Advertisment

BJD Politics: ନବୀନଙ୍କ ଉତ୍ତରକୁ ଗ୍ରହଣ କଲେନି ଅରବିନ୍ଦ; ପୁଣି କଲେ ପ୍ରଶ୍ନ, ପଚାରିଲେ- ଡାଟା ଦେଉଛି କିଏ

ମୂଳରୁ ଶେଷ ପର୍ଯ୍ୟନ୍ତ ଯେତେ ଅଭିଯୋଗ ଆସିଛି କାହାରି କାହା ସହିତ କିଛି ମେଳ ଖାଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବି ମୁଁ ଜାଣିପାରୁନି ଯେ ବାସ୍ତବରେ କ’ଣ ଘଟିଛି। କାହିଁକି ସେ ଏମିତି ଅଭିଯୋଗ କରୁଛନ୍ତି?

MLA Aravinda
Advertisment

ପାଟକୁରାବାସୀଙ୍କୁ ହଇରାଣ କରୁଥିବାରୁ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଦଳରୁ ନିଲମ୍ବନ କରାଯାଇଛି ବୋଲି ଗତକାଲି ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ। ସେ ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ଗ୍ରହଣ କରୁ ନାହାନ୍ତି ବୋଲି ବିଧାୟକ ଶ୍ରୀ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାବେ କହିବା ସହିତ ଏ ପର୍ଯ୍ୟନ୍ତ ସେ ବାସ୍ତବ କାରଣ ଜାଣିପାରିଲେ ନାହିଁ ବୋଲି କହିଛନ୍ତି। ତା’ସହିତ କାହାର ଡାଟା ବା ତଥ୍ୟ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। 

Advertisment

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି, ପ୍ରଥମେ କୁହାଗଲା ମୁଁ ଦଳ ବିରୋଧୀ କାର୍ଯ୍ୟ କରିଛି। ପରେ ମୁଁ ଦୁର୍ନୀତି ଓ ବିଶ୍ୱାସଘାତ କରିଛି ବୋଲି କୁହାଗଲା। ତା’ ପରେ ମିଡ୍ ଡେ’ ଅପରେସନ ହୋଇଛି ବୋଲି କହିଲେ ଓ ସେଥିରେ ଅନ୍ୟମାନଙ୍କୁ ଯୋଡ଼ି ଦେଲେ। ପୁଣି ଅଭିଯୋଗ ଆସିଲା ଯେ ମୁଁ ବିଜେଡିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଙ୍କୁ ହରେଇ ଦେଲି। ଏସବୁ ସହିତ କେତେବେଳେ କହିଲେ ଯେ ବିଧାୟକ ପାଣ୍ଠି କାମ ନେଇ କାହାକୁ ପଚାରୁନି। ଶେଷରେ ଗତକାଲି କହିଛନ୍ତି ଯେ ପାଟକୁରାବାସୀଙ୍କୁ ମୁଁ ହଇରାଣ କରୁଛି। ତେଣୁ ମୁଁ ପ୍ରଥମେ ଜାଣିବାକୁ ଚାହୁଁଛି ଯେ କେଉଁଟି ପ୍ରକୃତ ସତ? ଏଇଟା ଫାଇନାଲ୍ ଲିଷ୍ଟ ତ? ଯଦି ଏଇଟା ଫାଇନାଲ ଲିଷ୍ଟ୍, ତା’ହେଲେ ବିରୋଧୀ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ କେବେ ଜାଣିଲେ ଯେ ମୁଁ ପାଟକୁରାବାସୀଙ୍କୁ ହଇରାଣ କରୁଛି? କାରଣ ତାଙ୍କୁ ତ ମୁଁ ଅନେକ ଥର ଭେଟିଛି। ବିଧାନସଭାରେ ସବୁବେଳେ ଭେଟ ହୁଏ। ତାଙ୍କ ପାଖକୁ ବି ଯାଇଛି। ଭଲରେ କଥା ହୁଅନ୍ତି। କିନ୍ତୁ ମୁଁ ପାଟକୁରାବାସୀଙ୍କୁ ହଇରାଣ କରୁଛି ବୋଲି କେବେ ହେଲେ କହି ନାହାନ୍ତି। ଯଦି ହଇରାଣ କରୁଛି, ତା’ହେଲେ କାହାକୁ? ଏବେ ପ୍ରଶ୍ନ ଉଠୁଛି, କାହା କଥାରେ ନବୀନ ବାବୁ ଏମିତି ଏକ ନିଷ୍ପତ୍ତି ନେଲେ? ଆଗରୁ ଜାଣିବାର ଇଚ୍ଛା ଥିଲା ଯେ ମୋ ବିରୋଧରେ କ’ଣ ସବୁ ଅଭିଯୋଗ ଅଛି। କିନ୍ତୁ ଏବେ ଜାଣିବାକୁ ଚାହୁଁଛି ଯେ କିଏ ସେହି ବ୍ୟକ୍ତି ଯିଏ ତାଙ୍କୁ ଡାଟା ଦେଉଛନ୍ତି ଓ ଯାହା ଆଧାରରେ ସେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି। 

ସେ କହିଛନ୍ତି, ଯେତେ ସବୁ ଅଭିଯୋଗ ଆସିଛି, କାହାର ଆଧାର ନାହିଁ। ସବୁ ଦିନେ ନୂଆ ନୂଆ ଅଭିଯୋଗ ଆଣିଲେ। ଆଉ ଗତକାଲି ବୋଧେ ଶେଷ ଅଭିଯୋଗ ଆଣି କହିଲେ ଯେ ମୁଁ ପାଟକୁରାବାସୀଙ୍କୁ ହଇରାଣ କରୁଛି। ମୁଁ ଜାଣିବା ଅନୁସାରେ ମୋତେ ପାଟକୁରାର ସବୁ ଲୋକ ସମର୍ଥନ କରୁଛନ୍ତି। ଯେଉଁମାନେ ଭଲ ପାଇ କି ମୋତେ ପଠାଇଛନ୍ତି, ମୁଁ ସେମାନଙ୍କ ସହିତ ଯୋଡ଼ି ହୋଇରହିଛି। ଯାହା କାମ ହେବା କଥା, ତାହା ଚାଲିଛି। ତେଣୁ ମୁଁ ଏଇଟାକୁ ( ପାଟକୁରାବାସୀଙ୍କୁ ହଇରାଣ କରିବା ଅଭିଯୋଗକୁ) ସଂପୂର୍ଣ୍ଣ ଭାବେ ଖଣ୍ଡନ କରୁଛି।

Advertisment

ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି, ଅଭିଯୋଗ ଆରମ୍ଭ ହୋଇଥିଲା ଦଳ ବିରୋଧୀ କାର୍ଯ୍ୟରୁ ଓ ଶେଷ ହୋଇଥିଲା ପାଟକୁରାବାସୀଙ୍କୁ ହଇରାଣ କରିବାରେ। ମଝିରେ ପୁଣି ବିଜୟ ମହାପାତ୍ରଙ୍କୁ ଟାଣି ଆଣାଯାଇଥିଲା। କାହାର କାହା ସହିତ ମେଳ ଖାଉନି। ଗତ ମାସରେ ହୋଇଥିବା ଶେଷ ସାକ୍ଷାତରେ ସେ (ନବୀନ ପଟ୍ଟନାୟକ) ମୋ ବାପା କେମିତି ଅଛନ୍ତି ବୋଲି ପଚାରିଥିଲେ। ସେତେବେଳେ ବି ସେ ମୋତେ ପାଟକୁରାବାସୀଙ୍କୁ ହଇରାଣ କରୁଥିବା ନେଇ କିଛି କହି ନଥିଲେ। ମୁଁ କ’ଣ ଭୁଲ କରୁଛି ଓ କେଉଁଠି ସଂଶୋଧନ କରିବାକୁ ପଡ଼ିବ, ତାହା ସେ ମୋତେ କହିପାରିଥା’ନ୍ତେ। ଦଳରୁ ବି ମୋତେ କେହି ଏ ନେଇ କିଛି କହି ନାହାନ୍ତି। ସୋ’ କଜ୍ ନୋଟିସ୍ ବି ଦେଇ ନାହାନ୍ତି। କିନ୍ତୁ ହଠାତ୍ ଏଭଳି ଏକ ପଦକ୍ଷେପ ନେଲେ। ନା ନା ପ୍ରକାର ମତ ଦିଆଗଲା। ମୂଳରୁ ଶେଷ ପର୍ଯ୍ୟନ୍ତ ଯେତେ ଅଭିଯୋଗ ଆସିଛି କାହାରି କାହା ସହିତ କିଛି ମେଳ ଖାଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବି ମୁଁ ଜାଣିପାରୁନି ଯେ ବାସ୍ତବରେ କ’ଣ ଘଟିଛି। କାହିଁକି ସେ ଏମିତି ଅଭିଯୋଗ କରୁଛନ୍ତି? 

ସେ ମେଳି କରୁଥିବା ନେଇ ଅଭିଯୋଗ ହେଉଥିବା ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବେ ଅରବିନ୍ଦ କହିଛନ୍ତି, କେଉଁ କେଉଁ ବିଧାୟକମାନଙ୍କୁ ନେଇ ମେଳି କରୁଥିଲି ତାହା କହିଦେଲେ ଭଲ ହେବ। ସେ ବିଧାୟକମାନେ କିଏ? ସେହି ବିଧାୟକମାନଙ୍କୁ ପଚାରିଲେ ଜଣାପଡ଼ିବ। ମୁଁ କୌଣସି କାର୍ଯ୍ୟକ୍ରମକୁ ଯାଏନି କି କେଉଁଠି ମେଳି କରିନି।  

ସେହିପରି ବାପା ବିଜୟ ମହାପାତ୍ରଙ୍କୁ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ଚାହୁଁଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଆଉ ଗୋଟିଏ ମିଛ କଥା। ବିଜୟ ବାବୁ ରାଜ୍ୟସଭା ଯିବା ପାଇଁ ଚାହାଁନ୍ତି ନାହିଁ। ସେ ମୋତେ ଏ ବିଷୟରେ କେବେ କହି ନାହାନ୍ତି। ମୁଁ ବି କେବେ ଚାହିଁନି। 

ବିଧାୟକ ପାଣ୍ଠିର ସୁବିନିଯୋଗ ହୋଇଛି। କୌଣସି ଦୁର୍ନୀତି ହୋଇନେଇ। ଏ ସଂପର୍କରେ ଖୋଲା ଆଲୋଚନା ପାଇଁ ଅରବିନ୍ଦ ଆହ୍ୱାନ ଦେଇଛନ୍ତି। ଗତ ନିର୍ବାଚନରେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ହରାଇବା ପଛରେ ତାଙ୍କ ହାତ ଅଛି ବୋଲି ବିଜେଡି ଅଭିଯୋଗ କରିଥିବା ବେଳେ ଅରବିନ୍ଦ ଏହାକୁ ପୁଣି ଖଣ୍ଡନ କରିଛନ୍ତି। ଅଂଶୁମାନଙ୍କ ସହିତ ତାଙ୍କର ପାରିବାରିକ ସଂପର୍କ ଅଛି ବୋଲି କହିବା ସହ ଲୋକସଭା ଆସନ ପାଇଁ ହୋଇଥିବା ଭୋଟ୍‌ରେ ମହାକାଳପଡ଼ା ବିଧାନସଭା କ୍ଷେତ୍ରରୁ (ଅତନୁ ସବ୍ୟସାଚୀ ନାୟକ ଏଠାରୁ ନିର୍ବାଚନ ଲଢ଼ୁଥିଲେ) ସବୁଠୁ ଅଧିକ ଭୋଟ୍ କଟିଥିବା ବେଳେ କିଏ ଦଳ ବିରୋଧୀ ବୋଲି ଅରବିନ୍ଦ ପ୍ରଶ୍ନ କରିଛନ୍ତି।  

ଦଳର ଦୁଇ ବିଧାୟକଙ୍କ ନିଲମ୍ବନ ନିଷ୍ପତ୍ତିକୁ ନେଇ ବଢ଼ୁଥିବା ଅସନ୍ତୋଷ ଓ ସାଂଗଠନିକ କନ୍ଦଳକୁ ପ୍ରଶମିତ କରିବା ପାଇଁ ନବୀନ ଗତକାଲି ଇମୋନସନାଲ କାର୍ଡ ଖେଳିଛନ୍ତି । ଅରବିନ୍ଦଙ୍କ ନାଁ ନନେଇ ଥିଲେ ମଧ୍ୟ ପାଟକୁରାରୁ ଆସିଥିବା ଦଳୀୟ କର୍ମୀମାନଙ୍କୁ ନବୀନ ନିବାସରେ ‘ଆପଣମାନେ ଭଲ ଅଛନ୍ତି ତ କହି’ ନବୀନ ନିଜର ସ୍ପଷ୍ଟୀକରଣ ରଖିଥିଲେ ।

ନବୀନ କହିଥିଲେ, “ ଆପଣମାନେ ଜାଣିଛନ୍ତି, ପାଟକୁରା ନିର୍ବାଚନମଣ୍ଡଳୀ ଓ ଆପଣମାନଙ୍କ ପାଇଁ କିଛି କାମ କରିବା ନିମନ୍ତେ ମୁଁ ଜଣେ ବ୍ୟକ୍ତିଙ୍କୁ ସୁଯୋଗ ଦେଇଥିଲି । କିନ୍ତୁ ପରେ ଜାଣିଲି ପାଟକୁରାରେ ସେ ଆମର ଭଲ କାମକୁ କାଟୁଥିଲା । ଆଉ ପାଟକୁରାବାସୀ ହଇରାଣ ହେଉଥିଲେ । ଯେଉଁମାନେ ଆମ ଦଳରେ ରହି ଲୋକମାନଙ୍କୁ ହଇରାଣ କରନ୍ତି ସେମାନଙ୍କୁ ମୁଁ ସବୁବେଳେ ଦଳରୁ ବାହାର କରିଦିଏ ।  ଆପଣମାନେ ଖୁସିରେ ଯାଆନ୍ତୁ । ଭଲ କାମ କରନ୍ତୁ । ଆପଣମାନଙ୍କ ପାଇଁ ଜଣେ ‘ଭଲ ମୁଖିଆ’ ଖୁବଶୀଘ୍ର ଦେବି ।” 
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe