ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର); ୨୦୦ ବର୍ଷ ତଳେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ତଳେ ଓଡ଼ିଆ ଜାତି ତା'ର ହକ୍ ପାଇଁ ଲଢ଼େଇ କରିଥିଲା। ଏକବିଂଶ ଶତାବ୍ଦୀର ପ୍ରାରମ୍ଭିକ ସମୟରେ ଏହି ସଂକଳ୍ପ ଓଡ଼ିଶାବାସୀ ନେଇଛନ୍ତି। ଓଡ଼ିଶାରେ ବିଜେପି ସରକାର ହେବ। ସେ ସଂକଳ୍ପ ନେଇ ଓଡ଼ିଶାର ଆଶୀର୍ବାଦ ପାଇବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଜାନୁଆରୀ ୫ ତାରିଖରେ ବାରିପଦା ଓ ୧୬ ତାରିଖରେ ପଶ୍ଚିମଓଡିଶା ଗସ୍ତରେ ପୁଣି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିବେ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସାରା ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନି ସେ ଯାଏଁ ଦେଶର ବିକାଶ ହୋଇଛି କହିବା ଭୁଲ୍ ହେବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ସମୟରେ ପାଖାପାଖି ୧୫ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏହାସହ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ଭୋଧିତ କରିବେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ଏବେ ବଡ଼ ପରିବର୍ତ୍ତନ ଆଡ଼େ ମନ ବଳାଇଛି ବୋଲି କହିଥିଲେ। ଓଡିଶାରେ ବିଜେପି ସରକାର ହେଉ ଏହା ସଂକଳ୍ପନା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାବାସୀ କଂଗ୍ରେସକୁ ବହୁବାର ସୁଯୋଗ ଦେଇଛନ୍ତି। ବିଗତ ୧୯ ବର୍ଷ ଧରି ଆଞ୍ଚଳିକ ଦଳ ଭାବେ ବିଜେଡିକୁ ସୁଯୋଗ ଦେଇଛନ୍ତି। ଏହା ସତ୍ତ୍ୱେ ଆଜି ରାଜ୍ୟରେ ଅନେକ ସମସ୍ୟା ରହିଛି। ଯୁବକ ମାନେ ରୋଜଗାର ପାଇଁ ବାହାରକୁ ଯାଉଛନ୍ତି। ମା' ଭଉଣୀମାନେ ସୁରକ୍ଷିତ ନାହାନ୍ତି, ସେମାନଙ୍କ ପାଇଁ ରୋଜଗାରର ସୁବିଧା ନାହିଁ। ରାଜ୍ୟରେ ଚାଷୀ ଭାଇମାନଙ୍କ ଅବସ୍ଥା ଖରାପ, ଜଳସେଚନ ନାହିଁ, ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି। ଏହାର ବିକଳ୍ପ ବ୍ୟବସ୍ଥା ସୃଷ୍ଟି ପାଇଁ ରାଜ୍ୟରେ ବିଜେପି ସରକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।