-attack
ଅନୁଗୋଳ (ବିରଜା ଦାସ): ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ ଦାଦା ଓ ପୁତୁରା। ଠିକ୍ ଏତିକି ବେଳେ ଏକ ହେଟା ବାଘ ଦାଦାଙ୍କ ଉପରକୁ ଲମ୍ଫ ମାରିଥିଲା। ଏହା ଦେଖି ପୁତୁରା ଗଛ ଉପରକୁ ଚଢ଼ି ଯାଇ ଚିତ୍କାର କରିଥିଲେ। ମାରଣାସ୍ତ୍ର ଧରି ଲୋକେ ସେଠାକୁ ଚାଲି ଆସିବାରୁ ହେଟା ଛାଡ଼ି ପଳାଇଯାଇଥିଲା। ଆଜି ସକାଳେ ଏପରି ଘଟଣା ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି।
ବନଖଣ୍ଡ ଅନ୍ତୁଳିଆ ଗାଁର ଚିତ୍ତରଞ୍ଜନ ଦଳବେହେରା ଓ ତାଙ୍କ ପୁତୁରା ବିଦ୍ୟାଧର ଦଳବେହେରା ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଛତୁ ତୋଳିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ହେଟା ବାଘ ଚିତ୍ତରଞ୍ଜନଙ୍କ ଉପରକୁ ଲମ୍ଫ ମାରିଥିଲେ। ଏହା ଦେଖି ପୁତୁରା ବିଦ୍ୟାଧର ଭୟରେ ଏକ ଗଛ ଉପରକୁ ଚଢ଼ି ଯାଇ ଚିତ୍କାର କରିଥିଲେ।
ବିଦ୍ୟାଧରଙ୍କ ଚିତ୍କାର ଶୁଣି ଜଙ୍ଗଲ ଭିତରେ ଥିବା ଅନ୍ୟ ଲୋକମାନେ ସେଠାକୁ ଦୌଡ଼ି ଆସିଥିଲେ। ଲୋକଙ୍କ ହୋ-ହଲ୍ଲା ଶୁଣି ହେଟା ସେଠାରୁ ଚମ୍ପଟ ମାରିଥିଲେ। ପରେ ଚିତ୍ତରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି।
ଅନୁଗୋଳ ଡିଏଫ୍ଓ ଭି. କାର୍ତ୍ତିକ କହିଛନ୍ତି-“ଅନ୍ତୁଳିଆ ରିଜର୍ଭ ଜଙ୍ଗଲରେ ସାଧାରଣତଃ ହାତୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳେ। ପ୍ରଥମ ଥର ପାଇଁ ହେଟା ଥିବା ଜଣାପଡ଼ୁଛି। ତେବେ ବନ ବିଭାଗର କର୍ମଚାରୀ ଜଙ୍ଗଲ ଭିତରକୁ ଯାଇ ଯାଞ୍ଚ କରୁଛନ୍ତି। ଆହତଙ୍କୁ କ୍ଷତିପୂରଣ ବାବଦକୁ ଲକ୍ଷେ ଟଙ୍କା ଦିଆଯିବ। ଚିକିତ୍ସା ପାଇଁ ବନ ବିଭାଗ ତରଫରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଉଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
