/odisha-reporter/media/post_attachments/uploads/2019/10/biju.jpg)
biju
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜେଡି ଏକ ସୋସିଆଲ ସର୍ଭିସ ୱିଙ୍ଗ ଆରମ୍ଭ କରିବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ଯୁବବର୍ଗଙ୍କୁ ସମାଜରେ ପରିବର୍ତ୍ତନର ବାହକ ହେବା ପାଇଁ ଆହ୍ୱାନ ଦେଇ ୨୨.୬୪ ଲକ୍ଷ ଯୁବକଯୁବତୀଙ୍କୁ ‘ବିଜୁ ଯୁବ ବାହିନୀ’ରେ ସାମିଲ କରିଥିବାବେଳେ ଏବେ ପୁଣି ବିଜେଡି କାହିଁକି ନିଜର ‘ସମାଜସେବା ୱିଙ୍ଗ୍’ ଗଠନ କରିବାକୁ ନିଷ୍ପତ୍ତି ନେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସିଏଜିଙ୍କ ତାଗିଦ୍ ଯୋଗୁ ବିଜୁ ଯୁବ ବାହିନୀର ପାଣ୍ଠି ଖର୍ଚ୍ଚ ଉପରେ ଆଂଶିକ ଅଙ୍କୁଶ ଲାଗିଥିବାବେଳେ ଲକ୍ଷଲକ୍ଷ ସଂଖ୍ୟକ ଯୁବକଯୁବତୀ (ଭୋଟର)ଙ୍କୁ ହାତଛଡ଼ା ନକରି ସେମାନଙ୍କୁ ଦଳର ସମାଜସେବା ୱିଙ୍ଗକୁ ସ୍ଥାନାନ୍ତର କରିବା ପାଇଁ ବିଜେଡି ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ଆଜି ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ଅବସରରେ ଶ୍ରୀ ପଟ୍ଟନାୟକ ବିଜେଡିର ଏକ ନୂଆ ଛାମୁଆ ସଂଗଠନ ‘ସମାଜସେବା’ ପାଇଁ ସମର୍ପିତ ରହିବ ବୋଲି ଘୋଷଣା କରିବା ସହ ଏହା ମୁଖ୍ୟତଃ ବୃକ୍ଷରୋପଣ, ପରିବେଶ ସୁରକ୍ଷା, ରକ୍ତଦାନ ଓ ସ୍ୱାସ୍ଥ୍ୟ ସହାୟତା ଉପରେ କେନ୍ଦ୍ରିତ ରହିବ । ଓଡ଼ିଶାକୁ ସବୁଜ ଓ ପରିଚ୍ଛନ୍ନ ଏବଂ ଓଡ଼ିଶାବାସୀଙ୍କୁ ସୁସ୍ଥ ରଖିବା ତାଙ୍କ ଦଳର ଉଦ୍ଦେଶ୍ୟ। ଯୁବବର୍ଗ ଏହାକୁ ଏକ ଶକ୍ତିଶାଳୀ ଆନ୍ଦୋଳନ ଭାବେ ଗଢ଼ି ତୋଳିବା ପାଇଁ ସେ ଆହ୍ୱାନ କରିଥିଲେ।
ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ୪୫୦ କୋଟି ଟଙ୍କାର ‘ବିଜୁ ଯୁବ ବାହିନୀ’ ଯୋଜନାରେ ରାଜ୍ୟତମାମ ୨୨.୬୪ ଲକ୍ଷ ଯୁବକଯୁବତୀଙ୍କୁ ସ୍ୱେଚ୍ଛାସେବୀ ଭାବେ ସାମିଲ କରିଛନ୍ତି। ଯେଉଁମାନେକି ନିଜ ନିଜ ପଞ୍ଚାୟତରେ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଏବଂ ବିକାଶ ପ୍ରକ୍ରିୟାରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବା କଥା। ମାତ୍ର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଚୟନ ପ୍ରକ୍ରିୟା ଦଳୀୟ ଭିତ୍ତିରେ ହୋଇଥିବାରୁ ସେମାନେ ସମାଜର ପରିବର୍ତ୍ତନ ବାହକ ଭାବେ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରିନଥିବା ଜଣାପଡ଼ିଛି। ଯେଉଁଥିପାଇଁ ସରକାରଙ୍କ ବିଜୁ ଯୁବ ବାହିନୀ ସ୍କିମକୁ ଉଭୟ କଂଗ୍ରେସ ଓ ବିଜେପି ଜୋରଦାର ଢଙ୍ଗରେ ବିରୋଧ କରୁଥିଲେ। ଏପରିକି ବିଜେପିର ଅଭିଯୋଗ ଆଧାରରେ ଅଡିଟ୍ ନସରିବା ପର୍ଯ୍ୟନ୍ତ ବିଜୁ ଯୁବ ବାହିନୀ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ନକରିବାକୁ ସିଏଜି ମଧ୍ୟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ। ୨୦୧୮-୧୯ରେ ବିଜୁ ଯୁବ ବାହିନୀ ନାଁରେ ୧୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୧୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ଏବେ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସମ୍ଭବତଃ ‘ବିଜୁ ଯୁବ ବାହିନୀ’ ପାଇଁ ବଜେଟରେ ଆବଣ୍ଟିତ ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିବାକୁ ସରକାର ଯୋଜନା କରୁଥାଇପାରନ୍ତି। ଏହି ସ୍କିମ୍ ଆସନ୍ତା ବର୍ଷ ଶେଷ ହେଉଥିବାରୁ ବିଜେଡି ସରକାର ପାଖରେ ଥିବା ୨୨.୬୪ ଲକ୍ଷ ଯୁବକଯୁବତୀ (୧୬ରୁ ୩୫ ବର୍ଷ ବୟସ୍କ)ଙ୍କୁ ଦଳ ହାତଛଡ଼ା କରିବାକୁ ଚାହିଁବ ନାହିଁ। ସମ୍ଭବତଃ ସେମାନଙ୍କୁ ନିଜ ସହ ବାନ୍ଧି ରଖିବା ପାଇଁ ବିଜେଡି ଏବେଠୁ ସମାଜସେବା ୱିଙ୍ଗ ଗଠନ କରିବାକୁ ଘୋଷଣା କରିଛି। ଯେହେତୁ ବିଜୁ ଯୁବ ବାହିନୀ ସହ ଜଡ଼ିତ ସ୍ୱେଚ୍ଛାସେବୀମାନେ ବିଜେଡି ସହ ସମ୍ପୃକ୍ତ, ତେଣୁ ସେମାନଙ୍କୁ ସହଜରେ ଦଳର ସମାଜସେବା ୱିଙ୍ଗକୁ ସ୍ଥାନାନ୍ତର କରାଯାଇପାରିବ। ଅବଶ୍ୟ ବିଜୁ ଯୁବ ବାହିନୀରେ ଥିବା ସ୍ୱେଚ୍ଛାସେବୀମାନଙ୍କୁ ଖୁଲମଖୁଲା ତୃଣମୂଳ ସ୍ତରରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ। ପରୋକ୍ଷରେ କହିବାକୁ ଗଲେ ସମାଜସେବା ୱିଙ୍ଗ୍ ଆଳରେ ବିଜେଡି ଏବେଠୁ ବିଜୁ ଯୁବ ବାହିନୀ ପାଖରେ ଥିବା ଲକ୍ଷଲକ୍ଷ ଭୋଟରଙ୍କୁ ନିଜସ୍ୱ ନାଁ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯାହାକି କେବଳ ଧର୍ମକୁ ଆଖିଠାର ଭଳି।
ଏମିତିବି ବିଜେଡିର ୩-୪ଟି ଛାମୁଆ ସଂଗଠନକୁ ଛାଡ଼ିଦେଲେ ବାକି ସବୁ କେବଳ ନାମକୁ ମାତ୍ର ପରିଚାଳିତ ହେଉଛି। ବିଜେଡିର ସାଂସ୍କୃତିକ ସମନ୍ୱୟ ସେଲ୍, ସୋସିଆଲ ମିଡିଆ ସେଲ୍, କୃଷକ ସେଲ୍, ଶ୍ରମିକ ସେଲ୍ ଏବେ କେଉଁ ସ୍ଥିତିରେ ଅଛି ତାହା ବିଜେଡିର ଅଧିକାଂଶ ନେତା-କର୍ମୀ ବି ଜାଣନ୍ତି ନାହିଁ ବୋଲି ଚର୍ଚ୍ଚା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
