Advertisment

Roadmap for Naxal Free Odisha: ନକ୍ସଲଙ୍କ ପାଇଁ ତିନିମାସରେ ଦ୍ୱିତୀୟ ସଂଶୋଧିତ ଥଇଥାନ ପ୍ୟାକେଜ୍, ୬୦ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା

ଆତ୍ମସମର୍ପଣର ୬୦ ଦିନ ମଧ୍ୟରେ ଥଇଥାନ ପ୍ୟାକେଜ୍ ଚୂଡ଼ାନ୍ତ କରାଯିବ ଓ ୧୮୦ଦିନ ମଧ୍ୟରେ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବାକୁ ସଂଶୋଧିତ ବିଜ୍ଞପ୍ତି ଜାରି ହୋଇଛି। ଏପରିକି ରାଜ୍ୟବାହାରର ନକ୍ସଲମାନେ ଚାହିଁଲେ ଓଡ଼ିଶାର ଏହି ଥଇଥାନ ପ୍ୟାକେଜର ସମସ୍ତ ସୁବିଧା ନେଇପାରିବେ।

author-image
Prakaash Sethi
NAXAL--SCHEME

ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛନ୍ତି। ନକ୍ସଲମାନଙ୍କୁ ଆତ୍ମସର୍ମପଣ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଗୃହ ବିଭାଗ ମାତ୍ର ୩ମାସ ମଧ୍ୟରେ ଫେବୃୟାରୀ ୯ତାରିଖରେ ଦ୍ୱିତୀୟଥର ସଂଶୋଧିତ ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନାର ବିଜ୍ଞପ୍ତି ଜାରି କରିଛନ୍ତି। ଆତ୍ମସମର୍ପଣର ୬୦ ଦିନ ମଧ୍ୟରେ ଥଇଥାନ ପ୍ୟାକେଜ୍ ଚୂଡ଼ାନ୍ତ କରାଯିବ ଓ ୧୮୦ଦିନ ମଧ୍ୟରେ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବାକୁ ସଂଶୋଧିତ ବିଜ୍ଞପ୍ତି ଜାରି ହୋଇଛି। ଏପରିକି ରାଜ୍ୟବାହାରର ନକ୍ସଲମାନେ ଚାହିଁଲେ ଓଡ଼ିଶାର ଏହି ଥଇଥାନ ପ୍ୟାକେଜର ସମସ୍ତ ସୁବିଧା ନେଇପାରିବେ।

Advertisment

ରାଜ୍ୟ ଗୃହ ବିଭାଗ ଗତ ୨୦୨୫ ନଭେମ୍ବର ୨୭ ତାରିଖରେ ଜାରି ସଂଶୋଧିତ ପୁନର୍ବାସ ନୀତିକୁ ମାତ୍ର ତିନିମାସ ମଧ୍ୟରେ ପୁଣିଥରେ ସଂଶୋଧନ କରିଛନ୍ତି। ପୂର୍ବର ସମସ୍ତ ପୁନର୍ବାସ ନୀତି(ଥଇଥାନ ପ୍ୟାକେଜ)କୁ ରଦ୍ଦ କରି ଫେବୃୟାରୀ ୯ତାରିଖରେ ଜାରି ସଂଶୋଧିତ ପୁନର୍ବାସ ନୀତିକୁ ରାଜ୍ୟ ସରକାର ଅଧିକ ବ୍ୟାପକ ଓ ଆକର୍ଷଣୀୟ କରିଛନ୍ତି। ଏହି ନୂତନ ନୀତିରେ ନାକେବଳ ପୁରସ୍କାର ରାଶି ବୃଦ୍ଧି କରାଯାଇଛି, ବରଂ ଆତ୍ମସମର୍ପଣକାରୀଙ୍କୁ ନୂଆ ଜୀବନ ଦେବା ପାଇଁ ଶିକ୍ଷା, ଆବାସ ଓ ସ୍ଥାୟୀ ରୋଜଗାରର ଗ୍ୟାରେଣ୍ଟିି ମଧ୍ୟ ଦିଆଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଦ୍ୟତମ ଗାଇଡଲାଇନ୍ ଅନୁରୂପ ପ୍ରସ୍ତୁତ ଏହି ଥଇଥାନ ପ୍ୟାକେଜ୍ ମାଧ୍ୟମରେ ସରକାର ହିଂସା ଛାଡ଼ି ମୁଖ୍ୟଧାରାରେ ସାମିଲ ହେବାକୁ ନକ୍ସଲମାନଙ୍କୁ ଶେଷ ସୁଯୋଗ ପ୍ରଦାନ କରିଛନ୍ତି। ଏହା କେବଳ ଏକ ଥଇଥାନ ପ୍ୟାକେଜ୍ ନୁହେଁ, ବରଂ ନକ୍ସଲମାନଙ୍କ ପାଇଁ ସରକାରଙ୍କ ଅନ୍ତିମ ଆହ୍ୱାନ ବୋଲି ଜଣାପଡ଼ିଛି।

Advertisment


ନୂଆ ଥଇଥାନ ନୀତିରେ କ’ଣ ରହିଛି ଖାସ୍ ?

ଫେବୃୟାରୀ ୯ତାରିଖରେ ଗୃହ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଏହି ସଂଶୋଧିତ ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର କ୍ୟାଡରଙ୍କ ପାଇଁ ନୂଆ ନିୟମ ଯୋଡ଼ାଯାଇଛି। ନୂତନ ନିୟମ ଅନୁସାରେ, ଯଦି କୌଣସି ନକ୍ସଲ ଓଡ଼ିଶାର ବାସିନ୍ଦା ନୁହଁନ୍ତି କିନ୍ତୁ ଓଡ଼ିଶାରେ ସକ୍ରିୟ ଅଛନ୍ତି, ସେମାନେ ମଧ୍ୟ ଏହି ଯୋଜନାରେ ସମସ୍ତ ସୁବିଧା ପାଇପାରିବେ। ସେହିପରି ଓଡ଼ିଶାର ବାସିନ୍ଦା ଯେଉଁମାନେ  ଛତିଶଗଡ଼଼,ମହାରାଷ୍ଟ୍ର ବା ଆନ୍ଧ୍ର ଭଳି ରାଜ୍ୟରେ ସକ୍ରିୟ ଅଛନ୍ତି, ସେମାନଙ୍କୁ ସମ୍ପୃକ୍ତ ଜିଲ୍ଲାର ଏସପିଙ୍କ ପ୍ରମାଣପତ୍ର ଓ ଅନ୍ୟ ରାଜ୍ୟର ‘ନୋ ଅବଜେକ୍ସନ ସାର୍ଟିଫିକେଟ' ଆଧାରରେ ଓଡ଼ିଶାରେ ଆତ୍ମସମର୍ପଣ କରିବାର ସୁବିଧା ମିଳିବି।

ଏହି ନୂତନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଡ଼େ଼ାଶୀ ରାଜ୍ୟରୁ ଆସୁଥିବା କ୍ୟାଡରଙ୍କୁ ଆତ୍ମସମର୍ପଣ ପାଇଁ ପ୍ରୋତ୍ସାହିତ କରିବା ଓ ସମଗ୍ର ପ୍ରକ୍ରିୟାକୁ କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ (ଏସଆରଇ) ଯୋଜନା ସହ ଅଧିକ ସମନ୍ୱିତ କରିବ ବୋଲି ଜଣାପଡ଼ିଛି।

ସାମାଜିକ ସୁରକ୍ଷା ଓ ସମ୍ପୂର୍ଣ୍ଣ ଥଇଥାନର ଗ୍ୟାରେଣ୍ଟି, ୬୦ଦିନରେ ହେବ ଚୂଡ଼ାନ୍ତ

ଆତ୍ମସମର୍ପଣକାରୀ ନକ୍ସଲମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ୩୬ ମାସ ବା ୩ ବର୍ଷ ପର୍ଯ୍ୟନ୍ତ ମାସିକ ୧୦ହଜାର ଟଙ୍କାର ଷ୍ଟାଇପେଣ୍ଡ୍ ସହ ମାଗଣାରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ। ‘ଅନ୍ତ୍ୟୋଦୟ ଗୃହ ଯୋଜନା\'ରେ ଘର, ସ୍ୱାସ୍ଥ୍ୟ କାର୍ଡ ଓ ମାଗଣା ବା ସବସିଡିଯୁକ୍ତ ରାସନ ଯୋଗାଇ ଦିଆଯିବ। ଅବିବାହିତଙ୍କ ପାଇଁ ବିବାହ ନିମନ୍ତେ ୨୫ହଜାରଟଙ୍କାର ଏକକାଳୀନ ସହାୟତା ରାଶି ମଧ୍ୟ ରହିଛି। ଯଦି କୌଣସି ଦମ୍ପତି ଏକାଠି ଆତ୍ମସମର୍ପଣ କରନ୍ତି, ତେବେ ସେମାନଙ୍କୁ ଦୁଇଟି ପୃଥକ ୟୁନିଟ୍ ଭାବେ ଗ୍ରହଣ କରାଯାଇ ସମସ୍ତ ସୁବିଧା ଦିଆଯିବ।

ଏହି ଯୋଜନାର ସୁବିଧା ପାଇବାକୁ ହେଲେ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ନିଜର ସଂଗଠନ, ସହଯୋଗୀ ଓ ଆର୍ଥିକ ଉତ୍ସ ବିଷୟରେ ସବିଶେଷ ତଥ୍ୟ ଦେବା ସହ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାରୋକ୍ତି କରିବାକୁ ପଡ଼ିବ। ଆତ୍ମସମର୍ପଣର ୬୦ଦିନ ମଧ୍ୟରେ ଥଇଥାନ ପ୍ୟାକେଜ୍ ଚୂଡ଼ାନ୍ତ ହେବ ଓ ୧୮୦ ଦିନ ମଧ୍ୟରେ ଏହାକୁ ସରକାର କାର୍ଯ୍ୟକାରୀ ମଧ୍ୟ କରାଇବେ। ଯଦି କୌଣସି ବ୍ୟକ୍ତି ପୁନର୍ବାର ଉଗ୍ରବାଦୀ କାର୍ଯ୍ୟକଳାପକୁ ଫେରନ୍ତି, ତେବେ ସମସ୍ତ ସରକାରୀ ସହାୟତା ଓ ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯିବ। ଓଡ଼ିଶାକୁ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ଏହି ନୂତନ ଓ ଆକର୍ଷଣୀୟ ନୀତିକୁ ଅଧିକ ପ୍ରଭାବଶାଳୀ କରାଯାଇଛି ।


ଶୀର୍ଷ ନେତାଙ୍କ ପାଇଁ କୋଟିଏରୁ ଅଧିକ ଟଙ୍କାର ପୁରସ୍କାର

ନୂଆ ନୀତିରେ ମୁଣ୍ଡଜାମିନ ପୁରସ୍କାର ରାଶି (crores reward naxal)କୁ ଅତ୍ୟଧିକ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ସଭ୍ୟ ବା ପଲିଟବ୍ୟୁରୋ ସଭ୍ୟଙ୍କ ପାଇଁ ସର୍ବାଧିକ ୧.୧୦ କୋଟି ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ, ୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ ଆକାରରେ ଦିଆଯିବ। ଯଦି କୌଣସି କ୍ୟାଡରଙ୍କ ଉପରେ ପୂର୍ବରୁ ଘୋଷିତ ପୁରସ୍କାର ରାଶି ଥଇଥାନ ସହାୟତାଠାରୁ ଅଧିକ ହୁଏ, ତେବେ ତାଙ୍କୁ ସେହି ଅଧିକ ରାଶି ପ୍ରଦାନ କରାଯିବ । ଶ୍ରେଣୀତ୍ତିିକ ସହାୟତାରେ 'ବର୍ଗ-କ'(ଉଚ୍ଚ ପଦବୀ) ପାଇଁ ୫ ଲକ୍ଷ ଓ ବର୍ଗ-ଖ' (ନିମ୍ନ ପଦବୀ) ପାଇଁ ଅଢ଼େଇଲକ୍ଷ ଟଙ୍କାର ସହାୟତା ମଧ୍ୟ ରହିଛି। 

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା  Naxal କ୍ୟାଡରମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦର ତାଲିକା ଜାରି କରିଛନ୍ତି । ଏଲଏମଜି ବନ୍ଧୁକ ପାଇଁ ୪.୯୫ଲକ୍ଷ ଟଙ୍କା, ଏକେ-୪୭ ପାଇଁ ୩.୩୦ଲକ୍ଷ ଟଙ୍କା, ଇନସାସ୍ ବା ଏସଏଲଆର ରାଇଫଲ୍ ପାଇଁ ୧.୬୫ଲକ୍ଷ ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ। ଏପରିକି ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତିଟି ଗୁଳି ପାଇଁ ୫୫ ଟଙ୍କାର ପୁରସ୍କାର ରଖାଯାଇଛି। କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ମଧ୍ୟ ସମସ୍ତଙ୍କୁ ଅତିରିକ୍ତ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଓଡ଼ିଶାରେ ସକ୍ରିୟ ଥିବା ଦୁଇ ଶୀର୍ଷ ନକ୍ସଲ ନେତା ନିଖିଳ ଓରଫ ନିରଞ୍ଜନ ରାଉତ ଓ ତାଙ୍କ ପତ୍ନୀ ଇନ୍ଦୁ ଓରଫ ରଶ୍ମିତା ଲେଙ୍କାଙ୍କ ସମେତ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ମୋଟ ୧୯ ଜଣ ହାର୍ଡକୋର ନକ୍ସଲ ଆତ୍ମସର୍ମପଣ କରିଛନ୍ତି। ଏବେ କନ୍ଧମାଳ ଏକମାତ୍ର ନକ୍ସଲପ୍ରବଣ ଜିଲ୍ଲା ହୋଇ ରହିଛି, ସେଠାରେ ନକ୍ସଲ ମୁକାବିଲା ଅପରେସନକୁ ବିଏସଏଫ ଓ ଓଡ଼ିଶା ପୁଲିସ ମିଳିତ ଭାବେ ଜୋରଦାର କରି ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

Naxal crores reward naxal