ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରିଥାଏ: ରାଷ୍ଟ୍ରପତି

‘ପରମହଂସ ଯୋଗାନନ୍ଦ ତାଙ୍କ ଆତ୍ମଜୀବନରେ ଲେଖିଛନ୍ତି, ତାଙ୍କ ପ୍ରେରଣାର ଉତ୍ସ ଥିଲେ ମାଆ ଜ୍ଞାନପ୍ରଭା। ମାତୃ କରୁଣା ଓ ମାତୃ ପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରିଥାଏ’

ଉଦ୍‌ବୋଧନ ଦେଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Published: Friday, 10 February 2023
  • , Updated: 10 February 2023, 08:14 PM IST

ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରିଥାଏ। ମାତୃକରୁଣା ପାଇ ଛତ୍ରପତି ଶିବାଜୀ, ଗାନ୍ଧିଜୀ ମହିୟାନ ହୋଇଛନ୍ତି। ଆଜି ଏପରି କହିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜ୍ଞାନପ୍ରଭା ମିଶନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଶରୀର ଓ ଆତ୍ମାକୁ ଶୁଦ୍ଧି କରିବାକୁ ପଡ଼ିବ। ଆତ୍ମା ଶୁଦ୍ଧି ପାଇଁ ଯୋଗ ଓ ଧ୍ୟାନ କରିବା ଆବଶ୍ୟକ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ପରମହଂସ ଯୋଗାନନ୍ଦ ତାଙ୍କ ଆତ୍ମଜୀବନରେ ଲେଖିଛନ୍ତି, ତାଙ୍କ ପ୍ରେରଣାର ଉତ୍ସ ଥିଲେ ମାଆ ଜ୍ଞାନପ୍ରଭା। ମାତୃ କରୁଣା ଓ ମାତୃ ପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରିଥାଏ। ଛତ୍ରପତି ଶିବାଜୀଙ୍କ ବୀରତ୍ୱ ଓ ସ୍ୱାଭିମାନ ପଛରେ ତାଙ୍କ ମାଆ ଜୀଜାବାଈଙ୍କ ଅବଦାନ ଥିଲା। ମାଆ ପୁତୁଲି ବାଈଙ୍କ ପ୍ରେରଣାରେ ମହାତ୍ମା ଗାନ୍ଧି ସାରା ଜୀବନ ସତ୍ୟ ଓ ଅହିଂସାର ମାର୍ଗର ଯାତ୍ରୀ ଥିଲେ। ସେହିପରି ମାଆ ପଦ୍ମାବତୀଙ୍କ ଦ୍ୱାରା ପ୍ରେରିତ ହୋଇ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ବୋଲି କିମ୍ୱଦନ୍ତି କହେ। ଯୋଗାନନ୍ଦ ସେଥିରୁ ବାଦ ଯିବେ କିପରି? ତାଙ୍କ ଯୋଗ ଜୀବନର ମୂଳରେ ଥିଲା ମାଆ ଜ୍ଞାନପ୍ରଭାଙ୍କ ଆଶୀର୍ବାଦ। ଶିଶୁ ମୁକୁନ୍ଦ ପରବର୍ତ୍ତୀ ସମୟରେ ଯୋଗାନନ୍ଦ ଭାବେ ପରିଚିତ ହୋଇଛନ୍ତି। ଶୈଶବ କାଳରେ ତାଙ୍କ ସରଳ ମନରେ ପରମାତ୍ମାଙ୍କ ପ୍ରତି ଆବେଗମୟ ବୀଜଟିଏ ବପନ କରିଥିଲେ ତାଙ୍କ ମାଆ। ସେହି ମହିୟସୀ ମାଆଙ୍କ ନାଁରେ ନାମିତ ହୋଇଛି ଜ୍ଞାନପ୍ରଭା ମିଶନ ବୋଲି ରାଷ୍ଟ୍ରପତି କହିଛନ୍ତି।

ଭାରତର ରାଷ୍ଟ୍ରପତିଙ୍କୁ ସମ୍ମାନିତ କରାଯାଉଛି

ସେ ଆହୁରି କହିଛନ୍ତି, ପରମହଂସ ପ୍ରଜ୍ଞାନନ୍ଦଜୀ ସୃଷ୍ଟିର ନିରାଜନରେ ମାତୃ ଶକ୍ତିର ଅନନ୍ତ ପ୍ରଭାବକୁ ଅନୁଭବ କରଛନ୍ତି। ତେଣୁ ସେ ନାରୀମାନଙ୍କ ଆତ୍ମିକ ଉତ୍ତରଣ ସହିତ ଜଗତକଲ୍ୟାଣକୁ ଦୃଷ୍ଟିରେ ରଖି ଜ୍ଞାନପ୍ରଭା ମିଶନ୍ ପରି ଅନୁଷ୍ଠାନର ପରିକଳ୍ପନା କରିଛନ୍ତି। ମୁଁ ମଧ୍ୟ ଜାଣିବାକୁ ପାଇଲି ଯେ, ଜ୍ଞାନପ୍ରଭା ମିଶନ୍ ପ୍ରଜ୍ଞାନନ୍ଦଜୀଙ୍କ ପୂଜ୍ୟ ଗୁରୁଦେବ ପରମହଂସ ହରିହରା ନନ୍ଦଜୀ ମାତୃ ଆରାଧନାକୁ ରୂପ ଦେବା ନିମନ୍ତେ ସୃଷ୍ଟି ହୋଇଥିବା ହରିହରାନନ୍ଦ ମାତୃ ଆଶ୍ରମର ଏକ ପରିବର୍ତ୍ତୀତ ରୂପ। ଏହି ମିଶନରେ ଉତ୍ତରୋତ୍ତର କାମନା କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ମହାମହିମ ରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତର ମୁନୀ ଓ ଋଷିମାନେ କହିଛନ୍ତି- ମାତୃଦେବ ଭବ, ପିତୃ ଦେବ ଭବ, ଆଚାର୍ଯ୍ୟ ଦେବ ଭବ, ଅତିଥି ଦେବଭବ। ଏଥିରୁ ସ୍ପଷ୍ଟ ଯେ ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନିବା କଥା। ପରେ ପିତା, ଆଚାର୍ଯ୍ୟ ଓ ଅତିଥିଙ୍କୁ ଦେବତା ଭାବେ ଗ୍ରହଣ କରିବା କଥା ପରମ୍ପରାରେ ରହିଛି। ତେଣୁ ଆମେ ନିଜେ ନିଜକୁ ପ୍ରଶ୍ନ କରିବା ଉଚିତ। ଏହି ଶାସ୍ତ୍ରସିଦ୍ଧ ଉପଦେଶକୁ ଆମେ ଆମ ଜୀବନରେ ଆଦର୍ଶ ଭାବେ ଗ୍ରହଣ କରିଛୁ କି? ଏହା ଆମ ଆଗରେ ଏକ ବଡ଼ ପ୍ରଶ୍ନ। ପିତା ମାତାଙ୍କ ବାର୍ଦ୍ଧକ୍ୟରେ ତାଙ୍କ ପିଲାମାନେ ଯତ୍ନ ନେଉଛନ୍ତି କି? ଅନେକ ସମୟରେ ବୃଦ୍ଧ ପିତାମାତାଙ୍କ କରୁଣ କାହାଣୀ ଖବର କାଗଜରେ ସ୍ଥାନ ପାଇଛି। ପୁଅ ଓ ବୋହୂମାନେ ତାଙ୍କ ବାପା-ମାଆ ବା ଶାଶୂ ଓ ଶ୍ୱଶୁରଙ୍କ ଯତ୍ନ ନେବା ପାଇଁ କୁଣ୍ଠାବୋଧ କରୁଛନ୍ତି। ପିତାମାତାଙ୍କୁ ଦେବତା କହି ତାଙ୍କ ଫଟୋ ଚିତ୍ରକୁ ପୂଜା କରିବା ଆଧ୍ୟାତ୍ମିକତା ନୁହେଁ। ପିତାମାତାଙ୍କ ଯତ୍ନ ନେବାଠାରୁ ବଡ଼ ଧର୍ମ ଆଉ କିଛି ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଭାରତ ଯୋଗେ ଯୋଗେ ସିଦ୍ଧି ଓ ତପସ୍ୱୀ, ବ୍ରହ୍ମବାଦିନୀ, ବରଙ୍ଗନା, ବିଦୂଷୀମାନଙ୍କ ତ୍ୟାଗ, ତିତୀକ୍ଷାରେ ମହିବର୍ଣ୍ଣିତ। ବୈଦିକ ଯୁଗରେ ଗାର୍ଗୀ, ମୈତ୍ରେୟୀ, ଅପାଲା, ତମସା ଓ ଲୋପାମୁଦ୍ରାଙ୍କ ପରି ମହିୟସୀ ମହିଳାମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ଅଗ୍ରଣୀ ଥିଲେ। ସେମାନେ ବେଦ ବିଦୂଷୀ ଭାବେ ପରିଚିତ ଥିଲେ। ଅର୍ଥାତ ଆଧ୍ୟାତ୍ମିକତା, ପାଣ୍ଡିତ୍ୟ, ସୃଜନଶୀଳତା ଆଦି କ୍ଷେତ୍ରରେ ମହିଳମାନେ ପୁରୁଷଙ୍କ ସମକକ୍ଷ ଥିଲେ। ଆଜି ନାରୀମାନେ ନେତୃତ୍ୱରେ, ଶାସନ, ପ୍ରଶାସନ, ଜ୍ଞାନ ବିଜ୍ଞାନ, କଳା କାରିଗରୀ ଆଦି ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଛନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ନାରୀମାନଙ୍କ ଯୋଗଦାନ ବୃଦ୍ଧି ପାଉଛି। ବ୍ରହ୍ମାକୁମାରୀ ସଂସ୍ଥା ଏ କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଉଦାହରଣ। ଏହି ସଂସ୍ଥା ନାରୀମାନଙ୍କ ଦିଶା ଓ ଦର୍ଶନରେ ପରିଚାଳିତ। ସେହିପରି ଜ୍ଞାନପ୍ରଭା ମିଶନ୍ କୁମାରୀମାନଙ୍କ ମଧ୍ୟରେ ସାମାଜିକ, ଚାରିତ୍ରିକ ଓ ଆତ୍ମିକ ବିକାଶ ନିମନ୍ତେ ଗୁଡ଼ିଏ କାର୍ଯ୍ୟକ୍ରମ ଗ୍ରହଣ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଛନ୍ତି, ଯୋଗ ହେଉଛି ଭାରତର ପ୍ରଚିନ ବିଦ୍ୟା ଓ ପଦ୍ଧତ୍ତି। ଯାହା ସୁସ୍ଥ ମାନବ ସମାଜ ଗଠନ ପାଇଁ ଅଭିପ୍ରେତ। ସୁସ୍ଥ ଜୀବନ ପାଇଁ ରୋଗର ଚିକିତ୍ସା ଅପେକ୍ଷା ରୋଗ ନିରାକରଣ ଅଧିକ ଆବଶ୍ୟକ। ଆମେ ଯୋଗଯୁକ୍ତ ହେଲେ ରୋଗ ମୁକ୍ତ ହୋଇପାରିବା। ଅନେକ ଦେଶର ଲୋକ ଯୋଗର ଉପକାରୀତାକୁ ଉପଲ୍‌ବଧି କରି ତାକୁ ଜୀବନରେ ଅଂଶ ଭାବେ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।

Related story