Advertisment

ପଞ୍ଚାୟତ ନିର୍ବାଚନ ପାଇଁ କସରତ ଆରମ୍ଭ, କେବଳ ତାରିଖକୁ ଅପେକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧ ସରିବାକୁ ବସିଲାଣି। ୨୦୨୨ ହେବ ନିର୍ବାଚନର ବର୍ଷ। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆଉ କିଛି ଭିତରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ହେଲେ ଏହା ପୂର୍ବରୁ ରାଜନୀତି ବେଶ ସରଗରମ ହେଲାଣି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ କସରତ ଦେଖିବାକୁ ମିଳିଲାଣି। ଆଉ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଜର ପୋଷ୍ଟର ଓ ବ୍ୟାନର୍ ଲଗାଇ ପରୋକ୍ଷ […]

author-image
Ranjit Kumar Jena
ପଞ୍ଚାୟତ ନିର୍ବାଚନ ପାଇଁ କସରତ ଆରମ୍ଭ, କେବଳ ତାରିଖକୁ ଅପେକ୍ଷା

pachhyat-election

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧ ସରିବାକୁ ବସିଲାଣି। ୨୦୨୨ ହେବ ନିର୍ବାଚନର ବର୍ଷ। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆଉ କିଛି ଭିତରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ହେଲେ ଏହା ପୂର୍ବରୁ ରାଜନୀତି ବେଶ ସରଗରମ ହେଲାଣି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ କସରତ ଦେଖିବାକୁ ମିଳିଲାଣି। ଆଉ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଜର ପୋଷ୍ଟର ଓ ବ୍ୟାନର୍ ଲଗାଇ ପରୋକ୍ଷ ଭାବେ ପ୍ରଚାର ଆରମ୍ଭ କରିଦେଇଛନ୍ତି।

Advertisment

ପଞ୍ଚାଚାୟତ ନିର୍ବାଚନ କରିବା ଲାଗି ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏଥର ଭୋଟ ଦିନ ଗଣତି ନହୋଇ ଅନ୍ୟ ଦିନ ବ୍ଲକରେ ଗଣତି ହେବ। ତେଣୁ ୯୧ ହଜାର ୯୧୩ ଭୋଟ୍ ବାକ୍ସ ଆବଶ୍ୟକ ପଡିବ। ଏଥିଲାଗି ତେଲେଙ୍ଗାନାରୁ ୧୦ ହଜାର, ପଶ୍ଚିମବଙ୍ଗରୁ ୭ ହଜାର ଓ ଓଡ଼ିଶା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଠାରୁ ୧୬ ହଜାର ବ୍ୟାଲଟ୍ ବକ୍ସ ସଂଗ୍ରହ କରାଯାଉଛି। ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌, ୬୮୦୧ଟି ପଂଚାୟତ ସମିତି ସଦସ୍ୟ, ୬୮୦୨ଜଣ ସରପଂଚ ଓ ୯୨୦୫୨ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ ଭୋଟଗ୍ରହଣ ହେବ। ଏଥିରେ ପ୍ରାୟ ୨.୮୦କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଆସନ୍ତା ଜାନୁୟାରୀ ମାସରେ ସଂଶୋଧିତ ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହେବ।

ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୧୫ଟି ବ୍ଲକ ଏମିତି ଅଛି ଯେଉଁଠି ସେଇ ବ୍ଲକ୍ ହିଁ କେବଳ ଜିଲ୍ଲା ପରିଷଦ ଜୋନ୍। ସେହିପରି ୨ ଜୋନ୍ ବିଶିଷ୍ଟ ୧୨୬ ବ୍ଲକ, ୩ଟି ଜୋନ୍ ବିଶିଷ୍ଟ ୧୧୫ ବ୍ଲକ, ୪ଟି ଜୋନ୍ ବିଶିଷ୍ଟ ୫୦ ବ୍ଲକ, ୫ଟି ଜୋନ୍ ବିଶିଷ୍ଟ ୭ ବ୍ଲକ, ୬ଟି ଜୋନ୍ ଥିବା ଗୋଟିଏ ବ୍ଲକ ରହିଛି। ଏଥର ଭୋଟଗ୍ରହଣ ପରେ ବ୍ଲକରେ ସେଣ୍ଟ୍ରାଲ୍ କାଉଣ୍ଟିଂ ହେବ।

Advertisment

୮୫୩ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୩୧୫ ଜୋନ୍ ପ୍ରଥମ ପର୍ଯ୍ୟାୟରେ, ୩୦୭ଟି ଦ୍ୱାତୀୟ ପର୍ଯ୍ୟାୟରେ ଓ ୨୩୧ଟି ଥାର୍ଡ ଫେଜରେ ଗଣତି ହେବ। ଅନ୍ୟପକ୍ଷରେ ଏଥର ପଂଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ବି ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସରପଞ୍ଚ ଓ ସମିତ ସଭ୍ୟ ୨ଲକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

ସୂଚନାଯୋଗ୍ୟ, ୨୦୧୭ ମସିହା ଭଳି ଆଗାମୀ ପଂଚାୟତ ନିର୍ବାଚନରେ ବାଲାଟ ପେପରରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ। ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଇଭିଏମ ମେସିନରେ ମତଦାନ ହେଉଥିବାବେଳେ ପଂଚାୟତ ନିର୍ବାଚନରେ ବାଲାଟ ପେପରରେ ନିର୍ବାଚନ କରାଇବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ପ୍ରଥମଥର ପାଇଁ ବ୍ଲକରେ ଭୋଟଗଣତି ହେଉଥିବାରୁ ସୁରକ୍ଷା ଓ ଭୋଟଗଣତି କେନ୍ଦ୍ର ଚୟନ କାର୍ଯ୍ୟକୁ କଡ଼ାକଡ଼ି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଭୋଟଗଣତି କେନ୍ଦ୍ର ମୁଖ୍ୟତଃ ବ୍ଲକ ମୁଖ୍ୟାଳୟରେ ହେବ। ଯଦି ବ୍ଲକ କାର୍ଯ୍ୟାଳୟରେ ସେଭଳି ଘରର ବ୍ୟବସ୍ଥା ନଥିବ ତା’ହେଲେ ବ୍ଲକ ମୁଖ୍ୟାଳୟରେ ଥିବା ହାଇସ୍କୁଲ କିମ୍ବା କଲେଜରେ ଭୋଟଗଣନା କେନ୍ଦ୍ରର ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ବି ଅସ୍ଥାୟୀ ଗୃହରେ ଭୋଟଗଣତି ହୋଇପାରିବ ନାହିଁ। ଭୋଟଗଣତି କେନ୍ଦ୍ରର ସାଇଜ୍ ଅତିକମରେ (୩୫ଫୁଟ ଓ ୨୦ଫୁଟ) ହେବା ଜରୁରୀ। ଯଦି କୌଣସି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନରୁ ଅଧିକ ଜୋନ୍ ଥିବ ତା’ହେଲେ ସେଠାରେ ୨ଟି ଏଭଳି ହଲ୍ ଗଣନା ପାଇଁ ଆବଶ୍ୟକ ପଡ଼ିବ। ଭୋଟଗଣତି କେନ୍ଦ୍ରର ୧୦୦ମିଟର ପରିସର ଭିତରକୁ ମୋଟରଯାନ ପ୍ରବେଶ ନିଷେଧ। ଭୋଟ ଗଣତି କେନ୍ଦ୍ରକୁ ପ୍ରାର୍ଥୀ, ଏଜେଣ୍ଟ ଓ ଗଣନାକାରୀ କର୍ମଚାରୀମାନେ ନିଜର ଫୋନ୍ ଅବା କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ନେଇପାରିବେ ନାହିଁ। ଭୋଟଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗଣତି କାର୍ଯ୍ୟରେ ସାମିଲ କରାଯିବ ନାହିଁ।