Advertisment

Accident: ଭୁବନେଶ୍ୱରରେ ହୋର୍ଡିଂ ପଡ଼ି ଜଣେ ମୃତ

ଭୁବନେଶ୍ୱର ଆଇଗିଣିଆରେ ହୋର୍ଡିଂ ଖସି ପଡ଼ି ଜଣେ ମୃତ ଓ ଦୁଇ ଆହତ। ବର୍ଷା, ପବନ ବେଳେ ହୋର୍ଡିଂ ପାଖରେ ଥିବା ଦୋକାନରେ ସେମାନେ ଠିଆ ହୋଇଥିଲେ। ହଠାତ୍‌ ହୋର୍ଡିଂଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା।

author-image
Jitendra Garnayak
Death

ଭୁବନେଶ୍ୱରର ଖଣ୍ଡଗିରି ଥାନା ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ନିକଟରେ ଆଜି ସନ୍ଧ୍ୟାରେ ଏକ ବଡ଼ ହୋର୍ଡିଂ ଖସି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଦେବେନ୍ଦ୍ର। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

Advertisment

ରାଜ୍ୟରେ ଅନନ୍ୟା କିଛି ଅଞ୍ଚଳ ଭଳି ଭୁବନେଶ୍ୱରରେ ବର୍ଷା ହୋଇଥିଲା। ତା ସହିତ ପବନ ମଧ୍ୟ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଦେବେନ୍ଦ୍ର ଓ ଆଉ ୩ ଜଣ ସେହି ହୋର୍ଡିଂ ପାଖରେ ଥିବା ଏକ ଦୋକାନରେ ଛିଡ଼ା ହୋଇଥିଲେ। ସେହି ସମୟରେ ହଠାତ୍ ପ୍ରାୟ ୫୦ ଫୁଟ ଲମ୍ବର ଏହି ହୋର୍ଡିଂଟି ଖସି ପଡ଼ିଥିଲା ।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘଟଣାସ୍ଥଳରେ ହିଁ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁଇ ଆହତଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଭାଙ୍ଗି ଯାଇଛି। ଆହତ ଦ୍ୱୟଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। 

Advertisment

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ସେଠାରେ ପହଞ୍ଚି ଥିଲେ। ସେମାନେ ଆହତଙ୍କୁ ଏମ୍ସ ପଠାଇଥିଲେ। ପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ଏହି ଘଟଣାରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ଦୋକାନ ଚୁରମାର ହୋଇଯାଇଛି। ବିଦ୍ୟୁତ୍ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। 

ସେହିପରି ବର୍ଷା ଓ ପବନ ଯୋଗୁଁ କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଆଜି ଏକ ଯାତ୍ରା ପାର୍ଟିର ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଆଜି ଠାରୁ ସେଠାରେ ଯାତ୍ରା ଆରମ୍ଭ ହେବାର ଥିଲା। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ବର୍ଷା ଓ ପବନ ଯୋଗୁଁ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ଭୁବନେଶ୍ୱରର ଭଳି କଟକ ସହରରେ ମଧ୍ୟ ଝିପିଝିପି ବର୍ଷା ହୋଇଥିଲା। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି।