ରାଜ୍ୟରେ ଏବେ ଚାକିରି ଆଶାୟୀ ପ୍ରାୟ ୧୩ ଲକ୍ଷରୁ ଅଧିକ ପଞ୍ଜିକୃତ ବେକାର ଯୁବକଯୁବତୀ ଅଛନ୍ତି । ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ପ୍ରାୟ ୩୭୩୭୧ଜଣ ଯୁବକଯୁବତୀଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ଦେଲେଣି । ଆଉ ୨୬୪୧୨ଜଣଙ୍କୁ ସର୍ଟଲିଷ୍ଟ କରି ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେବାକୁ ଆବଶ୍ୟକ ପ୍ରକ୍ରିୟା ଶେଷ କରିଛନ୍ତି। ରାଜ୍ୟରେ ବେକାର ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବାବେଳେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୬୩ହଜାରରୁ ଅଧିକ ଯୁବକଯୁବତୀ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ବିଧାନସଭାରେ ଆଜି ଏହି ତଥ୍ୟ ରଖିଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।
ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତିର ଚିତ୍ର
ବିଧାନସଭାରେ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଏମ୍ପ୍ଲୟେମେଂଟ ଏକ୍ସଚେଞ୍ଜରେ ଚଳିତବର୍ଷ ଅକ୍ଟୋବର ୩୧ତାରିଖ ସୁଦ୍ଧା ମୋଟ ୧୩ଲକ୍ଷ ୯ହଜାର ୨୫୦ଜଣ ଶିକ୍ଷକ ଯୁବକଯୁବତୀ ନିଜର ନାମ ପଞ୍ଜିକୃତ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୦୨୪ ଜୁନ୍ ମାସରୁ(ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ) ୩୭୩୭୧ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଇଛି ।
ସେହିପରି ୨୦୨୪ ଏପ୍ରିଲ ୧ରୁ ୨୦୨୫ ସେପ୍ଟେମ୍ବର ମାସ ମଧ୍ୟରେ ବିଭିନ୍ନ ଜିଲ୍ଲା କର୍ମସଂସ୍ଥାନ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ପ୍ଲେସମେଂଟ ଡ୍ରାଇଭ୍ ମାଧ୍ୟମରେ ବିଭିନ୍ନ ବେସରକାରୀ ସଂସ୍ଥାରେ ୨୬୪୧୨ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ସର୍ଟଲିଷ୍ଟ କରାଯାଇଛି । ତେବେ ବେସରକାରୀ କ୍ଷେତ୍ରରେ ସର୍ଟଲିଷ୍ଟ ହୋଇଥିବା ଏହି ଯୁବକଯୁବତୀଙ୍କ ମଧ୍ୟରୁ ମାତ୍ର ୫୩୫୨ଜଣ ବାସ୍ତବରେ କାର୍ଯ୍ୟରେ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ବିଭିନ୍ନ ଜିଲ୍ଲାରେ ବେସରକାରୀ ସଂସ୍ଥାରେ ଯୋଗ ଦେବା ପାଇଁ ପ୍ଲେସମେଂଟ ଡ୍ରାଇଭ୍ କାର୍ଯ୍ୟକ୍ରମରେ ୭୪୨୯୮ଜଣ ଯୁବକଯୁବତୀ ସାମିଲ ହୋଇଥିଲେ ମଧ୍ୟ ସେଥିରୁ ମାତ୍ର ୨୬୪୧୨ଜଣଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ଏହି ତଥ୍ୟ ହିଁ ରାଜ୍ୟରେ ପଞ୍ଜିକୃତ ବେକାର ଯୁବକଯୁବତୀଙ୍କ ତୁଳନାରେ ନିଯୁକ୍ତି ହାର ବେଶ୍ ନଗଣ୍ୟ ରହିଛି ।
ଜିଲ୍ଲାସ୍ତରୀୟ ତଥ୍ୟରେ ଭିନ୍ନତା ଓ ବାସ୍ତବ ସ୍ଥିତି
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୃହରେ ଦେଇଥିବା ତଥ୍ୟ ଅନୁଯାୟୀ, ପୁରୀ ଜିଲ୍ଲାରେ ୬୦୧୮୪ ଜଣ, ବାଲେଶ୍ୱର ଜିଲ୍ଲାରେ ୫୬୯୧୮ ଜଣ, ବ୍ରହ୍ମପୁର (ଗଞ୍ଜାମ)ରେ ୫୭୧୩୮ ଜଣ ଓ କଟକରେ ୪୯୩୯୮ ଜଣ ଶିକ୍ଷିତ ଯୁବକଯୁବତୀ ନିଜ ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ରହିଛନ୍ତି । ୨୦୨୪ ଏପ୍ରିଲରୁ ୨୦୨୫ ସେପେ୍ଟମ୍ବର ମାସ ମଧ୍ୟରେ କଟକ ଜିଲ୍ଲାରେ ମୋଟ୍ ୩୨୬୦ ଜଣ ଯୁବକଯୁବତୀ ବେସରକାରୀ ସଂସ୍ଥାରେ ଚାକିରି ପାଇଁ ଆୟୋଜିତ ପ୍ଲେସମେଂଟ ଡ୍ରାଇଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାବେଳେ ୧୦୯୩ ଜଣ ସର୍ଟଲିଷ୍ଟ୍ ହୋଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୫୬ ଜଣ ହିଁ ଚାକିରିରେ ଯୋଗ ଦେଇଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲାରେ ୧୮୯୯ ଜଣ ସର୍ଟଲିଷ୍ଟ୍ ହୋଇଥିବାବେଳେ ୩୬୬ ଜଣ ଯୋଗ ଦେଇଛନ୍ତି । ଝାରସୁଗୁଡ଼ା ଭଳି ଶିଳ୍ପସମୃଦ୍ଧ ଜିଲ୍ଲାରେ ୧୮୩୧ ଜଣ ସର୍ଟଲିଷ୍ଟ ହୋଇଥିବାବେଳେ ୩୫୬ ଜଣ ଚାକିରିରେ ଯୋଗ ଦେଇଛନ୍ତି । ତେବେ, କେନ୍ଦ୍ରୀୟ ଯୋଜନା ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା ଅନ୍ତଗର୍ତ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଦେଶରେ ଶୀର୍ଷରେ ରହିବା, ରାଜ୍ୟରେ ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମର ଏକ ସକାରାତ୍ମକ ଦିଗକୁ ଉଜାଗର କରୁଛି ।
ରାଜ୍ୟରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଏବଂ ପଲିଟେକ୍ନିକ୍ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ପାଇଁ ‘ସୁଦକ୍ଷା\' ଭଳି ଯୋଜନା କାର୍ଯ୍ୟକାରୀ ହେଉଛି । ଯଦିଓ ଚାକିରି ଆଶାରେ ୧୩ଲକ୍ଷରୁ ଅଧିକ ଯୁବକଯୁବତୀ ସରକାର କର୍ମସଂସ୍ଥାନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖିଲେ ଏହି ଚାକିରି ଆଶାୟୀଙ୍କ ସଂଖ୍ୟା ଢ଼େର ଅଧିକ ହେବ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us