
ରାଜ୍ୟରେ ଅପରାଧର ତଦନ୍ତ ପାଇଁ ପୁଲିସକୁ ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଦେଉଥିବା ‘ଇନଭେଷ୍ଟିଗେସନ୍ ଫଣ୍ଡ' ବା ତଦନ୍ତ ପାଣ୍ଠିରେ ବ୍ୟାପକ ଦୁରୁପଯୋଗର ଆଶଙ୍କା ସୃଷ୍ଟି ହୋଇଛି । ତଦନ୍ତ ଖର୍ଚ୍ଚ ଆଳରେ ମାତ୍ର ୮ମାସ ମଧ୍ୟରେ ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ଓଡ଼ିଶା ପୁଲିସ ୨୦୨୬-୨୭ ଆର୍ଥିକ ବର୍ଷରେ ଏବାବଦରେ ୧୫୦କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରସ୍ତାବ ପଠାଇଥିବା ସୂଚନା ମିଳିଛି । ଗୋଟିଏପଟେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣରେ ବିଫଳକୁ ନେଇ ବିବାଦରେ ରହୁଥିବା ଓଡ଼ିଶା ପୁଲିସ ଏହି ‘ତଦନ୍ତ ପାଣ୍ଠି’କୁ ବ୍ୟକ୍ତିଗତ ଏଟିଏମ୍ ଭଳି ଖର୍ଚ୍ଚ କରିବା ସହ କାହାରି ଉତ୍ତରଦାୟିତ୍ୱ ନରହିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
୮ମାସରେ ୨୩ କୋଟି ଖର୍ଚ୍ଚ, ଅଙ୍କୁଶ ନାହିଁ
ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରୁ ଓଡ଼ିଶା ପୁଲିସକୁ ‘ତଦନ୍ତ ପାଣ୍ଠି’ ବାବଦରେ ରାଜ୍ୟ ସରକାର ମୋଟ ୫୦କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ତଦନ୍ତ ପ୍ରକ୍ରିୟାକୁ ଗତିଶୀଳ କରାଇବା ନିମନ୍ତେ ହେଉଥିବା ବିଭିନ୍ନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଛନ୍ତି । ଏପରିକି ୨୦୨୫ ଏପ୍ରିଲ ୪ତାରିଖରେ ପୁଲିସ ଅଫିସରମାନଙ୍କୁ ଆର୍ଥିକ କ୍ଷମତାକୁ ମଧ୍ୟ ସଂଶୋଧନ କରିବା ସହ ଏପ୍ରିଲ ୨୮ତାରିଖରେ ଏହି ପାଣ୍ଠି କିଭଳି ଖର୍ଚ୍ଚ କରାଯିବ ତା’ର ମଧ୍ୟ ଗାଇଡଲାଇନ୍ ଜାରି କରିଥିଲେ । ତେବେ ମାତ୍ର ୮ମାସ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୫ତାରିଖ ସୁଦ୍ଧା ଏହି ତଦନ୍ତ ପାଣ୍ଠିରୁ ୪୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇସାରିଛି । ମୋଟ ୫୦ କୋଟି ଟଙ୍କାର ବଜେଟରୁ ୨୨.୭୨ କୋଟି ଟଙ୍କା (୪୫.୪୪%) ଉଠାଣ ହୋଇସାରିଛି । ପ୍ରତ୍ୟେକ ହତ୍ୟା ମାମଲାର ତଦନ୍ତ ପାଇଁ ୨୫ହଜାର ଟଙ୍କା, ଦୁଷ୍କର୍ମ ମାମଲା ପାଇଁ ୧୮ରୁ ୩୭ହଜାର ଟଙ୍କା, ଅପହରଣ ପାଇଁ ୧୦ରୁ ୩୦ହଜାର ଟଙ୍କା, ଅପମୃତ୍ୟୁ ପାଇଁ ୧୩ହଜାର ଟଙ୍କା, ସାଇବର ଅପରାଧ ପାଇଁ ୨୫ରୁ ୪୫ହଜାର ଟଙ୍କା, ଏନଡିପିଏସ୍ ମାମଲାରେ ୧୫ରୁ ୩୫ହଜାର ଟଙ୍କା, ସମ୍ପତି ବିବାଦ ମାମଲାର ତଦନ୍ତ ନିମନ୍ତେ ୧୭ହଜାର ଟଙ୍କା ଓ ଅନ୍ୟାନ୍ୟ ମାମଲାରେ ପ୍ରତି କେସ୍ ପିଛା ୫ହଜାର ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ସରକାର ଅନୁମତି ଦେଇଛନ୍ତି ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ରାଜ୍ୟରେ ଅପରାଧ ମାମଲା ପଞ୍ଜିକରଣ ସଂଖ୍ୟା ସ୍ଥିର ରହିଥିବା ଓ ଅଧିକାଂଶ ଜିଲ୍ଲାରେ ହତ୍ୟା ଓ ଏନଡିପିଏସ ଭଳି ବଡ଼ ମାମଲା ନଥାଇ ମଧ୍ୟ ଏହି ତଦନ୍ତ ପାଣ୍ଠିରୁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।
ପୁଲିସକୁ ସୁହାଉଛି ‘ସେଲ୍ଫ-ସାର୍ଟିଫିକେସନ୍'
ବିଭିନ୍ନ ମାମଲାର ତଦନ୍ତକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ଉଦ୍ଦେଶ୍ୟରେ ସରକାର ତଦନ୍ତକାରୀ ଅଫିସରଙ୍କୁ ଆର୍ଥିକ ଖର୍ଚ୍ଚ କରିବାର ସ୍ୱାଧୀନତା ଦେଇଛନ୍ତି । ତଦନ୍ତକାରୀ ଅଫିସର ‘ସେଲଫ୍ ସାର୍ଟିଫିକେସନ’ ବା ସ୍ୱପ୍ରମାଣିିତ ମାଧ୍ୟମରେ ପ୍ରତି ମାମଲା ପିଛା ୫ହଜାର ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ଗୃହ ବିଭାଗର ଗାଇଡଲାଇନରେ ଉଲ୍ଲେଖ ରହିଛି । ଆଉ ଏହାର ଫାଇଦା ଉଠାଇ ଏବେ ଅଧିକାଂଶ ତଦନ୍ତକାରୀ ପୁଲିସ ଅଫିସର ଏହାକୁ ନିଜର ବ୍ୟକ୍ତିଗତ ଏଟିଏମ୍ ଭଳି ଉପଯୋଗ କରିବାରେ ଲାଗିଥିବା ଜଣାପଡ଼ିଛି । ୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚର କୌଣସି ରସିଦ୍ କିମ୍ବା ଭାଉଚର ପ୍ରଦାନ କିମ୍ବା ବିଲ୍ ଦାଖଲର ବାଧ୍ୟତାମୂଳକ ପ୍ରାବଧାନ ନାହିଁ । ଯେଉଁଥିପାଇଁ ତଦନ୍ତକାରୀ ଅଫିସରମାନେ ମନଇଚ୍ଛା ବିଲ୍ ଦାଖଲ କରୁଛନ୍ତି ଓ ଉପରିସ୍ଥ ଅଧିକାରୀମାନେ ବିନା ଯାଂଚରେ ଏହାକୁ ମଞ୍ଜୁର କରୁଥିବା ଜଣାପଡ଼ିଛି ।
ଅନ୍ୟ ରାଜ୍ୟରେ ‘ରିମ୍ବର୍ସମେଂଟ', ଓଡ଼ିଶାରେ ‘ଲୁଟ୍ ପାଇଁ ଲାଇସେନ୍ସ'
କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟରେ ପୁଲିସ୍ ତଦନ୍ତ ପାଇଁ ପାଣ୍ଠିର ବ୍ୟବସ୍ଥା ରହିଛି । କିନ୍ତୁ ସେଠାକାର ଖର୍ଚ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱଚ୍ଛ । ଏସବୁ ରାଜ୍ୟରେ ‘ରିମ୍ବର୍ସମେଂଟ ମଡେଲ୍' ଆଧାରରେ ପୁଲିସ କାର୍ଯ୍ୟ କରିଥାଏ । ଅର୍ଥାତ୍, ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଥମେ ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡ଼ିଥାଏ, ଯାହାକୁ ସେ ଆବଶ୍ୟକ ରସିଦ୍ ବା ଭାଉଚର ଦାଖଲ କରିବା ପରେ ହିଁ ତାଙ୍କୁ ସରକାର ଉକ୍ତ ଟଙ୍କା ଫେରସ୍ତ ଦେଇଥାନ୍ତି ।
କିନ୍ତୁ ଓଡ଼ିଶାରେ ଏହାର ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳିଛି ।
ପୁଲିସ ଉପରେ ମୋହନ ମାଝୀଙ୍କ ସରକାର ଏତେ ମେହେରବାନ୍ ହୋଇଯାଇଛନ୍ତି ଯେ, ତଦନ୍ତକାରୀ ଅଫିସରଙ୍କୁ ଆଉ ଆଗୁଆ ନିଜ ପକେଟରୁ କିମ୍ବା ବିଲ-ଭାଉଚର ଦେବାର ଆବଶ୍ୟକତା ନାହିଁ । ସେ ନିଜେ ଯାହା ଲେଖିକି ଦେବେ ବା ‘ସେଲ୍ଫ-ସାର୍ଟିଫିକେସନ୍' କରିବେ ସେତିକି ଟଙ୍କା ଖର୍ଚ୍ଚ କରିପାରିବେ । କେତେକ ଅଫିସର ଏହି ଗଳାବାଟର ଫାଇଦା ଉଠାଇ ଉଦ୍ଦେଶ୍ୟମୂଳକ ଭାବେ କଳ୍ପିତ ୫ହଜାର ଟଙ୍କାରୁ କମ୍ ବିଲ୍ ଦେଇ ଏକାଧିକ ଥରରେ ଏହାକୁ ଉଠାଇବାରେ ସକ୍ଷମ ହେଉଥିବା ଚର୍ଚ୍ଚା ହେଉଛି । ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ‘ବିନା ଭାଉଚରରେ ସରକାରୀ ଅର୍ଥ ' ନେବାର ଅବା ହଡ଼ପ କରିବାର ବ୍ୟବସ୍ଥା ନାହିଁ ।
ଡିଜିଟାଲ୍ ଯୁଗରେ ‘ଅଫଲାଇନ୍ ଲୁଟ୍, କାହା ସ୍ୱାର୍ଥରେ?
ଆଧୁନିକ ଟେକ୍ନୋଲୋଜି ଓ ପେପରଲେସ୍ ପ୍ରଶାସନିକ କାର୍ଯ୍ୟ ଉପରେ ରାଜ୍ୟ ସରାକାର ଗୁରୁତ୍ୱ ଦେଉଥିବାବେଳେ ‘ଇନଭେଷ୍ଟିଗେସନ୍ ଫଣ୍ଡ’କୁ କାହିଁକି ଜାଣିଶୁଣି ଏସବୁରୁ ଦୂରେଇ ରଖିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ହୋଟେଲ ବିଲଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗାଡ଼ି ଭଡ଼ା ଆଦିର ଡିଜିଟାଲ ବିଲ୍ ଏବେ ସହଜରେ ମିଳୁଥିବାବେଳେ ବିନା ଭାଉଚର ଓ ରସିଦରେ ଟଙ୍କା ଖର୍ଚ୍ଚର ଅନୁମତି କେବଳ ରାଜକୋଷକୁ ଲୁଟିବା ପାଇଁ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି। ତଦନ୍ତ ନାଁରେ ଏହି ପାଣ୍ଠିକୁ ହଡ଼ପ କରିବା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରାଯାଉଛି । ଏବେ ବିଭିନ୍ନ ପ୍ରକାରର ‘ମୋବାଇଲ୍ ଆପ’ ମାଧ୍ୟମରେ ବିଭିନ୍ନ ଖର୍ଚ୍ଚ ଓ ତଦନ୍ତ ପ୍ରକ୍ରିୟାକୁ ତଦାରଖର ବ୍ୟବସ୍ଥା ଥିବା ସତ୍ତ୍ୱେ ଓଡ଼ିଶା ପୁଲିସକୁ କାହିଁକି ଏଭଳି ଅଫଲାଇନ୍ ଲୁଟ୍ ପାଇଁ ସରକାର ଅନୁମତି ଦେଇଛନ୍ତି ତାହା ମଧ୍ୟ ସନ୍ଦେହଘେରରେ ।
ଓଡ଼ିଶା ପୁଲିସରେ ଏଭଳି ସହଜରେ ଟଙ୍କା ମିଳୁଥିବା ଦେଖି ରାଜ୍ୟର ଅନ୍ୟ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ବି ଅନୁରୂପ ଦାବି ପାଇଁ ସଜବାଜ ହେଲେଣି । ଅଗ୍ନିଶମ ବିଭାଗ, ବନ ବିଭାଗ ଓ ଅବକାରୀ ବିଭାଗ ମଧ୍ୟ ନିଜର ‘ଅପରେସନ୍ ଖର୍ଚ୍ଚ’ ବାବଦରେ ଏଭଳି ଅର୍ଥ ଦାବି କରିବାର ଆଶଙ୍କା ରହିଛି ।
ଗୃହ ବିଭାଗର ଚେତା ପଶିଲା, ଖୋଳତାଡ଼ ଆରମ୍ଭ
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଓଡ଼ିଶା ପୁଲିସ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଯେଉଁ ପ୍ରସ୍ତାବ ପଠାଇଛି ସେଥିରେ ତଦନ୍ତ ପାଣ୍ଠି ବାବଦରେ ୧୫୦କୋଟି ଟଙ୍କା ଦାବି କରିଛି । ଚଳିତ ଆର୍ଥିକ ବର୍ଷରେ ତଦନ୍ତ ପାଣ୍ଠି ବାବଦରେ ମଞ୍ଜୁର ହୋଇଥିବା ୫୦କୋଟି ଟଙ୍କାରୁ ମାତ୍ର ୮ମାସରେ ୨୨.୭୨କୋଟି ଟଙ୍କା ଖର୍ଚ୍ଚ ହେବା ଏବେ ବିଭାଗୀୟ ଅଧିକାରୀମାନଙ୍କୁ ଅଡ଼ୁଆରେ ପକାଇଛି । ସରକାରୀ ପାଣ୍ଠିକୁ ଖୁଲମଖୁଲା ଲୁଟ୍ କରାଯାଉଛି ବୋଲି ବିଭାଗ ସନ୍ଦେହ କରିଛି । ବିଶେଷକରି କିଛି ଜିଲ୍ଲାଗୁଡ଼ିକରେ ଅପରାଧ ସଂଖ୍ୟା କମ୍ ଥାଇ ଏହି ପାଣ୍ଠିରୁ ଅଧିକ ଟଙ୍କା ଉଠାଣ ହୋଇଥିବା ଗୃହ ବିଭାଗ ପ୍ରାରମ୍ଭିକ ଖୋଳତାଡ଼ରୁ ଜାଣିବାକୁ ଯାଇଛି । ପୁଲିସର ଏହି ପାଣ୍ଠିରୁ ଏତେ ଅର୍ଥ ଖର୍ଚ୍ଚ ହେବା ଓ ଆସନ୍ତା ଆର୍ଥିକ ବର୍ଷ ପାଇଁ ୧୫୦କୋଟି ଟଙ୍କା ମାଗିବା ପରେ ଗୃହ ବିଭାଗ ଏହାର ଆଭ୍ୟନ୍ତରୀଣ ଅଡିଟ୍ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
