/odisha-reporter/media/post_attachments/uploads/2021/04/haidar-3.jpg)
Haidar
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ହାଇଦର ପୁଲିସ୍ ଠାରୁ ଛଡ଼ାଇ ନେଇଥିଲା ଏକେ-୪୭ ବନ୍ଧୁକ। ସେଥିପାଇଁ ତା’ ଉପରକୁ ପୁଲିସ୍ ଚଳାଇଥିଲା ଗୁଳି। ହାଇଦରକୁ ଏନ୍କାଉଣ୍ଟର ପରେ ଘଟଣା ସଂପର୍କରେ ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫ୍ଆଇଆର୍ରେ ଏହା ଦର୍ଶାଯାଇଛି।
ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏହି ଏଫ୍ଆଇଆର୍ ଦେଇଛନ୍ତି। ସେ ଏଥିରେ ସେଦିନ ଘଟିଥିବା ଏନ୍କାଉଣ୍ଟର ସଂପର୍କରେ ଟିକନିଖ୍ କଥା ଉଲ୍ଲେଖ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇବା ଲାଗି ବାଧ୍ୟ ହୋଇ ହାଇଦର ଉପରକୁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।
ଶ୍ରୀ ଶାସେନି ଉଲ୍ଲେଖ କରିଛନ୍ତି, ହାଇଦରକୁ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍କୁ ସ୍ଥାନାନ୍ତର ପାଇଁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ତାକୁ ଧରି ୧୨ଟା ୪୦ରେ ଚୌଦ୍ୱାର ଛାଡ଼ିଥିଲା ଏସକର୍ଟ ଟିମ୍। ଅପରାହ୍ନ ପ୍ରାୟ ୩ଟା ୨୦ ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ହାଇଦର ପରିସ୍ରା ଯିବା ପାଇଁ ଗାଡ଼ି ରଖିବାକୁ କହିଥିଲା। ଗାଡ଼ି ରହିବା ପରେ ସେ ପରିସ୍ରା ଯିବା ପାଇଁ ହାତ ଖୋଲିବାକୁ କହିଥିଲା।
ସୁରକ୍ଷାକର୍ମୀମାନେ ହାଇଦରର ହାତ ଖୋଲିବା ପରେ ସେ ଏହାର ସୁଯୋଗ ନେଇ ଜଣେ ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ଏବଂ ଫେରାର ହେବାକୁ ଉଦ୍ୟମ କରିଥିଲା। ଉପସ୍ଥିତ ପୁଲିସ୍ କର୍ମଚାରୀଙ୍କ ଉପରକୁ ସେ ବନ୍ଧୁକ ଦେଖାଇବା ସହ ହିନ୍ଦୀରେ ଗାଳିଗୁଲଜ ମଧ୍ୟ କରିଥିଲା। ଆତ୍ମସମର୍ପଣ କରିବା ପାଇଁ ତାକୁ ବାରମ୍ବାର ବୁଝାଯାଇଥିଲା । ମାତ୍ର ସେ ଫେରାର ହେବାକୁ ଉଦ୍ୟମ କରିବାରୁ ଏବଂ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାଧ୍ୟ ହୋଇ ପୁଲିସ୍ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଏତଲାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଗଙ୍ଗାଧର ଶାସେନି।
ରଣାପଡ଼ାରେ ହାଇଦରକୁ ଦିଆଗଲା କବର
ବ୍ୟବଚ୍ଛେଦ ପରେ ହାଇଦର ମୃତଦେହକୁ କେନ୍ଦ୍ରାପଡା ଜିଲ୍ଲା ରଣାପଡ଼ାରେ କବର ଦିଆଯାଇଛି। ଗତକାଲି ରାତି ସାଢ଼େ ୮ଟାରେ ପୁଲିସ୍ ସୁରକ୍ଷା ବଳୟରେ ହାଇଦରର ମୃତଦେହ ରଣାପଡାସ୍ଥିତ ତା’ ଘରେ ପହଞ୍ଚିଥିଲା। ସେଠାରୁ ମୃତଦେହକୁ ସିଧା କବରସ୍ଥାନକୁ ନିଆଯାଇଥିଲା। ସାଙ୍ଗରେ ତାର ସ୍ତ୍ରୀ ହସିନା ବିବି, ଝିଅ, ବୋହୂ ଓ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରହିଥିଲେ। ତେବେ କୋଭିଡ଼ କଟକଣା ଭିତରେ ହାଇଦରକୁ କବର ଦିଆଯାଇଥିଲା। ଅନ୍ତିମ ସଂସ୍କାର ବେଳେ ପ୍ରାୟ ୧୫ ଜଣ ଅତ୍ମୀୟସ୍ଵଜନ ଉପସ୍ଥିତ ଥିଲେ।
ସମଗ୍ର ରଣାପଡ଼ାରେ ପୁଲିସ୍ ମୁତୟନ କରାଯାଇଥିଲା। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ଏସ୍ପି ଏମ. ସମ୍ବିତ ସମ୍ପଦ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। "କେନ୍ଦ୍ରାପଡାରେ ପରିସ୍ଥିତି ସମ୍ପୂର୍ଣ ଶାନ୍ତ ରହିଛି । ସ୍ଥିତି ସମୀକ୍ଷ ପରେ ଧାର୍ଯ୍ୟ ସମୟ ପୂର୍ବରୁ ୧୪୪ ଧାରା ଉଚ୍ଛେଦ କରାଯାଇ ପାରେ" ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ, ହାଇଦରର ପତ୍ନୀ ଓ ୨ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଏହାର ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିବା ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
