ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କେଉଁଠୁ ଆସିଲା ଅଢ଼େଇ କୋଟି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଖାତାକୁ କେଉଁଠୁ ଆସିଲା ଅଢ଼େଇ କୋଟି ଟଙ୍କା? ଏହାର ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସେଥିପାଇଁ ମାମଲାର ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଛି ଇଡି। ଏହା ପରେ ପ୍ରଦୀପଙ୍କ ଗିରଫ ମାମଲା କେଉଁ ଆଡକୁ ଗତି କରିବ, ତାହା ଦେଖିବାର ବାକି ରହିଛି। ଗୁରୁବାର ସଞ୍ଜ ବେଳେ ଭୁବନେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ପ୍ରଦୀପଙ୍କୁ ଉଠାଇ ନେଇଥିଲା […]

pradeep

Manoranjan Sial
  • Published: Friday, 04 December 2020
  • , Updated: 04 December 2020, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଖାତାକୁ କେଉଁଠୁ ଆସିଲା ଅଢ଼େଇ କୋଟି ଟଙ୍କା? ଏହାର ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସେଥିପାଇଁ ମାମଲାର ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଛି ଇଡି। ଏହା ପରେ ପ୍ରଦୀପଙ୍କ ଗିରଫ ମାମଲା କେଉଁ ଆଡକୁ ଗତି କରିବ, ତାହା ଦେଖିବାର ବାକି ରହିଛି।

ଗୁରୁବାର ସଞ୍ଜ ବେଳେ ଭୁବନେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ପ୍ରଦୀପଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ପଚରାଉଚରା ପରେ ରାତିରେ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଇ ଯାଇଥିଲା। କୋର୍ଟରେ ପ୍ରଦୀପଙ୍କ ଜାମିନ ଆବେଦନ କରାଯାଇଥିଲା। ତେବେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ପ୍ରଦୀପଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଏବେ ପ୍ରଦୀପ ଇଡି ସ୍କାନରକୁ ଆସିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଜାଲିଆତି, ଟଙ୍କା ଠକେଇ ଅଭିଯୋଗ ନେଇ ତାଙ୍କ ଆକାଉଣ୍ଟର ଖୋଳତାଡ଼ କରିବ ଇଡି। ପ୍ରଦୀପଙ୍କ ଆକାଉଣ୍ଟକୁ କେଉଁଠୁ ଅଢେଇ କୋଟି ଟଙ୍କା ଆସିଥିଲା? ଏହାଛଡ଼ା ତାଙ୍କ ଆକାଉଣ୍ଟରୁ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିବା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସଂପର୍କରେ ମଧ୍ୟ ଯାଞ୍ଚ କରିବ ଇଡି।

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ଆୟବହିର୍ଭୂତ ସଂପତ୍ତି, ପୁଅ ଆକାଶ ପାଠକଙ୍କ ଜାଲିଆତି ଓ ଏଥିରେ ପ୍ରଦୀପ ଭୂମିକା ସଂପର୍କରେ ପୃଥକ ପୃଥକ ତଦନ୍ତ ହେବ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଛି। ଅନ୍ୟପକ୍ଷରେ ପ୍ରଦୀପଙ୍କୁ ରିମାଣ୍ଡ ନେଇ ଭାବି ଜ୍ୱାଇଁ ଆକାଶ ସହ ସାମ୍ନାସାମ୍ନି ଜେରା କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି କ୍ରାଇମବ୍ରାଞ୍ଚ।

ସେପଟରେ ପ୍ରଦୀପଙ୍କ ଗିରଫଦାରୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ରାଜ୍ୟ ଦୁଇ ପାରମ୍ପରିକ ରାଜନୈତିକ ଦଳ, ବିଜେପି ଓ କଂଗ୍ରେସ ପ୍ରଦୀପଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି।  ବିଜେଡି ସରକାର ‘ଚଟୁ ଆଇଁଷ, ବେଣ୍ଟ ନିରାମିଷ’ ନୀତିରେ ଚାଲିଥିବା ବିଜେପି ସାଧାରଣ ସଂପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଦୁର୍ନୀତି କରିବାକୁ ୨୦ ବର୍ଷ ଧରି ପ୍ରଦୀପଙ୍କୁ ପ୍ରୋତ୍ସାହନ ଦେଲେ ନବୀନ। ଏବେ ତାଙ୍କୁ ଭ୍ରଷ୍ଟାଚାରୀ ଆକ୍ଷା ଦେଇ ଜେଲ ପଠାଇଲେ, ତେଣୁ ପ୍ରଦୀପ ଯେତିକ ଦୋଷୀ ଠିକ୍‌ ମୁଖ୍ୟମନ୍ତ୍ରୀ ସେତିକି ଦୋଷୀ ବୋଲି କହିଛନ୍ତି ଲେଖାଶ୍ରୀ।

ସେପଟେ ପ୍ରଦୀପଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଛି। ବାଲି ମାଫିଆ ଓ ଜାଲିଆତି କରି ପ୍ରଦୀପ ଅର୍ଥ ଠୁଳ କରୁଥିଲେ। ନବୀନ କଣ ଏହା ଜାଣିନଥିଲେ କି ବୋଲି ପ୍ରଶ୍ନ କରିଛିନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ।

Related story