ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ଧରଣର ଆଇନଗତ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ‘ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ(ଶିକ୍ଷକ କ୍ୟାଡ଼ରରେ ସଂରକ୍ଷଣ) -୨୦୨୬’କୁ ଅଧ୍ୟାଦେଶ ମାଧ୍ୟମରେ ଲାଗୁ କରିଛନ୍ତି । ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି ଅଧ୍ୟାଦେଶକୁ ଜାନୁୟାରୀ ୨୯ତାରିଖରେ ମଞ୍ଜୁରୀ ଦେବାପରେ Higher Education Odisha ପକ୍ଷରୁ ଜାନୁୟାରୀ ୩୦ରେ ଏହି ଅଧ୍ୟାଦେଶକୁ ବିଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ଆକାରରେ ପ୍ରକାଶିତ କରାଯାଇଛି । ଏହି ନୂଆ ନିୟମ ଅନୁସାରେ, ଶିକ୍ଷକ ନିଯୁକ୍ତି ପାଇଁ ଏଣିକି ବିଶ୍ୱବିଦ୍ୟାଳୟକୁ ‘ଏକକ ୟୁନିଟ’ ଭାବେ ଗ୍ରହଣ କରି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବାର ପ୍ରାବଧାନ ରହିଛି।
କେବଳ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ, ପଦୋନ୍ନତିରେ ନୁହେଁ
ଏହି ନୂଆ ଅଧ୍ୟାଦେଶ ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ କ୍ୟାଡରରେ ହେବାକୁ ଥିବା ସିଧାସଳଖ ନିଯୁକ୍ତିରେ ଏଣିକି ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ଓ ଏସଇବିସି ବର୍ଗ ପାଇଁ ପଦବୀ ସଂରକ୍ଷିତ ରହିବ । ୧୯୭୫ ମସିହାର ଓଡ଼ିଶା ସଂରକ୍ଷଣ ଅଧିନିୟମ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଜାରି ହୋଇଥିବା ସରକାରୀ ସଂକଳ୍ପ ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳିତ ହେବ।
ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ, ସେମାନେ ଯେକୌଣସି ବିଭାଗ ବା ବିଷୟ ପଢ଼ାଉଥାନ୍ତୁ ନା କାହିଁକି, ଯଦି ସେମାନଙ୍କର ଦରମା ହାର ସମାନ ରହିଛି, ତେବେ ସେମାନଙ୍କୁ ଗୋଟିଏ କ୍ୟାଡର ଭାବେ ବିଚାର କରାଯିବ । ଏହି ବ୍ୟବସ୍ଥା କେବଳ ସିଧାସଳଖ ନିଯୁକ୍ତି ପାଇଁ ପ୍ରଯୁଜ୍ୟ ହେବ। ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଭାବେ ସୂଚିତ ନହେବା ପର୍ଯ୍ୟନ୍ତ ପଦୋନ୍ନତି କିମ୍ବା ବଦଳି କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ବୋଲି ଅଧ୍ୟାଦେଶରେ ସ୍ପଷ୍ଟ କରାଯାଇଛି।
ପାରଦର୍ଶୀ ହେବ ସଂରକ୍ଷଣ ବ୍ୟବସ୍ଥା, ଉପକୃତ ହେବେ ସଂରକ୍ଷିତ ବର୍ଗ
ଜାତୀୟ ସ୍ତରର ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ନିୟମ ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ନିୟମ ପ୍ରଣୟନ କରିଛନ୍ତି । ପୂର୍ବରୁ ବିଭାଗଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ଅନେକ ସମୟରେ ଛୋଟ ଛୋଟ ବିଭାଗରେ ସଂରକ୍ଷିତ ବର୍ଗର ପଦବୀ ଗଣନା କରିବା କଷ୍ଟକର ହେଉଥିଲା, ଯାହାଫଳରେ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ଓ ଏସଇବିସି ବର୍ଗର ପ୍ରାର୍ଥୀମାନେ ଉପଯୁକ୍ତ ସୁଯୋଗ ପାଉନଥିଲେ ।
ବିଶ୍ୱବିଦ୍ୟାଳୟକୁ ‘ଏକକ ୟୁନିଟ୍\' ଭାବେ ଗ୍ରହଣ କରିବା ଦ୍ୱାରା ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଏକ ସମନ୍ୱିତ ‘ପୋଷ୍ଟ-ବେସ୍ଡ ରୋଷ୍ଟର' ପ୍ରସ୍ତୁତ କରାଯିିବ । ଏହାସହିତ ସଂରକ୍ଷଣ ବ୍ୟବସ୍ଥା ଅଧିକ ସ୍ପଷ୍ଟ, ସ୍ୱଚ୍ଛ ଏବଂ ପ୍ରଭାବଶାଳୀ ହୋଇପାରିବ । ଏବେ ବିଧାନସଭା ଅଧିବେଶନ ଚାଲୁ ନଥିବାରୁ ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ସମ୍ବିଧାନର ଧାରା ୨୧୩(୧) ଅନୁଯାୟୀ ଏହି ଅଧ୍ୟାଦେଶ ଜାରି ନିମନ୍ତେ ଅନୁମତି ଦେଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us