ସ୍କୁଲ ଭିତ୍ତିଭୂମିର ବିକଟାଳ ଚିତ୍ର: ୫୦,୨୫୬ଟି ସରକାରୀ ସ୍କୁଲରୁ ମାତ୍ର ୧,୪୨୮ରେ ଇଂଟରନେଟ୍ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ ବିଜେଡି ନେତୃତ୍ୱରେ ସ୍ଥିର ସରକାର ରହିଥିବା ସତ୍ତ୍ୱେ ଶିକ୍ଷା ଭିତ୍ତିଭୂମିରେ ସୁଧାର ଆସିପାରିନି । ରାଜ୍ୟରେ ମୋଟ ୫୦୨୫୬ଟି ସରକାରୀ ସ୍କୁଲ ଥିବାବେଳେ ସେଥିରୁ ମାତ୍ର ୨.୮୪% ଅର୍ଥାତ୍ ୧୪୨୮ଟି ସ୍କୁଲରେ କେବଳ ଇଂଟରନେଟ୍ ସୁବିଧା ରହିଛି । କରୋନା ମହାମାରୀ କାଳରେ ଅନଲାଇନରେ ପାଠପଢ଼ା ଉପରେ ଗୁରୁତ୍ୱ ଦେଇଥିବା ରାଜ୍ୟ ସରକାରଙ୍କ ନିମନ୍ତେ ସ୍କୁଲଗୁଡ଼ିକରେ ଇଂଟରନେଟ ସୁବିଧାର ଏଭଳି ବିକଟାଳ ଚିତ୍ରକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର […]

school

Ordigital Desk
  • Published: Tuesday, 24 May 2022
  • , Updated: 25 May 2022, 12:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ ବିଜେଡି ନେତୃତ୍ୱରେ ସ୍ଥିର ସରକାର ରହିଥିବା ସତ୍ତ୍ୱେ ଶିକ୍ଷା ଭିତ୍ତିଭୂମିରେ ସୁଧାର ଆସିପାରିନି । ରାଜ୍ୟରେ ମୋଟ ୫୦୨୫୬ଟି ସରକାରୀ ସ୍କୁଲ ଥିବାବେଳେ ସେଥିରୁ ମାତ୍ର ୨.୮୪% ଅର୍ଥାତ୍ ୧୪୨୮ଟି ସ୍କୁଲରେ କେବଳ ଇଂଟରନେଟ୍ ସୁବିଧା ରହିଛି । କରୋନା ମହାମାରୀ କାଳରେ ଅନଲାଇନରେ ପାଠପଢ଼ା ଉପରେ ଗୁରୁତ୍ୱ ଦେଇଥିବା ରାଜ୍ୟ ସରକାରଙ୍କ ନିମନ୍ତେ ସ୍କୁଲଗୁଡ଼ିକରେ ଇଂଟରନେଟ ସୁବିଧାର ଏଭଳି ବିକଟାଳ ଚିତ୍ରକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଜାରି ୟୁନିଫାଏଡ ଡ୍ରିଷ୍ଟିକ୍ଟ ଇନଫରମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ(ୟୁଡିଆଇଏସଇ+)ର ୨୦୨୦-୨୧ ମସିହାର ରିପୋର୍ଟ ପଦାରେ ପକାଇଛି।

ଏହି ରିପୋର୍ଟ ଅନୁସାରେ, ଓଡ଼ିଶାରେ ଥିବା ସବୁ ବର୍ଗର ମୋଟ ସ୍କୁଲ(୬୪,୧୮୫ଟି) ମଧ୍ୟରୁ ମାତ୍ର ୭.୨% ସ୍କୁଲରେ ଇଂଟରନେଟ ସଂଯୋଗ ରହିଛି। ସେଥିରୁ କେବଳ ସରକାରୀ ସ୍କୁଲ ମଧ୍ୟରୁ ମାତ୍ର ୨.୮୪% ସ୍କୁଲରେ ଇଂଟରନେଟ ସୁବିଧା ଥିବାବେଳେ ମୋଟ ୧୯.୭୪% ସ୍କୁଲରେ କମ୍ପ୍ୟୁଟର ସୁବିଧା ଅଛି। ପଞ୍ଜାବର ୯୯.୬%, ଦିଲ୍ଲୀର ୮୯.୭୯% , କେରଳର ୮୭.୨୧% ଓ ଗୁଜୁରାଟର ୭୨.୩୬% ସ୍କୁଲରେ ଇଂଟରନେଟ ସୁବିଧା ରହିଛି।

ଇଂଟରନେଟ ବ୍ୟତୀତ ରାଜ୍ୟର ମୋଟ ୬୪୧୮୫ଟି ସ୍କୁଲ ମଧ୍ୟରୁ ୫୨,୧୭୩ଟି ସ୍କୁଲରେ ଇଲେକ୍ଟ୍ରିକ୍ ସୁବିଧା ଥିବାବେଳେ ସେଥିରୁ ୪୫,୪୯୩ଟି ସ୍କୁଲରେ ଏହି ସୁବିଧା କାମ କରୁଛି । ରାଜ୍ୟର ୯୬.୪୬% ସ୍କୁଲରେ ପାନୀୟ ଜଳ ସୁବିଧା ଥିବାବେଳେ ୯୦.୩୯% ଛାତ୍ରଙ୍କ ଶୌଚାଳୟ ଓ ୮୯.୬୭% ଛାତ୍ରୀଙ୍କ ଶୌଚାଳୟ କାର୍ଯ୍ୟକ୍ଷମ ରହିଛି।

କେବଳ ସେତିକି ନୁହେଁ ଓଡ଼ିଶାରେ ସ୍କୁଲ ସଂଖ୍ୟା ମାତ୍ର ୬୪,୧୮୫ ଥିବାବେଳେ ମଧ୍ୟପ୍ରଦେଶରେ ସ୍କୁଲ ସଂଖ୍ୟା ୧,୩୩,୨୭୧ଟି, ଉତ୍ତରପ୍ରଦେଶରେ ୨ଲକ୍ଷ ୬୫ହଜାର ୯୯୧ଟି, ମହାରାଷ୍ଟ୍ରରେ ୧୦ଲକ୍ଷ ୧୦ହଜାର ୧୧୪ଟି ଓ ରାଜସ୍ଥାନରେ ୧ଲକ୍ଷ ୭ହଜାର ୩୭୬ଟି ସ୍କୁଲ ରହିଛି । ଓଡ଼ିଶାରେ ଥିବା ମୋଟ ୬୪୧୮୫ଟି ସ୍କୁଲ ମଧ୍ୟରୁ ୩୦୩୭୭ଟି ପ୍ରାଥମିକ, ୨୧୮୩୯ଟି ଉଚ୍ଚ ପ୍ରାଥମିକ, ୨୪୫୦ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି । ଏ ସମସ୍ତ ସ୍କୁଲରେ ମୋଟ ୩ଲକ୍ଷ ୫୫ହଜାର ୯୭୪ଜଣ ସବୁବର୍ଗର ଶିକ୍ଷକ ଅଛନ୍ତି । ସେଥିରୁ ସରକାରୀ ସ୍କୁଲରେ ୨ଲକ୍ଷ ୩୩ହଜାର ୨୭୩ ଶିକ୍ଷକ ରହିଛନ୍ତି । ତେବେ ମଧ୍ୟପ୍ରଦେଶର ବିଭିନ୍ନ ସ୍କୁଲରେ ମୋଟ ୬.୦୮ଲକ୍ଷ(୩.୦୫ଲକ୍ଷ ଶିକ୍ଷକ ସରକାରୀ ସ୍କୁଲରେ), ମହାରାଷ୍ଟ୍ରରେ ୭.୬୬ଲକ୍ଷ( ସରକାରୀ ସ୍କୁଲରେ ୨.୪୯ଲକ୍ଷ), ଉତ୍ତରପ୍ରଦେଶରେ ୧୪.୮୭ଲକ୍ଷ(ସରକାରୀ ସ୍କୁଲରେ ୬.୨୩ଲକ୍ଷ ଶିକ୍ଷକ) ଏବେ କାର୍ଯ୍ୟରତ ଅଛନ୍ତି।

ଓଡ଼ିଶାରେ ଛାତ୍ର ଓ ଶିକ୍ଷକ ଅନୁପାତ ପ୍ରାଥମିକ ସ୍କୁଲରେ ୧୬ ଥିବାବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ୧୫, ମାଧ୍ୟମିକ ସ୍କୁଲରେ ୧୮ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ୬୨ ଅଛି । ଓଡ଼ିଶାର ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୯୭.୪ ପ୍ରତିଶତ ରହୁଥିବାବେଳେ ଉଚ୍ଚପ୍ରାଥମିକ ସ୍କୁଲରେ ୯୩.୨% ଏଲିମେଂଟାରୀରେ ୯୫.୨%, ମାଧ୍ୟମିକ ସ୍କୁଲରେ ୮୧.୫% ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ମାତ୍ର ୪୬.୪% ରହୁଛି । ଯଦଓ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ପଦୋନ୍ନତି ବାଧ୍ୟତାମୂଳକ ସୁବିଧା ରହିଛି । ତେବେ ଖୁସିର ବିଷୟ ଯେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଡ୍ରପଆଉଟ ଶୂନ ଥିବାବେଳେ ମାଧ୍ୟମିକ ସ୍କୁଲରେ ଡ୍ରପଆଉଟ ୧୬% ରହିଛି।

କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟ ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲଗୁଡ଼ିକର ରୂପାନ୍ତରିତ କାର୍ଯ୍ୟ କରି ବାହାବା ନେବାରେ ଲାଗିଛନ୍ତି । ସ୍କୁଲଗୁଡ଼ିକରେ ବିଦ୍ୟୁତ ଓ ଇଂଟରନେଟ୍ ସୁବିଧା ନଥିବାବେଳେ ଏହି ଫାଇଭ-ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟ କାହା ସ୍ୱାର୍ଥରେ ବୋଲି ସାଧାରଣରେ ଚର୍ଚ୍ଚା।

 

Related story