Advertisment

ଓକିଲ-ପୁଲିସ ଧସ୍ତାଧସ୍ତି, ଉପୁଡ଼ିଲା ଟେଣ୍ଟ

ସମ୍ବଲପୁର/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହାଇକୋର୍ଟ ବେଞ୍ଚ ଦାବି ନେଇ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା ଆଇନଜୀବୀ ନା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି, ନା ତାଗିଦ୍‌କୁ ଭୟ କରୁଛନ୍ତି। ଲାଇସେନ୍ସ ସସ୍‌ପେଣ୍ଡର ଚରମ ଆଭିମୁଖ୍ୟ ସତ୍ତ୍ୱେ ନିରବଚ୍ଛିନ୍ନ ଆନ୍ଦୋଳନ ଜାରି ରଖିଛନ୍ତି ସମ୍ବଲପୁର ଏବଂ ଗଞ୍ଜାମ ଓକିଲ ସଂଘ। ସ୍ଥିତି ଏପରି ହୋଇଛି ଯେ, ଆଜି ସମ୍ବଲପୁରରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଛି ଏବଂ ଠେଲାଠେଲି ଭିତରେ ଆନ୍ଦୋଳନ ସ୍ଥଳର ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଯାହାକୁ ନେଇ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଓକିଲ-ପୁଲିସ ଧସ୍ତାଧସ୍ତି, ଉପୁଡ଼ିଲା ଟେଣ୍ଟ

sambalpur

ସମ୍ବଲପୁର/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହାଇକୋର୍ଟ ବେଞ୍ଚ ଦାବି ନେଇ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା ଆଇନଜୀବୀ ନା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି, ନା ତାଗିଦ୍‌କୁ ଭୟ କରୁଛନ୍ତି। ଲାଇସେନ୍ସ ସସ୍‌ପେଣ୍ଡର ଚରମ ଆଭିମୁଖ୍ୟ ସତ୍ତ୍ୱେ ନିରବଚ୍ଛିନ୍ନ ଆନ୍ଦୋଳନ ଜାରି ରଖିଛନ୍ତି ସମ୍ବଲପୁର ଏବଂ ଗଞ୍ଜାମ ଓକିଲ ସଂଘ। ସ୍ଥିତି ଏପରି ହୋଇଛି ଯେ, ଆଜି ସମ୍ବଲପୁରରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଛି ଏବଂ ଠେଲାଠେଲି ଭିତରେ ଆନ୍ଦୋଳନ ସ୍ଥଳର ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଯାହାକୁ ନେଇ ଆଜି ମୁହାଁମୁହିଁ ଆଇନଜୀବୀ ଏବଂ ପୁଲିସ। ସେପଟେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଜାରି ରଖିଥିବା ଗଞ୍ଜାମ ଓକିଲ ସଂଘ ବି ଆନ୍ଦୋଳନରୁ ଓହରିବାର ନାଁ ଧରୁନି।

Advertisment

ଆଇନଜୀବୀ-ପୁଲିସ ମୁହାଁମୁହିଁ ଯୋଗୁ ସମ୍ବଲପୁର କଚେରୀ ଛକ ବହୁ ସମୟ ଧରି କୁରୁକ୍ଷେତ୍ର ସାଜିଥିଲା। ଆଜି ସମୟ ସକାଳ ପ୍ରାୟ ୧୦ଟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି। କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ। ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓ। ଏହାରି ଭିତରେ ଆରମ୍ଭ ହୋଇଯାଇଥିଲା ଛକାପଞ୍ଝା। ଶେଷରେ ସ୍ଥିତି ଏମିତି ହେଲା ଯେ, କଚେରୀ ଛକରେ ପ୍ରାୟ ଘଣ୍ଟାଏ ଧରି ଏମିତି ଚାଲିଲା ଧସ୍ତାଧସ୍ତି, ଠେଲାପେଲା, ମୁହାଁମୁହିଁ ପରିସ୍ଥିତି। ଏପରିକି ଭୁଶୁଡ଼ି ଯାଇଥିଲା ଆନ୍ଦୋଳନସ୍ଥଳୀର ଅସ୍ଥାୟୀ ଟେଣ୍ଟ।

ଯାହାକୁ ନେଇ ଆହୁରି କ୍ଷୁବ୍ଧ ହୋଇଥିଲେ ଆନ୍ଦୋଳନକାରୀ। ହାଇକୋର୍ଟ ବେଞ୍ଚ ଦାବି ନେଇ ପୂର୍ବରୁ ମାସର ଶେଷର ୩ଟି କାର୍ଯ୍ୟ ଦିବସରେ ଆନ୍ଦୋଳନ କରୁଥିଲା ସମ୍ବଲପୁର ଓକିଲ ସଂଘ। ତେବେ ଗତ ୨ ମାସ ହେବ ନାଗରିକ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ପ୍ରତି ବୁଧବାର ଆନ୍ଦୋଳନ କରିଆସୁଛନ୍ତି ଆଇନଜୀବୀ।

Advertisment

ଆଜି ଘଟଣାସ୍ଥଳରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବି ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି, ଆଗକୁ ବି ଏଭଳି ଲଢ଼େଇ ଜାରି ରହିିବ।

ସୂଚନା ଥାଉକି, ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ସମ୍ବଲପୁର ସହ ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଭଳି ଅନେକ ଜିଲ୍ଲାରେ ଜାରି ରହିଛି। କିଛି ସ୍ଥାନରେ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ମାସର ଏକାଧିକ ଦିନ ଆନ୍ଦୋଳନ ହେଉଛି। ଏଭଳି ଆନ୍ଦୋଳନକୁ ଦେଖି, ଗତ ୨୮ ତାରିଖରେ ସୁପ୍ରିମକୋର୍ଟ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡର ଚରମବାଣୀ ଶୁଣାଇଥିଲେ। ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ଲାଇସେନ୍ସ ସସ୍‌ପେଣ୍ଡର ନିର୍ଦ୍ଦେଶ ବି ଦେଇଥିଲେ।

କେବଳ ଏତିକି ନୁହେଁ, ଭୌଗୋଳିକ ଦୃଷ୍ଟିକୁ ଦେଖି ଓଡ଼ିଶା ଏତେବଡ଼ ରାଜ୍ୟ ବି ନୁହେଁ ଯେ, ହାଇକୋର୍ଟ ବେଞ୍ଚର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ତେଣୁ ଆନ୍ଦୋଳନ ଅନାବଶ୍ୟକ ବୋଲି କୋର୍ଟ କହିବା ସହ ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଦିଅ ବୋଲି ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ବି କହିଥିଲେ। ଏହାସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି ଓକିଲ ସଂଘ। ଗଂଜାମ ଓକିଲ ସଂଘ କହିଛି, ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ।

ଓକିଲଙ୍କ ଏଭଳି ନିରବଚ୍ଛିନ୍ନ ଆନ୍ଦୋଳନ ଭିତରେ ଅଗକୁ କି ପଦକ୍ଷେପ ନେବେ ସୁପ୍ରିମକୋର୍ଟ ? ଡିସେମ୍ବର ୧୨ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିକୁ ଏବେ ଅପେକ୍ଷା।