Odisha Police logo (file Pic)
ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ପ୍ରାୟ ୧୫୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସନ୍ଦେହଜନକ ଢଙ୍ଗରେ ବ୍ରହ୍ମପୁର ପୁଲିସ ଠାବ କରିବା ପରେ ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ବଡ଼ଧରଣର ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ତରବରିଆ ଭାବେ ଅକ୍ଟୋବର ୫ ଓ ୬ତାରିଖରେ ନିର୍ଦ୍ଧାରିତ କମ୍ବାଇନଡ୍ ପୁଲିସ ସର୍ଭିସ ପରୀକ୍ଷା(ପୁଲିସ ଏସଆଇ)କୁ ସ୍ଥଗିତ ଘୋଷଣା କରିଛି । ତେବେ ୬ମାସ ବ୍ୟବଧାନରେ ଦ୍ୱିତୀୟଥର ଏହି ପରୀକ୍ଷା ସ୍ଥଗିତ ହେବା ଏବଂ ସମ୍ପୃକ୍ତ ପରୀକ୍ଷା ପ୍ରଶ୍ନପତ୍ର ଛପା ଆଦି ବାବଦରେ ରାଜକୋଷରୁ ୬-୭କୋଟି ଟଙ୍କା ପାଣିରେ ପଡ଼ିବା ପଛରେ କେଉଁମାନେ ଦାୟୀ ଓ ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ନକରି ସରକାର କାହିଁକି ନିରବ ବସିଛନ୍ତି ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ।
ପଦାରେ ପଡ଼ିଲା ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତି
ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ୱାରା ୯୩୩ଟି ପଦବୀ(ପୁଲିସ ଏସଆଇ, ଷ୍ଟେସନ ଅଫିସର-ଅଗ୍ନିଶମ ଓ ଆସିଷ୍ଟାଣ୍ଟ ଜେଲର) ନିମନ୍ତେ ୨୦୨୫ ଜାନୁୟାରୀ ମାସରେ ଆବେଦନ ଆହ୍ୱାନ କରାଯାଇଥିଲା । ପ୍ରଥମେ ମାର୍ଚ୍ଚ ୮ ଓ ୯ତାରିଖ ଦୁଇଦିନ ଧରି ଲିଖିତ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଅଚାନକ ମାର୍ଚ୍ଚ ୭ତାରିଖରେ ଏହି ପରୀକ୍ଷାକୁ ସ୍ଥଗିତ ଘୋଷଣା କରାଗଲା । ପୁଣିଥରେ ଏହି ପରୀକ୍ଷା ଅକ୍ଟୋବର ୫ ଓ ୬ତାରିଖରେ ସବୁ ଜିଲ୍ଲାରେ କରିବା ନିମନ୍ତେ ତାରିଖ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଆଜି ଏହାକୁ ପୁନର୍ବାର ସ୍ଥଗିତ ଘୋଷଣା କରାଗଲା । ହାଇଦ୍ରାବାଦ ଯାଉଥିବା ପ୍ରାୟ ୧୮୦ଜଣ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମରୁ ବ୍ରହ୍ମପୁର ପୁଲିସ ଠାବ କରି ସେମାନଙ୍କଠୁ ଏସଆଇ ପରୀକ୍ଷାର ଆଡମିଟ୍ କାର୍ଡ ଜବତ କରିବା ପରେ ଏହି ଜାଲିଆତି ପଦାକୁ ଆସିଥିଲା । ଏପରିକି ପରୀକ୍ଷାର୍ଥୀଙ୍କଠୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ଏହାପରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ତରବରିଆ ଭାବେ ଅକ୍ଟୋବର ୫ ଓ ୬ତାରିଖ ପରୀକ୍ଷାକୁ ବାତିଲ କରିବା ପରେ ସନ୍ଧ୍ୟାରେ ଆଉ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛି ଯେ “ ପରୀକ୍ଷା ପ୍ରକ୍ରିୟାରେ ଅନୈତିକ କାର୍ଯ୍ୟ ଓ ଲାଂଚଜନିତ ଅପରାଧିକ କାର୍ଯ୍ୟକଳାପରେ ପରୀକ୍ଷାର୍ଥୀମାନଙ୍କୁ ଜଡ଼ିତ କରିବା ପାଇଁ କିଛି ଅସାଧୁ ବ୍ୟକ୍ତି ପ୍ରୟାସ କରୁଛନ୍ତି । ତେବେ କମ୍ବାଇନଡ୍ ପୁଲିସ ସର୍ଭିସ ପରୀକ୍ଷା-୨୦୨୪କୁ ମୁକ୍ତ, ନିରପେକ୍ଷ ଓ ସ୍ୱଚ୍ଛ ପ୍ରକ୍ରିୟାରେ କରିବା ନିମନ୍ତେ ବୋର୍ଡ ପ୍ରତିଶ୍ରୁତିବଦ୍ଧ । ତେଣୁ ଲାଂଚ ଦେବା ଓ ଗ୍ରହଣ କରିବା ଏକ ଅପରାଧ ତଥା ଏଭଳି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଏବେ ଏହି ଅନୈତିକ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନାକୁ ଯାଂଚ କରୁଛି । ଏହାସହିତ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ହେଲପଲାଇନ୍ ନମ୍ବର-୯୦୪୦୪୯୩୯୯୩ ଜାରି କରାଯାଇ ଯାହା ପାଖରେ ଏ ସଂକ୍ରାନ୍ତ ଆବଶ୍ୟକୀୟ ସୂଚନା ଅଛି ତାକୁ ପ୍ରଦାନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।” ଅନ୍ୟ ଏକ ସୂତ୍ର ଅନୁସାରେ, ପୁଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ସୁଶାନ୍ତ ନାଥ ମଧ୍ୟ ଏନେଇ ଓଡ଼ିଶା କ୍ରାଇମବ୍ରାଂଚକୁ ଚିଠି ଲେଖି ତଦନ୍ତ ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି ।
ଦାୟୀ କିଏ, କାହିଁକି ବାରମ୍ବାର ସ୍ଥଗିତ ହେଉଛି ପରୀକ୍ଷା
ସୂଚନା ଅନୁସାରେ, ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା(ମୋଟ୍ ୯୩୩ଟି ପଦବୀ) ପରିଚାଳନା ନିମନ୍ତେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ କେନ୍ଦ୍ରୀୟ ଉଦ୍ୟୋଗ ‘ଆଇଟିଆଇ’(ଇଣ୍ଡିଆନ ଟେଲିଫୋନ୍ ଇଣ୍ଡଷ୍ଟ୍ରିଜ୍ ଲିଃ) ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଆଉ ଏହି ପରୀକ୍ଷା ପ୍ରକ୍ରିୟାରେ ସହଯୋଗ ପାଇଁ ଆଇଟିଆଇ ପକ୍ଷରୁ ଗୁଜୁରାଟର ‘ରିଚମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ’କୁ ନିଯୁକ୍ତି ଦିଆଯାଇଥିଲା । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ତତକାଳୀନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ମଧ୍ୟ ଏହି ଦୁଇ ସଂସ୍ଥାର ପୂର୍ବ ଅଭିଜ୍ଞତା ଥିବା ତଥା ଓଡ଼ିଶାରେ ପୁଲିସ ପରୀକ୍ଷା ପରିଚାଳନା ଠିକ୍ ଭାବେ ସମ୍ପାଦିତ କରିଥିବାରୁ ସେମାନଙ୍କ ମାଧ୍ୟମରେ ପୁଲିସ ଏସଆଇ ପରୀକ୍ଷା ସମ୍ପାଦନ କରାଇବାକୁ ପରାମର୍ଶ ଦେଇଥିଲେ । ମାତ୍ର ଭିନ୍ନ କାରଣ ଦର୍ଶାଇ ମାତ୍ର ୨୪ଘଣ୍ଟା ପୂର୍ବରୁ ମାର୍ଚ୍ଚ ୮ ଓ ୯ ତାରିଖରେ ଏହି ପରୀକ୍ଷାକୁ ସ୍ଥଗିତ କରାଯିବା ପରେ ଶ୍ରୀ ଉପାଧ୍ୟାୟ ନିଜର ଅସନ୍ତୋଷ ବ୍ୟକ୍ତ କରି ୨୦୨୫ ଏପ୍ରିଲ ୩୦ତାରିଖରେ ଏହି ପଦବୀରୁ ଓହରି ଯାଇଥିଲେ । ଏହାପରେ ଗୃହ ବିଭାଗ ମେ’ ୧୩ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ଆଇପିଏସ୍ ସୁଶାନ୍ତ ନାଥଙ୍କୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ଓ ସେ ମେ’ ୧୪ତାରିଖରୁ ଦାୟିତ୍ୱ ସମ୍ଭାଳିଛନ୍ତି ।
ବେନାମୀ ପିଟିସନ ପରେ ବଦଳିଗଲା ସଂସ୍ଥା
ଗୃହ ବିଭାଗ ସୂତ୍ର ଅନୁସାରେ, ଶ୍ରୀ ନାଥ ବୋର୍ଡର ଅଧ୍ୟକ୍ଷ ହେବାପରେ ‘ରିଚମାଇଣ୍ଡ’ ସଂସ୍ଥା ବିରୁଦ୍ଧରେ ଏକ ବେନାମୀ ପିଟିସନ ଗୃହ ବିଭାଗକୁ ମିଳିଥିଲା । ଏହି ପିଟିସନକୁ ଆଧାର କରି ସେହି ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱରୁ ବାଦ୍ ଦିଆଗଲା । ଆଉ ଭୁବନେଶ୍ୱରର ‘ସିଲିକନ୍ ଟେକଲାବ୍ ପ୍ରାଇଭେଟ୍ ଲିମିଟେଡ’କୁ ପୁଲିସ ଏସଆଇ ପରୀକ୍ଷା ପରିଚାଳନାରେ ଆଇଟିଆଇକୁ ସହଯୋଗ ନିମନ୍ତେ ଅନୁମତି ହାସଲ କଲା । ତେବେ ଏହି ସଂସ୍ଥାର ପୂର୍ବ ଅଭିଜ୍ଞତା ଓ ବିଶ୍ୱସନୀୟତାକୁ କିଏ ଓ କିଭଳି ଯାଂଚ କଲା ତାହା ଜଣାପଡ଼ିନଥିଲେ ମଧ୍ୟ ଗୃହ ବିଭାଗର ଜଣେ ଶୀର୍ଷସ୍ତରୀୟ ଅଫିସରଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ଚାପରେ ‘ସିଲିକନ୍ ଟେକଲାବ’କୁ ପୁଲିସ ଏସଆଇ ନିଯୁକ୍ତିର ପରୀକ୍ଷା ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଥିବା ଚର୍ଚ୍ଚା ହେଉଛି । ଏହି ସଂସ୍ଥାରେ ଜଣେ ପୂର୍ବତନ ପୁଲିସ ଏସପିଙ୍କ ପୁଅ ସକ୍ରିୟ ଭୂମିକା ତୁଲାଉଥିବାବେଳେ ଏକ ଘରୋଇ ବିଶ୍ୱବିଦ୍ୟାଳୟର ମାଲିକଙ୍କ ସମ୍ପର୍କୀୟ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି ।
‘ସରକାରୀ ନିଯୁକ୍ତି ସଂସ୍ଥା’ ଉପରେ ପୁଲିସର ଭରସା ପାଉନି କି
ରାଜ୍ୟରେ ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ କାର୍ଯ୍ୟ କରୁଛି । ପୂର୍ବରୁ ଓଡ଼ିଶା ପୁଲିସ ଏସଆଇ(Odisha Police SI) ନିଯୁକ୍ତି ପରୀକ୍ଷାକୁ ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ ସମ୍ପାଦନ କରୁଥିଲେ । କିନ୍ତୁ ପୂର୍ବ ବିଜେଡି ସରକାର ଏହି ପୁଲିସ ଏସଆଇ ପରୀକ୍ଷାକୁ ‘ଷ୍ଟାଫ ସିଲେକ୍ସନ ଆୟୋଗ’ଠୁ କାଢ଼ି ନେଇ ‘ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ’କୁ ପ୍ରଦାନ କରିଥିଲେ । ଆଉ ଏହି ପୁଲିସ ନିଯୁକ୍ତି ବୋର୍ଡ ପାଖରେ ଏସବୁ ପରୀକ୍ଷା ପାଇଁ କୌଣସି ଆନୁସଙ୍ଗିକ ଭିତ୍ତିଭୂମି ନଥିବା ଏବଂ ତୃତୀୟ ପକ୍ଷ ଉପରେ ନିର୍ଭରଶୀଳ ରହିବା କାରଣରୁ ରାଜ୍ୟ ସରକାର ଓ ଓଡ଼ିଶା ପୁଲିସକୁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି । ତୃତୀୟ ପକ୍ଷ ଉପରେ ନିର୍ଭରଶୀଳ ରହିବା ଦ୍ୱାରା ପରୀକ୍ଷାର ନିରପେକ୍ଷତା ଓ ବିଶ୍ୱସନୀୟତା ଉପରେ ସଙ୍କଟ ସୃଷ୍ଟି ହୋଇଛି ।
ସରକାର ନିରବ କାହିଁକି?
ବାରମ୍ବାର ପରୀକ୍ଷା ବାତିଲ ଯୋଗୁ ଓଡ଼ିଶା ପୁଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି । ଆଉ ଏହି ଚାକିରି ଦୁର୍ନୀତିର ତଦନ୍ତ ନିରପେକ୍ଷ ସଂସ୍ଥା ଦ୍ୱାରା ନକରି କ୍ରାଇମବ୍ରାଂଚ ଭରସାରେ ରାଜ୍ୟ ସରକାର ରହିବା ମଧ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ପୁଲିସ ଓ ସରକାରୀ ଅଫିସରମାନଙ୍କର ଭୂମିକା କ’ଣ ରହିଛି ତା’ର ନିରପେକ୍ଷ ଖୋଳତାଡ଼ ହେଲେ ହିଁ ପ୍ରକୃତ ଦୋଷୀ ଧରାପଡ଼ିବା ସମ୍ଭବପର ହୋଇପାରିବ ବୋଲି କୁହାଯାଉଛି । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପରୀକ୍ଷା ବାରମ୍ବାର ବାତିଲକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସରକାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଏସଆଇ ପାହ୍ୟାର ନିଯୁକ୍ତିକୁ ପୂର୍ବ ଭଳି ସରକାରୀ ନିଯୁକ୍ତି ସଂସ୍ଥା ମାଧ୍ୟମରେ କରାଇବାକୁ ସାଧାରଣରେ ଦାବି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us