କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ସକାଳେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପ୍ରଶିକ୍ଷକଙ୍କ ସହିତ ଜଣେ ମହିଳା ଟ୍ରେନି ପାଇଲଟଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ପାଇଲଟ୍ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନି ଅନିଶ ଫାତିମା । ସଞ୍ଜୀବଙ୍କ ଘର ବିହାରରେ ହୋଇଥିବାବେଳେ ଫାତିମାଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି । ପୁଲିସ୍ ଓ ଏୟାରଷ୍ଟ୍ରିପ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି ।
ଗତ କିଛିଦିନ ହେଲା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିରାଶାଳ ଏୟାରଷ୍ଟ୍ରିପ୍ରେ ପାଇଲଟ୍ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ୩୬ ଜଣ ଛାତ୍ରଛାତ୍ରୀଙ୍କୁ ୬ଟି ବିମାନରେ ତାଲିମ ଦିଆଯାଉଥିଲା । ଆଜି ସକାଳେ ମହିଳା ଟ୍ରେନି ଅନିଶ ଫାତିମାଙ୍କୁ ନେଇ ତାଲିମ ଦେବା ଲାଗି ଟ୍ରେନର ସଞ୍ଜୀବ ୨ ସିଟ୍ ବିଶିଷ୍ଟ ସେସନା-୧୨୫ ବିମାନରେ ଉଡ଼ାଣ ଆରମ୍ଭ କରିଥିଲେ ।
ଟେକ୍ ଅପ୍ କରିବା ପରେ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ୧୦୦ ଫୁଟ୍ ଉଚ୍ଚରୁ ଏୟାରଷ୍ଟ୍ରିପରେ ପାର୍କିଂ ହୋଇଥିବା ୨ଟି ବିମାନ ମଝିରେ ଖସି ପଡ଼ିଥିଲା । ଦୁହିଁଙ୍କୁ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଟ୍ରେନର ଓ ଟ୍ରେନିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି GATI। DGCA ଦ୍ୱାରା ବିମାନ ଦୁର୍ଘଟଣାର ତଦନ୍ତ ହେବ ବୋଲି GATI ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ବିରାଶାଳ ଏୟାରଷ୍ଟ୍ରିପରେ ୨ ବର୍ଷ ହେବ ପାଇଲଟ୍ ଟ୍ରେନିଂ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରୁ ଯୁବକ,ଯୁବତୀ ଆସି ଏଠାରେ ପାଇଲଟ୍ ଟ୍ରେନିଂ ନେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।