
RTI Documents (both New and Old)
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ. ପାଣ୍ଡିଆନଙ୍କ ‘ରାଜକୀୟ’ ପୁଲିସ ସୁରକ୍ଷା ବଳୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ଜଣ ପୁଲିସ କର୍ମଚାରୀ ନିୟୋଜିତ ଥିବା ନେଇ ସୂଚନା ଅଧିକାର କର୍ମୀମାନେ ଗତବର୍ଷ ମାର୍ଚ୍ଚ ୨୯ତାରିଖରେ ଯେଉଁ ଦାବି କରିଥିଲେ ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଭୁବନେଶ୍ୱର ପୁଲିସ ପକ୍ଷରୁ ଦିଆଯାଇଥିବା ସଦ୍ୟ ଆରଟିଆଇ ତଥ୍ୟ ଏହି ମିଛକୁ ପଦାରେ ପକାଇବା ସହ ତତକାଳୀନ ପୁଲିସ କମିଶନର ସଞ୍ଜିବ ପଣ୍ଡା ଓ ଡିସିପି ପ୍ରତୀପ ସିଂଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଲ ଇଣ୍ଡିଆ ସର୍ଭିସ(କଣ୍ଡକ୍ଟ) ରୁଲସ-୧୯୬୮ର ଖୋଲା ଉଲ୍ଲଘଂନ କରି କାହିଁକି ସେମାନେ ପାଣ୍ଡିଆନଙ୍କ ସୁରକ୍ଷା ତଥ୍ୟ ଦେଇଥିବା ୩ ସୂଚନା କର୍ମୀଙ୍କ ବିରୁଦ୍ଧରେ ଶହୀଦ ନଗର ଥାନାରେ ମାମଲା ରୁଜୁ କରାଇବା ସହ ଗଣମାଧ୍ୟମକୁ ମିଥ୍ୟା ବୟାନ ଦେଇଥିଲେ ତାହା ଏବେ ଉଭୟ ଆଇପିଏସ୍ ଅଫିସରଙ୍କ ସାମ୍ବିଧାନିକ ଓ ପ୍ରଶାସନିକ ଭୂମିକାକୁ ସଙ୍କଟ ଭିତରକୁ ଠେଲି ଦେଇଛି ।
ଆରଟିଆଇ ତଥ୍ୟ ବୟାନ କରୁଛି ୭୪ ଜଣିଆ ସୁରକ୍ଷା ବଳୟର ସତ୍ୟତା
ଭୁବନେଶ୍ୱର ୟୁପିଡିର ରିଜର୍ଭ ପୋଲିସ୍ ଅଫିସ୍ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ସୂଚନା କର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କୁ ନଭେମ୍ବର ୨୯ତାରିଖରେ ପ୍ରଦାନ କରାଯାଇଥିବା ତଥ୍ୟ(ଫଟୋ)ରୁ ଜଣାପଡ଼ୁଛି ଯେ, ଭିକେ ପାଣ୍ଡିଆନଙ୍କ ବାସଭବନ ଓ ସେ ତାଙ୍କ ଗସ୍ତବେଳେ ସୁରକ୍ଷା ପାଇଁ ବହୁ ପରିମାଣର ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ସଦ୍ୟ ତଥ୍ୟ ଅନୁଯାୟୀ ପାଣ୍ଡିଆନଙ୍କ ସୁରକ୍ଷାରେ ୨ଜଣ ପିଏସଓ(ବ୍ୟକ୍ତିଗତ ସୁରକ୍ଷାରେ), ହାଉସଗାର୍ଡ ଭାବେ ଜଣେ ହାବିଲଦାର, ୪ଜଣ ଆମର୍ଡ ପୁଲିସ, ବାସଭବନରେ ସିଫ୍ଟ ଆଧାରରେ ଗୋଟିଏ ସେକ୍ସନ ଫୋର୍ସ(୯ରୁ ୧୧ଜଣ ପୁଲିସ), ଗସ୍ତବେଳେ ୧ରୁ ୪ଟି ଏସକର୍ଟ ଗାଡ଼ି ଓ ୪ଜଣ ମହିଳା ପୁଲିସ କର୍ମୀ ନିୟୋଜିତ ଥିଲେ ବୋଲି କୁହାଯାଇଛି ।
ତେବେ ପୂର୍ବରୁ ୨୦୨୪ ମାର୍ଚ୍ଚ ୧୧ତାରିଖରେ ଭୁବନେଶ୍ୱର ୟୁପିଡିର ରିଜର୍ଭ ପୋଲିସ୍ ଅଫିସ୍ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ଦିଆଯାଇଥିଲା ସେଥିରେ ପାଣ୍ଡିଆନଙ୍କ ସୁରକ୍ଷାରେ ତାଙ୍କ ବାସଭବନରେ ୨ଜଣ ଏସଆଇ,୧୧ଜଣ ହାବିଲଦାର, ୫୩ଜଣ ସିପାହୀ-କନେଷ୍ଟବଳ ଓ ୪ଜଣ ମହିଳା କନେଷ୍ଟବଳଙ୍କ ସମେତ ତାଙ୍କ ଗାଡ଼ି ଦାୟିତ୍ୱରେ ଜଣେ ହାବିଲଦାର, ୩ଜଣ କନେଷ୍ଟବଳ ସହ ଗୋଟିଏ ଗାଡ଼ି ଦିଆଯାଇଥିଲା । ଏଭଳି ଭାବେ ମୋଟ ୭୪ଜଣ ପୁଲିସ କର୍ମୀ ଓ ଗୋଟିଏ ଗାଡ଼ି ଦିଆଯାଇଛି ବୋଲି ସୂଚନାକର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କୁ ତତକାଳୀନ ରିଜର୍ଭ ପୁଲିସ ଇନ୍ସପେକ୍ଟର ତଥ୍ୟ ଦେଇଥିଲେ ।
ପାଣ୍ଡିଆନଙ୍କୁ ଖୁସି କରିବାକୁ ମିଛ କେସରେ ଫସିଥିଲେ ସତ କହୁଥିବା ଆରଟିଆଇ କର୍ମୀ
ଆରଟିଆଇ ତଥ୍ୟକୁ ଆଧାର କରି ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା)ର ଆବାହକ ପ୍ରଦୀପ ପ୍ରଧାନଙ୍କ ସମେତ ସୂଚନା କର୍ମୀ ପ୍ରକାଶ ଦାସ ଓ ଶ୍ରୀକାନ୍ତ ପକାଳ ୨୦୨୪ ମାର୍ଚ୍ଚ ୨୯ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ଏହି ତଥ୍ୟ ଲୋକଲୋଚନକୁ ଆଣିଥିଲେ । ଗଣମାଧ୍ୟମରେ ଏହି ତଥ୍ୟ ପ୍ରସାରିତ ହେବାପରେ ତତକାଳୀନ ପୁଲିସ କମିଶନର ସଞ୍ଜିବ ପଣ୍ଡା ଓ ଭୁବନେଶ୍ୱର ପୁଲିସ ଡିସିପି ପ୍ରତୀକ ସିଂ ଅଚାନକ ସକ୍ରିୟ ହୋଇପଡ଼ିଥିଲେ । ପାଣ୍ଡିଆନଙ୍କୁ ଖୁସି କରିବାକୁ ଖୋଦ୍ ତତକାଳୀନ ପୁଲିସ କମିଶନର ସଞ୍ଜିବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଏଭଳି କୌଣସି ତଥ୍ୟ ପୁଲିସ ଦେଇନାହିଁ ବୋଲି କହିଥିଲେ। ଆରଟିଆଇ କର୍ମୀମାନେ ଜାଲ୍ ଦସ୍ତାବିଜ ଦେଇ ମିଛ ଖବର ପ୍ରସାରଣ କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ଶହୀଦ ନଗର ଥାନାରେ ଏଫଆଇଆର ରୁଜୁ ହୋଇଛି । ରିଜର୍ଭ ପୁଲିସ ଇନ୍ସପେକ୍ଟର ଏହି ଏଫଆଇଆର ଦେଇଛନ୍ତି ବୋଲି ଶ୍ରୀ ପଣ୍ଡା ଏପ୍ରିଲ ୩ତାରିଖରେ ସୂଚନା ଦେଇଥିଲେ । ଉକ୍ତ ୩ଜଣ ସୂଚନାକର୍ମୀଙ୍କ ବିରୁଦ୍ଧରେ ଆଇପିସିର ଦଫା ୪୧୯, ୪୨୦, ୪୬୫, ୪୬୮, ୪୬୯, ୪୭୧ ଏବଂ ୫୦୫ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଥିଲା ।
ଏବେ ପ୍ରଶ୍ନ ଉଠୁଛି, ଯଦି ଦସ୍ତାବିଜ୍ ସତ ଥିଲା, ତେବେ ମିଛ କହିଥିଲା କିଏ? ପୋଲିସ୍ ନା ଆରଟିଆଇ କର୍ମୀ?
ସର୍ଭିସ୍ ରୁଲ୍ସର ଉଲ୍ଲଂଘନ ସହ କ୍ଷମତାର ଅପବ୍ୟବହାର
ଅଲ୍ ଇଣ୍ଡିଆ ସର୍ଭିସେସ୍ (କଣ୍ଡକ୍ଟ) ରୁଲସର ନିୟମ-୩ ଅନୁଯାୟୀ, ପ୍ରତ୍ୟେକ ଅଫିସର ସବର୍ଦା ପୂର୍ଣ୍ଣ ସାଧୁତା ଓ କର୍ତ୍ତବ୍ୟନିଷ୍ଠା ବଜାୟ ରଖିବା ଆବଶ୍ୟକ । କିନ୍ତୁ ଏହି ମାମଲାରେ, ନିଜ ବିଭାଗର (ରିଜର୍ଭ ଇନ୍ସପେକ୍ଟରଙ୍କ ଦ୍ୱାରା ପ୍ରଦତ୍ତ) ଏକ ବୈଧ ସରକାରୀ ଦସ୍ତାବିଜକୁ ‘ଜାଲ୍' ବୋଲି ଘୋଷଣା କରିବା ଓ ଗଣମାଧ୍ୟମ ଆଗରେ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଶ୍ରୀ ପଣ୍ଡା ଓ ଶ୍ରୀ ସିଂ ଖୋଲାଖୋଲି ନିୟମର ଉଲ୍ଲଘଂନ କରିଥିବା ଏବେ ପ୍ରମାଣିତ ହୋଇଛି । ଜଣେ ଆଇପିଏସ୍ ଅଫିସର ଭାବରେ ସତ୍ୟକୁ ଲୁଚାଇବା ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ‘ଅନବିକମିଙ୍ଗ୍ ଅଫ୍ ଏ ମେମ୍ବର ଅଫ୍ ଦି ସର୍ଭିସ୍’ ଦଫାରେ ବିବେଚନା କରାଯାଏ । କେବଳ ନିଜର ପଲଟିକାଲ ବସଙ୍କୁ ଖୁସି ଓ ସୁରକ୍ଷା ଦେବା ପାଇଁ ସରକାରୀ ତଥ୍ୟକୁ ଅସ୍ୱୀକାର କରିବା ଜଣେ ପ୍ରଶାସନିକ ଅଫିସରଙ୍କ ପକ୍ଷେ ଅକ୍ଷମଣୀୟ ଅପରାଧ ବୋଲି ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ କହିଛନ୍ତି ।
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା: ପ୍ରଦୀପ ପ୍ରଧାନ
‘ଓସା’ ଆବାହକ ପ୍ରଦୀପ ପ୍ରଧାନ ଏହି ନୂଆ ଆରଟିଆଇ ଦସ୍ତାବିଜ ଦେବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନର ବିଜେପି ସରକାର ଏଭଳି ସଙ୍ଗୀନ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିବାର ଆବଶ୍ୟକତା ରହିଛି। ଯଦି ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ଓ ପ୍ରତୀକ ସିଂହଙ୍କ ସମେତ ଥାନାରେ ଅଭିଯୋଗ କରିଥିବା ତତକାଳୀନ ରିଜର୍ଭ ପୁଲିସ ଇନ୍ସପେକ୍ଟରଙ୍କ ବିରୁଦ୍ଧରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେବେ ତାହା ନିଶ୍ଚିତ ଭାବେ ଏକ ଭୁଲ୍ ପରମ୍ପରାକୁ ପ୍ରୋତ୍ସାହିତ କରିବ । ଭବିଷ୍ୟତରେ ଅନ୍ୟ ଅଫିସରମାନେ ନିଜ ‘ପଲିଟିକାଲ୍ ବସ୍'ଙ୍କୁ ଖୁସି କରିବା ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରିବା ନିମନ୍ତେ ଆଇନକୁ ହାତକୁ ନେବାକୁ ବି ପଛାଇବେ ନାହିଁ । ପ୍ରଶାସନିକ ସ୍ୱଚ୍ଛତା ବଜାୟ ରଖିବାକୁ ହେଲେ, ମିଥ୍ୟା ଏଫଆଇଆର ରୁଜୁ କରିଥିବା ଇନ୍ସପେକ୍ଟର ଓ ଗଣମାଧ୍ୟମକୁ ବିଭ୍ରାନ୍ତ କରିଥିବା ଆଇପିଏସ୍ ଅଫିସରଙ୍କୁ ଉତ୍ତରଦାୟୀ କରାଯିବା ଉଚିତ୍ । ଆଇନ ସମସ୍ତଙ୍କ ପାଇଁ ସମାନ ଓ କ୍ଷମତାର ଅପବ୍ୟବହାର କଲେ ଦଣ୍ଡ ଭୋଗିବାକୁ ପଡ଼ିବ ତଥା ଏହା ମଧ୍ୟ ଓଡ଼ିଶାର ପ୍ରଶାସନିକ ଇତିହାସରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଦେଖନ୍ତୁ ସେତେବେଳେ କ’ଣ କହିଥିଲେ ପୁଲିସ କମିଶନର-
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
