Advertisment

Teachers Transfer: ରାଜ୍ୟ ସରକାରଙ୍କୁ ଝଟକା; ଶିକ୍ଷକଙ୍କ ବଦଳିରେ ରାଜନୀତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନା

କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାରି ପାଖରେ ଶିକ୍ଷକଙ୍କ ବଦଳି କ୍ଷମତା ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ଓଡ଼ିଶାରେ ଏହାର ଉଲ୍ଲଂଘନ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।

author-image
Jitendra Garnayak
High Court

ଓଡ଼ିଶା ହାଇକୋର୍ଟ

ଶିକ୍ଷକଙ୍କ ବଦଳିରେ ଚଳିବନି ରାଜନୀତିକ ହସ୍ତକ୍ଷେପ। ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେନି ବିଧାୟକ ଓ ସାଂସଦ। ଆଜି ହାଇକୋର୍ଟ ସଫା ସଫା ଶୁଣାଇ ଦେଇଛନ୍ତି ଏହି କଥା। 

Advertisment

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ରାଜ୍ୟ ସରକାର ପାଇଁ ବଡ଼ ଝଟକା ହୋଇଛି। କାରଣ ବିଧାୟକ ଓ ସାଂସଦମାନେ ନିଜ ନିଜ ଅଞ୍ଚଳର ୧୫ ଜଣ ଲେଖାଏ ଶିକ୍ଷକଙ୍କୁ ବଦଳି କରିବା ପାଇଁ ସୁପାରିଶ କରିପାରିବେ ବୋଲି ରାଜ୍ୟ ସରକାର ହିଁ ଚିଠି କରିଥିଲେ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓକିଲ ପୁରୁଷୋତ୍ତମ ଚୂଲି। ସେ କହିଛନ୍ତି, ଶିକ୍ଷକମାନେ ଦେଶର ଭବିଷ୍ୟତ ଗଢ଼ନ୍ତି। ତେଣୁ ସେମାନଙ୍କ ବଦଳି ଲୋକ ପ୍ରତିନିଧିଙ୍କ ହାତରେ ନ୍ୟସ୍ତ କରାଗଲେ, ସେମାନେ ରାଜନୀତିକ ହାତବାରିସି ସାଜିବେ। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାରି ପାଖରେ ଶିକ୍ଷକଙ୍କ ବଦଳି କ୍ଷମତା ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ଓଡ଼ିଶାରେ ଏହାର ଉଲ୍ଲଂଘନ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଯୁକ୍ତି ଓ ତଥ୍ୟକୁ ହୃଦୟଙ୍ଗମ କରି ଶିକ୍ଷା କ୍ଷେତ୍ରରେ ରାଜନୀତିକ ହସ୍ତକ୍ଷେପକୁ ଉଚ୍ଚ ନ୍ୟାୟାଳୟ ନାପସନ୍ଦ କରିବା ସହ ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଚିଠିକୁ ବି ଖାରଜ କରିଛନ୍ତି। ଫଳରେ ଯେଉଁ ଶିକ୍ଷକମାନେ ବଦଳି ଅର୍ଡର ପାଇ ନୂଆ ସ୍କୁଲରେ ଯୋଗ ଦେଇଛନ୍ତି, ସେମାନେ ଚଳିତ ଶିକ୍ଷାବର୍ଷ ପର୍ଯ୍ୟନ୍ତ ସେଇଠି କାର୍ଯ୍ୟ କରିବେ। ନୂଆ ଶିକ୍ଷାବର୍ଷ ଆରମ୍ଭ ହେଲେ ପୁଣି ନିଜ ପୂର୍ବ ସ୍ଥାନକୁ ଫେରି ଆସିବେ।

Advertisment

ନିଜ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସାଂସଦ ଓ ବିଧାୟକମାନେ ସୁପାରିଶ କରିପାରିବେ ବୋଲି ଗତ ମେ ୧୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖା ଯାଇଥିଲା। ସେହି ଚିଠି ଆଧାରରେ ଅନେକ ଶିକ୍ଷକଙ୍କୁ ଡିଇଓମାନେ ବଦଳି ବି କରିଛନ୍ତି। 

ଶିକ୍ଷକ ବଦଳିରେ ରାଜନୀତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି ଯେ ସରକାରଙ୍କର ଏହା ଏକ ଭୁଲ୍ ନିଷ୍ପତ୍ତି ଥିଲା। ସେମିତି କଂଗ୍ରେସ କହିଛି ଯେ ଶିକ୍ଷକ ବଦଳିକୁ ନେଇ ଜନ ପ୍ରତିନିଧିଙ୍କ ଉପରେ ପ୍ରବଳ ଚାପ ପଡୁଥିଲା ଓ ଅନେକ ଯୋଗ୍ୟ ଶିକ୍ଷକ ବି ବଦଳିରୁ ବାଦ୍ ପଡୁଥିଲେ। ଆଜି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ମଧ୍ୟ ସ୍ୱାଗତ କରିଛି। ମଞ୍ଚ କହିଛି ଯେ ଶିକ୍ଷକ ବଦଳି କ୍ଷେତ୍ରରେ ସଂସ୍କାର ଆସିବା ଜରୁରୀ।

ଏହାର ଜବାବରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଅନୁପାତ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷକ ବଦଳି କରାଯାଏ। ହାଇକୋର୍ଟଙ୍କ ଆଦେଶର ତର୍ଜମା ହେବ ଓ ଶିକ୍ଷକ ବଦଳିରେ ସ୍ୱଚ୍ଛତା ନେଇ ତାଙ୍କ ବିଭାଗ କାମ କରିବ।