ମଗଜରେ ପଶୁନି ବୋଥ୍ରାଙ୍କ ଥିଓରୀ, ମର୍ଡର ମିଷ୍ଟ୍ରିକୁ ନେଇ ଶହେ ସଂଶୟ!

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ପୁଲିସ୍ ପାଓ୍ୱାର ନ ଥାଇ ବି କେସ୍ ସଲଭ୍ ଆଡ଼କୁ ମାଡ଼ିଚାଲିଛନ୍ତି ନୟାଗଡ଼ ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଓଏସଆରଟିସି ଏମଡି ହୋଇଥିବା ବେଳେ ପୁଲିସ ପାଓ୍ୱାର ନ ଥିବାରୁ ଏସଆଇଟି ମୁଖ୍ୟ ଭାବେ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡର ତଦନ୍ତ କିପରି କରିବେ ଏନେଇ ପ୍ରଶ୍ନବାଚୀ ଏବେ ବି ଲାଗି ରହିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରି ନାବାଳିକା ହତ୍ୟାକାଣ୍ଡ […]

Bothra

Bothra

Pragnya Choudhury
  • Published: Tuesday, 22 December 2020
  • Updated: 24 December 2020, 11:01 AM IST

Sports

Latest News

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ପୁଲିସ୍ ପାଓ୍ୱାର ନ ଥାଇ ବି କେସ୍ ସଲଭ୍ ଆଡ଼କୁ ମାଡ଼ିଚାଲିଛନ୍ତି ନୟାଗଡ଼ ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଓଏସଆରଟିସି ଏମଡି ହୋଇଥିବା ବେଳେ ପୁଲିସ ପାଓ୍ୱାର ନ ଥିବାରୁ ଏସଆଇଟି ମୁଖ୍ୟ ଭାବେ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡର ତଦନ୍ତ କିପରି କରିବେ ଏନେଇ ପ୍ରଶ୍ନବାଚୀ ଏବେ ବି ଲାଗି ରହିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରି ନାବାଳିକା ହତ୍ୟାକାଣ୍ଡ ତଦନ୍ତର ଭିନ୍ନ ଫର୍ଦ୍ଦ ଦେଖାଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

ଯେହେତୁ ଘଟଣାଟି ଜୁଲାଇ ମାସର, ସଂଗୃହୀତ ତଥ୍ୟ ଆଧାରରେ ଆପଣମାନଙ୍କୁ ସଂକ୍ଷେପରେ ଘଟଣାଟି ଜଣେଇଦେଉଛୁ...
ଘଟଣାଟି ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର। ଜୁଲାଇ ୧୪ ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଗଲା ୫ ବର୍ଷୀୟା ନାବାଳିକା ଜଣକ। ଏନେଇ ନାବାଳିକାର ବାପା, ମାଆ ଥାନାରେ ଅଭିଯୋଗ କଲେ। ତେବେ ନିଖୋଜ ହେବାର ପ୍ରାୟ ୯ ଦିନ ବେଳକୁ ଘର ପଛପଟେ ଏକ ବୁଦା ପାଖରୁ ଏକ ବସ୍ତାରେ କେଇ ଖଣ୍ଡ ହାଡ଼ ଓ ଖପୁରୀ ମିଳିଥିଲା। ପରେ ନାବାଳିକା ହତ୍ୟାକାଣ୍ଡର ତଦନ୍ତ ପାଇଁ ଦାବି କଲେ ତାର ବାପା, ମାଆ। ପୁଲିସର ଅକ୍ଷମତା ଦର୍ଶାଇ ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ। ସ୍ଥାନୀୟ ଆଇଆଇସି ଏବଂ ଏସଡିପିଓଙ୍କ ହାବଭାବରୁ କାହାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଥିବା ବାରମ୍ବାର ଅଭିଯୋଗ ଆସିଥିଲା। ପୋଷ୍ଟମର୍ଟମ ରିପୋର୍ଟ ତଥ୍ୟଠାରୁ ପୀଡ଼ିତାର ପରିବାର ଲୋକଙ୍କୁ ଦୂରରେ ରଖାଗଲା।

ଏହାରି ଭିତରେ ନାବାଳିକାର ବଡ଼ ବାପା ଓ ମାଆଙ୍କୁ ଜବରଦସ୍ତ ଥାନାକୁ ଆଣି ବେଆଇନ୍ ଅଟକ ରଖାଗଲା ଓ ଦୋଷୀ ସାବ୍ୟସ୍ତ କରିବାକୁ ପାରୁ ପର୍ଯ୍ୟନ୍ତ ପ୍ରୟାସ ମଧ୍ୟ କରାଯାଇଥିବା ଅଭିଯୋଗ କରାଗଲା। ସେପଟେ ନାବାଳିକା ପରିବାରକୁ ପୁଲିସ ପାଖକୁ ନ ଯିବାକୁ ଓ ଚୁପ୍ ରହିବାକୁ ଧମକ ଦିଆଯାଉଥିବା ବେଳେ ପୁଲିସ କିନ୍ତୁ ବାରମ୍ବାର ନାବାଳିକାର ବାପା ମାଆଙ୍କୁ ଜେରା କରୁଥିଲା।

ସବୁଠାରୁ ଆଶ୍ଚର୍ଯ୍ୟଜର କଥା, ନାବାଳିକାର ଶରୀରର ଅବଶିଷ୍ଟାଂଶ ମିଳିବାର ପ୍ରାୟ ୯ ଦିନ ପରେ ଏକ ଅଜଣା ନମ୍ବରରୁ ନାବାଳିକାର ବାପା ମାଆଙ୍କୁ କଲ୍ ଆସିଥିଲା। ଜନୈକ ଯୁବକ ଫୋନରେ ନାବାଳିକା ବଞ୍ଚିଥିବା ଏବଂ ତାଙ୍କ ପାଖରେ ଥିବା ନେଇ କହିଥିଲେ। ଏପରି କି ନାବାଳିକାକୁ ଫେରାଇ ଦେବା ପ୍ରତିବଦଳରେ ଅନେକ ଅସାମାଜିକ ସର୍ତ୍ତ ମଧ୍ୟ ରଖିଥିଲେ। ତେବେ ଏନେଇ ମଧ୍ୟ ପୁଲିସକୁ ସବୁକିଛି ଜଣାଇଥିଲେ ନାବାଳିକାର ବାପା ଅଶୋକ ସାହୁ। ପରବର୍ତ୍ତୀ ସମୟରେ ଏହା ଏକ ଫେକ୍ କଲ୍ ବୋଲି କହିଥିଲା ପୁଲିସ ।

ପ୍ରାୟ ୪ ମାସର ଅପେକ୍ଷା ପରେ ଅତିଷ୍ଠ ହୋଇ ଶେଷରେ ବିଧାନସଭା ସମ୍ମୁଖରେ ନିଜ ଦେହରେ ଡିଜେଲ ଢାଳି ଆତ୍ମାହୁତି ଦେବାକୁ ପ୍ରୟାସ କରିଥିଲେ ନାବାଳିକାର ବାପା ମାାଆ। ଆଉ ଚିତ୍କାର କରି ବାବୁଲି ନାୟକ, ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ବାରମ୍ବାର ନେଉଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ଘଟଣା ଦିନ ଗାଁର ଅନ୍ୟ ଦୁଇଜଣ ପିଲାଙ୍କ ସହ ଖେଳୁଥିଲା। ସେମାନଙ୍କଠାରୁ ଜଣାପଡ଼ିଥିଲା ବାବୁଲି ନାୟକର ଲୋକ କାହ୍ନୁ ନାବାଳିକାକୁ ଉଠାଇନେଇଛି। ଆଉ ଏହି ଅଭିଯୋଗକୁ ସେତେବେଳେ ଜିଲ୍ଲା ପୁଲିସ ମନ୍ତ୍ରୀଙ୍କ ଚାପରେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ଆସିଲା।

ପରେ ପରେ ସ୍ଥାନୀୟ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରାଲ ହେଲା ଏବଂ ମନ୍ତ୍ରୀ ପଦରୁ ବହିଷ୍କାର ଦାବି ଜୋର୍ ଧରିଲା। ଚାପ ବଢ଼ିବା ପରେ ଏସଆଇଟି ଟିମ୍ ଗଠନ କରି ହତ୍ୟାକାଣ୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ମିଳିଲା। ଆଉ ଓଏସଆରଟିସି ଏମଡି ଅରୁଣ ବୋଥ୍ରାଙ୍କ ନେତୃତ୍ୱ ନେବାକୁ କୁହାଗଲା, ଯାହାଙ୍କ ପାଖରେ ପୁଲିସ କ୍ଷମତା ନାହିଁ। CRPC ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ। ଏଣୁ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତକୁ ହାଇକୋର୍ଟ ଗ୍ରହଣ କରିବେ ନାହିଁ ବୋଲି ପୂର୍ବତନ ଡିଜି ପ୍ରକାଶ ମିଶ୍ର ସର୍ବପ୍ରଥମେ ପ୍ରଶ୍ନ କରିଥିଲେ।

ପୁଲିସ ପାଓ୍ୱାର ନ ଥିବା କଥା ପ୍ରଘଟ ହେବା ଏବଂ ଅରୁଣ ବୋଥ୍ରାଙ୍କ ମୋ ସରକାର ପ୍ରତି ଭୟଭୀତ ହେବାର ଅଡିଓ ଭାଇରାଲ ହେବା ପରଠାରୁ ହିଁ ତଦନ୍ତର ନିରପେକ୍ଷତା ନେଇ ନାନା ଆଶଙ୍କା ଓ ସନ୍ଦେହ ପ୍ରକାଶ କରିଥିଲେ ବିରୋଧୀ, ଓ ପୀଡ଼ିତାଙ୍କ ପରିବାର ଲୋକେ। ଅରୁଣଙ୍କୁ ବଞ୍ଚାଇବାକୁ ଅରୁଣ ସମସ୍ତ ପ୍ରୟାସ କରିପାରନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇଛି। ଏପରି କି ଗିରଫ ଅଭିଯୁକ୍ତ ସରୋଜ ଖୋଦ୍ ନିଜେ ଅରୁଣ ତାଙ୍କୁ ଦୋଷ ସ୍ୱୀକାର କରିନେବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ମଧ୍ୟ କରିଥିଲେ।

ଏବେ ସରୋଜ ବୋଥ୍ରାଙ୍କ ଟିମ୍ ଆଗରେ ଦୋଷ ସ୍ୱୀକାର କରିସାରିଥିବା ଜଣାପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବୋଥ୍ରା ଅପରାଧର ପ୍ଲଟ୍ ସ୍ପଷ୍ଟ କରିଛନ୍ତି। ହେଲେ ତଥାପି ସଂଶୟ ଦୂର ହେଉନାହିଁ କି ବୋଥ୍ରାଙ୍କ ବ୍ୟାଖ୍ୟାକୁ ସହଜରେ ଗ୍ରହଣ କରିହେଉ ନାହିଁ।

  1. ନାବାଳିକା ଘରଠାରୁ ୧୦୦ ମିଟର ଦୂରରେ ଯଦି ଅଭିଯୁକ୍ତ ଥିଲା ଜିଲ୍ଲା ପୁଲିସ ଧରିପାରିଲା ନାହିଁ କେମିତି ?
  2. ସରୋଜକୁ ପ୍ରଥମେ ଜିଲ୍ଲା ପୁଲିସ ହିଁ ସନ୍ଦେହ ଘେରକୁ ଆଣିଥିଲା ବୋଲି ବୋଥ୍ରା କହିଛନ୍ତି। ଯଦି ଏହା ସତ ତା ହେଲେ ନାବାଳିକାର ମାଆ ବାପାଙ୍କୁ ପୁଲିସ ହଇରାଣ କାହିଁକି କରୁଥିଲା ?
  3.  ଆଉ ଯଦି ଏହି ଅଭିଯୋଗ ମିଛ ତାହେଲେ ଆଇଆଇସି ରୀତାରାଣୀ ସାହୁ ସସପେଣ୍ଡ ହେଲେ କାହିଁକି ଓ ଏସଡିପିଓ ବଦଳି ହେଲେ କାହିଁକି ?
  4.  ଜିଲ୍ଲା ପୁଲିସ ଯଦି ସନ୍ଦେହ କରୁଥିଲା ସରୋଜ ହିଁ ମୁଖ୍ୟ ଅଭିଯୁକ୍ତ, ତାହେଲେ ପୁଲିସ ମାମଲା ରଫାଦଫା କରିବାକୁ ୫ ଲକ୍ଷ ଟଙ୍କା ଯଚାଯିବା ଓ ସ୍କୁଲରେ ନାବାଳିକାର ନାଁରେ ପୁରସ୍କାର ଓ ପ୍ରତିମୂର୍ତ୍ତି ରଖିବା ଆଦି ପ୍ରଲୋଭନ ଦେଖାଇବା ଅଭିଯୋଗ ତାହେଲେ ସମ୍ପୂର୍ଣ୍ଣ ମିଛ କି?
  5. ସରୋଜଙ୍କୁ ଦୋଷ ସ୍ୱୀକାର କରିବାକୁ ୫ ଲକ୍ଷ ଯଚାଯିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ କି ?
  6.  ଅଙ୍ଗ ତସ୍କରୀ ସନ୍ଦେହ କରି ଆରମ୍ଭ ହୋଇଥିଲା ତଦନ୍ତ। କିନ୍ତୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ବୋଥ୍ରାଙ୍କ ତଦନ୍ତ କହୁଛି। ତେବେ ନାବାଳିକା ମାଆ ବାପାଙ୍କ ଅଭିଯୋଗ କ୍ରମେ ଅରୁଣ ସାହୁଙ୍କ ଲିଙ୍କରେ ଥିବା ବାବୁଲି ନାୟକ, କାହ୍ନୁ ନାୟକ ଓ ବିଜୟ ବେହେରାଙ୍କ ଏହି ଜଘନ୍ୟ ଅପରାଧରେ କଣ କୌଣସି ସମ୍ପର୍କ ନାହିଁ। ତାହାଲେ ନାବାଳିକା ମାଆଙ୍କ ଅଭିଯୋଗ ଅନୁଯାୟୀ ବାବୁଲି ସେମାନଙ୍କୁ କାହିଁକି ଆକ୍ରମଣ କରିଥିଲେ?
  7.  କିଏ କେଉଁ ଉଦ୍ଦେଶ୍ୟରେ ନାବାଳିକାର ବାପା ମାଆଙ୍କୁ ଫେକ୍ କଲ୍ କରୁଥିଲା ?
  8.  ବଳକା ହାଡ଼ କୁଆଡ଼େ ଗଲା?
  9.  ଗଳିତ ଶବ ୯ ଦିନ ଯାଏ ଦୁର୍ଗନ୍ଧ କିପରି ହେଲା ନାହିଁ ?
  10.  ନାବାଳିକାର ଅବଶେଷ ଶରୀରାଂଶର କେଇ ଖଣ୍ଡ ହାଡ଼ରୁ ଯଦି ଦୁଷ୍କର୍ମ ହୋଇଛି କି ନା ଜଣାପଡ଼ିବ ନାହିଁ ବୋଲି ସାଇଣ୍ଟିଫିକ୍ ଟିମ୍ କହିଲା, ତେବେ ଅଙ୍ଗ ତସ୍କରୀ ହୋଇନାହିଁ ବୋଲି ଜଣାପଡ଼ିବ କେମିତି ?
  11.  ବାରମ୍ବାର ନାବାଳିକାର ବାପା ମାଆ ଅଙ୍ଗ ତସ୍କରୀ କଥା କହୁଥିଲେ ମଧ୍ୟ ଏ ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରି ଗୁଗଲ ବ୍ରାଉଜିଂ ହିଷ୍ଟ୍ରିରୁ ମୁଖ୍ୟ ଅଭିଯୁକ୍ତକୁ ଧରିନେବା ସତରେ ଏକ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ବିଷୟ ନିଶ୍ଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos