Advertisment

Promotion Blocked: କର୍ମଚାରୀଙ୍କୁ ସରକାରଙ୍କ ଝଟକା, ସମ୍ପତ୍ତି ବିବରଣୀ ନଦେଲେ ମିଳିବନି ପଦୋନ୍ନତି

ଏପରିକି ୨୦୨୪ ମସିହାର ବାର୍ଷିକ ସମ୍ପତ୍ତି ବିବରଣୀକୁ ଯେଉଁ କର୍ମଚାରୀମାନେ ଦାଖଲ କରିନାହାନ୍ତି ସେମାନଙ୍କୁ ମଧ୍ୟ ପଦୋନ୍ନତିରୁ ବଂଚିତ ହେବାକୁ ପଡ଼ିବ। ରାଜ୍ୟ ସରକାର ଏଚଆରଏମଏସ୍ ଅନଲାଇନ୍ ପୋର୍ଟାଲକୁ ବନ୍ଦ କରିଦେବା ସହ ଏହି ମିଆଦ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

author-image
Prakash Sethi
Lokseba-bhawan

lOKASEBA BHAWAN

ରାଜ୍ୟ କର୍ମଚାରୀମାନଙ୍କୁ ସରକାରଙ୍କ ଶକ୍ତ ଝଟକା । ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ନକଲେ ଆଉ ପଦୋନ୍ନତି ମିଳିବ ନାହିଁ । ଏପରିକି ୨୦୨୪ ମସିହାର ବାର୍ଷିକ ସମ୍ପତ୍ତି ବିବରଣୀକୁ ଯେଉଁ କର୍ମଚାରୀମାନେ ଦାଖଲ କରିନାହାନ୍ତି ସେମାନଙ୍କୁ ମଧ୍ୟ ପଦୋନ୍ନତିରୁ ବଂଚିତ ହେବାକୁ ପଡ଼ିବ । ରାଜ୍ୟ ସରକାର ଏଚଆରଏମଏସ୍ ଅନଲାଇନ୍ ପୋର୍ଟାଲକୁ ବନ୍ଦ କରିଦେବା ସହ ଏହି ମିଆଦ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହିତ ୨୦୨୫ ମସିହାର ବାର୍ଷିକ ସମ୍ପତ୍ତି ବିବରଣୀକୁ ୨୦୨୬ ଜାନୁୟାରୀ ୧ରୁ ୩୧ତାରିଖ ମଧ୍ୟରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Advertisment

ସମ୍ପତ୍ତି ବିବରଣୀକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୩ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି ଯେ, ୨୦୨୪ ମସିହା ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏଚଆରଏମଏସ୍ ପୋର୍ଟାଲ ମାଧ୍ୟମରେ ବହୁସଂଖ୍ୟକ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାରେ ବିଫଳ ହୋଇଛନ୍ତି । ବିଭିନ୍ନ ମହଲରୁ ସମୟସୀମା ବୃଦ୍ଧି ପାଇଁ ଅନୁରୋଧ ଆସିଥିଲେ ମଧ୍ୟ ଦୀର୍ଘକାଳୀନ ଭିତ୍ତିରେ ପ୍ରଶାସନିକ ଶୃଙ୍ଖଳାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ବିବରଣୀ ଦାଖଲ ପାଇଁ ସମୟ ସୀମା ବୃଦ୍ଧି ନକରିବାକୁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଅନଲାଇନ୍ ଏଚଆରଏମସ୍ ପୋର୍ଟାଲକୁ ପୁନଃ ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସରକାର(Govt Of Odisha)ଙ୍କ ଏଭଳି କଠୋର ଆଭିମୁଖ୍ୟ ଯୋଗୁ ୨୦୨୪ ମସିହାର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିନଥିବା କର୍ମଚାରୀଙ୍କୁ ଶକ୍ତ ଝଟକା ଲାଗିଛି ।


ନିର୍ଦ୍ଦେଶ ପାଳନ ନକଲେ ମିଳିବ ନାହିଁ ପଦୋନ୍ନତି 

ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, କର୍ମଚାରୀଙ୍କ ପଦୋନ୍ନତି ନିମନ୍ତେ ଧାର୍ଯ୍ୟ ସମୟସୀମା ମଧ୍ୟରେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ଏକ ବାଧ୍ୟତାମୂଳକ ପୂର୍ବ ସର୍ତ୍ତ ଭାବେ ବିବେଚନା କରାଯାଉଛି । ଯେଉଁ କର୍ମଚାରୀମାନେ ୨୦୨୪ ମସିହା ପାଇଁ ସମ୍ପତ୍ତି ବିବରଣୀ ଦାଖଲ କରିନାହାନ୍ତି, ସେମାନେ ପଦୋନ୍ନତି ପାଇଁ ବିଚାରଯୋଗ୍ୟ ହେବେ ନାହିଁ । ପରବର୍ତ୍ତୀ ବର୍ଷରେ ସଂପୂର୍ଣ୍ଣ ଅନୁପାଳନ(ବକେୟା ସମ୍ପତ୍ତି ବିବରଣୀ ଦାଖଲ) ନକରିବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକରେ ସେମାନଙ୍କର ପଦୋନ୍ନତି ପାଇଁ ବିଚାର କରାଯିବ ନାହିଁ । ନିୟମ ଉଲ୍ଲଂଘନକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରସ୍ତାବକୁ କୌଣସି ଡିପିସି ନିକଟରେ ବିଚାର ପାଇଁ ନରଖିବାକୁ ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Advertisment


ଶତ ପ୍ରତିଶତ ଅନୁପାଳନ: ବିଭାଗୀୟ ମୁଖ୍ୟଙ୍କ ବ୍ୟକ୍ତିଗତ ଦାୟିତ୍ୱ

ଏଣକି ନିର୍ଦ୍ଧାରିତ ଅବଧି ମଧ୍ୟରେ କର୍ମଚାରୀମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ଶତପ୍ରତିଶତ ସୁନିଶ୍ଚିତ କରିବା ବିଭାଗୀୟ ମୁଖ୍ୟଙ୍କ ବ୍ୟକ୍ତିଗତ କର୍ତ୍ତବ୍ୟ ହେବ । ଆଗାମୀ ବର୍ଷଗୁଡ଼ିକରେ ଏହି ସମୟସୀମାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ । ବିଶେଷକରି କର୍ମଚାରୀମାନଙ୍କୁ ନିଜର ୨୦୨୫ ମସିହାର ସମ୍ପତ୍ତି ବିବରଣୀକୁ ୨୦୨୬ ଜାନୁୟାରୀ ୧ରୁ ୩୧ତାରିଖ ମଧ୍ୟରେ ଦାଖଲ କରିବାକୁ ପଡ଼ିବ । ଏହି ସମୟସୀମାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସରକାରଙ୍କ ଏହି ନିର୍ଦ୍ଦେଶାନାମାକୁ ସମସ୍ତ କର୍ମଚାରୀଙ୍କ ନିକଟରେ ପହଂଚାଇବା ସହ ଶୃଙ୍ଖଳା ଏବଂ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ସମସ୍ତ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳମାନ((Advisory For Employees)ଙ୍କୁ ପରାମର୍ଶ ଦିଆଯାଇଛି ।

୨୦୨୪ରେ ସମ୍ପତ୍ତି ବିବରଣୀ ଦାଖଲ କରିଛନ୍ତି ୩.୫୫ଲକ୍ଷ କର୍ମଚାରୀ

ରାଜ୍ୟ ସରକାରଙ୍କ ଏଚଆରଏମଏସ୍ ପୋର୍ଟାଲରେ ଥିବା ତଥ୍ୟ ଅନୁସାରେ, ଧାର୍ଯ୍ୟ ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କ ୩ଲକ୍ଷ ୫୫ହଜାର ୯୧୧ଜଣ କର୍ମଚାରୀ ନିଜର ୨୦୨୪ ମସିହାର ସମ୍ପତ୍ତି ବିବରଣୀ ଦାଖଲ କରିଛନ୍ତି । ୨୦୨୩ ମସିହାର ସମ୍ପତ୍ତି ବିବରଣୀ ଦାଖଲ କରିଥିବା କର୍ମଚାରୀଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୩୮୦ ଥିବାବେଳେ ୨୦୨୨ ମସିହା ପାଇଁ ୩ଲକ୍ଷ ୨୦ହଜାର ୨୯୮ ଓ ୨୦୨୧ ମସିହା ପାଇଁ ୧ଲକ୍ଷ ୮ହଜାର ୬୬୨ଜଣ କର୍ମଚାରୀ ନିଜର ସମ୍ପତ୍ତି  ବିବରଣୀ ଦାଖଲ କରିଥିଲେ ବୋଲି ସୂଚନା ମିଳିଛି ।

Govt Of Odisha Advisory For Employees