ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ଆଜି ପରଲୋକ ହୋଇଯାଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରାଜଧାନୀର ଏକ ଘରୋଇ ନର୍ସିଂ ହୋମ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା ଥିଲେ ବିଜୟ ମିଶ୍ର। ବିଜୟ ମିଶ୍ରଙ୍କ ନାଟକ ‘ତଟ ନିରଞ୍ଜନା’ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି। ନାଟ୍ୟ ଜଗତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ସେ ମଧ୍ୟ ସମ୍ମାନଜନକ ଜୟଦେବ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥର ସଂଳାପ ଲେଖିଥିଲେ ବିଜୟ ମିଶ୍ର। ବାଲେଶ୍ୱରର ନୀଳଗିରିରେ ୧୯୩୬ ଜୁଲାଇ୧୬ରେ ଜନ୍ମଗ୍ରହଣ କରିଥିଲେ ବିଜୟ ମିଶ୍ର।
ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଭାବେ ସେ ବେଶ ପରିଚିତ ଥିଲେ। ଶ୍ରୀ ମିଶ୍ର ଏଯାବତ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିସାରିଛନ୍ତି। ବିଜୟ ମିଶ୍ର ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ କରି ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢିଥିଲେ ।
ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ । ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ ସେ ନିଜର ପ୍ରଥମ ନାଟକ, 'ଜନନୀ' ରଚନା କରିଥିଲେ। ।