Advertisment

୧୦ ବର୍ଷ ହେଲା ଗଛ ମୂଳେ ବିତୁଛି ନାବାଳକର ବେଡ଼ିବଦ୍ଧ ଜୀବନ

ପାରାଦୀପ(ରମାକାନ୍ତ ନାୟକ): କଅଁଳ ବୟସରେ ଆକାଶରେ ଉଡ଼ିବାର ଥାଏ ଅସୁମାରି ଆଶା। ନା ଥାଏ ସୀମା ସରହଦ ନା ଥାଏ କୌଣସି କଟକଣା। ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଧାଇଁ ପଡ଼ିଥାନ୍ତି କୁନି କୁନି ନାବାଳକ। ମାତ୍ର ଖେଳକୁଦ ବୟସରେ ଅଭିଶପ୍ତ ଜୀବନ ଜିଉଁଛନ୍ତି ଜଗତସିଂହପୁର ଜିଲ୍ଲା ପାରାଦୀପ ବିଜୟଚନ୍ଦ୍ରପୁର ବସ୍ତିର ୧୦ ବର୍ଷୀୟ ଦିବ୍ୟାଙ୍ଗ ବାଳକ ସୌରଭ ମାନ୍ନା। ଜୀବନ ଆରମ୍ଭ ହେଉ ହେଉ ତାଙ୍କ ପାଦରେ ପଡ଼ିଛି ବେଡ଼ି। ଗୃହପାଳିତ ପଶୁ ପରି […]

ଅଦ୍ୟତନ ହୋଇଛି
୧୦ ବର୍ଷ ହେଲା ଗଛ ମୂଳେ ବିତୁଛି ନାବାଳକର ବେଡ଼ିବଦ୍ଧ ଜୀବନ

pic

Advertisment

ପାରାଦୀପ(ରମାକାନ୍ତ ନାୟକ): କଅଁଳ ବୟସରେ ଆକାଶରେ ଉଡ଼ିବାର ଥାଏ ଅସୁମାରି ଆଶା। ନା ଥାଏ ସୀମା ସରହଦ ନା ଥାଏ କୌଣସି କଟକଣା। ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଧାଇଁ ପଡ଼ିଥାନ୍ତି କୁନି କୁନି ନାବାଳକ। ମାତ୍ର ଖେଳକୁଦ ବୟସରେ ଅଭିଶପ୍ତ ଜୀବନ ଜିଉଁଛନ୍ତି ଜଗତସିଂହପୁର ଜିଲ୍ଲା ପାରାଦୀପ ବିଜୟଚନ୍ଦ୍ରପୁର ବସ୍ତିର ୧୦ ବର୍ଷୀୟ ଦିବ୍ୟାଙ୍ଗ ବାଳକ ସୌରଭ ମାନ୍ନା।

Advertisment

ଜୀବନ ଆରମ୍ଭ ହେଉ ହେଉ ତାଙ୍କ ପାଦରେ ପଡ଼ିଛି ବେଡ଼ି। ଗୃହପାଳିତ ପଶୁ ପରି ତାଙ୍କୁ ବାନ୍ଧି ରଖୁଛନ୍ତି ବାପାମା’। ଖୋଲା ଆକାଶ ତଳେ ଧୂଳି ଅଳିଆରେ ବନ୍ଧା ହୋଇ ଖରା, ଶୀତରେ ବର୍ଷ ବର୍ଷ ହେବ ପଡ଼ି ରହୁଛନ୍ତି ନାବାଳକ ଜଣକ। ପିଲାଟି ଏଯାଏ କଥା କହି ଶିଖି ନ ଥିବା ବେଳେ ଦିନକୁ ଦିନ ହିଂସ୍ର ଆଚରଣ କରିବାରେ ଲାଗିଛି। ହେଲେ ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସରକାରୀ ଅଧିକାରୀଙ୍କ ସମେତ ଶିଶୁ ସୁରକ୍ଷା ଅଧିକାରୀଙ୍କର ବି କିଛି ଦରଦ ଥିବା ପରି ଲାଗୁନି।

ଜଗତସିଂହପୁର ଜିଲ୍ଲା ପାରାଦୀପ ବିଜୟଚନ୍ଦ୍ରପୁର ବସ୍ତିର ଆନନ୍ଦ ମାନ୍ନା ଓ ନମିତା ମାନ୍ନାଙ୍କ ପୁଅ ହେଉଛନ୍ତି ସୌରଭ ମାନ୍ନା। ଉଭୟ ଖଟିଲେ ଘରେ ଚୁଲି ଜଳେ। ସୌରଭଙ୍କୁ ବାଦ ଦେଲେ ଆଉ ୨ ପିଲା ବି ଅଛନ୍ତି ଏହି ଦମ୍ପତିଙ୍କର। ପିଲାଟି ବେଳୁ ସୌରଭ ମାନସିକ ଅନଗ୍ରସର ହୋଇଥିବା ବେଳେ ତାଙ୍କ ବାମ ପାଦ ବଙ୍କା। ଏପରିକି ବେଳେ ବେଳେ ପିହୁଳା ବି ମାରେ।

Advertisment

ତେଣୁ ଉଭୟ ଆନନ୍ଦଓ ନମିତା ଖଟିବାକୁ ଚାଲି ଯାଉଥିବା ବେଳେ ପିଲାଟିକୁ ରାସ୍ତା କଡ଼ ଗଛରେ ବାନ୍ଧି ଦେଇ ଯାଆନ୍ତି। ଘର ପାଖରେ ନଦୀ ଥିବାରୁ ପୂର୍ବରୁ ଉଭୟଙ୍କର ଏକ ପିଲା ନଦୀରେ ଭାସି ଯାଇଥିଲା। ତେଣୁ ପୁଣି ଥରେ ଅଘଟଣ ଘଟିବା ଆଶଙ୍କାରେ ସୌରଭଙ୍କୁ ଗଛରେ ବାନ୍ଧି ଦେଇ ସବୁ ଦିନ ଖଟିବାକୁ ଚାଲି ଯାଉଛନ୍ତି ତାଙ୍କ ବାପାମା’।

ଖରା ବର୍ଷାରେ ପିଲାଟି ସକାଳୁ ଗଛରେ ବନ୍ଧା ହୋଇଥିବା ବେଳେ ବାପାମା’ଙ୍କ ଫେରିବା ବାଟକୁ ସନ୍ଧ୍ୟା ଯାଏ ଅନାଇ ରହିଥାଏ। ଏହି ସମୟରେ ପିଲାଟି ପାଖରେ ବୁଲା ଜୀବଜନ୍ତୁ ବୁଲୁଥିବା ବେଳେ ଆକ୍ରମଣର ଭୟ ବି ରହୁଛି। ଏହାବାଦ ଆରମ୍ଭରୁ ନିସଙ୍ଗ ଜୀବନ ଜୀଉଁଥିବା ଏହି ନାବାଳକଟି ସଭ୍ୟ ସମାଜରେ ନିଜକୁ ଖାପ ଖୁଆଇ ପାରୁନି। ପିଲାଟିର ଏ ଯାଏ ପାଟି ଫିଟି ନ ଥିବା ବେଳେ ମଣିଷକୁ ଦେଖିଲେ ହିଂସ୍ର ହୋଇ ଉଠୁଛି। ଏପରି ଟେକା ପଥର ପକାଇ ମାରିବାକୁ ଗୋଡ଼ାଉଛି।

ସୌରଭଙ୍କ ବାପାମା’ ଖଟିବାକୁ ଚାଲି ଯାଉଥିବା ବେଳେ ତାଙ୍କୁ ବଡ଼ ଭଉଣୀ ପ୍ରିୟା ମାନ୍ନା ଜଗି ରୁହନ୍ତି। ଫଳରେ ମାତ୍ର ଦ୍ୱିତୀୟ ଶ୍ରେଣୀରୁ ଭାଇ ପାଇଁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ସେ ସାନ ଭାଇକୁ ଖାଇବାକୁ ଦେଉଥିବା ବେଳେ ନିଜର ଏକ ଦୋକାନ ବି ଚଳାଉଛନ୍ତି। ହେଲେ ସାହାଯ୍ୟ ମିଳିଲେ ସେ ବି ପଢ଼ିବାକୁ ଚାହିଁବେ ବୋଲି କହିଛନ୍ତି।

ସୌରଭଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ ମିଳିଥିବା ବେଳେ ଦିବ୍ୟାଙ୍ଗ ଭତ୍ତା ବି ମିଳୁଥିଲା। ହେଲେ ୬/୭ ମାସ ହେଲା ସେତକ ବି ମିଳୁନି ବୋଲି ତାଙ୍କ ବାପା ମାଆ ଅଭିଯୋଗ କରୁଛନ୍ତି। ଏପରି ଅବହେଳିତ ଅବସ୍ଥାରୁ ତାକୁ ଉଦ୍ଧାର କରି ଚିକିତ୍ସା କରିବା ନିମନ୍ତେ ସରକାରୀ ଅଧିକାରୀ ଏଯାଏ ଆବଶ୍ୟକୀୟ ପଦକ୍ଷେପ ନେଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି। ପିଲାଟିକୁ ଭଲ କରିବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି। ଚିକିତ୍ସା କଲେ ହୁଏତ ପିଲାଟା ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚିପାରିବ ବୋଲି ବାପାମା’ ଆଶା ରଖିଛନ୍ତି।

ସ୍ଥାନୀୟ ଲୋକେ ଅନେକ ଥର ଏହି ଘଟଣା ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଅବଗତ କରିଛନ୍ତି। ହେଲେ ପିଲାଟିକୁ ଏ ଯାଏ ଉଦ୍ଧାର କରାଯାଇ ପାରିନି। ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ପିଲାଟି ଏପରି ଗଛ ମୂଳେ ବନ୍ଧା ହୋଇ ରହୁଛି। ପିଲାଟିର ସୁସ୍ଥ ଜୀବନଯାପନ କରିବାର ତଥା ପାଠ ପଢ଼ିବାର ଅଧିକାରରୁ ତାକୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହେଉଛି।

କିନ୍ତୁ ସରକାରୀ ଅଧିକାରୀ କହୁଛନ୍ତି ଓଲଟା କଥା। ସେମାନଙ୍କ କହିବା କଥା, ଅତୀତରେ ସେମାନେ ପିଲାଟିକୁ ଉଦ୍ଧାର ପାଇଁ ଯାଇଥିଲେ ହେଲେ ବାପାମାଆ ପିଲାକୁ ଛାଡ଼ିବାକୁ ରାଜି ହେଲେନି। ସରକାରୀ ବ୍ୟବସ୍ଥା ଅନୁସାରେ ସହାୟତା ତାକୁ ଦିଆଯାଉଛି। ଏବେ ଯଦି ବାପାମା’ ଲିଖିତ ଭାବେ ଜଣାଇବେ ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ।

ତୁରନ୍ତ ସୌରଭକୁ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ କିପରି ସେ ସୁସ୍ଥ ଜୀବନଯାପନ କରି ପାରିବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe