Advertisment

Police Failure: ପୁଲିସର ବିଫଳତା ଯୋଗୁ ଅଡ଼ୁଆରେ ମୋହନ ସରକାର, ଆକ୍ସନ ମୋଡକୁ ଆସିବେ କେବେ?

ବିଗତ ୧୬ମାସ ମଧ୍ୟରେ ଅନ୍ୟ କୌଣସି ବିଭାଗ ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ବିଭିନ୍ନ କାରଣ ପାଇଁ ସର୍ବାଧିକ ବିବାଦୀୟ ହୋଇଛି । ପୁଲିସ ବିଭାଗର ଅପାରଗତା, ଦୁର୍ନୀତି ଓ ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ ଯୋଗୁ ସରକାରଙ୍କୁ ନିୟମିତ ବ୍ୟବଧାନରେ ନିନ୍ଦିତ ହେବାକୁ ପଡ଼ୁଛି।

author-image
Odisha Reporter
CM-Review--Law-and-order-Situ

Law and order situations reviewed by the Chief minister(Old pic)

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୧୬ ମାସ ପୁରିଲାଣି । କିନ୍ତୁ ଏହି ଅବଧି ମଧ୍ୟରେ ପୁଲିସର ଅପାରଗତାକୁ ଲୁଚାଇବା ଏବେ ମୋହନ ମାଝୀଙ୍କ ସରକାର ପାଇଁ ଅଡ଼ୁଆ ବଢ଼ାଇଛି । ବିଗତ ୧୬ମାସ ମଧ୍ୟରେ ଅନ୍ୟ କୌଣସି ବିଭାଗ ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ବିଭିନ୍ନ କାରଣ ପାଇଁ ସର୍ବାଧିକ ବିବାଦୀୟ ହୋଇଛି । ପୁଲିସ ବିଭାଗର(Odisha Police) ଅପାରଗତା, ଦୁର୍ନୀତି ଓ ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ ଯୋଗୁ ସରକାରଙ୍କୁ ନିୟମିତ ବ୍ୟବଧାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିନ୍ଦିତ ହେବାକୁ ପଡ଼ୁଛି। ପୁରୀ ରଥଯାତ୍ରାରେ ଅବ୍ୟବସ୍ଥା ଯୋଗୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁଠୁ ଆରମ୍ଭ କରି କଟକରେ ସାଂପ୍ରଦାୟିକ ହିଂସା ଓ ବ୍ରହ୍ମପୁରରେ ଶାସକ ଦଳର ନେତା-ଓକିଲଙ୍କ ହତ୍ୟା ପର୍ଯ୍ୟନ୍ତ ସବୁଥିରେ ପୁଲିସର ତ୍ରୁଟି ଜଳଜଳ ହୋଇ ଦିଶୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜିବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଓ ପୁଲିସର ଭାବମୂର୍ତ୍ତିରେ ସୁଧାର ଆଣିବା ପାଇଁ ମୋହନ ସରକାର କେବେ ଆକ୍ସନମୋଡକୁ ଆସିବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

Advertisment

ଶାସକ ଦଳ ନେତାଙ୍କୁ ହତ୍ୟା ଓ ଅପରାଧୀ ବେଫିକର

ବରିଷ୍ଠ ଓକିଲ ତଥା ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡାଙ୍କୁ ତାଙ୍କ ଘରପାଖରେ କେହି ଗୁଳି କରି ହତ୍ୟା କଲା ।ଘଟଣାର ୨୦ ଘଂଟା ପରେ ମଧ୍ୟ ପୁଲିସ କୌଣସି ସୁରାକ ପାଇପାରୁନି ।ଯଦିଓ ସହରର ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲାଗିଛି । ଶାସକ ଦଳର ନେତାଙ୍କୁ ହତ୍ୟା କରାଯିବା ସିଧାସଳଖ ବିଫଳ ପୁଲିସ ବ୍ୟବସ୍ଥାକୁ ଇଙ୍ଗିତ କରୁଛି । 
ପୁରୀର କଣାସଠାରେ ଚଳନ୍ତା ବସରେ ଯାତ୍ରୀଙ୍କୁ ଆକ୍ରମଣ, ଚୌଦ୍ୱାର ଜେଲରୁ ୨ଜଣ କଏଦୀ ଫେରାର ହେବା, ଭରତପୁର ଅଂଚଳରେ ଜମି ମାଫିଆଙ୍କ ଦବଙ୍ଗଗିରି ଭଳି ଏକାଧିକ ଘଟଣା ପ୍ରମାଣ କରୁଛି ଯେ, ଅପରାଧୀମାନେ ଆଉ ପୁଲିସକୁ ଭୟ କରିବାର ମାନସିକତାରେ ନାହାନ୍ତି । 

ସାଂପ୍ରଦାୟିକ ହିଂସା: ଅନଭିଜ୍ଞତା ଓ ପୁଲିସର ନିଷ୍କ୍ରିୟତା ଦାୟୀ

ବିଗତ କିଛିମାସ ମଧ୍ୟରେ ଭଦ୍ରକ ଓ ଏବେ କଟକରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେଥିରୁ ପୁଲିସର ବିଫଳତା ସ୍ପଷ୍ଟ ବାରି ହୋଇପଡ଼ୁଛି । ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବନାକୁ ବଜାୟ ରଖିବାରେ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାଇଚାରାର ସହର କଟକରେ ଦୀର୍ଘ ୩ ଦଶନ୍ଧି ପରେ ୩୬ଘଣ୍ଟିଆ କର୍ଫ୍ୟୁ ଲାଗିଲା। ୪୮ଘଣ୍ଟା ଧରି ଇଂଟରନେଟ୍ ସେବା ବନ୍ଦ ରହିଲା । ସ୍ଥାନୀୟ ପୂଜା ଓ ଶାନ୍ତି କମିଟିଗୁଡ଼ିକୁ ବିଶ୍ୱାସକୁ ନନେବା, ଅନଭିଜ୍ଞ ପୁଲିସ ଅଫିସରଙ୍କୁ ପୂଜା ପରିଚାଳନା ଦାୟିତ୍ୱ ଦେବା ଏବଂ ପରିସ୍ଥିତିକୁ ତତ୍କାଳ ନିୟନ୍ତ୍ରଣ ପାଇଁ ସମ୍ବେଦନଶୀଳ ମନୋଭାବ ପୋଷଣ ନକରିବା ହିଁ ଏହି ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭଦ୍ରକ ଭଳି ସମ୍ବେଦନଶୀଳ ସହରରେ ଜୁନ୍ ଓ ସେପ୍ଟେମ୍ବର ମାସରେ ଦୁଇ ଦୁଇ ଥର ସାଂପ୍ରଦାୟିକ ହିଂସା ଯୋଗୁ ଇଂଟରନେଟ୍ ସେବା ଠପ୍ ହେଲା। ପରିସ୍ଥିତିର ସମ୍ବେଦନଶୀଳତାକୁ ବୁଝିବାରେ ପୁଲିସ ବିଫଳ ହୋଇଥିବା ପ୍ରମାଣିତ ହୋଇଛି ।

Advertisment

ପର୍ଯ୍ୟଟନ ସ୍ଥଳୀରେ ଗଣଦୁଷ୍କର୍ମ, ପୁଲିସ ଉତ୍ତରଦାୟୀ ହେଲାନି

ମାତ୍ର ୩ ମାସ ବ୍ୟବଧାନରେ ଗୋପାଳପୁର ଓ ବାଲିହରିଚଣ୍ଡୀ ଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ୨ ଜଣ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେଲେ । ପୁଲିସ ଏହି ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପାଟ୍ରୋଲିଂ କରୁନଥିବା ଯୋଗୁ ଏଭଳି ଅଭାବନୀୟ ଘଟଣା ହେଲା । ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ପରେ ମଧ୍ୟ ପୁଲିସ ଚେତିଲା ନାହିଁ ଓ ଏହାର ୩ମାସ ପରେ ବାଲିହରିଚଣ୍ଡୀରେ ଆଉ ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେଲେ। ମାତ୍ର ଏହି ଦୁଇଟି ଘଟଣାରେ ପୁଲିସର ଜଣେ ବି କର୍ମଚାରୀ ଉତ୍ତରଦାୟୀ ହେଲେନି ।

ପୁଲିସର ବିଫଳତାକୁ ମିଳୁଛି କି ପ୍ରୋତ୍ସାହନ?

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନାରେ ବିପର୍ଯ୍ୟୟ ଯୋଗୁ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସହ ୭୦୦ରୁ ଅଧିକ ଲୋକ ଆହତ ହେଲେ । ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଦ୍ୱାରା ଏହି ସମଗ୍ର ଅବ୍ୟବସ୍ଥାର ତଦନ୍ତ ହେଲା କିନ୍ତୁ ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାର୍ବଜନୀନ କଲେନାହିଁ । ଯଦିଓ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଖୋଦ୍ ପୁଲିସ ଡିଜି ଓ ତାଙ୍କର ୩ଜଣ ଖାସ୍ ଏଡିଜି ପାହ୍ୟାର ଅଫିସର ସଞ୍ଜୟ କୁମାର, ଦୟାଲ ଗଙ୍ଗୱାର ଓ ଅମିତାଭ ଠାକୁର(ଭିଡ଼-ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ପରିଚାଳନା ଦାୟିତ୍ୱରେ) ରହିଥିଲେ। ଏହି ଅଫିସରମାନଙ୍କ ବିରୁଦ୍ଧରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲାନି।

ମୁଖ୍ୟମନ୍ତ୍ରୀଙ୍କ ମାତ୍ର ଦୁଇଥର ସମୀକ୍ଷା, ସିନିୟର ପୁଲିସ ଅଫିସର୍ସ ବୈଠକ ବାତିଲ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, Chief minister Odisha ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଥିଲେ ମଧ୍ୟ ଏହି ବିଭାଗର ନିୟମିତ ସମୀକ୍ଷା,ତଦାରଖ ଓ କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁ ପୁଲିସ ଏବେ ବେଲଗାମ ହେବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୫ ମସିହାରେ ମାତ୍ର ୨ଥର (ଜାନୁୟାରୀ ୧୯ ଓ ଅଗଷ୍ଟ ୧୨)ରେ ପୁଲିସ ବିଭାଗର କାର୍ଯ୍ୟ ଓ ଆଇନଶୃଙ୍ଖଳାର ଉଚ୍ଚସ୍ତରୀୟ ସମୀକ୍ଷା କରିଥିବା ଜଣାପଡ଼ିଛି । ଶେଷଥର ପାଇଁ ଅଗଷ୍ଟ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷାବେଳେ ପୁଲିସ ଏଡିଜି(ଆଇନ ଶୃଙ୍ଖଳା) ସଞ୍ଜୟ କୁମାର ହେଡକ୍ୱାଟର୍ସରେ ଥାଇ ମଧ୍ୟ ସାମିଲ ହୋଇନଥିଲେ ବୋଲି ଜଣାପଡ଼ିଛି ।

ପୁଲିସ ବିଭାଗର ବରିଷ୍ଠ ଅଫିସରମାନଙ୍କ(ଏସପି ପାହ୍ୟାରୁ ତଦୁର୍ଦ୍ଧ୍ୱ) ମଧ୍ୟରେ ସମନ୍ୱୟ ରକ୍ଷା ସହ ବିଭିନ୍ନ ସମସ୍ୟା ଉପରେ ସିଧାସଳଖ ଆଲୋଚନା ପାଇଁ ଉଦ୍ଦିଷ୍ଟ ପ୍ଲାଟଫର୍ମ- ବାର୍ଷିକ ‘ସିନିୟର ପୁଲିସ ଅଫିର୍ସସ କନଫରେନ୍ସ’କୁ ପ୍ରାୟ ୪ ବର୍ଷ ଧରି ବନ୍ଦ ରଖାଯାଇଛି ।ଚଳିତବର୍ଷ ଅଗଷ୍ଟ ୨୨ ଓ ୨୩ରେ ଏହି ସମ୍ମିଳନୀ କରିବା ପାଇଁ ତାରିଖ ଚୂଡ଼ାନ୍ତ ହେବାସହ ସମ୍ମିଳନୀର ସଚିବ ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଉପସଚିବ ଭାବେ ଅନୁପ କୁମାର ସାହୁଙ୍କୁ ଅଗଷ୍ଟ ୫ତାରିଖରେ ନିଜେ ଡିଜି ୱାଇବି ଖୁରାନିଆ ଦାୟିତ୍ୱ ଦେଲେ । ମାତ୍ର ଏହା କେଉଁ କାରଣରୁ ସ୍ଥଗିତ ହେଲା ତାହା ଜଣାପଡ଼ିନଥିଲେ ମଧ୍ୟ ପ୍ରଶାସନିକ କାର୍ଯ୍ୟରେ ପୁଲିସ ଓ ସରକାର ମଧ୍ୟରେ ତାଳମେଳ ନଥିବା ସ୍ପଷ୍ଟ ହୋଇଛି ।

ନିଯୁକ୍ତି ଦୁର୍ନୀତି ଉପରେ ସରକାର ଚୁପ୍‌: ତଦନ୍ତ ଧର୍ମକୁ ଆଖିଠାର

ପୁଲିସ ଏସଆଇ ପରୀକ୍ଷା ନିଯୁକ୍ତି ଦୁର୍ନୀତିରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ବିଭାଗର ଜଣେ ଶୀର୍ଷ ପାହ୍ୟାର ଅଫିସରଙ୍କ ସଂପୃକ୍ତିର ଅଭିଯୋଗ ସତ୍ୱେ ସରକାରଙ୍କ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏହି ଦୁର୍ନୀତି ଘଟଣାରେ ବରିଷ୍ଠ ଅଫିସରଙ୍କ ସମ୍ପୃକ୍ତିର ଅଭିଯୋଗ ଥିବାରୁ ଏହାର ନିରପେକ୍ଷ ତଦନ୍ତ ଜଣେ ଶୀର୍ଷ ପାହ୍ୟାର ଅଫିସର କିମ୍ବା ଅନ୍ୟ ନିରପେକ୍ଷ ସଂସ୍ଥାକୁ ସରକାର ଦେଇପାରିଥାନ୍ତେ । ମାତ୍ର ତାହା ନକରି କ୍ରାଇମବ୍ରାଂଚର ଜଣେ ଡିଏସପି ଓ ଏସପି ପାହ୍ୟାର ଓପିଏସ୍ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେବା ‘ଧର୍ମକୁ ଆଖିଠାର' ଭଳି ହୋଇଛି । ଏହି ଦୁର୍ନୀତିରେ ୧୧୪ଜଣ ପରୀକ୍ଷାର୍ଥୀ ଗିରଫ ହେବାର ୮ଦିନ ପରେ ମଧ୍ୟ ମୁଖ୍ୟ କିଙ୍ଗପିନମାନଙ୍କ ପାଖରେ ପୁଲିସ ପହଂଚି ପାରୁନି ନା ସେମାନଙ୍କୁ ଖସାଇ ଦେବାକୁ ପ୍ରୟାସ ହେଉଛି ତାହା ବି ସନ୍ଦେହଘେରରେ । ତା’ଛଡ଼ା କେଉଁ ଢଙ୍ଗରେ ଓ କାହା ଚାପରେ ସିଲିକନ୍ ଓ ପଂଚସଫ୍ଟ ଭଳି କମ୍ପାନୀକୁ ଆଇଟିଆଇ ଲିମିଟେଡ୍ ସବଲେଟରେ ଦେଇଥିଲା ତାହା ମଧ୍ୟ ଖୋଳତାଡ଼ ହେଉନି ।

ପୁଲିସର ବିଶ୍ୱସନୀୟତା ସଙ୍କଟରେ

ବିଗତ କିଛିମାସ ମଧ୍ୟରେ (Odisha Law and Order) ଆଇନଶୃଙ୍ଖଳା ପରିସ୍ଥିତିର ବିକଟାଳ ଚିତ୍ର ପଦାକୁ ଆସିବାରେ ଲାଗିଛି । ଅପରାଧୀଙ୍କ ତାଣ୍ଡବ ବଢ଼ିବାରେ ଲାଗିଥିବାବେଳେ ପୁଲିସ ବିଭାଗରେ ଆର୍ଥିକ ଅନିୟମିତତାର ପୁଳାପୁଳା ଅଭିଯୋଗ ମଧ୍ୟ ସରକାରଙ୍କ ବିଶ୍ୱସନୀୟତାକୁ ଦୋହଲାଇ ଦେଇଛି। ନିକଟ ଅତୀତରେ ପୁଲିସ ବିଭାଗରେ ଏକାଧିକ ଟେଣ୍ଡରରେ ଅନିୟମିତତାର ଅଭିଯୋଗ ଆସିଥିଲେ ମଧ୍ୟ ସେ ଉପରେ ସରକାର ନିଦାବିଷ୍ଣୁ ସାଜିଛନ୍ତି । ଏସବୁ କାରଣରୁ ରାଜ୍ୟରେ ପୁଲିସ ଏବେ ବିଶ୍ୱସନୀୟତା ସଙ୍କଟ ଦେଇ ଗତି କରିବା ସହ ପୁଲିସର ଅପାରଗତା ବିଜେପି ସରକାରକୁ ମହଙ୍ଗା ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି । ବିରୋଧୀ ଦଳଗୁଡ଼ିକ ମଧ୍ୟ ଖୋଲାଖୋଲି ଭାବେ ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିବାରେ ଲାଗିଲେଣି । କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ଡିଜି ଇସ୍ତଫା ଦିଅନ୍ତୁ ନଚେତ୍ ଗୋଟିଏ ଭଲ ଅଫିସରଙ୍କ ଟିମ୍ ତିଆରି କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେବେ ଆକ୍ସନମୋଡକୁ ଆସି କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Odisha Police Chief Minister Odisha Odisha Law and Order