ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତି। ପାରିବାରିକ କଳିକୁ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ କିଛି ନଶୁଣିବାରୁ ସେ ଆଜି ପେଟ୍ରୋଲ ଧରି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୁଲିସ ଉଦ୍ଧାର କରିଛି।
ଅଭିଯୋଗ ଅନୁସାରେ ହଂସପାଳ ଅଞ୍ଚଳର ଜଣେ ଫଳ ବେପାରୀଙ୍କ ପତ୍ନୀଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏନେଇ ଥାନାକୁ ଗଲେ ନିରାଶ ହେବାକୁ ପଡ଼ୁଥିଲା।
ଥାନା ବାବୁଙ୍କଠାରୁ ନିରାଶ ହୋଇ ସମ୍ପୃକ୍ତ ଆତ୍ମାହୁତି ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଥିଲେ। ଅପରାହ୍ନରେ ସେ ବିଧାନସଭା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ତାଙ୍କୁ କାବୁ କରିନେଇଥିଲା।
ଗତ ବିଧାନସଭା ଅଧିବେଶନରେ ମଧ୍ୟ ଆତ୍ମାହୁତି ଉଦ୍ୟମ ହୋଇଥିଲା। ପରୀକୁ ନ୍ୟାୟ ଦେବା ପାଇଁ ତାଙ୍କ ବାପା-ମାଆ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ଆଠଗଡ଼ର କେତେକ ଚାଷୀ ଓ ଜଗତସିଂହପୁର ଜିଲ୍ଲାର ମାଆ-ପୁଅ ମଧ୍ୟ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ପୁଲିସଠାରୁ ନ୍ୟାୟ ନପାଇଁ ସେମାନେ ଏପରି କରୁଥିବା ଅଭିଯୋଗ ହୋଇଛି।
ସେପଟେ ବିଧାନସଭା ଆଗରେ ଆଜି ଆତ୍ମଦାହ ଉଦ୍ୟମ ଓ ଗତ ଅଧିବେଶନ ବେଳେ ଯେଉଁଭଳି ଢଙ୍ଗରେ ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟା ଉଦ୍ୟମ ହୋଇଥିଲା, ତାକୁ ରୋକିବା ଏବେ କମିଶନରେଟ୍ ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ନୋ ମ୍ୟାନ ଏରିଆ କରାଯିବ। ଏହି କଟକଣା ଆସନ୍ତାକାଲିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ ହେବ। ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମରୁ ନିବୃତ୍ତ ରହିବାକୁ ଲୋକମାନଙ୍କୁ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଅପିଲ କରିଛନ୍ତି। ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।