/odisha-reporter/media/media_files/2026/02/19/overbridge-2026-02-19-12-09-55.jpg)
ଓଡ଼ିଶା ରିପୋର୍ଟରରେ ବାରମ୍ବାର ଖବର ପ୍ରସାରଣ ହେଲା, କେମିତି ସେ ସମୟର ପ୍ରଭାବଶାଳୀ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜମି ପାଇଁ ମୋଡି ହୋଇଥିଲା ବ୍ରହ୍ମପୁର ହଳଦିଆପଦର ଓଭର ବ୍ରିଜ୍ର ଡିପିଆର। ବିଧାନସଭା ଗୃହ ବାହାରେ ବୁଧବାର ଏହି ପ୍ରସଙ୍ଗ ଗଣମାଧ୍ୟମରେ ଉଠାଇଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା। ରମେଶ କହିଥିଲେ, ହଳଦିଆପଦର ବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି। ଡିପିଆର ପରିବର୍ତନ ଯୋଗୁଁ ଘଟୁଛି ଦୁର୍ଘଟଣା । ସୂର୍ଯ୍ୟ ପାତ୍ର ଓ ବ୍ରହ୍ମପୁରର ପୂର୍ବତନ ମେୟରଙ୍କ ଜାଗା ପାଇଁ ମୋଡି ହୋଇଥିଲା ଡିପିଆର। ଯେଉଁ ଇଞ୍ଜିନିୟର ଡିପିଆର ପରିବର୍ତ୍ତନ କରିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ତେବେ ସେହି ପୂର୍ବତନ ମେୟର ପିଣ୍ଟୁ ଦାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏ ତ ଗଲା ରମେଶ ଜେନାଙ୍କ କ୍ଷୋଭ। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଏଭଳି ବ୍ରିଜକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଦ୍ଧାନ୍ତ ବାବୁ କହିଛନ୍ତି କାହା ସ୍ୱାର୍ଥରେ ଡିପିଆର ବଦଳିଥିଲା ତା’ର ତଦନ୍ତ ହେଉ। ହେଲେ ବିଡ଼ମ୍ବନାର କଥା ହେଉଛି ଯେ ସିଦ୍ଧାନ୍ତ ବାବୁ ସେତେବେଳେ ଥିଲେ ବ୍ରହ୍ମପୁରର ସାଂସଦ। 2009 ରୁ 2019 ଯାଏ ବ୍ରହ୍ମପୁର ବାସୀ ସିଦ୍ଧାନ୍ତଙ୍କୁ ସାଂସଦ ଭାବେ ବିଜେଡିରୁ ନିର୍ବାଚିତ କରିଥିଲେ। ଆଉ ଏହି ବ୍ରିଜ ନିର୍ମାଣ ହୋଇଛି 2013-2014 ମସିହାରେ। ଯଦି ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଇଁ ଏହି ବ୍ରିଜର ଡିପିଆର ବଦଳିଗଲା, ତା’ହେଲେ ସିଦ୍ଧାନ୍ତ ବାବୁ କାହିଁକି ଚୁପ ଥିଲେ। କାହିଁକି ତୁଣ୍ଡ ଖୋଲୁ ନଥିଲେ। କାହିଁକି କହୁନଥିଲେ ‘ନବୀନ ବାବୁ, ଏଠି କିଛି ଠିକ୍ ହୋଇନି’ ବୋଲି। ଏବେ ଯେତେବେଳେ ବିଜେଡି ସରକାର ପଳାଇଛି ସେତେବେଳେ ତୁଣ୍ଡ ଖୋଲୁଛନ୍ତି ସିଦ୍ଧାନ୍ତ। ଆମେ ଯେତେବେଳେ ପଚାରିଲୁ ସେତେବେଳେ କାହିଁକି ଚୁପ ଥିଲେ ଆପଣ, ସେ କହିଛନ୍ତି ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ସେ ଅନେକ ଚିଠି ଲେଖିଛନ୍ତି।
ଯେତେବେଳେ ହଳଦିଆପଦର ଓଭର ବ୍ରିଜରେ ଦୁର୍ଘଟଣା ଘଟିଲା ସେତେବେଳେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସୋଶାଲ ମିଡ଼ିଆରେ ଏକ ପୋଷ୍ଟ କରି କହିଥିଲେ ଯେ ଅକ୍ଟୋବର ୧ ତାରିଖରେ ଓଭରବ୍ରିଜର ଡିଜାଇନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ତା’ପରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଲେ ସେ ବିଧାୟକ ଥିଲେ ବି ତାଙ୍କ କଥା କେହି ଶୁଣିନଥିଲେ। ବଡବଡିଆ ଲୋକଙ୍କ ପାଇଁ ବଦଳିଥିଲା ଡିପିଆର। ଏବେ ସିଦ୍ଧାନ୍ତ କହୁଛନ୍ତି ବହୁତ ଥର ଚିଠି ଲେଖିଲେ ମଧ୍ୟ ଫଳ କିଛି ହେଉନଥିଲା। ସେତେବେଳେ 2013 -2014 ବେଳେ ଗଂଜାମର ଅତି ପ୍ରଭାବଶାଳୀ ନେତା ଥିଲେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ। ଡାକ୍ତର ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁର ବିଧାୟକ ଥିଲେ ଆଉ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ସାଂସଦ ଥିଲେ। ଆମ କଥା ଶୁଣାଯାଉନଥିଲା କହି ଏମିତି ଖସିଯିବା କେତେଦୂର ଠିକ ତାକୁ ନେଇ ଉଠିଛି ପ୍ରଶ୍ନ।
ହଳଦିଆପଦର ବ୍ରିଜରେ ଗତ ମାସରେ ଦୁର୍ଘଟଣା ଘଟି ୫ ଜଣ ପ୍ରାଣ ହରାଇଥିଲେ। ଏହାପରେ ଆରମ୍ଭ ହୋଇଛି ଦୋଷଛଡ଼ା ରାଜନୀତି। ଏହା ପ୍ରଥମ ବଡ଼ ଘଟଣା ନୁହେଁ। ଆଗରୁ ମଧ୍ୟ ଅନେକ ଥର ଏମିତି ଘଟିଛି। ସେପଟେ ସୁପ୍ରିମକୋର୍ଟ ମଧ୍ୟ ମାର୍ଚ୍ଚ ୫ ସୁଦ୍ଧା ବ୍ରହ୍ମପୁରରେ ହୋଇଥିବା ଦୁର୍ଘଟଣା ସଂପର୍କରେ ରିପୋର୍ଟ ତଲବ କରିଛନ୍ତି।ଭବିଷ୍ୟତରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ସହ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
