Advertisment

Police SI Exam Scam: କେନ୍ଦ୍ର ଦେଲା ଅନୁମତି, ଦସ୍ତାବିଜ ନେଲା ସିବିଆଇ, ଚର୍ଚ୍ଚାରେ ସାଧାରଣ ପ୍ରଶାସନ ବିଭାଗର ୨ଟି ବିଜ୍ଞପ୍ତି

ଏସବୁ ମଧ୍ୟରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ଅନୁମତି ଦେବା ସଂକ୍ରାନ୍ତ ସାଧାରଣ ପ୍ରଶାସନ ବିଭାଗର ଦୁଇଟି ବିଜ୍ଞପ୍ତିକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ ବିଜ୍ଞପ୍ତିଟି ଅକ୍ଟୋବର ୨୭ତାରିଖର ବିଜ୍ଞପ୍ତି ନମ୍ବର-୩୬୧୬୯ । ଅନ୍ୟଟି ଅକ୍ଟୋବର ୩୧ତାରିଖର ବିଜ୍ଞପ୍ତି ନମ୍ବର-୩୭୧୫୨ ।

author-image
Odisha Reporter
CBI-enquiry-123

Two different notifications of the GA & PG Dept, Odisha.(Above-High Court order, Below-DoPT notifications)

ବହୁଚର୍ଚ୍ଚିତ ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ବିଧିବଦ୍ଧ ଭାବେ ସିବିଆଇକୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଆଜି ଏନେଇ ବିଜ୍ଞପ୍ତି ଜାରି କରିଥିବାବେଳେ ସିବିଆଇ ପକ୍ଷରୁ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟର ଜଣେ ଡିଏସପି ପାହ୍ୟାର ଅଫିସର ଏହି ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତ କେତେକ ଦସ୍ତାବିଜ ରାଜ୍ୟ ଗୃହ ବିଭାଗରୁ ସଂଗ୍ରହ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ତେବେ ଏସବୁ ମଧ୍ୟରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ଅନୁମତି ଦେବା ସଂକ୍ରାନ୍ତ ସାଧାରଣ ପ୍ରଶାସନ ବିଭାଗର ଦୁଇଟି ବିଜ୍ଞପ୍ତିକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ ବିଜ୍ଞପ୍ତିଟି ସାଧାରଣ ପ୍ରଶାସନ ବିଭାଗର ଅକ୍ଟୋବର ୨୭ତାରିଖର ବିଜ୍ଞପ୍ତି ନମ୍ବର-୩୬୧୬୯ । ଯାହା ଆଧାରରେ ସିବିଆଇ ତଦନ୍ତ ଦାବିରେ ଦାଏର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ । ଅନ୍ୟଟି ହେଉଛି ସେହି ସାଧାରଣ ପ୍ରଶାସନ ବିଭାଗର ଅକ୍ଟୋବର ୩୧ତାରିଖର ବିଜ୍ଞପ୍ତି ନମ୍ବର-୩୭୧୫୨ । ଯାହାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଉଲ୍ଲେଖ କରି ସିବିଆଇ ତଦନ୍ତ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ବୋଲି ଜଣାପଡ଼ିଛି ।

Advertisment


କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି, ଦସ୍ତାବିଜ ନେଲା ସିବିଆଇ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଏବଂ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାର ତଦନ୍ତ ସିବିଆଇ କରିବ । ଏଥିପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ନଭେମ୍ବର ୧୧ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ଏହି ପରୀକ୍ଷା ଅନିୟମିତତାକୁ ନେଇ କ୍ରାଇମବ୍ରାଂଚର କେସ୍ ନମ୍ବର-୦୭/୨୦୨୫(୧-୧୦-୨୦୨୫)କୁ ସିବିଆଇକୁ ହସ୍ତାନ୍ତର ହୋଇଛି । ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ-୧୯୪୬ରେ ଧାରା ୫(୧)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅକ୍ଟୋବର ୩୧ତାରିଖରେ ଜାରି ବିଜ୍ଞପ୍ତି ନମ୍ବର-୩୭୧୫୨ ଆଧାରରେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସିବିଆଇ ଏହି ମାମଲାରେ ଷଡ଼ଯନ୍ତ୍ର (conspiracies) ଓ ସାହାଯ୍ୟ (abetments)ର ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଚେର ଅନ୍ୟ ରାଜ୍ୟକୁ ବ୍ୟାପିଥିବାର ସନ୍ଦେହ କରାଯାଉଛି । ଏହାର ଉପଯୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଗ୍ରହଣ କରି କେନ୍ଦ୍ର ସରକାର ସିବିଆଇ(CBI) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ଏହି ଦୁର୍ନୀତି ପାଇଁ ହୋଇଥିବା ଉଦ୍ୟମ, ପ୍ରୋତ୍ସାହନ ଓ ଷଡ଼ଯନ୍ତ୍ରର ତଦନ୍ତ କରିବ ।

Advertisment

ଅନ୍ୟପକ୍ଷରେ ରାଜ୍ୟ ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟର ଜଣେ ଡିଏସପି ପାହ୍ୟାର ଅଫିସର ଇତିମଧ୍ୟରେ ଏସଆଇ ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତୀୟ କେତେକ ଦସ୍ତାବିଜ ନେଇଛନ୍ତି ।

ଜନସ୍ୱାର୍ଥ ମାମଲା ଖାରଜ, ଦୁଇଟି ବିଜ୍ଞପ୍ତିକୁ ନେଇ ଚର୍ଚ୍ଚା

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା(Odisha Police SI Exam Scam) ଅନିୟମିତତା ମାମଲାର ତଦନ୍ତ କ୍ରାଇମବ୍ରାଂଚ ପରିବର୍ତ୍ତେ ସିବିଆଇକୁ ହସ୍ତାନ୍ତର କରିବା ନିମନ୍ତେ ଆଡଭୋକେଟ୍ ଶିବଶଙ୍କର ମହାନ୍ତିଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କ ଖଣ୍ଡପୀଠରେ ୨୦୨୫ ଅକ୍ଟୋବର ୨୭ତାରିଖରେ ଏହି ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ସରକାର ପୂର୍ବରୁ ହିଁ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏହାସହିତ ସେ ସାଧାରଣ ପ୍ରଶାସନ ବିଭାଗର ଅକ୍ଟୋବର ୨୭ତାରିଖରେ ଜାରି ବିଜ୍ଞପ୍ତି ନମ୍ବର-୩୬୧୬୯କୁ ମଧ୍ୟ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ମାମଲାର ମୁଖ୍ୟ ଦାବି ପୂରଣ ହୋଇସାରିଥିବାରୁ ହାଇକୋର୍ଟ ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଥିଲେ ।


ତେବେ ସିବିଆଇ ତଦନ୍ତ ସଂକ୍ରାନ୍ତରେ ରାଜ୍ୟ ସରକାର ୨ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଦେବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ହେଉଛି । ସିବିଆଇକୁ ମାମଲା ହସ୍ତାନ୍ତର କରାଯିବା ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ସାଧାରଣ ପ୍ରଶାସନ ବିଭାଗର ଯେଉଁ ବିଜ୍ଞପ୍ତି ରାଜ୍ୟ ସରକାର ଦେଇଥିଲେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତି ନମ୍ବରକୁ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି ।

ଅକ୍ଟୋବର ୨୨ରେ ମୁଖ୍ୟମନ୍ତ୍ରୀ କରିଥିଲେ ଘୋଷଣା

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତାର ସିବିଆଇ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅକ୍ଟୋବର ୨୨ତାରିଖରେ ଘୋଷଣା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି ତଦନ୍ତ ପ୍ରକ୍ରିୟା ସିବିଆଇ କାହିଁକି ହାତକୁ ନେଉନାହିଁ ଓ ଏଥିରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

 ଆଉ ଏସବୁ ମଧ୍ୟରେ କ୍ରାଇମବ୍ରାଂଚ ଅଚାନକ ସକ୍ରିୟ ହୋଇ ଏହି ନିଯୁକ୍ତି ପରୀକ୍ଷା ଦୁର୍ନୀତିର ମୁଖ୍ୟ ମାଷ୍ଟରମାଇଣ୍ଡ ପଂଚସଫ୍ଟ ମାଲିକ ଶଙ୍କର ପୃଷ୍ଟିଙ୍କୁ ନଭେମ୍ବର ୧ତାରିଖ ଓ ସିଲିକନ୍ ଟେକଲାବ ମାଲିକ ସୁରେଶ କୁମାର ନାୟକଙ୍କୁ ନଭେମ୍ବର ୩ତାରିଖରେ ଗିରଫ କରିଥିଲା । ମାତ୍ର ଏପର୍ଯ୍ୟନ୍ତ ଏହି ମାମଲାରେ ସନ୍ଦେହ ପରିସରରେ ଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଓ ଗୃହ ବିଭାଗର ଅଧିକାରୀଙ୍କ ଭୂମିକାକୁ ତଦନ୍ତ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇପାରିନଥିଲା । ଏପରିକି ସିଲିକନ୍ କିଭଳି ମନମୁଖୀ ଭାବେ ପଂଚସଫ୍ଟକୁ ଟେଣ୍ଡର ସବଲେଟ୍ କରିଥିଲା ଓ ଓପିଆରବି କିଭଳି ଏହାକୁ ଅନୁମୋଦନ କରିଥିଲା ସେଦିଗକୁ ମଧ୍ୟ କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ କରିନଥିବା ଜଣାପଡ଼ିଛି । ଏବେ ସିବିଆଇ ତଦନ୍ତ ଭାର ହାତକୁ ନେବା ପରେ ଏସବୁ ଦିଗକୁ ଉନ୍ମୋଚନ କରିବାର ଆଶା କରାଯାଉଛି।


ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ ଯାଉଥିବା ପରୀକ୍ଷାର୍ଥୀଙ୍କୁ ପୁଲିସ ସୀମାନ୍ତରୁ ସେପ୍ଟେମ୍ବର ୨୯ତାରିଖରେ ଗିରଫ କରିବା ପରେ ୯୩୩ଟି ପୁଲିସ ଏସଆଇ ପଦବୀ ନିମନ୍ତେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହୋଇଥିବା କଥା ପଦାକୁ ଆସିଥିଲା ।

CBI Odisha Police SI Exam Scam