/odisha-reporter/media/media_files/2026/01/20/saxsena-2026-01-20-20-06-31.jpg)
ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକସେନା
ବିକଶିତ ଭାରତର ଅର୍ଥ କେବଳ ଜିଡିପି ନୁହେଁ, ବରଂ ଉତ୍ତମ ସେବା ଓ ସାମଗ୍ରିକ ବିକାଶ। ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଓଟିଭି ଫୋରସାଇଟର ୧୬ତମ ସଂସ୍କରଣକୁ ଉଦ୍ଘାଟନ କରି ଏହା କହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକସେନା।
ସେ କହିଥିଲେ, ଦେଶର ପୂର୍ବ ଭାଗରେ ଆଉ ଥରେ ଉଦୟ ହେବାକୁ ଯାଉଛି ବିକଶିତ ଭାରତର ସୂର୍ଯ୍ୟ। ପୂର୍ବ ଭାଗର ବିକାଶରେ ହିଁ ଭାରତର ବିକାଶ ସମ୍ଭବ। ବିକଶିତ ଭାରତର ଅର୍ଥ କେବଳ ଜିଡିପି ନୁହେଁ, ବରଂ ଉତ୍ତମ ସେବା ଓ ସାମଗ୍ରିକ ବିକାଶ। ବିକଶିତ ଭାରତକୁ ଏକ ଟ୍ରେନ୍ ଏବଂ ରାଜ୍ୟଗୁଡ଼ିକୁ, ତାର ଇଞ୍ଜିନ ବୋଲି କହି, ସଂଘୀୟ ଶାସନ ବ୍ୟବସ୍ଥାରେ ସହଯୋଗିତାର ଆବଶ୍ୟକତା ଉପରେ ମତ ରଖିଥିଲେ ଦିଲ୍ଲୀ ଉପରାଜ୍ୟପାଳ।
ସେହିପରି ନେସନ ବିଲଡିଂ ଏ ହୋଲିଷ୍ଟିକ୍ ପ୍ରସପେକ୍ଟିଭ୍ ବା ରାଷ୍ଟ୍ର ଗଠନ: ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରସଙ୍ଗ ଉପରେ ଆଲୋଚନା କରି ଦେଶ ଗଠନ ପୂର୍ବରୁ ବ୍ୟକ୍ତି ଗଠନ ଜରୁରୀ ଦର୍ଶାଇଥିଲେ ଅଧ୍ୟାତ୍ମିକ ଗୁରୁ ସଦଗୁରୁ ଶ୍ରୀ ମଧୁସୂଦନ ସାଇ।
ସେ କହିଥିଲେ, ମାନସିକ ଶାନ୍ତି ହିଁ ଜୀବନର ସବୁଠୁ ବଡ଼ ସମ୍ପତ୍ତି। ଈଶ୍ୱର ଓ ଆଧ୍ୟାତ୍ମିକତାର ସଂଜ୍ଞା ଦର୍ଶାଇ ସେ କହିଥିଲେ ଯେ ବିଶ୍ୱାସ ଓ ବାସ୍ତବ ଅନୁଭୂତି ହିଁ ଈଶ୍ୱର। ଈଶ୍ୱରଙ୍କୁ ନେଇ ପୌରାଣିକ ସଂଜ୍ଞା ଅପେକ୍ଷା ସତ୍ୟ, ସଚେତନତା ଓ ଆନନ୍ଦର ଉପଲବ୍ଧିକୁ ହିଁ ଈଶ୍ବର ବୋଲି କହିଥିଲେ ଶ୍ରୀ ମଧୁସୂଦନ ସାଇ।
ଓଟିଭି ଫୋରସାଇଟରେ ସୁପର ପାୱାର ଭାରତ ଏବଂ ରାଜ୍ୟଗୁଡ଼ିକର ଭୂମିକା ପ୍ରସଙ୍ଗରେ ଆଲୋଚନା କରି ଦେଶର ଆର୍ଥିକ ସ୍ଥିତି ଓ ଗତି ସମ୍ପର୍କରେ ବିସ୍ତୃତ ଭାବେ ବାଖ୍ୟା କରିଥିଲେ ଦେଶର ବିଶିଷ୍ଟ ଶିଳ୍ପପତି ତଥା ଅର୍ଥନୀତି ବିଶେଷଜ୍ଞ ଡାଲମିଆ ଗ୍ରୁପ୍ ଅଫ୍ ହୋଲ୍ଡିଙ୍ଗ୍ସ ଚେୟାରମ୍ୟାନ୍ ଗୌରବ ଡାଲମିଆ। ସେ କହିଥିଲେ, ପାଶ୍ଚାତ୍ୟ ଦେଶରେ ଏବେ ଶିଳ୍ପର ବିକାଶରେ ବିରାମ ଲାଗିଥିବା ବେଳେ ଏ କ୍ଷେତ୍ରରେ ଭାରତର ଗତି ତୀବ୍ର ହୋଇଛି।
ସେହିଭଳି ପିଏମଙ୍କ ବିକଶିତ ଭାରତ ଭିଜନରେ ସଂସ୍କୃତି ଓ ଐତିହ୍ୟର ଭୂମିକା ନେଇ ସାରଗର୍ଭକ ମତ ରଖିଥିଲେ ଫାବ୍ ଇଣ୍ଡିଆର ଚେୟାରମ୍ୟାନ୍ ୱିଲିୟମ ବିଶେଲ। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା ବେଳେ ସେ ଓଡ଼ିଶାର ମହାନ ହସ୍ତକଳାର ଭୁରି ଭୁରି ପ୍ରଶଂସା କରିଥିଲେ।
ଦେଶରେ ଗତ ୭୦ ବର୍ଷରେ ଯେତିକି ବିକାଶ ହୋଇନଥିଲା, ତା’ଠାରୁ ଅଧିକ ବିଗତ ୧୦ ବର୍ଷରେ ହୋଇପାରିଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଅନ୍ୟ ଦେଶଠୁ ବହୁ ଆଗରେ। ଓଟିଭି ଫୋରସାଇଟ୍ ୨୦୨୬ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର।
ସେ କହିଛନ୍ତି, ଓଡ଼ିଶା ସମେତ ଅନ୍ୟ ପୂର୍ବ ରାଜ୍ୟଗୁଡ଼ିକର ବିକାଶ ହେଲେ ସମଗ୍ର ଭାରତ ବିକାଶ ସମ୍ଭବ। ଭାରତର ବିକାଶ ହେଲେ ହିଁ ପୂରଣ ହୋଇପାରିବ ବିକଶିତ ଭାରତ ସ୍ୱପ୍ନ। ଏହାସହ ଆଗାମୀ ୧୦ ବର୍ଷରେ ଭାରତ ବହୁ ଆଗକୁ ଯିବ ଏବଂ ୨୫ ବର୍ଷରେ ଦେଶ ବିରାଟ ପରିବର୍ତ୍ତନ ଆଡ଼କୁ ଯାଉଥିବା କହିଛନ୍ତି ଜୟଶଙ୍କର।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ବାହାରେ ଦିଲ୍ଲୀରେ ଓଟିଭିର ଫୋରସାଇଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
