Advertisment

ଓପିଜିସି ବିକ୍ରି: କୋଇଲା ଖଣି ଉପରେ ଆଖି!

ପ୍ରାୟ ୧୫ ହଜାର କୋଟି ଟଙ୍କା ବ୍ୟୟରେ ପ୍ଲାଣ୍ଟର ସଂପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଏହି ସରକାରୀ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ରାଜ୍ୟରେ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବିଜୁଳି ସଂକଟ ଦେଖାଦେବ ନାହିଁ। ହେଲେ ୩୦ ବର୍ଷର ଏହି କମ୍ପାନୀ ଓପିଜିସିରୁ ଏବେ ୪୯% ଅଂଶଧନ ବିକ୍ରି ପାଇଁ ଗ୍ଲୋବାଲ ଟେଣ୍ଡର କାଢ଼ିଛନ୍ତି ରାଜ୍ୟ ସରକାର।

ଅଦ୍ୟତନ ହୋଇଛି
OPGC

OPGC

Advertisment

୨୦୧୯ ମାର୍ଚ୍ଚ ୧ ତାରିଖରେ ଝାରସୁଗୁଡ଼ାର ବନହରପାଲିରେ ଥିବା ଓଡ଼ିଶା ସରକାରଙ୍କ ଏକମାତ୍ର ତାପଜ ବିଦ୍ୟୁତ ପ୍ଲାଣ୍ଟ ଓପିଜିସି- ଓଡ଼ିଶା ପାଓ୍ବାର ଜେନେରେସନ୍ କର୍ପୋରେସନ୍ ଲିମିଟେଡର ସଂପ୍ରସାରଣକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୧୫ ହଜାର କୋଟି ଟଙ୍କା ବ୍ୟୟରେ ପ୍ଲାଣ୍ଟର ସଂପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଏହି ସରକାରୀ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ରାଜ୍ୟରେ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବିଜୁଳି ସଂକଟ ଦେଖାଦେବ ନାହିଁ। ହେଲେ ୩୦ ବର୍ଷର ଏହି କମ୍ପାନୀ ଓପିଜିସିରୁ ଏବେ ୪୯% ଅଂଶଧନ ବିକ୍ରି ପାଇଁ ଗ୍ଲୋବାଲ ଟେଣ୍ଡର କାଢ଼ିଛନ୍ତି ରାଜ୍ୟ ସରକାର। ଦୁଇ ବର୍ଷ ତଳେ ଆମେରିକାର ଏକ ଘରୋଇ କମ୍ପାନୀ-AESର କୁପରିଚାଳନାରୁ ବର୍ତିବା ପାଇଁ ରାଜ୍ୟ ସରକାର ଓପିଜିସିର ମାଲିକାନାକୁ ସଂପୂର୍ଣ୍ଣ ହାତକୁ ନେଇଥିଲେ। ତେବେ ଏବେ ପୁଣି ଥରେ ଏଥିରୁ ୪୯% ଅଂଶଧନ ବିକ୍ରି କରିବାକୁ ଉଦ୍ୟମ କରିବା କେତେ ଠିକ୍ ସେ ନେଇ ପ୍ରଶ୍ନ ସୃଷ୍ଟି ହେଉଛି। ବିଶେଷଜ୍ଞମାନଙ୍କ କହିବା କଥା- କିଛି ଘରୋଇ କମ୍ପାନୀ ହାତକୁ କମ୍ପାନୀ ପାଇଁ ଥିବା ସୁନ୍ଦଗରଗଡ଼ ମନୋହରପୁରର କୋଇଲା ଖଣିକୁ ଟେକି ଦେବାକୁ ଏଭଳି ଉଦ୍ୟମ ହେଉଛି। ତାପଜ ବିଦ୍ୟୁତ କ୍ଷେତ୍ରରେ ଥିବା ଅଧିକାଂଶ ଘରୋଇ କମ୍ପାନୀ ଚାପଗ୍ରସ୍ତ କମ୍ପାନୀ ବା ଷ୍ଟ୍ରେସଡ୍ କମ୍ପାନୀ ହେବାର ନଜିର ରହିଥିବାବେଳେ ସରକାର ଏହାର ପ୍ରାୟ ଅଧା ମାଲିକାନା ଘରୋଇ କମ୍ପାନୀ ହାତକୁ ଟେକି ଦେବା ପାଇଁ ବ୍ୟଗ୍ର କାହିଁକି?

Advertisment

ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି- `ବିଜୁଳି ଭଳି ଏକ ସାମାଜିକ ସ୍ବାର୍ଥ ଥିବା କ୍ଷେତ୍ରରେ ସରକାରୀ କମ୍ପାନୀର ଅଂଶଧନକୁ ଘରୋଇ କମ୍ପାନୀକୁ ବିକିବାକୁ ଏମାନଙ୍କୁ କିଏ ବୁଦ୍ଧି ଦେଉଛି? ଏମାନଙ୍କୁ କ’ଣ ଲଜ୍ୟା ନାହିଁ?’

ଝାରସୁଗୁଡ଼ା ବନହରପାଲିରେ ଓପିଜିସି ପ୍ଲାଣ୍ଟ ପାଇଁ ବିସ୍ଥାପିତ ହୋଇଥିବା ସୁରେନ୍ଦ୍ର ବଗାର କୁହନ୍ତି- `ଏମାନେ ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଓପିଜିସି ଭଳି ସରକାରୀ କମ୍ପାନୀରୁ ୪୯% ଅଂଶଧନ ଘରୋଇ କମ୍ପାନୀକୁ ବିକି ଦେଉଥିବା ସମସ୍ତେ କହୁଛନ୍ତି।‘

Advertisment

ଦେଶରେ ମନଇଚ୍ଛା କୋଇଲା ଖଣି ବଣ୍ଟାହେଇଥିବା ଦେଖିବା ପରେ ସୁପ୍ରିମକୋର୍ଟ ଦେଶର ୨୧୮ଟି କୋଇଲା ଖଣିରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ଥିବା ୪ଟି ଖଣି ଛାଡ଼ି ୨୧୪ଟି କୋଇଲା ଖଣି ବାତିଲ କରିଦେଇଥିଲେ। ଅତି କମରେ ୭୪% ସରକାରୀ ଅଂଶଧନ ନଥିଲେ ବିନା ନିଲାମରେ କୌଣସି କମ୍ପାନୀକୁ ଖଣି ମିଳିବ ନାହିଁ ବୋଲି ନିୟମ କରିଦେଲେ। ଏଭଳି ଏକ ସ୍ଥିତିରେ ଓଡ଼ିଶାର ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଡ଼ିଶା କୋଲ ଆଣ୍ଡ୍ ପାଓ୍ବାର ଲିମିଟେଡ୍-ଓସିପିଏଲ ଓ ଓପିଜିସି ମିଶି ଝାରସୁଗୁଡ଼ାର ତାପଜ ପ୍ଲାଣ୍ଟ ପାଇଁ ସୁନ୍ଦଗରଗଡ଼ ମନୋହରପୁରର କୋଇଲା ଖଣି ପାଇଥିଲେ। ବର୍ତ୍ତମାନ ଓପିଜିସି ପାଖରେ ପ୍ରାୟ ୧୧ ହଜାର ୫୯୦ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ କମ୍ପାନୀ ତିନି ବର୍ଷର କୁପରିଚାଳନା ପରେ ଚଳିତ ବର୍ଷ ଲାଭ ସ୍ଥିତିକୁ ଆସିଯାଇଛି। ଚଳିତ ବର୍ଷର ୯ ମାସରେ ପ୍ରାୟ ୮୦୦ କୋଟି ଲାଭ କରିଛି। ଓପିଜିସିର ବର୍ତମାନ ଶକ୍ତି ଉତ୍ପାଦନ କ୍ଷମତା ରହିଛି ୧୭୪୦ ମେଗାଓ୍ବାଟ। ଆଉ ୧୩୨୦ ୟୁନିଟ ସଂପ୍ରସାରଣ ହେଲେ ବି ଏହା ବର୍ଷକୁ ମାତ୍ର ୧୧ ନିୟୁତ ଟନ କୋଇଲା ଆବଶ୍ୟକ କରିବ। ମନୋହରପୁର କୋଇଲା ଖଣିରେ ୯୭୩ ନିୟୁତ ଟନ କୋଇଲା ଗଛିତ ଥିବା ବେଳେ ଏହା ଚୁକ୍ତି ମୁତାବକ ତିରିଶ ବର୍ଷ ନୁହେଁ ବରଂ ୯୦ ବର୍ଷ ପର୍ଯ୍ୟନ୍ତ କୋଇଲା ଯୋଗାଇ ପାରିବ। କୋଇଲା ଭଳି ଏକ ପ୍ରାକୃତିକ ସମ୍ପଦର ଲାଭ କେବଳ ବିଜୁଳି ଗ୍ରାହକଙ୍କ ସ୍ବାର୍ଥ ପାଇଁ ଉଦିଷ୍ଟ ରହିବ ବୋଲି ଆଇନ ଥିବାବେଳେ ୨୦୧୮ରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଓସିପିଏଲକୁ ଏ ନେଇ ଚେତାଇ ଦେଇଥିଲା। କୋଇଲା ଉତ୍ତୋଳନ କରୁଥିବା କମ୍ପାନୀ ନିଜ ଲାଭରୁ ଅଂଶଧାରୀ ବା ସରକାରଙ୍କୁ ବି ଲାଭାଂଶ ଦେଇପାରିବ ନାହିଁ ବୋଲି ଚେତାଇ ଦେଇଥିଲା। ଲାଭାଂଶ କେବଳ ବିଜୁଳି ଗ୍ରାହକଙ୍କ ଆର୍ଥିକ ବୋଝ ଲାଘବରେ ବ୍ୟବହାର ହେବ ବୋଲି କହିଥିଲେ। ମାତ୍ର ସରକାର କେଉଁ ପରିସ୍ଥିତିରେ ଓପିଜିସି ବିକ୍ରି ନିଷ୍ପତ୍ତି ନେଲେ ବିଶେଷଜ୍ଞମାନେ ତାଜୁବ ହେଉଛନ୍ତି। ଏହି ଅଂଶଧନ ବିକ୍ରି ଘରୋଇ କମ୍ପାନୀକୁ ମୁନାଫା ଦେବା ସହ ସାଧାରଣ ଖାଉଟି ଉପରେ ବୋଝ ବଢ଼ାଇବ ବୋଲି ଆଶଙ୍କା ସୃଷ୍ଟି କରିଛି। ଏ ନେଇ ଆମେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ପ୍ରତିକ୍ରିୟା ପାଇବାକୁ ଚେଷ୍ଟା କରିଥିଲୁ। ମାତ୍ର ତାହା ମିଳିପାରିନାହିଁ।

ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍‌ଗୋଙ୍କ ରିପୋର୍ଟ

OPGC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe