
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ିଛି । ପୂର୍ବତନ ଫାଇଭ-ଟି ସଚିବ ଓ ଅଧ୍ୟକ୍ଷ ଭାବେ ସେ ନିଜ ପଦବୀର ଦୁରୂପଯୋଗ କରି ରାଜକୋଷକୁ କ୍ଷତି ପହଂଚାଇଥିବା ନେଇ କ୍ରାଇମବ୍ରାଂଚ ପକ୍ଷରୁ ହେଉଥିବା ତଦନ୍ତ ଆଜି ନୂଆ ମୋଡ଼ ନେଇଛି । ଭାରତୀୟ ବିକାଶ ପରିଷଦର ସଭାପତି ତଥା ଅଭିଯୋଗକାରୀ ସୁରେନ୍ଦ୍ର ପାଣିଗ୍ରାହୀ ଆଜି କଟକସ୍ଥିତ କ୍ରାଇମବ୍ରାଂଚ ମୁଖ୍ୟାଳୟରେ ହାଜର ହୋଇ ଶ୍ରୀ ପାଣ୍ଡିଆନଙ୍କ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଓ ଆର୍ଥିକ ଅନିୟମିତତାର ପ୍ରମାଣ ଦାଖଲ କରିଥିବା ଜଣାପଡ଼ିଛି ।
ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ସେ ଗତ ୨୦୨୪ ଫେବୃଆରୀ ୧୮ ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟକୁ ପଠାଇଥିବା ଅଭିଯୋଗ ଆଧାରରେ କ୍ରାଇମବ୍ରାଂଚ ଏହି ତଦନ୍ତ କରୁଛି। ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀ ପାଣ୍ଡିଆନ ନିଜ କ୍ଷମତାର ଅପବ୍ୟବହାର କରି ଓଡ଼ିଶା ରୁଲ୍ସ ଅଫ୍ ବିଜନେସ ୧୯୫୬କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି ।
କେବଳ ତାଙ୍କର ଚାର୍ଟର ବିମାନ ଓ ହେଲିକପ୍ଟର ବ୍ୟବହାର ପାଇଁ ସରକାରୀ ରାଜକୋଷରୁ ପ୍ରାୟ ୪୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିମଧ୍ୟରୁ ୨୦୨୧-୨୦୨୨ ବର୍ଷରେ ପ୍ରାୟ ୧୯ କୋଟି ଓ ୨୦୨୩-୨୦୨୪ ବର୍ଷରେ ୨୫.୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଏଜିଙ୍କ କାର୍ଯ୍ୟାଳୟର ରିପୋର୍ଟକୁ ସେ ପ୍ରମାଣ ଭାବେ ଦାଖଲ କରିଛନ୍ତି । ଏହି ବିପୁଳ ପରିମାଣର ଅର୍ଥ କୌଣସି ଜରୁରୀକାଳୀନ ପ୍ରଶାସନିକ କାର୍ଯ୍ୟ ଅପେକ୍ଷା ନିର୍ବାଚନୀ ପ୍ରଚାର ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।
ସେହିପରି ପାଣ୍ଡିଆନଙ୍କ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ଜନସମାଗମ ପାଇଁ ସରକାରୀ ଓ ସ୍କୁଲ ବସଗୁଡ଼ିକୁ ବେଆଇନ ଭାବେ ବ୍ୟବହାର କରାଯାଉଥିଲା । ଏପରିକି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଫେଲ କରିଦେବା କିମ୍ବା ସେମିଷ୍ଟାର ରୋକିଦେବା ଭଳି ଧମକ ଦେଇ ସଭାରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଉଥିବା ନେଇ ଫଟୋ ଓ ଖବରକାଗଜ କ୍ଲିପିଂକୁ ସେ ପ୍ରମାଣ ଭାବେ ଦେଇଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଇଟାଲୀ ଗସ୍ତ ସମୟରେ ପାଣ୍ଡିଆନଙ୍କ ସହ ଶ୍ରଦ୍ଧା ନାମକ ଜଣେ ମହିଳାଙ୍କ ଉପସ୍ଥିତ ରହିବା ଓ ସେଥିପାଇଁ ହୋଇଥିବା ୮୫ ଲକ୍ଷ ଟଙ୍କାର ଖର୍ଚ୍ଚକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ପାଣ୍ଡିଆନ ନିଜ ପ୍ରଭାବ ଖଟାଇ ରାଜ୍ୟ ବାହାରେ ଏବଂ ବିଦେଶରେ ବିପୁଳ ପରିମାଣର କଳାଧନ ଠୁଳ କରିବା ସହ ବିଭିନ୍ନ ହୋଟେଲ ଓ ବ୍ୟବସାୟରେ ନିବେଶ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ସମସ୍ତ ବେଆଇନ କାର୍ଯ୍ୟକଳାପର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
