
ରାଜ୍ୟ ସରକାର ୫୭ଜଣ ଆଇଏଏସ,ଆଇପିଏସ୍ ଓ ଆଇଏଫଏସ ଅଫିସରଙ୍କୁ ନୂଆବର୍ଷ ଆରମ୍ଭରୁ ପଦୋନ୍ନତି ଦେଇଛନ୍ତି । ପଦୋନ୍ନତି ପାଇଥିବା ଏହି ସମସ୍ତ ଅଫିସରଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି । ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୭ଜଣ ଆଇଏଏସ୍ , ୧୬ଜଣ ଆଇପିଏସ୍ ଓ ୧୪ଜଣ ଆଇଏଫଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିଲେ ମଧ୍ୟ ପୁଲିସ ଡିଜି ପାହ୍ୟା ଓ ମୁଖ୍ୟ ସଚିବ ପାହ୍ୟାରେ କାହାରିକୁ ପଦୋନ୍ନତି ଦିଆଯାଇନାହିଁ । ଯଦିଓ ୧୯୯୪ ବ୍ୟାଚ୍ ଆଇପିଏସ୍ ସଞ୍ଜିବ ପଣ୍ଡା ଓ ଯଶୋବନ୍ତ ଜେଠୁୱା ଡିଜି ପାହ୍ୟାକୁ ପଦୋନ୍ନତି ପାଇବାକୁ ହକଦାର ହେଲେଣି, ମାତ୍ର କେନ୍ଦ୍ର ସରକାରଙ୍କ ତାଗିଦ୍ ଯୋଗୁ ଡିଜି ପାହ୍ୟା ପଦବୀ ଖାଲି ନହେବା ପର୍ଯ୍ୟନ୍ତ ଉଭୟ ଅଫିସରଙ୍କୁ ପ୍ରାୟ ଆଉ ଏକବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଯେଉଁ ୫୭ଜଣ ଅଫିସରଙ୍କୁ ପଦୋନ୍ନତି ମିଳିଛି ସେଥିରେ ୧୦ଜଣ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ସେମାନଙ୍କୁ ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି ।
ସଞ୍ଜିବ ଓ ଯଶୋବନ୍ତଙ୍କୁ ଚଳିତବର୍ଷ ମିଳିବନି ପଦୋନ୍ନତି
ରାଜ୍ୟରେ ପୁଲିସ ଡିଜି ପାହ୍ୟାରେ ଏବେ ୫ଜଣ ଅଫିସର କାର୍ଯ୍ୟରତ ଅଛନ୍ତି । ତେବେ ୧୯୯୪ ବ୍ୟାଚ୍ ଆଇପିଏସ୍ ସଞ୍ଜିବ ପଣ୍ଡା ଓ ଯଶୋବନ୍ତ ଜେଠୁୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ନିମନ୍ତେ ପ୍ରାୟ ଏକବର୍ଷ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ କେନ୍ଦ୍ର ସରକାରଙ୍କ ତାଗିଦ୍ ସତ୍ତ୍ୱେ ରାଜ୍ୟର ପୂର୍ବ ବିଜେଡି ସରକାର ଅନୁମୋଦିତ ପଦବୀ ନଥାଇ ମଧ୍ୟ ମନଇଚ୍ଛା ଅଫିସରଙ୍କୁ ଡିଜି ପାହ୍ୟାରେ ଅବସ୍ଥାପିତ କରୁଥିବାବେଳେ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶନାମା ଏହି ଦୁଇ ଆଇପିଏସଙ୍କ ଡିଜି ପାହ୍ୟାକୁ ପଦୋନ୍ନତିରେ ସାମୟିକ ବ୍ରେକ୍ ଲଗାଇଛି । ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେବାକୁ ତାଗିଦ୍ କରାଯାଇଛି । ଯେଉଁଥିପାଇଁ ଆଇପିଏସ୍ ସେବାରେ ଶ୍ରୀ ପଣ୍ଡା ଓ ଶ୍ରୀ ଜେଠୁୱା ୩୦ବର୍ଷ ଚାକିରି ପୂରଣ କରିସାରିଥିଲେ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇଁ ଆଉ ପ୍ରାୟ ଏକବର୍ଷ ଅପେକ୍ଷା କରିବାକୁ ପଡ଼ିବ ।
ଏବେ ଡିଜି ପାହ୍ୟାରେ ଡିଜିପି ୱାଇବି ଖୁରାନିଆଙ୍କ ସମେତ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ କୁମାର ନାଥ ବିନୟତୋଷ ମିଶ୍ର ଓ ଆରପି କୋଚେ ରହିଛନ୍ତି । ଶ୍ରୀ ଖୁରାନିଆ ୨୦୨୬ ଅଗଷ୍ଟ ଓ ବିନୟତୋଷ ୨୦୨୬ ନଭେମ୍ବରରେ ଅବସର ନେବେ । ଏହା ପରେ ହିଁ ଶ୍ରୀ ପଣ୍ଡା ଓ ଶ୍ରୀ ଜେଠୁୱାଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେବା ସମ୍ଭବପର ହେବ ବୋଲି ଜଣାପଡ଼ିଛି ।
ସେହିପରି ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ପାଇଁ ଯୋଗ୍ୟ ଅଫିସରମାନଙ୍କୁ ସରକାର ପୂର୍ବରୁ ପଦୋନ୍ନତି ଦେଇସାରିଥିବାରୁ ଏବେ କେହି ଦାବିଦାର ନାହାନ୍ତି । ୧୯୯୬ ବ୍ୟାଚର ଅଫିସରମାନେ ଆସନ୍ତା ବର୍ଷ (୨୦୨୭ ଜାନୁୟାରୀ)ରୁ ଏହି ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ନିମନ୍ତେ ଦାବିଦାର ହେବେ । ମୁଖ୍ୟ ସଚିବ ପାହ୍ୟାରେ ବି ଅନୁମୋଦିତ ପଦବୀ ବାହାରେ ସରକାର ମନଇ୍ଛା ନିଯୁକ୍ତି ଦେଇଛନ୍ତି ।
୨୭ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି
୨୦୧୦ ବ୍ୟାଚର ୬ ଜଣ ଆଇଏଏସ୍ ସୁଧାଂଶୁ ମୋହନ ସାମଲ, ରଶ୍ମିତା ପଣ୍ଡା, ଡାକ୍ତର ବୃନ୍ଦା ଡି, ମହମ୍ମଦ ସାଦ୍ଦିକ ଆଲାମ, ମାନସୀ ନିମ୍ବଲ ଓ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସୁପର ଟାଇମ୍ ସ୍କେଲରେ ରାଜ୍ୟ ସରକାର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ସେହିପରି ୨୦୧୩ ବ୍ୟାଚର ୧୨ ଜଣ ଆଇଏଏସ୍ ଅଫିସରଙ୍କୁ ସିଲେକ୍ସନ ଗ୍ରେଡକୁ ଉନ୍ନୀତ କରାଯାଇଛି, ଯେଉଁଥିରେ ମଧୁସ୍ମିତା ସାହୁ, ଶୁଭମ ସାକ୍ସେନା, ମୋନିଷା ବାନାର୍ଜୀ, ବିଜୟ ଅମୃତ କୁଲାଙ୍ଗେ, କଲ୍ୟାଣ କୁମାର ରଥ, ଶୁଭଶ୍ରୀ ନନ୍ଦ, ବିଜୟ କୁମାର ପୃଷ୍ଟି, କାଳୀପ୍ରସନ୍ନ ମହାପାତ୍ର, ରଘୁରାମ ଆର. ଆୟାର, ସତ୍ୟବ୍ରତ ରାଉତ ଓ ଦୀପକ ରଞ୍ଜନ ଦାସଙ୍କ ସମେତ ଡାକ୍ତର ଗାଭାଲି ପରାଗ ହଷର୍ଦ (ପ୍ରୋଫର୍ମା ପଦୋନ୍ନତି) ସାମିଲ ଅଛନ୍ତି ।
୨୦୧୭ ବ୍ୟାଚର ସୋମେଶ କୁମାର ଉପାଧ୍ୟାୟ, ପି. ଅନ୍ୱେଷା ରେଡ୍ଡୀ, ଆଶିଷ ଈଶ୍ୱର ପାଟିଲ ଓ ହେମକାନ୍ତ ସାଏଙ୍କୁ ଜୁନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ ସମେତ ୨୦୨୨ ବ୍ୟାଚର ଅକାଭରମ ଶସ୍ୟା ରେଡ୍ଡି, ଅକ୍ଷୟ ପିଲ୍ଲେ, ଅରୁଗୁଳ ସ୍ନେହା, ସମୀର କୁମାର ଜେନା ଓ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସିନିୟର ଟାଇମ୍ ସ୍କେଲ୍ ପଦବୀକୁ ପଦୋନ୍ନତି ମିଳିଛି । ୨୦୨୬ ଜାନୁୟାରୀ ପହିଲାରୁ ପଦୋନ୍ନତି ମିଳିବ । କିନ୍ତୁ ଏହି ସମସ୍ତ ଅଫିସର ନିଜ ନିଜ ସ୍ଥାନରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ।
୧୬ ଆଇପିଏସଙ୍କୁ ପଦୋନ୍ନତି, ସାଇନି ହେଲେ ଏଡିଜି
୧୬ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଛି । ୨୦୦୧ ବ୍ୟାଚର ସାଇନି ଏସଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ତାଙ୍କ ବ୍ୟାଚର ସୂର୍ଯ୍ୟା ଥାଙ୍କପ୍ପନ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ତାଙ୍କୁ ଅତିରିକ୍ତ ଡିଜି ପାହ୍ୟାରେ ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି । ସେହିପରି ୨୦୦୮ ବ୍ୟାଚର ସତ୍ୟଜିତ ନାୟକ ଓ ଉମାଶଙ୍କର ଦାଶଙ୍କୁ ଆଇଜି ପାହ୍ୟା ଓ ସେହି ବ୍ୟାଚର କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରକାଶ ଆରଙ୍କୁ ଆଇଜି ପାହ୍ୟାରେ ପ୍ରୋଫର୍ମା ପଦୋନ୍ନତି ମିଳିଛି । ୨୦୧୨ ବ୍ୟାଚର ମାଡ଼କର ସନ୍ଦୀପ ସମ୍ପଦଙ୍କୁ ଡିଆଇଜି ଓ ତାଙ୍କ ବ୍ୟାଚର ସୁଧାଂଶୁ ଶେଖର ମିଶ୍ର ଡିଆଇଜି ପାହ୍ୟାରେ ପ୍ରୋଫର୍ମା ପଦୋନ୍ନତି ମିଳିଛି । ସେହିପରି ୨୦୧୩ ବ୍ୟାଚର ଜଗମୋହନ ମୀନା, ପରମାର ସ୍ମିତ ପୁରୁଷୋତ୍ତମଦାସ, ମୁକେଶ କୁମାର ଭାମୁଙ୍କ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ମିଳିଥିବାବେଳେ ତାଙ୍କ ବ୍ୟାଚର ରାହୁଲ ପି.ଆର, ଅନୁପମା ଜେମ୍ସ ଓ ଏଲ. ଦିବ୍ୟା ଭି.ଙ୍କୁ ସିଲେକ୍ସନ ଗ୍ରେଡରେ ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି । ୨୦୧୭ ବ୍ୟାଚର ସ୍ୱାତୀ ଏସ. କୁମାର, ସିଦ୍ଧାର୍ଥ କାଟାରିଆ ଓ ପ୍ରହଲାଦ ସହାୟ ମୀନାଙ୍କୁ ଜୁନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡକୁ ପଦୋନ୍ନତି ମିଳିଛି ।
୧୪ ଆଇଏଫଏସଙ୍କୁ ପଦୋନ୍ନତି
ରାଜ୍ୟ ସରକାର ୧୪ ଜଣ ଆଇଏଫଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ୨୦୦୧ ବ୍ୟାଚର ମନୋଜ ଭି ନାୟାର ଓ ଜି. ରାଜେଶଙ୍କୁ ଅତିରିକ୍ତ ପିସିସିଏଫ ଭାବେ ପଦୋନ୍ନତି ମିଳିଛି । ୨୦୧୨ ବ୍ୟାଚର ଡାକ୍ତର ଯଜ୍ଞଦତ୍ତ ପତି, ଏନ୍ ସନଥ କୁମାର, ଡାକ୍ତର ସମ୍ରାଟ ଗୌଡ଼ାଙ୍କୁ ବନ ସଂରକ୍ଷକ ପାହ୍ୟା ଓ ସେହି ବ୍ୟାଚର ପି. ସଞ୍ଜୀବ ରେଡ୍ଡୀଙ୍କୁ ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି । ୨୦୧୩ ବ୍ୟାଚର ରିଙ୍କୁ କୁମାରୀ, କାଲୁଙ୍ଗେ ଗୋରଖ ୱାମନ ଓ ସୁଶାନ୍ତ କୁମାର (ପ୍ରୋଫର୍ମା ପଦୋନ୍ନତି)ଙ୍କୁ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ଦିଆଯାଇଥିବାବେଳେ ୨୦୧୭ ବ୍ୟାଚର ଲାଡେ ଗଜାନନ ଦୟାନନ୍ଦ, ସାଇ କିରଣ ଡି.ଏନ୍ , ଲଳିତ କୁମାର ପାତ୍ର, ପ୍ରତାପ କୋଟ୍ଟାପଲ୍ଲୀ ଓ ଆନନ୍ଦ ଏସ(ପ୍ରୋଫର୍ମା ପଦୋନ୍ନତି)ଙ୍କୁ ଜୁନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡକୁ ପଦୋନ୍ନତି ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
