Advertisment

ଏ ଚିତ୍ର ସମସ୍ତଙ୍କୁ ବିଚଳିତ କରିବ? କ’ଣ ଅଛି ଟୋକେଇରେ?

ଏ ଟୋକେଇ ଖୋଲିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅସଲ ଚିତ୍ର

Malkangiri

Malkangiri

Advertisment

ଡିଜିଟାଲ୍‌ ଯୁଗରେ ସମସ୍ତଙ୍କୁ ବିଚଳିତ କଲା ପରି ଚିତ୍ରଟିଏ ସାମ୍ନାକୁ ଆସିଛି। ତେବେ ଏଠି ପ୍ରଶ୍ନ ଉଠୁଥିବ କ’ଣ ସେହି ଚିତ୍ର? ଟୋକେଇରେ କ’ଣ ଅଛି ଯେ ଜଣେ ଶୁଣିଲେ ବିଚଳିତ ହୋଇଯିବ! ହଁ ଆଜ୍ଞା! ଏ ଚିତ୍ର ଏମିତି ସେମିତି ଚିତ୍ର ନୁହେଁ। ଯନ୍ତ୍ରଣାରେ ଜର୍ଜରିତ ଜଣେ ଗର୍ଭବତୀ ମାଆର ଚିତ୍ର। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ପ୍ରସବ ବେଦନା ପାଉଥିବା ଜଣେ ମାଆକୁ ଟୋକେଇରେ ବୋହି ନେଉଛନ୍ତି ପରିବାର ଲୋକେ। ଏପରି ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରୁ।

Advertisment

ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର ପଞ୍ଚାୟତର ନାଏଡ଼ାଗୁଡା ଗାଁର ରାମଚନ୍ଦ୍ର ଶିଶାଙ୍କ ପତ୍ନୀ ଭାନୁ ରାତିରୁ ଗର୍ଭ ଯନ୍ତ୍ରଣା ପାଇଥିଲେ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ମେଡ଼ିକାଲ୍‌ ନେଇପାରିନଥିଲେ ପରିବାର ଲୋକେ। ଗର୍ଭ ଯନ୍ତ୍ରଣାରେ ରାତି ପାହିଲା। ଆଜି ସକାଳେ ରାମଚନ୍ଦ୍ର ଏନେଇ ଆଶା ଦିଦିଙ୍କୁ କହିଥିଲେ। ଭାନୁକୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ରାସ୍ତା ଭଲ ନଥିବାରୁ ଆମ୍ୱୁଲାନ୍ସ ଆସିବାକୁ ମନା କରିଦେଇଥିଲା।

ଆମ୍ୱୁଲାନ୍ସ ଆସିବାକୁ ମନା କରିଦେବାରୁ ଚିନ୍ତାରେ ପଡ଼ି ଯାଇଥିଲେ ରାମଚନ୍ଦ୍ର। ଶେଷରେ କିଛି ଉପାୟ ନପାଇ ଟୋକେଇରେ ଭାର କରି ମେଡ଼ିକାଲ୍‌ ନେବାକୁ ନିଷ୍ପତ୍ତି ନେଲେ। କିଛି ବାଟ ଗଲା ପରେ ଭାନୁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ସେ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତ ଜଡ଼ସଡ଼ ଅବସ୍ଥାରେ ମାଆ ଓ ଛୁଆଙ୍କୁ ଟୋକେଇରେ ୮ କିମି ବୋହି ନେଇ ପାପୁଲୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଦୁର୍ଭାଗ୍ୟକୁ ସେଠାରେ ଡାକ୍ତର ନଥିଲା। ଭାନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ଚିତ୍ରକୋଣ୍ଡା ମେଡ଼ିକାଲ୍‌କୁ ନେବା ପାଇଁ କାର୍ଯ୍ୟରତ ନର୍ସ କହିଥିଲେ।

Advertisment

ଏପରି ସ୍ଥିତିରେ ଭାନୁଙ୍କୁ ଚିତ୍ରକୋଣ୍ଡା ମେଡ଼ିକାଲ୍‌ ନେବା କେମିତି? କାରଣ ପାପୁଲୁର ମେଡ଼ିକାଲେ ଆମ୍ୱୁଲାନ୍ସ ଅଛି। କିନ୍ତୁ ଡ୍ରାଇଭର ନାହିଁ। ତେଣୁ ଏଭଳି ଅବସ୍ଥାରେ ରାମଚନ୍ଦ୍ର ଯନ୍ତ୍ରଣାରେ ଜର୍ଜରିତ ପତ୍ନୀଙ୍କୁ ଧରି ମେଡ଼ିକାଲ୍‌ ସମ୍ମୁଖ ରାସ୍ତା ପାର୍ଶ୍ୱରେ ସହାୟତା ଅପେକ୍ଷାରେ ଥିଲେ। ସୌଭାଗ୍ୟକୁ ସେହି ରାସ୍ତା ଦେଇ ଏକ ଆମ୍ୱୁଲାନ୍ସ ଆସୁଥିଲା। ତାଙ୍କର ସହାୟତା ମାଗିଲେ ରାମଚନ୍ଦ୍ର। ସେ ମଧ୍ୟ ସହାନୁଭୂତି ଦେଖାଇଲେ। ଆଉ ତା’ରେ ଆମ୍ୱୁଲାନ୍ସରେ ଭାନୁକୁ ନେଇ ଚିତ୍ରକୋଣ୍ଡା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ରାମଚନ୍ଦ୍ର।

ଏବେ ଚିତ୍ରକୋଣ୍ଡା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ଭାନୁ ଓ ତାଙ୍କ ନବଜାତ ପୁତ୍ର। ଚିକିତ୍ସା ପରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।

ରିପୋର୍ଟ- ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ

Malkangiri Health Odisha Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe