Advertisment

Police SI Scam : ‘ସିଲିକନ୍‌’କୁ କିଏ ଦେଉଛି ସୁରକ୍ଷା,କେବଳ ‘ଚୁକ୍ତି’ ବାତିଲ କଲେ , କାହିଁକି କଲେନି ବ୍ଲାକଲିଷ୍ଟ୍?

ସିଲିକନ୍ ମାଲିକ ସୁରେଶ ଚନ୍ଦ୍ର ନାୟକ ଗିରଫ ହୋଇ ଜେଲରେ ଥିବା ସତ୍ତ୍ୱେ ଏହାକୁ ‘କଳାତାଲିକାଭୁକ୍ତ’ ବା ବ୍ଲାକଲିଷ୍ଟ କାହିଁକି କରାଗଲା ନାହିଁ , କେବଳ ଟର୍ମିନେଟ୍ କରିବା ଦ୍ୱାରା ସିଲିକନ୍ ପୁଣିଥରେ ନିଜର କେଳେଙ୍କାରୀର ପସରା ମେଲାଇବା ମାର୍ଗ ପ୍ରଶସ୍ତ ହେବାର ଆଶଙ୍କା ରହିଛି ।

author-image
Prakash Sethi
IAS----

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ସମ୍ପୃକ୍ତ ‘ସିଲିକନ୍ ଟେକଲ୍ୟାବ’ କମ୍ପାନୀକୁ ରାଜ୍ୟ ସରକାର ବୁଧବାର ନିଜର  ‘ଏମ୍ପାନେଲମେଂଟ’ ତାଲିକାରୁ ହଟାଇ ଦେଇଛନ୍ତି । ତେବେ ଲକ୍ଷଲକ୍ଷ ଚାକିରି ଆଶାୟୀଙ୍କ ଭବିଷ୍ୟତ ସହ ଖେଳିଥିବା ମାତ୍ର ଏହି କମ୍ପାନୀକୁ କାହିଁକି ‘କଳା ତାଲିକାଭୁକ୍ତ ବା ବ୍ଲାକଲିଷ୍ଟ’ କରାଗଲା ନାହିଁ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଭାବେ ସିଲିକନ୍ କମ୍ପାନୀର ମାଲିକ ସୁରେଶ ଚନ୍ଦ୍ର ନାୟକ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ତାଙ୍କର କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ରାଜ୍ୟ ସରକାର ପଛାଇନଥିବା ଚର୍ଚ୍ଚା ହେଉଛି ।

Advertisment

‘ସିଲିକନ’କୁ ‘ତାଲିକାଭୁକ୍ତ’ କରାଇଥିଲେ ଆଇଟି ସଚିବ ମନୋଜ ମିଶ୍ର

ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଦ୍ୱାରା ବୁଧବାର ଦିନ ଜାରି ବିଜ୍ଞପ୍ତି ଅନୁସାରେ “ ସିଲିକନ୍ ଟେକଲାବ୍ ପ୍ରାଇଭେଟ୍ ଲିମିଟେଡ’ର ଏମ୍ପାନେଲମେଂଟକୁ ରଦ୍ଦ କରାଗଲା । ଏହି କମ୍ପାନୀକୁ ବିଭାଗ ଦ୍ୱାରା ଟାୟାର-୧ ତାଲିକାଭୁକ୍ତ ସଫ୍ଟୱେୟାର ଫାର୍ମ ଭାବେ ଏମ୍ପାନେଲମେଂଟ କରାଯାଇଥିଲା । ଓକାକ୍ ସହ କରିଥିବା ସର୍ଭିସ ଏଗ୍ରିମେଂଟର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନକୁ ଏହି ସଫ୍ଟୱେୟାର ଫାର୍ମ ଉଲ୍ଲଘଂନ କରିଛି ବୋଲି ବିଭାଗ ଦର୍ଶାଇଛି ।

ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସିଲିକନ୍ ଟେକଲାବକୁ ୨୦୨୩ ସେପ୍ଟେମ୍ବର ୨୬ତାରିଖରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଦ୍ୱାରା ଟାୟାର-୧ ସଫ୍ଟୱେୟାର ଫାର୍ମ ଭାବେ ତାଲିକାଭୁକ୍ତ କରାଯାଇଥିଲା । ଏହି ଫାର୍ମକୁ ୫୦ଲକ୍ଷ ଟଙ୍କାରୁ ଅଧିକ ଓ ୧କୋଟି ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ପ୍ରୋଜେକ୍ଟ ଆଦି କରିବାକୁ ଅନୁମତି ମିଳିଥିଲା । ସିଏସଏମ୍ ଟେକ୍ନୋଲୋଜି, ତତ୍ତ୍ୱ ଟେକ୍ନୋଲୋଜି,ଲ୍ୟୁମିନସ୍ ଇନଫୋୱେ, ଓଏଏସୱାଇଏସ୍ ଟେକ୍ ସଲ୍ୟୁସନ, ଇସ୍କୋୟାର ସିଷ୍ଟମ ଆଣ୍ଡ ଟେକ୍ନୋଲୋଜି ସହ ସିଲିକନ୍ ଟେକଲାବକୁ ରାଜ୍ୟ ସରକାର ନିଜର ବିଭିନ୍ନ ବିଭାଗ ଓ ସଂସ୍ଥାର ଇଗଭର୍ଣ୍ଣାନ୍ସ କାର୍ଯ୍ୟ କରିବା ନିମନ୍ତେ ଟାୟାର-୧ ସଫ୍ଟୱେୟାର ଫାର୍ମ ଭାବେ ତାଲିକାଭୁକ୍ତ (ଏମ୍ପାନେଲମେଂଟ) କରିଥିଲେ ।

Advertisment

ସେହିଦିନ ଟାୟାର-୧ରେ ୬ଟି(୫୦ଲକ୍ଷରୁ ୧କୋଟି ଟଙ୍କା), ଟାୟାର-୨ରେ ୬ଟି(୨୦ଲକ୍ଷରୁ ୫୦ଲକ୍ଷ ଟଙ୍କା) ଓ ଟାୟାର-୩ରେ ୧୨ଟି(୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ପାଇଁ) ସଫ୍ଟୱେୟାର ଫାର୍ମ ମଧ୍ୟ ତାଲିକାଭୁକ୍ତ ହୋଇଥିଲେ । ଆଉ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ତତକାଳୀନ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ ଦସ୍ତଖତରେ ଏସବୁ ଫାର୍ମର ଏମ୍ପାନେଲମେଂଟ୍ ୩ବର୍ଷ ପର୍ଯ୍ୟନ୍ତ (୨୦୨୬ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ) ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତେବେ ଏହି ୨୪ଟି ଫାର୍ମକୁ ତତକାଳୀନ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର କେଉଁ ଆଧାରରେ ଚୟନ କରିଥିଲେ ଓ ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅନୁମତି ଦେଇଥିଲେ, ତାହା ଏବେବି ତଦନ୍ତସାପେକ୍ଷ ବୋଲି ଚର୍ଚ୍ଚା ହେଉଛି ।

ବ୍ଲାକଲିଷ୍ଟ ନକରି କେବଳ ଚୁକ୍ତି ବା ଏମ୍ପାନେଲମେଂଟ ରଦ୍ଦ କାହିଁକି

ଆଇଟି ବିଭାଗର ଡିସେମ୍ବର ୩ତାରିଖର ବିଜ୍ଞପ୍ତି ଅନୁସାରେ, ସର୍ଭିସ ଏଗ୍ରିମେଂଟର ପ୍ରାବଧାନକୁ ଉଲ୍ଲଘଂନ କରିଥିବା ଯୋଗୁ ସିଲିକନ୍ ଟେକଲାବ କମ୍ପାନୀର ଏମ୍ପାନେଲମେଂଟକୁ ରଦ୍ଦ କରାଯାଇଛି । ତେବେ ଆଇଟି ବିଭାଗ  ସହ ଜଡ଼ିତ ଚୁକ୍ତିର କେଉଁ ସର୍ତ୍ତାବଳୀକୁ ସିଲିକନ୍ ଉଲ୍ଲଘଂନ କରିଛି ତାହା ଜଣାପଡ଼ି ନଥିଲେ ମଧ୍ୟ କିନ୍ତୁ ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କ ଭବିଷ୍ୟତ ସହ ଖେଳିଥିବା ଏହି ସଂସ୍ଥାର ମାଲିକ ସୁରେଶ ଚନ୍ଦ୍ର ନାୟକ ଗିରଫ ହୋଇ ଜେଲରେ ଥିବା ସତ୍ତ୍ୱେ ଏହାକୁ ‘କଳାତାଲିକାଭୁକ୍ତ’ ବା ବ୍ଲାକଲିଷ୍ଟ କାହିଁକି କରାଗଲା ନାହିଁ ତାହା ଏବେ ସାଧାରଣରେ ସନ୍ଦେହ ବଢ଼ାଇଛି ।

କେବଳ ତାଲିକାରୁ ଟର୍ମିନେଟ୍ ବା ଚୁକ୍ତି ରଦ୍ଦ କରିବା ଦ୍ୱାରା ସିଲିକନ୍ ପାଇଁ ପୁଣିଥରେ ନିଜର କେଳେଙ୍କାରୀର ପସରା ମେଲାଇବା ମାର୍ଗ ପ୍ରଶସ୍ତ ହେବାର ଆଶଙ୍କା ରହିଛି । ସିଲିକନକୁ ପୁଣିଥରେ ଅନ୍ୟ ନାମରେ କିମ୍ବା ଓଡ଼ିଶାର ଯେକୌଣସି  ସରକାରୀ ବିଭାଗରେ ପୁନର୍ବାର କାର୍ଯ୍ୟ କରିବାର ସମ୍ଭାବନା ରହିଛି । ଏତେ ବଡ଼ ଅପରାଧରେ ସମ୍ପୃକ୍ତ ଥିବା କମ୍ପାନୀକୁ କାହିଁକି ବ୍ଲାକଲିଷ୍ଟ ବା ଡିବାର କରାଗଲା ନାହିଁ ତାହା ଏବେବି ରହସ୍ୟଘେରରେ । ଏଭଳି ଅହେତୁକ ଅନୁକମ୍ପା ଦେଖାଇ ସିଲିକନ୍ ପାଇଁ ପୁଣିଥରେ ବେପାର କରିବାର ମାର୍ଗକୁ କେହି ପ୍ରଶସ୍ତ କରାଉଥିବା ଚର୍ଚ୍ଚା ହେଉଛି ।

ଏହି କମ୍ପାନୀକୁ ସୁରକ୍ଷା ଦେବା ପାଇଁ  ଏମ୍ପାନେଲମେଂଟ ରଦ୍ଦ ଭଳି କୋହଳ ପଦକ୍ଷେପ ନେଇ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ପ୍ରଭାବଶାଳୀ ସରକାରୀ ଅଫିସର କିମ୍ବା ଅନ୍ୟ କାହାର ପ୍ରରୋଚନାରେ ଏହି ଦୁର୍ନୀତିଗ୍ରସ୍ତ ଫାର୍ମକୁ ଓ ଏହା ସହ ପ୍ରତ୍ୟକ୍ଷ-ପରୋକ୍ଷ ଭାବେ ଜଡ଼ିତ ଅଫିସରମାନଙ୍କୁ ସୁରକ୍ଷା ଦେବାକୁ ସୁଚିିନ୍ତିତ ରଣନୀତି ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଯେଉଁ ଅପରାଧରେ କମ୍ପାନୀର ମୁଖ୍ୟ ସୁରେଶ ନାୟକ ଗିରଫ ହୋଇସାରିଛନ୍ତି ସେହି କମ୍ପାନୀକୁ ସୁରକ୍ଷା ଦେବାକୁ ଏଭଳି ଆଇୱାସ୍ ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । 

କ୍ରାଇମବ୍ରାଂଚ ସୂତ୍ର ଅନୁସାରେ, ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ସିଲିକନ୍ କମ୍ପାନୀର ମାଲିକ ସୁରେଶ ଚନ୍ଦ୍ର ନାୟକ ଓ ପଂଚସଫ୍ଟ କମ୍ପାନୀର ମାଳିକ ଶଙ୍କର ପୃଷ୍ଟିଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ଦୁଇ କମ୍ପାନୀର ମାଳିକ ଓ ଦଲାଲମାନେ ମିଳିତ ଭାବେ ଷଡ଼ଯନ୍ତ୍ର କରି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ପରୀକ୍ଷାର୍ଥୀ ପିଛା ୧୫ରୁ ୨୫ଲକ୍ଷ ଟଙ୍କା ନେବା ପାଇଁ କାରବାର କରୁଥିଲେ । ‘ସିଲିକନ୍‌’ ଅଫିସକୁ ନିୟମିତ ଭାବେ ରାଜ୍ୟର କିଛି ପ୍ରଭାବଶାଳୀ ପ୍ରଶାସନିକ ଅଫିସର ଯାତାୟତ କରୁଥିଲେ,ଯେଉଁମାନେକି ଏବେ ଏହି କମ୍ପାନୀକୁ ସୁରକ୍ଷା ଦେବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ କିଛି ପ୍ରଭାବଶାଳୀ ଅପିସର ଚାପ ଯୋଗୁ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମରେ ଆର୍ଥିକ କାରବାର ଦିଗକୁ କ୍ରାଇମବ୍ରାଂଚ ଛୁଇଁନଥିଲା ବୋଲି ସିବିଆଇ ଜାଣିବାକୁ ପାଇଛି । ସିବିଆଇ ନିଜର ଏକ ଟେକନିକାଲ ଟିମ୍ ଗଠନ କରି ଏହି ଆର୍ଥିକ ଦିଗର ପ୍ରାରମ୍ଭିକ ଯାଂଚ ଆରମ୍ଭ କରିଛି । ପୁଲିସ ଏସଆଇ ପରୀକ୍ଷା ପରିଚାଳନାର ଟେଣ୍ଡର ନେଇଥିବା ଆଇଟିଆଇ ଲିମିଟେଡର ପାର୍ଟନର ଥିବା ରିଚମାଇଣ୍ଡ ସଂସ୍ଥା କାହିଁକି ବାଦ୍ ପଡ଼ିଲା, ସିଲିକନ୍ ଏଂଟ୍ରି କିଭଳି ହେଲା, ପ୍ରଥମ ଦଫା ପରୀକ୍ଷା ମାର୍ଚ୍ଚ ୮ ଓ ୯ତାରିଖରେ କାହିଁକି ବାତିଲ ହେଲା ଏବଂ  ନୟାଗଡ଼ ଜିଲ୍ଲାର ଜଣେ ବ୍ୟକ୍ତି(ଯାହାଙ୍କ ପତ୍ନୀ ନିର୍ବାଚିତ ଲୋକପ୍ରତିନିଧି) କାହିଁକି ଲୋକସେବା ଭବନକୁ ଆସି ଗୃହ ବିଭାଗର କେଉଁ ନିର୍ଦ୍ଦିଷ୍ଟ ଅଫିସରଙ୍କୁ ଭେଟୁଥିଲେ ତା’ର ଖୋଳତାଡ଼ ସିବିଆଇ ଆରମ୍ଭ କରିଥିବା ସୂଚନା ମିଳିଛି ।

ଟେଣ୍ଡର ବାତିଲ କଲା ଆଇଟିଆଇ

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ପଦାକୁ ଆସିବା ପରେ ବିବାଦରେ ଥିବା ଆଇଟିଆଇ ଲିମିଟେଡ୍ ଗତ ନଭେମ୍ବର ୨୦ତାରିଖରେ ନିଜେ ଡାକିଥିବା ଟେଣ୍ଡରକୁ ବାତିଲ କରିଦେଇଛି । ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୪୬୨ଟି ପିଏମଶ୍ରୀ ସ୍କୁଲରେ ଆଇପି ଆଧାରିତ ସିସିଟିଭି ଲଗାଇବା ଓ ମେଣ୍ଟେନାନ୍ସର ଟେଣ୍ଡର ଆଇଟିଆଇ ଲିମିଟେଡ୍ ନେଇଛି । ଆଉ ଏହି କାର୍ଯ୍ୟ ପାଇଁ ପ୍ରୋଜେକ୍ଟ ଇମ୍ପ୍ଲିମେଂଟେସନ୍ ଏଜେନ୍ସୀ(ପିଆଇଏ) ନିମନ୍ତେ ଗତ ଅଗଷ୍ଟ ୧୯ତାରିଖରେ ଡାକିଥିବା ଟେଣ୍ଡରକୁ ନଭେମ୍ବର ୨୦ତାରିଖରେ ଆଇଟିଆଇ ଲିମିଟେଡ୍ ବାତିଲ କରିଦେଇଛି । ଯଦିଓ ବାତିଲର ସ୍ପଷ୍ଟ କାରଣ ଦର୍ଶାଇନାହିଁ କିନ୍ତୁ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିକୁ ନେଇ ଚାଲିଥିବା ତନାଘନା ମଧ୍ୟରେ ଆଇଟିଆଇ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।