କେନ୍ଦୁଝର(ପ୍ରଣୟ ପାଣି): ‘ମୁଁ ପୁଲିସ୍ ଡିଆଇଜି। ଟଙ୍କା ଦେଲେ ଚାକିରି ପକ୍କା। ତେଣୁ ଯିଏ ଟଙ୍କା ଦେବ, ପୁଲିସ୍ରେ ଭର୍ତ୍ତି କରାଇଦେବି । ’ ଏପରି ପ୍ରଲୋଭନ ଦେଖାଇ ବିଭିନ୍ନ ଜିଲ୍ଲାର ଯୁବ ଗୋଷ୍ଠୀଙ୍କଠାରୁ ଲୁଟି ଚାଲିଥିଲେ ଆଖିବୁଜା ଟଙ୍କା । ହେଲେ ଶେଷରେ ଚାକିରି କଥା ପଡ଼ିଲେ ଆଉ ଧରାଛୁଆଁ ଦେଉ ନ ଥିଲେ। ଏପରି ସାଂଘାତିକ ଅଭିଯୋଗ ଆସିବା ପରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପୁଲିସ୍ ନିଜକୁ ନକଲି ପୁଲିସ୍ ଡିଆଇଜି ପରିଚୟ ଦେଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି।
ଏହି ନକଲି ଡିଆଜି ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ସେ ଯାଜପୁର, କଟକ, ଭୁବନେଶ୍ୱର, କେନ୍ଦୁଝର ଆଦି ଜିଲ୍ଲାର ବହୁ ଯୁବକଙ୍କଠାରୁ ଟଙ୍କା ଠକି ନେଇଥିବା ଜଣାଯାଇଛି।
ସୁଜିତ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କଠାରୁ ଟଙ୍କା ଠକି ଚାଲିଥିଲେ । ହେଲେ ଠକାମିର ଶିକାର ହୋଇଥିବା ଜଣେ ଯୁବକଙ୍କୁ ସନ୍ଦେହ ହେବାରୁ ସେ ଏନେଇ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ଘଟଗାଁ ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଲଜ୍ରେ ଚଢ଼ାଉ କରି ସୁଜିତଙ୍କୁ କାବୁ କରିଥିଲା।
ଚଢ଼ାଉ ସମୟରେ ତାଙ୍କ ନିକଟରୁ ପୁଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ ୧୨ ହଜାର ଟଙ୍କା ଜବତ ହୋଇଛି । ତେବେ ନିଜକୁ ଆପିଏସ୍ ସ୍ତରର ପୁଲିସ ଅଫିସର କହୁଥିବା ଯୁବକଙ୍କ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବା କାରଣରୁ ସନ୍ଦେହ ଘେରକୁ ଆସିବା ସହ ଫସିଯାଇଛନ୍ତି ନକଲି ଡିଆଇଜି ।
ସୁଜିତ ପଢିଆରୀ ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଠ ପୁଲିସ କହିବା ସହ ଚାକିରି କରାଇଦେବା ପାଇଁ କହି ଟଙ୍କା ଠକିଥିବା ସୁଜିତ ନାଁରେ ଏକାଧିକ ମାମଲା ରହିଥିବା ଘଟଗାଁ ଏସଡିପିଓ ସୁଶିଲ କୁମାର ମିଶ୍ର ସୂଚନା ଦେଇଛି ।