Advertisment

ବିଦ୍ୟୁତ ବିଲ୍‌କୁ ନେଇ ଗୃହରେ ଉଦ୍‌ବେଗ: ମନ୍ତ୍ରୀ କହିଲେ- ମାଗଣାରେ ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ

୨୦୦୦ ମସିହାରେ ୫୭ ପ୍ରତିଶତ କ୍ଷତି ହେଉଥିଲା ବେଳେ ୨୦୨୩ରେ ଏହା ୨୬ ପ୍ରତିଶତକୁ ହ୍ରାସ ପାଇଛି। ପାଣି ପବନ ବିଜୁଳି ଏକାନ୍ତ ଆବଶ୍ୟକ। ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବେ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ଅଦ୍ୟତନ ହୋଇଛି
Pratap Keshari Deb

Pratap Keshari Deb

Advertisment

ଆଜି ବିଧାନସଭାରେ ଉଠିଥିଲା ଟାଟା ପାୱାରର ବିଦ୍ୟୁତ ଶୁଳ୍କ ଆଦାୟ ପ୍ରସଙ୍ଗ। ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଲତବୀ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ ଟାଟା ପାୱାରର ଆଭିମୁଖ୍ୟକୁ ନେଇ ବିରୋଧୀ ବର୍ଷିଥିଲେ। ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମନ୍ତ୍ରୀ କହିଥିଲେ, ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ।

Advertisment

ମୂଲତବୀ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଉପଭୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ତଣ୍ଟି ଚିପି ବିଲ୍‌ ଆଦାୟ କରାଯାଉଛି। ବିଦ୍ୟୁତ ସଂସ୍କାରରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବା ବେଳେ ସରକାରଙ୍କ ଭୁଲ୍‌ନୀତି ଓ ବିଭାଗୀୟ ଅପାରଗତା ପାଇଁ ବିଜୁଳି ଦର ବଢୁଛି। ଜାତୀୟ ହାର ୟୁନିଟ ପିଛା ୫ ଟଙ୍କା ୧୧ ପଇସା ଥିବା ବେଳେ ରାଜ୍ୟରେ ୫.୨୨ ପଇସା ରହିଛି। ପରିଚାଳନା ଗତ ତ୍ରୁଟି ପାଇଁ ହେଉଥିବା ବାଣିଜ୍ୟିକ କ୍ଷତିକୁ ଗ୍ରାହକଙ୍କ ଉପରେ ଲଦା ଯାଉଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦାୟୀତ୍ୱ ନିର୍ବାହରେ ଫେଲ୍‌ ମାରିଛି। ଅକ୍ଷୟ ଶକ୍ତିକୁ ଗୁରୁତ୍ୱ ନଦେଇ ତାପଜ ବିଦ୍ୟୁତ ଉପରେ ନିର୍ଭରଶୀଳ ବଢୁଥିବାରୁ ଦର କମୁନାହିଁ ବୋଲି ମୋହନ ମାଝୀ କହିଥିଲେ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଦ୍ୟୁତ ପରିବହନ ଜନିତ କ୍ଷତିକୁ ହ୍ରାସ କରିବାରେ ବିଫଳ ହୋଇଛନ୍ତି ସରକାର। ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲା ବେଳେ ବିଦ୍ୟୁତ ଟାରିଫ ବଢି ବଢ଼ି ଚାଲିଛି। ଏହା ଲୋକଙ୍କ ଉପରେ ବୋଝ ହୋଇଛି। ଦିଲ୍ଲୀ, ପଞ୍ଜାବ ଭଳି ଆମ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ ଶ୍ରୀ ସାଲୁଜା କହିଛନ୍ତି

Advertisment

ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ବାସ୍ତବତା ଉପରେ ଆଧାରିତ ନୁହେଁ। ୨୦୦୦ ମସିହାରେ ୨୮ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିବା ବେଳେ ବର୍ତ୍ତମାନ ୯୭ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ଦିଆଯାଇଛି। ୨୦୦୦ ମସିହାରେ ୧୬ ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ବିଦ୍ୟୁତ ଚାହିଦା ୧୦ ହଜାର ମିଲିୟନ୍‌ ୟୁନିଟ ଆବଶ୍ୟକ ପଡ଼ୁଥିଲା। ୨୦୨୩ ମସିହାରେ ଉପଭୋକ୍ତା ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିଛି। ଚାହିଦା ୨୭ ହଜାର ୪୦୦ ମିଲିୟନ ୟୁନିଟକୁ ବୃଦ୍ଧି ପାଇଛି। ପିକ୍‌ ଆୱାରରେ ୫,୨୦୦ ମିଲିୟନ ୟୁନିଟ ଆବଶ୍ୟକ ପଡୁଛି। ବିଦ୍ୟୁତ ପରିବହନ ଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି। ୨୦୦୦ ମସିହାରେ ୫୭ ପ୍ରତିଶତ କ୍ଷତି ହେଉଥିଲା ବେଳେ ୨୦୨୩ରେ ଏହା ୨୬ ପ୍ରତିଶତକୁ ହ୍ରାସ ପାଇଛି। ପାଣି ପବନ ବିଜୁଳି ଏକାନ୍ତ ଆବଶ୍ୟକ। ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବେ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

Electricity Deficiency Tata Power Tata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe