Advertisment

ରମାଦେବୀରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

‘ସେତେବେଳର ଆର୍ଥିକ ସ୍ଥିତି ପାଇଁ କ୍ୟାଣ୍ଟିନରେ ଖାଉନଥିଲି। ବାହାର ଠେଲାରେ କିଛି ଖାଇ ମୁଁ ଚାଲି ଯାଉଥିଲି। କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ, ବଡ଼କଥା’

ଅଦ୍ୟତନ ହୋଇଛି
Rama Devi Women's University

Rama Devi Women's University

Advertisment

ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଦ ଦେବା ପରେ ନିଜ ପୁରୁଣା ସ୍ମୃତିକୁ ମନେ ପକାଇଲେ। ଛାତ୍ରଛାତ୍ରୀ ଓ ସହପାଠୀଙ୍କ ସାମ୍ନାରେ ସେ ଗୋଟି ଗୋଟି କରି ବଖାଣି ଚାଲିଲେ। ଆଉ କହିଥିଲେ, ଏ ଅନୁଷ୍ଠାନର ଛାତ୍ରୀ ଭାବେ ମୁଁ ନିଜକୁ ଗର୍ବିତ ମନେ କରୁଛି। ସେତେବେଳର ଆର୍ଥିକ ସ୍ଥିତି ପାଇଁ କ୍ୟାଣ୍ଟିନରେ ଖାଉନଥିଲି। ବାହାର ଠେଲାରେ କିଛି ଖାଇ ମୁଁ ଚାଲି ଯାଉଥିଲି। କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ, ବଡ଼କଥା ବୋଲି ରାଷ୍ଟ୍ରପତି କହିଛନ୍ତି।

Advertisment

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇଥିଲେ। ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଆଜି ମୋର କଲେଜ ଦିନର ସବୁ କଥା ମନେ ପଡ଼ୁଛି। ସେତେବେଳେ ଏହି ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଥିଲା। ଏଠି ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗରିବ ଚାଷୀର ଝିଅ ପଢ଼ୁଥିଲେ। ଆମେ ସମସ୍ତେ ମିଶି ଏକାଠି ପଢ଼ୁଥିଲୁ। ଆମ ଭିତରେ ଭେଦଭାବର କିଛି ବାସନା ନଥିଲା। ସେତେବେଳର ଏହି ମହାବିଦ୍ୟାଳୟ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରହିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି।

Rama Devi Women's Universityସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସେ ଆହୁରି କହିଛନ୍ତି, ମୟୂରଭଞ୍ଜ ଜିଲ୍ଲା ଏକ ଅକ୍ଷାତ ଆଦିବାସୀ ପଲ୍ଲୀରୁ ଆସି ଭୁବନେଶ୍ୱର ୟୁନିଟ୍‌-୨ ବାଳିକା ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ମହାବିଦ୍ୟାଳୟରେ ମୋର କଲେଜ ଜୀବନ ବିତିଥିଲା। ୪ ବର୍ଷ ମୁଁ ଏଠାରେ ପାଠ ପଢ଼ିଛି। ସେ ସମୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସ୍ନେହ, ଶ୍ରଦ୍ଧା ମୋ’ ପାଇଁ ଅବିସ୍ମରଣୀୟ ହୋଇ ରହିବ।

Advertisment

ମୋର ଏବେବି ମନେ ପଡ଼ୁଛି, ଅର୍ଥନୀତି ବିଭାଗ ମ୍ୟାଡାମ ବୀଣାପାଣି ମହାନ୍ତିଙ୍କ କଥା। ସେ ଜଣେ ପ୍ରକ୍ଷାତ କବି, ଲେଖିକା, ଗାଳ୍ପିକ। ଆମର ସବୁ କଥାକୁ ସେ ନିଜ କାନିରେ ଗଣ୍ଠି ପକାଇ ରଖୁଥିଲେ। ବର୍ଷେ କିମ୍ୱା ୬ ମାସ ପରେ ଏମିତି ଦୁଇ ପଦ କହୁଥିଲେ ଯେ ତା’ପରେ କେବେ ତାଙ୍କ ଆଗକୁ ଆସିପାରୁନଥିଲୁ। ଶକୁନ୍ତଳା ବଳିଆର ସିଂ ମ୍ୟାଡାମ ସାହିତ୍ୟ ପଢ଼ାଉ ଥିଲେ। ତାଙ୍କର ଭାଷା ଜ୍ଞାନ ଆମକୁ ପ୍ରେରଣା ଦେଉଥିଲା। ମୋ ଜୀବନର ଗତି ପଥରେ ଏହି ମହାନ ଶିକ୍ଷାନୁଷ୍ଠାନ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମହାମହିମ ରାଷ୍ଟ୍ରପତି କହିଛନ୍ତି।

Rama Devi Women's Universityସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିବା ବ୍ୟକ୍ତି ବିଶେଷ

ସେ ଆହୁରି କହିଛନ୍ତି, “ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଯାହାଙ୍କ ନାଁରେ ଏହି ବିଶ୍ୱବିଦ୍ୟାଳୟ ନାମିତ, ସିଏ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସୁନାଧନ୍ୟ ନେତ୍ରୀ ଥିଲେ। ତାଙ୍କ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ ହେବା ନିଶ୍ଚିତ ଆନନ୍ଦର କଥା। ରମାଦେବୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛି। ମାଆ ରମାଦେବୀଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୁଅନ୍ତୁ, ଏହା ମୋର କାମନା। ଓଡ଼ିଶାରେ ଶିକ୍ଷା ବିକାଶ ଓ ବାଳିକା ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳୀୟ ନବଜାଗରଣର ଅନ୍ୟତମ ମହାନ କର୍ଣ୍ଣଧାରମାନଙ୍କୁ ମୁଁ ପ୍ରଣାମ ଜଣାଉଛି।”

Rama Devi Women's Universityସମାବର୍ତ୍ତନ ଉତ୍ସବରେ ସମ୍ମାନିତ କରାଯାଉଛି

ସମାରୋହରେ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ। ଏହି ଅବସରରେ ୨୨ ଜଣଙ୍କୁ ସ୍ଵର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧି ଦିଆଯାଇଛି। ଏଥିସହ ୭୪୩୦ ଜଣ ଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଇଛି।

Bhubaneswar Odisha Education President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe