/odisha-reporter/media/post_attachments/uploads/2022/02/Untitled-1-46.jpg)
Violence
ପୁରୀ(ଓଡ଼ିଶା ରିପୋର୍ଟର): ଆଜି ସରିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତେବେ ଏହା ପୂର୍ବରୁ ବିଭିନ୍ନ ଭୋଟିଂ ବୁଥରେ ଦେଖାଦେଇଛି ହିଂସା। ଦୁଇ ଗୋଷ୍ଠୀ ମହାଁମୁହିଁ ହୋଇଛନ୍ତି। ପୁଲିସ ଉପସ୍ଥିତିରେ ବୁଥ ଭିତରେ ପଶି ନୁର୍ଧୁମ ବାଡେଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଦେଖିବାକୁ ମିଳିଛି କିଛି ଏଭଳି ନିର୍ବାଚନୀ ହିଂସା।
କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା ପଞ୍ଚାୟତ ୪ ନମ୍ବର ବୁଥ୍ରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ତିଛିଣି ଗାଁ ଲୋକେ ଭୋଟ ଦେଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ଗଣ୍ଡଗୋଳ କରିଥିବା ଜଣାପଡ଼ିଛି। ଶତାଧିକ ଲୋକେ ହାତରେ ଠେଙ୍ଗାବାଡି ଧରି ପରସ୍ପର ଉପରେ ମାରପିଟ୍ କରିଛନ୍ତି। ଗାଡି ଗୁଡିକ ମଧ୍ୟ ବ୍ୟାପକ ଭଙ୍ଗା ରୁଜା ହୋଇଥିବା ଦେଖିବାକୁ ମିଳିଛି।
ସେହିପରି ଯାଜପୁର ଜିଲ୍ଲାର ୪ଟି ବୁଥରେ ମତଦାନ ବନ୍ଦ ରହିଛି। ବୁଥ୍ ଜବରଦଖଲ ଓ ବିଶୃଙ୍ଖଳା ଯୋଗୁଁ ଧର୍ମଶାଳା ବ୍ଲକ ଅରାବକ ପଞ୍ଚାୟତର ୮ ନମ୍ବର ଏବଂ ଦେଓଦା ପଞ୍ଚାୟତର ୬ ଓ ୭ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି। ସେପଟେ ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତରେ ବୁଥ୍ ଭଙ୍ଗାରୁଜା ହୋଇଛି। ସୁଜନପୁର ପଞ୍ଚାୟତର ଦୁର୍ଗାପୁର ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ୧ ନମ୍ବର ବୁଥରେ ଭଙ୍ଗାରୁଜା ଯୋଗୁଁ ବନ୍ଦ ରହିଛି ମତଦାନ। ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା କାରଣରୁ କବାଟ ଭାଙ୍ଗିବା ସହ ବାଲଟ ପେପର ଷ୍ଟାମ୍ପକୁ ଲୋକେ ନେଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ବୁଥରେ ମତଦାନ ବନ୍ଦ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
