Advertisment

Police SI Job scam: ମାଷ୍ଟରମାଇଣ୍ଡଙ୍କୁ ଛାଡ଼ି ପରୀକ୍ଷାର୍ଥୀଙ୍କ ପଛରେ କ୍ରାଇମବ୍ରାଂଚ,ସନ୍ଦେହଘେରରେ ତଦନ୍ତ, କାହିଁକି ନିରବ ଆଇଟିଆଇ ଲିମିଟେଡ୍‌

ପୁଲିସ ଏସଆଇ ପରୀକ୍ଷା ପରିଚାଳନା ପାଇଁ ଚୟନିତ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ‘ଆଇଟିଆଇ ଲିମିଟେଡ୍‌’ କାହିଁକ ଏହି ଅନିୟମିତତା ପ୍ରକରଣକୁ ନେଇ ୪ଦିନ ପରେ ମଧ୍ୟ ମୁହଁ ଖୋଲୁନାହିଁ ତାହା ଏବେ ସନ୍ଦେହଘେରରେ

police-job-scam

Odisha Police job scam

Advertisment

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ବଡ଼ଧରଣର ଅନିୟମିତତା ପଦାକୁ ଆସିବା ପରେ ଏହାପଛରେ କିଛି ନିର୍ଦ୍ଧିଷ୍ଟ ପ୍ରଭାବଶାଳୀ ଅଫିସରମାନଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ରାଜ୍ୟର ପ୍ରତିଷ୍ଠିତ ଓଡ଼ିଶା ପୁଲିସ ସେବା (ଓପିଏସ)ର ଏଂଟ୍ରି ଲେଭଲ୍ ପରୀକ୍ଷାର ୯୩୩ଟି ଏସଆଇ ପଦବୀ ପୂରଣ ଦାୟିତ୍ୱ ୩ରୁ ୪ଟି ପର୍ଯ୍ୟାୟରେ ଘରୋଇ ସଂସ୍ଥା ଉପରେ ଛାଡ଼ି ଦେଇ ବସିଯିବା ପଛରେ କେଉଁମାନେ ସମ୍ପୃକ୍ତ ଓ ଏସବୁ ପଦବୀର ‘ବଜାର ଦର’ ନିର୍ଦ୍ଧାରଣ ପଛର ‘ମାଷ୍ଟରମାଇଣ୍ଡ’ କିଏ ତା’ର ଖୋଳତାଡ଼ ନକରି ପୁଲିସ ଏବେ ନିଜର ପାପ ଧୋଇବା ପାଇଁ ୧୧୪ଜଣ ଚାକିରି ଆଶାୟୀଙ୍କ ନାଁରେ ମାମଲା ରୁଜୁ କରି ସେମାନଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା।

Advertisment

ଏପଟେ ବିଧିବଦ୍ଧ ପ୍ରକ୍ରିୟାରେ ପୁଲିସ ଏସଆଇ ପରୀକ୍ଷା ପରିଚାଳନା ପାଇଁ ଚୟନିତ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ‘ଆଇଟିଆଇ ଲିମିଟେଡ୍‌’ କାହିଁକ ଏହି ଅନିୟମିତତା ପ୍ରକରଣକୁ ନେଇ ୪ଦିନ ପରେ ମଧ୍ୟ ମୁହଁ ଖୋଲୁନାହିଁ ତାହା ଏବେ ସନ୍ଦେହଘେରରେ ।

ଆରମ୍ଭରୁ ଷଡ଼ଯନ୍ତ୍ରର ଗନ୍ଧ, କିଏ ଚୂଡ଼ାନ୍ତ କରିଥିଲା ଆଉଟସୋର୍ସଂ କମ୍ପାନୀ


ଗୃହ ବିଭାଗର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଓଡ଼ିଶା ପୁଲିସର ୯୩୩ଟି ଏସଆଇ ପାହ୍ୟାର ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିବା ପରଠୁ ହିଁ ଅସାଧୁ ଗୋଷ୍ଠୀ ସକ୍ରିୟ ହୋଇପଡ଼ିଥିଲେ । ୨୦୨୫ ମାର୍ଚ୍ଚ ୮ ଓ ୯ତାରିଖରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇ ଏହାକୁ ଦିନକ ପୂର୍ବରୁ(ମାର୍ଚ୍ଚ ୭) ବାତିଲ କରି ଦିଆଯିବା, କେନ୍ଦ୍ରୀୟ ଉଦ୍ୟୋଗ ‘ଆଇଟିଆଇ ଲିମିଟେଡ’ ନିଜର ସହଯୋଗୀ ସଂସ୍ଥା ଗୁଜୁରାଟର ‘ରିଚମାଇଣ୍ଡସ୍ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ’କୁ ପରୀକ୍ଷା ପରିଚାଳନା ପ୍ରକ୍ରିୟାରୁ ବାଦ୍ ଦେବା ଏବଂ ଏପ୍ରିଲ ୩୦ ତାରିଖରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟ ନିଜ ଆଡ଼ୁ ଓହରିଯିବା ଘଟଣା ହିଁ ଏହି ଷଡ଼ଯନ୍ତ୍ର ସନ୍ଦେହକୁ ବଳିଷ୍ଠ କରିଥିବା ଚର୍ଚ୍ଚା ହେଉଛି ।

Advertisment


 ‘ରିଚମାଇଣ୍ଡସ’କୁ ବିଦା କରି ଭୁବନେଶ୍ୱରର ‘ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ’କୁ ପରୀକ୍ଷା ପରିଚାଳନା ନିମନ୍ତେ ଆଇଟିଆଇ ଲିମିଟେଡ୍ ସହଯୋଗୀ ଭାବେ ଚୟନ କରିଥିଲା । ଏହି ସିଲିକନ୍ ସଂସ୍ଥାର ପୂର୍ବ ଅଭିଜ୍ଞତା ଓ ବିଶ୍ୱସନୀୟତାକୁ କିଏ ଯାଂଚ କରିଥିଲା ତଥା ବାରମ୍ବାର ସହଯୋଗୀ ପରିବର୍ତ୍ତନ କରୁଥିବା ‘ଆଇଟିଆଇ ଲିମିଟେଡ’କୁ କାହିଁକି ଏଭଳି କରିବାକୁ ସୁଯୋଗ ଦିଆଗଲା ତାହା ବି ସନ୍ଦେହଘେରରେ । ଗୃହ ବିଭାଗ ଓ ପୁଲିସର ବିନାନୁମତିରେ ‘ସିଲିକନ୍ ଟେକଲାବ’ର ଏଂଟ୍ରି ସମ୍ଭବପର ନୁହେଁ ବୋଲି ଜଣାପଡ଼ିଛି । କମ୍ପାନୀ ପ୍ରୋଫାଇଲ୍ ଅନୁସାରେ ଏହି ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଭାବେ ସୁରେଶ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ ମହାନ୍ତି, ସମୀର କୁମାର ରଥ, ଶାଶ୍ୱତୀ ମିଶ୍ର ଏବଂ ଏସ ଭି ଏରାଙ୍କି ରହିଛନ୍ତି ।


 ଏହି ସଂସ୍ଥାର ଏଂଟ୍ରି ପରେ ପୁଲିସ ଏସଆଇ ପରୀକ୍ଷା ଅକ୍ଟୋବର ୫ ଓ ୬ତାରିଖରେ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ମାତ୍ର ୨୯ତାରିଖରେ ଶ୍ରୀକାକୁଲମ୍ ଠାରେ ୩ଟି ବସରେ ଯାଉଥିବା ପରୀକ୍ଷାର୍ଥୀମାନଙ୍କୁ ଆନ୍ଧ୍ରପ୍ରଦେଶ ପୁଲିସ ଅଟକ ରଖି ବ୍ରହ୍ମପୁର ପୁଲିସକୁ ହସ୍ତାନ୍ତର କରିବା ପରେ ‘ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା’ ପଛରେ ବଡ଼ଧରଣର ର‌୍ୟାକେଟ୍ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଭୂମିକା ରହିଥିବା ଧୀରେଧୀରେ ପଦାକୁ ଆସିବାରେ ଲାଗିଛି ।


ଧରାପକାଇଲା ଅଜଣା ବ୍ୟକ୍ତିର ଫୋନ କଲ ଓ ହ୍ୱାଟଅସପ୍ ମେସେଜ୍‌


ସୂତ୍ର ଅନୁସାରେ, ସେପ୍ଟେମ୍ବର ୨୯ତାରିଖରେ ବରମୁଣ୍ଡାରୁ ୩ଟି ବସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୧୪ଜଣ ପୁଲିସ ଏସଆଇ ପରୀକ୍ଷାର୍ଥୀଙ୍କୁ ବିଜୟନଗରମ ନିଆଯାଉଥିବା ସମ୍ପର୍କରେ କେହିଜଣେ ଅଜଣା ବ୍ୟକ୍ତି ଆନ୍ଧ୍ରପ୍ରଦେଶ ପୁଲିସକୁ ଖବର ଦେଇଥିଲେ । ଆଉ  ରାଜ୍ୟ ପ୍ରଶାସନର ଜଣେ ଶୀର୍ଷ ପଦାଧିକାରୀଙ୍କୁ ଏକ ହ୍ୱାଟଅସପ୍ ମେସେଜ୍ ଆସିଥିଲା । ନୟାଗଡ଼ ଅଂଚଳର ଜଣେ ଆଡଭୋକେଟ୍ ଏହି ମେସେଜ୍ ପଠାଇ ‘ପଂଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ’ର ମାଲିକ ଶଙ୍କର ପୃଷ୍ଟି ଏବଂ ‘ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ’ର ବିଜିନେସ୍ ଆନାସିଲିଷ୍ଟ ହିମାଂଶୁ ଶେଖର ଦାଶଙ୍କ ଦ୍ୱାରା ପୁଲିସ ଏସଆଇ ନିଯୁକ୍ତିରେ  ଜାଲିଆତି କରାଯାଉଥିବା ସମ୍ପର୍କରେ ବିଧିବଦ୍ଧ ସୂଚନା ଦେଇଥିଲା । ସେପଟେ ଶ୍ରୀକାକୁଲମରେ ଏହି ପରୀକ୍ଷାର୍ଥୀମାନଙ୍କୁ ଆନ୍ଧ୍ର ପୁଲିସ ରାତି ପ୍ରାୟ ୮-୯ଟା ମଧ୍ୟରେ ଅଟକ ରଖି ବ୍ରହ୍ମପୁର ପୁଲିସକୁ ଖବର ଦେବା ପରେ ଏହି ଜାଲିଆତିର ମାଷ୍ଟରମାଇଣ୍ଡମାନେ ଅଚାନକ ସକ୍ରିୟ ହୋଇପଡ଼ିଥିଲେ ।


ସରକାରୀ ନିଯୁକ୍ତି ସଂସ୍ଥା ଛାଡ଼ି ବିବାଦୀୟ ଆଉଟସୋର୍ସିଂ କମ୍ପାନୀ ?


ସୂଚନା ଅନୁସାରେ ପୁଲିସ ଏସଆଇ ପରୀକ୍ଷା ପରିଚାଳନା ପାଇଁ ଓପିଆରବି(ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ) ପକ୍ଷରୁ କେନ୍ଦ୍ରୀୟ ଉଦ୍ୟୋଗ ଆଇଟିଆଇ ଲିଃକୁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ସମ୍ପୃକ୍ତ ସଂସ୍ଥା ‘ସିଲିକନ୍ ଟେକଲାବ’କୁ ଆଉଟସୋର୍ସିଂରେ ଏହି ପରୀକ୍ଷାକୁ ଟେକି ଦେଇଥିଲା । ଆଉ ଶେଷ ଖବର ଅନୁସାରେ ସିଲିକନ୍ ମଧ୍ୟ ପରୀକ୍ଷାରେ ସହଯୋଗ ପାଇଁ ବ୍ରହ୍ମପୁରର ‘ପଂଚସଫ୍ଟ ଟେକ୍ନୋଲୋଜି’କୁ ଦାୟିତ୍ୱ ଦେଇଥିଲା । କ୍ରାଇମବ୍ରାଂଚ ଗତକାଲି ଏହି ସଂସ୍ଥା ସହ ଜଡ଼ିତ କବିସୂର୍ଯ୍ୟନଗରର ମାଧବ ନାୟକଙ୍କୁ ଉଠାଇ ଆଣିବା ପରେ ‘ପଂଚସଫ୍ଟ’ ଏହି ପ୍ରକ୍ରିୟାରେ ଜଡ଼ିତ ଥିବା ମଧ୍ୟ ପଦାକୁ ଆସିଛି । ରାଜ୍ୟର ୩ଟି ପ୍ରମୁଖ ସରକାରୀ ନିଯୁକ୍ତି ସଂସ୍ଥା ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ ସିଲେକ୍ସନ ଆୟୋଗ ଓ ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ସଂସ୍ଥା ଥାଉଥାଉ ଓପିଆରବି କାହିଁକି ବିଭିନ୍ନ ପର୍ଯ୍ୟାୟରେ ଏହି ବିବାଦୀୟ ସଂସ୍ଥାଗୁଡ଼ିକ ହାତରେ ଓଡ଼ିଶା ପୁଲିସ ପରୀକ୍ଷା(Odisha Police Exam)କୁ ଟେକି ଦେଇଥିଲା ତାହା ମଧ୍ୟ ସନ୍ଦେହଘେରରେ । ଏକ ବେନାମୀ ପିଟିସନକୁ ଆଳ କରି ‘ରିଚମାଇଣ୍ଡସ’କୁ ବିଦା କରାଯାଇଥିବା ଓ ‘ସିଲିକନ’କୁ ଏଂଟ୍ରି ଦିଆଯାଇଥିବା ଚର୍ଚ୍ଚା ହେଉଛି ।


ଦିନକ ପରେ କ୍ରାଇମବ୍ରାଂଚର ଏଂଟ୍ରି, ପରୀକ୍ଷାର୍ଥୀ ‘ଅଭିଯୁକ୍ତ’ କାହିଁକି


ଓଡ଼ିଶା ପୁଲିସ (Odisha police) ଏସଆଇ ନିଯୁକ୍ତି ଅନିୟମିତତାକୁ ଖୋଦ୍ ଓଡ଼ିଶା ପୁଲିସ ଧରିଛି ବୋଲି ଏବେ ଚିତ୍ର ଦେବାକୁ ପ୍ରୟାସ ହେଉଛି । ମାତ୍ର ସୂତ୍ର ଅନୁସାରେ, ବାସ୍ତବତା ଭିନ୍ନ । ଏହି ପରୀକ୍ଷାର୍ଥୀମାନେ ଧରାପଡ଼ିବା ପରେ ହିଁ କ୍ରାଇମବ୍ରାଂଚକୁ ସୂଚନା ଦିଆଯାଇଥିଲା । ଆଉ ଦିନକ ପରେ ଏହି ମାମଲାରେ କ୍ରାଇମବ୍ରାଂଚ ଏଂଟ୍ରି ମାରିଛି । କିନ୍ତୁ ଯେଉଁ ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ପୁଲିସ ଗିରଫ କରିଛି ସେମାନଙ୍କୁ ‘ରାଜସାକ୍ଷୀ’ ନକରି ‘ଅଭିଯୁକ୍ତ’ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ସମଗ୍ର ଅନିୟମିତତାର ‘ମାଷ୍ଟରମାଇଣ୍ଡ’ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଖସାଇ ଦେବା ପାଇଁ ପରୀକ୍ଷାର୍ଥୀମାନଙ୍କୁ ‘ଅଭିଯୁକ୍ତ’ କରାଯାଇଥିବା ଚର୍ଚ୍ଚା ହେଉଛି।


ବିବାଦରେ ଆଇଟିଆଇ ଲିମିଟେଡ୍ ଓ ଆଉଟସୋର୍ସିଂ କମ୍ପାନୀ


ଗୌହ୍ୱାଟି ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳନାରେ ‘ଆଇଟିଆଇ ଲିଃ’ର ବିବାଦୀୟ ଭୂମିକା ୨୦୨୪ ମସିହାରେ ଲୋକଲୋଚନକୁ ଆସିଥିବା ସତ୍ତ୍ୱେ କାହିଁକି ତାହା ଉପରେ ଓଡ଼ିଶା ପୁଲିସ ଭରସା କଲା ଏବଂ ସେହି ସଂସ୍ଥା ଦ୍ୱାରା ବାରମ୍ବାର ନିଜର ପାର୍ଟନର ପରିବର୍ତ୍ତନକୁ ରାଜ୍ୟ ପ୍ରଶାସନରେ କିଏ କେଉଁସ୍ତରରେ ଅନୁମୋଦନ କରୁଥିଲା ତାହା ମଧ୍ୟ ସନ୍ଦେହଘେରେ । ଏହି ସମଗ୍ର ପ୍ରକରଣରେ ରାଜ୍ୟ ସରକାରଙ୍କ ନିରବତା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ସେହି ବଡ଼ବଡ଼ିଆ ‘ମାଷ୍ଟରମାଇଣ୍ଡମାନଙ୍କୁ ଛୁଇଁବା ମଧ୍ୟ ସମ୍ଭବପର ନୁହେଁ ବୋଲି ଚର୍ଚ୍ଚା ହେଉଛି । ଭୁବନେଶ୍ୱରର ‘ସିଲିକନ’ଓ ବ୍ରହ୍ମପୁରର ‘ପଂଚସଫ୍ଟ’ କମ୍ପାନୀର ଭୂମିକା କ’ଣ ଥିଲା ସେମାନଙ୍କର ଅଧିକାରୀମାନେ ଏବେ କେଉଁଠି, କାହିଁକି ସେମାନଙ୍କୁ ଜେରା କରାଯାଉ ନାହିଁ ତାହା ବି ସନ୍ଦେହଘେରରେ ।  ଚର୍ଚ୍ଚା ହେଉଛି ପ୍ରାୟ ୬୦୦ ପିଲାଙ୍କୁ ଚାକିରି ଲୋଭ ଦେଖାଯାଇ ପ୍ରାୟ ୧୫୦କୋଟି ଟଙ୍କା ଆଦାୟ(ଜଣ ପିଛା ୨୫ଲକ୍ଷ ଟଙ୍କା) କରାଯିବାକୁ କସରତ ଚାଲିଥିଲା । 


ପରୀକ୍ଷାର୍ଥୀଙ୍କୁ ମାନସିକ ଯନ୍ତ୍ରଣା, ଟଙ୍କା ଦେବ କିଏ


୨୦୨୫ ଜାନୁୟାରୀ ୧୮ତାରିଖରେ ଓଡ଼ିଶା ପୁଲିସର ୪୭ଟି ଫାୟାର ଷ୍ଟେସନ ଅଫିସର ଓ ୨୪ଟି ଆସିଷ୍ଟାଣ୍ଟ ଜେଲର ପଦବୀ ସମେତ ମୋଟ ୯୩୩ଟି ଏସଆଇ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଏଥିପାଇଁ ପ୍ରାୟ ୧.୫୩ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ପ୍ରଥମେ ମାର୍ଚ୍ଚ ଓ ଏବେ ଅକ୍ଟୋବର ମାସରେ ପ୍ରସ୍ତାବିତ ପରୀକ୍ଷାକୁ ବାତିଲ କରାଯିବା ଯୋଗୁ ରାଜକୋଷର ପ୍ରାୟ ୬-୭କୋଟି ଟଙ୍କା(ପ୍ରଶ୍ନପତ୍ର ଛପା ଓ ଅନ୍ୟାନ୍ୟ ପ୍ରସ୍ତୁତିରେ) କ୍ଷତି ହୋଇଛି । ହଜାର ହଜାର ମେଧାବୀ ପରୀକ୍ଷାର୍ଥୀଙ୍କୁ ମଧ୍ୟ ମାନସିକ ଯନ୍ତ୍ରଣା ଭିତରକୁ ଠେଲି ଦିଆଯାଇଛି । ଗତ କିଛିମାସ ତଳେ ଉତ୍ତରାଖଣ୍ଡର ବିଜେପି ସରକାର ସେଠାର ପୁଲିସ ଏସଆଇ ପରୀକ୍ଷା ଅନିୟମିତତାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିବାବେଳେ ଓଡ଼ିଶା(Odisha) ସରକାର କାହିଁକି ‘ଓଡ଼ିଶା ପୁଲିସ’ର ପାପ ଖୋଜିବା କାର୍ଯ୍ୟରେ ସେହି ‘ଓଡ଼ିଶା ପୁଲିସ’କୁ ଲଗାଇଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Odisha Police Job Scam Odisha Police Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe