Advertisment

ଉତ୍କଳ ବିଶ୍ୱବିଦ୍ୟାଳୟରୁ ହଜିଗଲା ପିଏଚ୍‌ଡି ଫାଇଲ୍‌! ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ର

ଆନ୍‌ସାରୀ ଏବେ ଧାର୍ଯ୍ୟ ତାରିଖ ଭିତରେ ତାଙ୍କ ପିଏଚଡି ନିବନ୍ଧ ଦାଖଲ କରିବାକୁ ଚାହିଥିଲେ। ମାତ୍ର ବିଶ୍ୱବିଦ୍ୟାଳୟରେ ତାଙ୍କର ପିଏଚଡି ପଞ୍ଜୀକରଣ ବା ବିଷୟ ପରିବର୍ତ୍ତନ ସଂକ୍ରାନ୍ତ କୌଣସି ଫାଇଲ୍‌ ମିଳିଲା ନାହିଁ।

author-image
Manoranjan Sial
Utkal University

Utkal University

ଉତ୍କଳ ବିଶ୍ୱବିଦ୍ୟାଳରୁ ପିଏଚ୍‌ଡି ଫାଇଲ୍‌ ଗାଏବ ହୋଇଯାଇଛି। ଯେଉଁଥିପାଇଁ ଜଣେ ଛାତ୍ର ନିଜର ପିଏଚ୍‌ଡି ନିବନ୍ଧ ଦାଖଲ କରିପାରୁନାହାଁନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ନିରାଶ ହୋଇ ଛାତ୍ର ଜଣକ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ତାଙ୍କୁ ସେଠାରୁ ତାରିଖ ମିଳୁନାହିଁ। ନ୍ୟାୟ ପାଇଁ ଛାତ୍ର ଜଣକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି।

Advertisment

କୋଣାର୍କର ନସିମ୍‌ ଅହମ୍ମଦ ଶାହ ଅନସାରୀ। ସେ ୨୦୦୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଥିଲେ। ତେବେ ପିଏଚ୍‌ଡି ନିବନ୍ଧ ବା ଥେସିସ୍‌ ଦାଖଲରେ ବିଳମ୍ବ କରୁଥିବା ପଞ୍ଜୀକୃତ ଛାତ୍ରମାନଙ୍କୁ ୨୦୧୮ ମସିହା ମେ ୩୧ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ତାରିଖ ଘୋଷଣା କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।

ଫଳରେ ଆନ୍‌ସାରୀ ଏବେ ଧାର୍ଯ୍ୟ ତାରିଖ ଭିତରେ ତାଙ୍କ ପିଏଚଡି ନିବନ୍ଧ ଦାଖଲ କରିବାକୁ ଚାହିଥିଲେ। ମାତ୍ର ବିଶ୍ୱବିଦ୍ୟାଳୟରେ ତାଙ୍କର ପିଏଚଡି ପଞ୍ଜୀକରଣ ବା ବିଷୟ ପରିବର୍ତ୍ତନ ସଂକ୍ରାନ୍ତ କୌଣସି ଫାଇଲ୍‌ ମିଳିଲା ନାହିଁ। ଯେଉଁଥିପାଇଁ ତାଙ୍କ ଥେସିସ୍ ଗ୍ରହଣ କଲାନି ବିଶ୍ୱବିଦ୍ୟାଳୟ। ଏଥିପାଇଁ ସେ ବିଶ୍ୱବିଦ୍ୟାଳୟର କୁଳପତିଙ୍କଠାରୁ ଆରମ୍ଭ କରି ପରୀକ୍ଷା ନିୟନ୍ତ୍ରକଙ୍କୁ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଏପରିକି ପିଏଚଡି ପଞ୍ଜୀକରଣ ବା ବିଷୟ ପରିବର୍ତ୍ତନ ସଂକ୍ରାନ୍ତ ରେକର୍ଡ ମିଳିଲା ନାହିଁ।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟରୁ ପିଏଚଡି ପଞ୍ଜୀକରଣ ଫାଇଲ୍‌ କୁଆଡ଼େ ଗଲା? ଅନ୍ୟପଟରେ ଆନସାରୀ ଏ ନେଇ ୨୦୧୯ ମସିହାରେ ହାଇକୋର୍ଟ ଯାଇଥିଲେ ସୁଦ୍ଧା ୨୦୨୦ରେ କେବଳ ଥରେ ଶୁଣାଣି ପରେ ଆଉ ତିନି ବର୍ଷ ହେଲା ତାହାର ଶୁଣାଣି ହୋଇପାରିଲା ନାହିଁ। ଏ ନେଇ ଆନସାରୀ ଏବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ମାମଲାର ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପାଖକୁ ଚିଠି ଲେଖିବା କଥା ଚର୍ଚ୍ଚାର ବିଷୟ ହୋଇଛି।

ରିପୋର୍ଟ-ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ