ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା(Odisha)ରୁ 4ଟି ଆସନ ପାଇଁ 5ଟି ପ୍ରାର୍ଥୀପତ୍ର କାଏମ ରହିଛି । ରାଜ୍ୟସଭା (Rajya Sabha)ର 5ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧ ସଂପର୍କରେ ତଥ୍ୟ ଏବେ ସର୍ବସାଧାରଣରେ ବିଧାନସଭା ଓ୍ବେବସାଇଟରେ ଉପଲବ୍ଧ ହୋଇଛି । ଏଥିରୁ ଜଣାପଡ଼ିଛି, 2024 ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ରାୟଙ୍କ ସମ୍ପତ୍ତି ପ୍ରାୟ 313 କୋଟିରୁ ଖସି 70 କୋଟିରେ ପହଞ୍ଚିଯାଇଛି। ଅନ୍ୟପଟରେ ସନ୍ତୃପ୍ତ ମିଶ୍ରଙ୍କ ସମ୍ପତ୍ତି ପ୍ରାୟ 482 କୋଟିରୁ ବଢ଼ି 595 କୋଟିରେ ପହଞ୍ଚିଛି।
ଡ. ସନ୍ତୃପ୍ତ ମିଶ୍ର:
ସନ୍ତୃପ୍ତ ମିଶ୍ର ଓ ତାଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ରେଲଓ୍ବେ ଅଫିସର ଅଲକା ମିଶ୍ରଙ୍କ ପାଖରେ ମୋଟ 595 କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ତାଙ୍କ ପତ୍ନୀଙ୍କର 6.53 କୋଟି ଟଙ୍କା ଋଣ ରହିଛି । ସନ୍ତୃପ୍ତଙ୍କ ପାଖରେ ଅଧିକାଂଶ ସମ୍ପତ୍ତି ସେୟାର, ଇକ୍ୟୁଟି ଜରିଆରେ ରହିଛି । ତାଙ୍କ ପାଖରେ 512.90 କୋଟି ଟଙ୍କାର ସଚଳ ସମ୍ପତ୍ତି ରହିଛି। ଆଉ ତାଙ୍କ ପାଖରେ 53.06 କୋଟିର ଅଚଳ ସମ୍ପତ୍ତି ରହିଛି । 2024 ସାଧାରଣ ନିର୍ବାଚନ ବେଳେ ତାଙ୍କ ପାଖରେ 482 କୋଟି ଟଙ୍କାର ସଂପତ୍ତି ଥିଲା।
ସେହିଭଳି ତାଙ୍କ ପତ୍ନୀ ଅଲକାଙ୍କ ପାଖରେ 20.48 କୋଟିର ସଚଳ ସମ୍ପତ୍ତି (Property) ରହିଥିବା ବେଳେ 8.68 କୋଟିର ଅଚଳ ସମ୍ପତ୍ତି ରହିଛି। ଶେଷ ଆୟକର ବର୍ଷ ଦେଖିଲେ, 2024-25ରେ ସନ୍ତୃପ୍ତଙ୍କର ବାର୍ଷିକ ଆୟ 29.03 କୋଟି ଟଙ୍କା ଥିବା ବେଳେ ପତ୍ନୀଙ୍କ ବାର୍ଷିକ ଆୟ ରହିଥିଲା 69.37 ଲକ୍ଷ ଟଙ୍କା। ସନ୍ତୃପ୍ତ ମିଶ୍ରଙ୍କ ସର୍ବାଧିକ ଶିକ୍ଷା ଯୋଗ୍ୟତାକୁ ଦେଖିଲେ, ସେ 1990ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ପବ୍ଲିକ୍ ଆଡିମିନିଷ୍ଟ୍ରେସନରେ ପିଏଚଡି କରିଥିବାବେଳେ ବ୍ରିଟେନର ଅଷ୍ଟନ୍ ବିଜନେସ ସ୍କୁଲରୁ 1993ରେ ଇଣ୍ଡଷ୍ଟ୍ରିଆଲ ରିଲେସନ୍ସରେ ପିଏଚଡି କରିଛନ୍ତି।
ଦିଲୀପ ରାୟ:
ଦିଲୀପ ରାୟ ଓ ତାଙ୍କ ପନ୍ନୀ ପୂଜା ରାୟଙ୍କ ପାଖରେ ଏବେ ମାତ୍ର ପ୍ରାୟ 70 କୋଟି ଟଙ୍କାର ସମ୍ପତ୍ତି ରହିଛି। 2024 ସାଧାରଣ ନିର୍ବାଚନରେ ତାଙ୍କ ପାଖରେ ପ୍ରାୟ 313 କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ଏବେ ତାହା କମିଯାଇଛି। ଦିଲୀପଙ୍କ ପାଖରେ ପ୍ରାୟ 4 କୋଟି ଟଙ୍କାର ସଚଳ ସମ୍ପତ୍ତି ଥିବାବେଳେ ପ୍ରାୟ 50 କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ ପୂଜା ରାୟଙ୍କ ପାଖରେ 11.16 କୋଟିର ସଚଳ ସମ୍ପତ୍ତି ରହିଥିବାବେଳେ 8 କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି।
ଦିଲୀପ ବ୍ୟବସାୟରୁ ଆୟ କରୁଥିବାବେଳେ ମାସକୁ 91 ହଜାର ଟଙ୍କା ସରକାରୀ ପେନସନ୍ ପାଉଛନ୍ତି। ଶେଷ ଆୟକର ବର୍ଷ ଦେଖିଲେ, 2024-25ରେ ଦିଲୀପଙ୍କର ବାର୍ଷିକ ଆୟ 2.86 କୋଟି ଟଙ୍କା ଥିବାବେଳେ ପତ୍ନୀଙ୍କ ବାର୍ଷିକ ଆୟ ରହିଥିଲା 2.44 କୋଟି ଟଙ୍କା। ଦିଲୀପ ପୈତୃକ ସମ୍ପତ୍ତିରୁ ବି ବାର୍ଷିକ 13.15 ଲକ୍ଷ ଟଙ୍କା ଆୟ ଆସୁଛି।ଦିଲୀପ ରାୟଙ୍କ ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତା ଦେଖିଲେ, 1976ରେ କଲିକତା ବିଶ୍ବବିଦ୍ୟାଳୟରୁ ଏଲଏଲବି ପାସ୍ କରିଛନ୍ତି।
ଅପରାଧିକ ରେକର୍ଡ ଅନୁସାରେ, 2020ରେ ସେ ଦିଲ୍ଲୀ ସିବିଆଇ କୋର୍ଟ ଦ୍ବାରା 3 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମାତ୍ର 2024ରେ ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡ ଉପରେ ରହିତାଦେଶ ଦେଇଥିଲେ ବି ମାମଲା ଏବେ ବି ହାଇକୋର୍ଟଙ୍କ ବିଚାରାଧୀନ ରହିଛି। ଦିଲୀପ କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ସ୍କ୍ରିନିଂ କମିଟିର ଜଣେ ସଦସ୍ୟ ଥାଇ ଝାଡ଼ଖଣ୍ଡର ବ୍ରହ୍ମଡିହା କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ସାମିଲ ଥିବା ସଂପର୍କରେ 2019ରେ ସିବିଆଇ ମାମଲା ରୁଜୁ କରିଥିଲା।
ଡାକ୍ତର ଦତ୍ତେଶ୍ବର ହୋତା:
ଡାକ୍ତର ଦତ୍ତେଶ୍ବର ହୋତା ତାଙ୍କ ପତ୍ନୀ ଡାକ୍ତର ସୁଜାତା ପୂଜାରୀଙ୍କ ପାଖରେ ମୋଟ 12.56 କୋଟି ଟଙ୍କାର ସମ୍ପତ୍ତି ରହିଛି। 2024-25 ଆର୍ଥିକ ବର୍ଷର ସର୍ବଶେଷ ଆୟକର ରିଟର୍ଣ୍ଣ ଦେଖିଲେ, 2024-25ରେ ଡାକ୍ତର ହୋତାଙ୍କର ବାର୍ଷିକ ଆୟ ଥିଲା 60.50 ଲକ୍ଷ ଟଙ୍କା ଆଉ ତାଙ୍କ ପତ୍ନୀଙ୍କର ବାର୍ଷିକ ଆୟ ଥିଲା 69.94 ଲକ୍ଷ ଟଙ୍କା। ଦତ୍ତେଶ୍ବରଙ୍କ ପାଖରେ ଏବେ 4 କୋଟି 92 ଲକ୍ଷ ଟଙ୍କାର ସଚଳ ସମ୍ପତ୍ତି ଥିବାବେଳେ 3.33 କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି। ସେହିଭଳି ପତ୍ନୀଙ୍କ ପାଖରେ 2.71 କୋଟି ଟଙ୍କାର ସଚଳ ସମ୍ପତ୍ତି ଥିବାବେଳେ 1.60 କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି।
ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତା: ଦତ୍ତେଶ୍ବର 1986ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସର୍ଜରୀରେ ମାଷ୍ଟର ଡିଗ୍ରୀ କରିବା ପରେ 1994ରେ ଚଣ୍ଡୀଗଡ଼ Postgraduate Institute of Medical Education & Research-PGIMERରୁ ୟୁରୋଲୋଜିରେ ସୁପର ସ୍ପେଶିଆଲିଟି କୋର୍ସ- MCh କରିଛନ୍ତି।
ମନମୋହନ ସାମଲ:
ମନମୋହନ ସାମଲଙ୍କ ପାଖରେ ପ୍ରାୟ 5 କୋଟି ଟଙ୍କାର ସମ୍ପତ୍ତି ରହିଛି। ମନମୋହନଙ୍କ ପାଖରେ 43.90 ଲକ୍ଷର ସଚଳ ସମ୍ପତ୍ତି ରହିଛି, ଦୁଇ ନିର୍ଭରଶୀଳ ପିଲାଙ୍କ ପାଖରେ ପ୍ରାୟ 15 ଲକ୍ଷ ଟଙ୍କାର ସଚଳ ସମ୍ପତ୍ତି ରହିଛି। ହେଲେ ତାଙ୍କ ପତ୍ନୀ ପ୍ରଣତୀ ସାମଲଙ୍କର ଟ୍ରାନସପୋର୍ଟ ବିଜନେସ୍ ରହିଥିବାବେଳେ ତାଙ୍କ ପାଖରେ 2.86 କୋଟି ଟଙ୍କାର ସଚଳ ସମ୍ପତ୍ତି ରହିଛି। ତାଙ୍କ ପତ୍ନୀଙ୍କର 75.10 ଲକ୍ଷ ଟଙ୍କା ଋଣ ବି ରହିଛି।
ମନମୋହନ ସାମଲଙ୍କର ସର୍ବଶେଷ ବାର୍ଷିକ ଆୟ (2024-25ରେ) ପ୍ରାୟ 12 ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କର ବାର୍ଷିକ ଆୟ ପ୍ରାୟ 14 ଲକ୍ଷ ଟଙ୍କା ରହିଛି। ମନମୋହନ ସାମଲଙ୍କର ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତା ହେଲା ସେ 2016ରେ ଫକୀର ମୋହନ ବିଶ୍ବବିଦ୍ୟାଳୟରୁ ଏଲଏଲଏମ୍ ପାସ୍ କରିଛନ୍ତି।
ସୁଜିତ କୁମାର:
ସୁଜିତ କୁମାରଙ୍କ ମୋଟ ସମ୍ପତ୍ତି ପ୍ରାୟ 7 କୋଟି। ସୁଜିତଙ୍କ ପାଖରେ 3.85 କୋଟି ଟଙ୍କାର ସଚଳ ସମ୍ପତ୍ତି ଥିବାବେଳେ 1.09 କୋଟିର ଅଚଳ ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ ସ୍ବାତୀ କୁମାରଙ୍କ ପାଖରେ 1.03 କୋଟିର ସଚଳ ସମ୍ପତ୍ତି ରହିଥିବାବେଳେ 73.21 ଲକ୍ଷ ଟଙ୍କାର ଅଚଳ ସମ୍ପତ୍ତି ରହିଛି। ସୁଜିତଙ୍କ ସର୍ବଶେଷ ଆୟ (2024-25ରେ) ବାର୍ଷିକ 29.27 ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କ ବାର୍ଷିକ ଆୟ ଥିଲା 6.50 ଲକ୍ଷ ଟଙ୍କା। ତେବେ ତାଙ୍କର 1.32 କୋଟି ଟଙ୍କା ଋଣ ରହିଛି।
ସେ ବିଭିନ୍ନ ଷ୍ଟାର୍ଟଅପ୍ରେ 2 କୋଟି 84 ଲକ୍ଷ ଟଙ୍କା ନିବେଶ କରିଛନ୍ତି। ବିଭିନ୍ନ କମ୍ପାନୀରେ ତାଙ୍କର 6.69 ଲକ୍ଷ ଟଙ୍କାର ଅଂଶଧନ (ଇକ୍ୟୁଟି) ରହିଛି। ତାଙ୍କର ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତା: ଆମେରିକାର ହାଭାର୍ଡ କେନେଡି ସ୍କୁଲ (ହାଭାର୍ଡ ବିଶ୍ବବିଦ୍ୟାଳୟ)ରୁ ସେ 2011ରେ ମାଷ୍ଟର ଇନ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ (MPA) କରିଛନ୍ତି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/06/rs-candidates_th-2026-03-06-20-16-36.jpg)