Police SI exam Scam
ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ୧୧୪ଜଣ ପରୀକ୍ଷାର୍ଥୀ ଠିକ୍ ମାସକ ପରେ ଆଜି ଜାମିନରେ ମୁକୁଳିଛନ୍ତି । ମାତ୍ର ଏହି ନିଯୁକ୍ତି ଦୁର୍ନୀତିର ସିଣ୍ଡିକେଟ୍ ସହ ଜଡ଼ିତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଛୁଇଁବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଆଜିପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିବିଆଇ ତଦନ୍ତ ଘୋଷଣା କରିବା ପରେ ମଧ୍ୟ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ପ୍ରଶାସନ ୫ଦିନ ସମୟ ନେଲା।
ସିବିଆଇ ତଦନ୍ତ ଆରମ୍ଭ କରିବାରେ ବିଳମ୍ବର ଫାଇଦା ଉଠାଇ ଏହି ନିଯୁକ୍ତି ପରୀକ୍ଷା ଅନିୟମିତତା ସହ ଜଡ଼ିତ ବରିଷ୍ଠ ଅଫିସରମାନଙ୍କ ସମେତ ଆଇଟିଆଇ ଲିମିଟେଡ୍, ସିଲିକନ୍ ଓ ପଂଚସଫ୍ଟ କମ୍ପାନୀର ପଦାଧିକାରୀମାନେ ମଧ୍ୟ ନିଜର ସମ୍ପୃକ୍ତିର ପ୍ରମାଣଗୁଡ଼ିକୁ ନଷ୍ଟ କରିବାରେ ଲାଗି ପଡ଼ିଥିବା ଚର୍ଚ୍ଚା ହେଉଛି ।
ଆରମ୍ଭରୁ କ୍ରାଇମବ୍ରାଂଚ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲେ ମଧ୍ୟ ଅସଲ ଦୋଷୀଙ୍କ ପାଖରେ ପହଂଚି ନପାରିବା ନାକେବଳ ରାଜ୍ୟ ସରକାର ବରଂ କ୍ରାଇମବ୍ରାଂଚର ପାରିବାପଣିଆ ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରୀକ୍ଷାର୍ଥୀଙ୍କଠୁ କୋଟିକୋଟି ଟଙ୍କା ଲୁଟି ନେଇଥିବା ଅସଲ ମାଷ୍ଟରମାଇଣ୍ଡ ଓ ‘ସିଣ୍ଡିକେଟ’କୁ ପ୍ରଶାସନିକ ସୁରକ୍ଷା ମିଳୁଛି ବୋଲି ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି ।
ଜାମିନ ପରେ ପ୍ରଶ୍ନବାଚୀ: କାହାକୁ ସୁରକ୍ଷା ଦେଉଥିଲା କ୍ରାଇମବ୍ରାଂଚ?
ଦୀର୍ଘ ଏକମାସ ଧରି ଜେଲରେ ରହିବା ପରେ ୧୧୪ ଜଣ ଅଭିଯୁକ୍ତ ପରୀକ୍ଷାର୍ଥୀ ଜାମିନରେ ମୁକୁଳିଛନ୍ତି, ଅନ୍ୟ ୯ଜଣ ଦଲାଲ ଓ ସହଯୋଗୀଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି । କ୍ରାଇମବ୍ରାଂଚ ଦ୍ୱାରା ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଯେଉଁ ରିପୋର୍ଟ ଦାଖଲ କରାଯାଇଛି ତାହା ହିଁ ତଦନ୍ତର ବେପରୁୱା ଦିଗକୁ ପ୍ରମାଣିତ କରାଇଥିବା ପରୀକ୍ଷାର୍ଥୀମାନଙ୍କ ଓକିଲମାନେ ସ୍ପଷ୍ଟ କରିଛନ୍ତି ।
ଚାକିରି ଆଶାୟୀ ଯୁବକଯୁବତୀମାନଙ୍କୁ ପ୍ରଥମଦିନରୁ ଅପରାଧୀ ସଜାଇବା ସହ ଜେଲ୍ ପଠାଇ ଦେଇଥିବା କ୍ରାଇମବ୍ରାଂଚ ଖୋଲାଖୋଲି ଭାବେ ସେମାନଙ୍କଠୁ ଟଙ୍କା ଲୁଟକାରୀ (ଲାଂଚ ନେଇଥିବା) ବ୍ୟକ୍ତିମାନଙ୍କୁ ସମ୍ପର୍କିତ ତଥ୍ୟକୁ ପଦାକୁ ଆସିବାରେ ବାଧକ ସାଜିଥିଲା ବୋଲି ଚର୍ଚ୍ଚା ହେଉଛି । ବିଗତ ଏକମାସ ମଧ୍ୟରେ କ୍ରାଇମବ୍ରାଂଚର ତଦନ୍ତର ଗତି ଏଭଳି ଦିଶାହୀନ ଭାବେ ଆଗେଉଥିଲା ଯେ, ନିଯୁକ୍ତି ଜାଲିଆତି ସିଣ୍ଡିକେଟ୍ ସହ ଜଡ଼ିତ ବଡ଼ମୁଣ୍ଡମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସେମାନଙ୍କ ପାଖ ମାଡ଼ିବାକୁ ମଧ୍ୟ ସକ୍ଷମ ହୋଇନଥିବା ଜଣାପଡ଼ିଛି । କେବଳ ତଳସ୍ତରର ଦଲାଲଙ୍କୁ ଧରି ନିଜର ପାରିବାପଣିଆ ଦେଖାଇଥିଲା କ୍ରାଇମବ୍ରାଂଚ ।
ଆଉ ଏହି ପରୀକ୍ଷା ଟେଣ୍ଡର ସହ ଜଡ଼ିତ ୨ଟି ଘରୋଇ କମ୍ପାନୀ ସିଲିକନ୍ ଟେକଲାବ ଓ ପଂଚସଫ୍ଟ ସମେତ ଓପିଆରବି ଓ ଗୃହ ବିଭାଗର ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ ନକରି କ୍ରାଇମବ୍ରାଂଚ ଉଦ୍ଦେଶ୍ୟମୂଳକ ଭାବେ କୋହଳ ଆଭିମୁଖ୍ୟ ପୋଷଣ କରିଥିଲା ବୋଲି ଅଭିଯୋଗ ହେଉଛି । ଯଦିଓ ଏହି ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ଗୃହ ସଚିବ ସତ୍ୟବ୍ରତ ସାହୁ ଓ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ସମେତ ସିଲିକନ୍ ମୁଖ୍ୟ ସୁରେଶ କୁମାର ନାୟକଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ନିର୍ଦ୍ଦିଷ୍ଟ ଭାବେ ଦାବି କରିଆସୁଥିଲେ ।
ଚର୍ଚ୍ଚା ହେଉଛି, ଶଙ୍କର ପୃଷ୍ଟିଙ୍କର ସିଧାସଳଖ ସମ୍ପୃକ୍ତି ଗୃହ ବିଭାଗର ଜଣେ ବରିଷ୍ଠ ଅଫିସରଙ୍କ ସହ ରହିଛି ଓ ଉଭୟଙ୍କ ମଧ୍ୟରେ ହ୍ୱାଟସଅପରେ ବାର୍ତ୍ତା ବିନିୟମ ମଧ୍ୟ ହୋଇଥିଲା । ଏବେ ଶଙ୍କର ପୃଷ୍ଟି ଫେରାର ଅଛି ନା ତାକୁ ଜାଣିଶୁଣି ଗିରଫ କରାଯାଉନାହିଁ ତାହାବି ସନ୍ଦେହଘେରରେ ।
୫ଦିନର ବିଳମ୍ବ ଓ ହାଇକୋର୍ଟ ଚାପ: କାହିଁକି ଆସିଲା ତରବରିଆ ସିବିଆଇ ବିଜ୍ଞପ୍ତି
ସେପ୍ଟେମ୍ବର ୨୯ତାରିଖରେ ନିଯୁକ୍ତି ପରୀକ୍ଷା ଅନିୟମିତତା( Odisha Police SI Exam Scam) ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୬ତାରିଖରେ ନୂଆପଡ଼ାଠାରେ ଏକ ସାଧାରଣ ସଭାରେ କାହାରିକୁ ଛଡ଼ାଯିବ ନାହିଁ କହି ନିଜର କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ଏପରିକି କ୍ରାଇମବ୍ରାଂଚ ତଦନ୍ତର ଗତିକୁ ଦେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅକ୍ଟୋବର ୨୨ତାରିଖରେ ମାମଲା ସିବିଆଇ (CBI) କୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନେଲେ । ତାଙ୍କ କାର୍ଯ୍ୟାଳୟ ମଧ୍ୟ ଏନେଇ ବିଧିବଦ୍ଧ ସୂଚନା ଦେଲା ।
କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ୫ଦିନ ସମୟ ଲାଗିଗଲା । ଅକ୍ଟୋବର ୨୭ତାରିଖରେ ହାଇକୋର୍ଟରେ ଏସଂକ୍ରାନ୍ତ ଜନସ୍ୱାର୍ଥ ମାମଲାର ଶୁଣାଣି ଥିବା ଦେଖି ସେହିଦିନ ସକାଳେ ତରବରିଆ ଭାବେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ନମ୍ବର-୩୬୧୬୯/୨୦୨୫ ଜାରି କରାଗଲା । ଏହାସହିତ ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଦିଲ୍ଲୀ ପୁଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ-୧୯୪୬ର ଧାରା -୬ ଅନ୍ତର୍ଗତ ବିଜ୍ଞପ୍ତି ଜାରି କରି ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଥିବା ନେଇ ମଧ୍ୟ ହାଇକୋର୍ଟଙ୍କୁ ସୂଚିତ କରାଗଲା ।
ତେବେ ପ୍ରାବଧାନ ଅନୁସାରେ, କେନ୍ଦ୍ର ସରକାର ଦିଲ୍ଲୀ ପୁଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ-୧୯୪୬ର ଧାରା-୫ ଅନ୍ତର୍ଗତ ବିଜ୍ଞପ୍ତି ଜାରି ନକଲେ ସିବିଆଇ ମାମଲାର ତଦନ୍ତ ଭାର ଗ୍ରହଣ କରିପାରିବ ନାହିଁ । ସିବିଆଇ ତଦନ୍ତ ଆରମ୍ଭରେ ଯେତେ ବିଳମ୍ବ ହେବ ଦୁର୍ନୀତି ସିଣ୍ଡିକେଟ ସହ ଜଡ଼ିତ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ସମ୍ପୃକ୍ତିର ପ୍ରମାଣକୁ ନଷ୍ଟ କରିବାର ସେତେ ସୁଯୋଗ ପାଇବେ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବେ ବୋଲି କହି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିଲେ ମଧ୍ୟ ଅକ୍ଟୋବର ୨୨ରେ ତାଙ୍କର ବିଧିବଦ୍ଧ ଘୋଷଣା ପରେ ବି ରାଜ୍ୟ ପ୍ରଶାସନିକ କଳ କାହିଁକି ବିଜ୍ଞପ୍ତି ଜାରି ନିମନ୍ତେ ୫ଦିନ ସମୟ ଗଡ଼ାଇଲା ଓ ଏହା ପ୍ରଶାସନିକ ଆବଶ୍ୟକତା ନା ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା ବୋଲି ଏବେ ପାୱାର କରିଡରରେ ଚର୍ଚ୍ଚା ହେଉଛି ।
ଆଇଟିଆଇ-ସିଲିକନ୍ ଚୁକ୍ତି: କାହା ଚାପରେ ବଦଳିଥିଲା ପାର୍ଟନର,ବାତିଲ ହେଉନି ଚୁକ୍ତି
ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୯୩୩ଟି ପୁଲିସ ଏସଆଇ ପଦବୀ ନିମନ୍ତେ ଓଡ଼ିଶା ପୁଲିସ ୨୦୨୪ ସେପ୍ଟେମ୍ବର ୨୭ତାରିଖରେ ବିଧିବଦ୍ଧ ଟେଣ୍ଡର ଜାରି କରିଥିଲା । ଆଇଟିଆଇ ଲିମିଟେଡ୍ ଓ ଟିସିଆଇଏଲ୍ ନାମକ ଦୁଇଟି କମ୍ପାନୀ ଟେକିନକାଲ ବିଡିଂ ପ୍ରକ୍ରିୟାରେ ସଫଳ ହେବାପରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରାଜ୍ୟସ୍ତରୀୟ କ୍ରୟ କମିଟି ୨୦୨୪ ଡିସେମ୍ବର ୧୧ତାରିଖରେ ଆଇଟିଆଇ ଲିମିଟେଡକୁ ପ୍ରତ୍ୟେକ ଆବେଦନ ପିଛା ୨୪୫ଟଙ୍କା ଓ ଜିଏସଟି ହିସାବରେ ପରୀକ୍ଷା ପରିଚାଳନା ନିମନ୍ତେ ଏଣ୍ଡଟୁଏଣ୍ଡ ସେବା ପ୍ରଦାନ ନିମନ୍ତେ ଚୟନ କରିଥିଲା ।
ଆଉ ଏହି ପରୀକ୍ଷା ପରିଚାଳନା ପାଇଁ ଆଇଟିଆଇ ଲିମିଟେଡ୍ ନିଜର ପାର୍ଟନର ଚୟନ ନିମନ୍ତେ ୨୦୨୪ ଅକ୍ଟୋବର ୧୫ ଏବଂ ୨୦୨୫ ଜୁନ୍ ୧୨ରେ ଟେଣ୍ଡର ଡାକି ବାତିଲ କରିବା ପରେ ପୁଣିଥରେ ୨୦୨୫ ଜୁଲାଇ ୯ତାରିଖରେ ଟେଣ୍ଡର ଡାକି ସିଲିକନ ଟେକଲାବକୁ ନିଜର ପାର୍ଟନର ଭାବେ ଚୟନ କରିଥିଲା । ତେବେ ଚଳିତବର୍ଷ ମାର୍ଚ୍ଚ ୮ ଓ ୯ତାରିଖରେ ନିର୍ଦ୍ଧାରିତ ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରାଯିବା ପରେ ଓପିଆରବିର ତତକାଳୀନ ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ ନିଜର କାର୍ଯ୍ୟକାଳ ବର୍ଷେ ଥାଇ ସୁଦ୍ଧା ଏପ୍ରିଲ ୩୦ତାରିଖରେ ଇସ୍ତଫା ଦେଇ ପଳାଇଥିଲେ ।
୨୦୨୫ ମେ’ ୧୩ତାରିଖରେ ସୁଶାନ୍ତ ନାଥଙ୍କୁ ଓପିଆରବି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ତା’ପରେ ସିଲିକନ୍ ଟେକଲାବ ଓ ପଂଚସଫ୍ଟ କମ୍ପାନୀର ଏଂଟ୍ରି ହୋଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଆଇଟିଆଇକୁ ନିଜର ପାର୍ଟନର ପରିବର୍ତ୍ତନ ପାଇଁ କିଏ ବାଧ୍ୟ କରୁଥିଲା ଓ କାହା ନିର୍ଦ୍ଦେଶରେ ସେ ନିଜର ପାର୍ଟନର ଚୟନ କରୁଥିଲା ଓ ସେସବୁ ସଂସ୍ଥାର ବିଶ୍ୱସନୀୟତା କ’ଣ ରହିଥିଲା ତାକୁ ଖୋଳତାଡ଼ କରିବାକୁ କ୍ରାଇମବ୍ରାଂଚ ସକ୍ଷମ ହୋଇନାହିଁ । ଯଦିଓ ଓପିଆରବିର ଅକ୍ଟୋବର ୯ତାରିଖ ବୈଠକ ବିବରଣୀରେ ପଂଚସଫ୍ଟକୁ ପରୀକ୍ଷା ପ୍ରକ୍ରିୟାରୁ ବାଦ୍ ଦେବା ନିର୍ଦ୍ଦେଶକୁ ସିଲିକନ ଅନୁପାଳନ କରିଥିବା ଉଲ୍ଲେଖ ରହିଛି ।
ଏତେ ସବୁ ପରେ ମଧ୍ୟ ଏହି ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତ ଚୁକ୍ତିକୁ କାହିଁକି ଓଡ଼ିଶା ପୁଲିସ ବାତିଲ କରୁନାହିଁ ଓ ଏହାପଛରେ କ’ଣ ରହସ୍ୟ ରହିଛି ତାହା ଏବେବି ସନ୍ଦେହଘେରରେ । ଏହାସହିତ ୯୩୩ଟି ଏସଆଇ ପଦବୀ ପାଇଁ ୧.୫୩ଲକ୍ଷ ଚାକିରି ଆଶାୟୀ ଆବେଦନକାରୀଙ୍କ ଭାଗ୍ୟ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us